କରୋନା ମୃତକଙ୍କ ପିଲାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟରେ ସଂପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା

0

ଭୁବନେଶ୍ୱର(ସଂକେତ ଖବର)

ଓଡ଼ିଶା, ଭାରତ ଓ ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ୱ ଏଥିରେ ଆକ୍ରାନ୍ତ ହୋଇଛି । ଓଡ଼ିଶା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଟ୍‍ ବିଶ୍ୱବିଦ୍ୟାଳୟ ସର୍ବଦା ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଥାଏ । କିଟ୍‍ ବିଶ୍ୱବିଦ୍ୟାଳୟ ହେଉଛି ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବ । କାରଣ ଏହି ଅନୁଷ୍ଠାନ ହେଉଛି ଓଡ଼ିଶାବାସୀଙ୍କର । କରୋନା ମହାମାରୀ ଓଡ଼ିଶାର ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଥିବା ବେଳେ ବର୍ତ୍ତମାନ ଦୁଃଖରେ ଥିବା କରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିଟ୍‍ ବିଶ୍ୱବିଦ୍ୟାଳୟ ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତ ସାରଙ୍କ ଅନୁରୋଧ କ୍ରମେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କିଟ୍‍ ବିଶ୍ୱବିଦ୍ୟାଳୟର ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ କରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରର କୌଣସି ପୁଅ ବା ଝିଅ କିଟ୍‍ରେ ବୈଷୟିକ ଉଚ୍ଚଶିକ୍ଷା ପାଇଁ ଯଦି ଆଗ୍ରହୀ ଥାଆନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର ଯେ କୌଣସି ବୈଷୟିକ (ଟେକ୍‍ନିକାଲ) ଓ ବୃତ୍ତିଗତ (ପ୍ରଫେସନାଲ୍‍) ପାଠ୍ୟକ୍ରମରେ ସଂପୂର୍ଣ୍ଣ ମାଗଣାରେ ପଢ଼ିବାର ସୁଯୋଗ ଦିଆଯିବ । ଆସନ୍ତା ଦୁଇଟି ଶିକ୍ଷାବର୍ଷ ୨୦୨୦-୨୧ ଓ ୨୦୨୧-୨୨ ପାଇଁ ଏହା ଲାଗୁ ହେବ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । କିଟ୍‍ର ଆଇଟିଆଇ, ଡିପ୍ଲୋମା ଇଂଜିନିୟରିଂ ସମେତ କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ବୈଷୟିକ ଶିକ୍ଷା (ଟେକ୍‍ନିକାଲ ଏଜୁକେସନ୍‍) ଓ ବୃତ୍ତିଗତ ଶିକ୍ଷା (ପ୍ରଫେସନାଲ୍‍ ଏଜୁକେସନ୍‍) ପାଠ୍ୟକ୍ରମରେ ସେମାନେ ନାମଲେଖା ଯୋଗ୍ୟତା ଅନୁସାରେ ଆବେଦନ କଲେ ସେମାନଙ୍କୁ ଏହି ସୁବିଧା ମିଳିବ । ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‍), ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜତି ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ ।

କରୋନା ମହାମାରୀ ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କରୋନାରେ ଅସହାୟ ହୋଇପଡ଼ିଥିବା ଓଡ଼ିଶାବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେବ ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସାର ସୂଚନା ଦେଇଛନ୍ତି । କରୋନା ମୃତକଙ୍କ ପିଲାଙ୍କୁ ସଂପୂର୍ଣ୍ଣ ମାଗଣା ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ସୁଯୋଗ ଦେବାରେ କିଟ୍‍ ବିଶ୍ୱର ଏକମାତ୍ର ବିଶ୍ୱବିଦ୍ୟାଳୟ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *

You cannot copy content of this page