ଶିଳାନ୍ୟାସ‌ରେ ଲଟକିଛି କମ୍ୟୁନିଟି ସେଣ୍ଟର: ୬ ବର୍ଷରେ ବି ପଡ଼ିଲାନି ଇଟା ଖଣ୍ଡେ

0

ଭୁବନେଶ୍ୱର : ୨୦୧୬ ମସିହାରେ ଶିଳାନ୍ୟାସ ହେଲା। ଖୋଦ୍ ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଶିଳାନ୍ୟାସ କଲେ। ସ୍ଥାନୀୟ ବିଧାୟକ ଓ ପୂର୍ବତନ କର୍ପୋରେଟରଙ୍କ ଉପସ୍ଥିତିରେ ବଡ଼ ଜାକଜମକ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ପଡ଼ିଲା। କିନ୍ତୁ ସେଇଠି ଅଟକିଗଲା ସବୁ କିଛି। ଏହା ଭିତରେ ୬ ବର୍ଷ ବିତି ଯାଇଥିଲେ ବି ସେଠାରେ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ। ଏବେ ନାମଫଳକ ବଣଜଙ୍ଗଲ ଭିତରେ ଛପିଗଲାଣି। ବିଏମ୍‌ସିର ୬୨ ନମ୍ବର ୱାର୍ଡ ପୋଖରୀପୁଟ କମ୍ୟୁନିଟି ସେଣ୍ଟରର ଏଭଳି ଅବସ୍ଥା। ସମାନ ଅବସ୍ଥା ୫୭ ନମ୍ବର ୱାର୍ଡ ବଡ଼ଗଡ଼ ବ୍ରିଟ୍‌ କଲୋନି କମ୍ୟୁନିଟି ସେଣ୍ଟରର। ୨୦୧୮ ମସିହାରେ ଏଥିପାଇଁ ୨୬ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲେ ବି ସେଠାରେ କାମ ଆରମ୍ଭ ହୋଇପାରିନାହିଁ।

ସୂଚନାନୁସାରେ ୬୨ ନଂ ୱାର୍ଡ ପୋଖରୀପୁଟ ଛକ ନିକଟରେ ଏକ ଡେ’ କେୟାର୍‌ ସେଣ୍ଟର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ୨୦୧୬ ଅଗଷ୍ଟ ୩୧ ତାରିଖ ଦିନ ପୋଖରୀପୁଟ ଛକରେ ଏଥିପାଇଁ ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ସେହି ଶିଳାନ୍ୟାସ‌ରେ କଥା ଲଟିକିଛି। ଜମି ବିବାଦ ଦର୍ଶାଇ କାମ ଆରମ୍ଭ କରାଯାଉନାହିଁ। ଜମି ଠିକ୍‌ ନକରି କ’ଣ ପାଇଁ ଶିଳାନ୍ୟାସ କରାଯାଉଥିଲା? ରାଜଧାନୀରେ ସରକାରୀ ଜମି କେଉଁଠି ଅଛି ବୋଲି କ’ଣ ବିଏମ୍‌ସି ବୁଝିନଥିଲା? ବିବାଦୀୟ ଜମିରେ ଶିଳାନ୍ୟାସ କରାଯାଉଥିଲା କାର୍ହିକି? ବିଏମ୍‌ସି ତେବେ ସ୍ଥାନୀୟ ଲୋକଙ୍କୁ ଭଣ୍ଡାଉଥିଲା କି? ଏବେ ଏଭଳି ପ୍ରଶ୍ନକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ବିଏମ୍‌ସିକୁ ଘେରିବାକୁ ବସିଛନ୍ତି। ଆଗକୁ ଆସୁଥିବା ପୌର ନିର୍ବାଚନରେ ଏହାକୁ ପ୍ରସଙ୍ଗ କରାଯିବ ବୋଲି ସୂଚନା ମିଳିଛି। ସେହିପରି ୫୭ ନଂ ୱାର୍ଡ ବଡ଼ଗଡ଼ ବ୍ରିଟ୍‌ କଲୋନିରେ ସମାନ ପରିସ୍ଥିତି।

ଏଠାରେ ୨୦୧୮ ମସିହାରେ କମ୍ୟୁନିଟି ସେଣ୍ଟର୍ ନିର୍ମାଣ ପାଇଁ ୨୬ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଜମିକୁ ନେଇ ବିବାଦ ସୃଷ୍ଟି ହେଲା। କଥା ଏବେ କୋର୍ଟରେ ଥିବା ଜଣାପଡ଼ିଛି। ଏହି ବାହାନାରେ ବିଏମ୍‌ସି ବି ଚୁପ୍‌ ବସିଛି। ଏବାବଦରେ ପୂର୍ବତନ କର୍ପୋରେଟର ବନ୍ଦନା ସାହୁଙ୍କ କହିବା କଥା ଏଠାରେ କମ୍ୟୁନିଟି ସେଣ୍ଟର୍ ନଥିବାରୁ ଭତ୍ତା ପ୍ରଦାନ ଠାରୁ ଆରମ୍ଭ କରି ୱାର୍ଡସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ବହୁ ଅସୁବିଧା ହେଉଛି। ସରକାର ୨୬ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରି ବସିଗଲେ। କିନ୍ତୁ ପ୍ରସ୍ତାବିତ ସ୍ଥାନରୁ ଜବରଦଖଲ ହଟାଇପାରିଲେ ନାହିଁ। ଏମିତିକି ବିଏମ୍‌ସି ବାରମ୍ବାର ଜବରଦଖଲ ଉଚ୍ଛେଦ କରିବା ପାଇଁ ଆସୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ବିଏମ୍‌ସି ପ୍ରଶାସନ ଏଦିଗରେ ନିଷ୍ଠାର ସହ କାମ କରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page