କୋରନା ରୋଗୀଙ୍କୁ ଖାଦ୍ୟ ଯୋଗାଉଛନ୍ତି ରୋଟାରୀ ମହିଳା

0

ରାଉରକେଲା : ସ୍ମାର୍ଟ ସିଟିରେ କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ରୋଟାରୀ କ୍ଲବର କିଛି ମହିଳା। ଏମାନଙ୍କ ମଧ୍ୟରେ ଦୁଇ ମହିଳା ‌ହେଲେ ରୋଟାରୀ କ୍ଲବ ଅଫ୍‌ ରାଉରକେଲା କୁଇନ୍ସର କାଞ୍ଚନ ଅଗ୍ରୱାଲ ଓ ଶ୍ବେତା ଜୈନ। ତାଙ୍କର ଉଦ୍ୟମରେ ସହରର କରୋନା ଆକ୍ରାନ୍ତ ରୋଗୀଙ୍କୁ ଦୁଇ ଓଳି ମଧ୍ୟାହ୍ନ ଓ ରାତିରେ ମାଗଣା ରନ୍ଧା ଖାଦ୍ୟ ଦିଆଯାଉଛି। ତାହା ପୁଣି ଘରକୁ ଘର ଯାଇ। ୧୦ କି ୨୦ ଜଣ ରୋଗୀ ନୁହେଁ ଦୈନିକ ୧୮୦ରୁ ଅଧିକ ରୋଗୀ ଦୁଇ ଓଳି ଖାଇବାକୁ ପାଉଛନ୍ତି। ରୋଗୀ ଜଣକ ସହରର କୋଏଲନଗର, ପାନପୋ‌ଷ, ଉଦିତନଗର, ଛେଣ୍ଡ କଲୋନି, ବାସନ୍ତି କଲୋନି ହେଉ ଅବା ଶକ୍ତିନଗର, ସେକ୍ଟର ବିଭିନ୍ନ ଅଞ୍ଚଳ ଯିଏ ଯେଉଁଠି ଥାଉନା କାହିଁକି ମଧ୍ୟାହ୍ନ ଓ ରାତିରେ ସେମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି।


ସିଭିଲଟାଉନସିପ୍‌ରୁ ରୋଗୀଙ୍କ ଘରେ ରନ୍ଧା ଖାଦ୍ୟ ପହଞ୍ଚାଇବାକୁ ଏରିଆ ଅନୁଯାୟୀ ତିନିଟି ଅଟୋ ଭଡା ସୂତ୍ରରେ ନିୟୋଜିତ କରିଛନ୍ତି। ଗତ ୧୧ରେ ଆରମ୍ଭ କରିଛନ୍ତି ଏହି ମହତ କାର୍ଯ୍ୟ। ଏଭଳି ପୂଣ୍ୟ କାର୍ଯ୍ୟରେ ସହାୟତା ହାତ ବଢ଼ାଇଛନ୍ତି ରାଉରକେଲା ସିଭିଲଟାଉନସିପ୍‌ ରାଜେଶ ଅଗ୍ରୱାଲ ଓ ତାଙ୍କ ପୁରା ପରିବାର। ସକାଳ ୬ଟାରୁ ଉଠି ରାଜେଶଙ୍କ ପତ୍ନୀ ଲକ୍ଷ୍ମୀ, ଶାଶୁ ଚମ୍ପାବତୀ, ଦୁଇ ଝିଅ ଓ ପୁଅ ନିଜ ରୋଷେଇ ଘରେ ଖାଦ୍ୟ ତିଆରିରେ ଲାଗି ପଡୁଛନ୍ତି। ରାଜେଶ, ତାଙ୍କ ସାନ ଝିଅ ଓ ପୁଅ ରନ୍ଧାଯାଇଥିବା ଖାଦ୍ୟକୁ ପ୍ୟାକେଟ୍‌ କରନ୍ତି। ମଧ୍ୟାହ୍ନ ୧୨ ସୁଦ୍ଧା ପ୍ୟାକେଟ୍‌ କରିବା ପରେ ଅଟୋରେ ଲୋଡ କରି ଦିଅନ୍ତି। କରୋନା ରୋଗୀଙ୍କ ଠିକଣା ଓ ଫୋନ୍ ନଂ. ପାଇଥିବା ଅଟୋ ଚାଳକ ଘରକୁ ଘରକୁ ବୁଲି ଖାଦ୍ୟ ପହଞ୍ଚାଇ ଦିଅନ୍ତି। ରାଜେଶ କହନ୍ତି, କେବଳ ମୁଁ ନୁହେଁ ପୁରା ପରିବାର ମୋତେ ଏଭଳି ପୁଣ୍ୟ କାମ କରିବାକୁ ସହାୟତା କରନ୍ତି। ଆମେ ସମସ୍ତେ ଏଭଳି କାମରେ ବେଶ୍‌ ଖୁସି। ଯେତେବେଳେ ଜଣେ କରୋନା ରୋଗୀଟିଏ ଖାଦ୍ୟ ଖାଇବା ପରେ ଫୋନ୍‌ କରି ଧନ୍ୟବାଦ ଟିଏ ଦିଏ ମୋତେ ବହୁତ ଆନନ୍ଦ ଲାଗେ।

Leave a Reply

Your email address will not be published. Required fields are marked *

You cannot copy content of this page