ବୃଦ୍ଧା ମହିଳାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକର କରଡୁକୁପା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଟକପଦର୍ ଗ୍ରାମରେ ଜଣେ ବୃଦ୍ଧା ଆଦିବାସୀ ମହିଳା ଋତୁଲୀ ମାଝୀଙ୍କ ଦୁଃଖ ବୁଝିବାକୁ କାହା ପାଖରେ ସମୟ ନାହିଁ ।ଏହି ବୃଦ୍ଧା ମହିଳା ଜଣକ ଆଜକୁ ୨ ବର୍ଷରୁ ଅଧିକ ହେବ ଏକ ଅଜଣା ରୋଗରେ ପୀଡିତ ଅଛନ୍ତି । ତାଙ୍କ ପାଟିର ତଳ ଓଠ ଏବଂ ଜିଭ ଫୁଲିଯାଇ ଘା ରେ ଭର୍ତ୍ତି ହୋଇଛି । ଅନେକ ଦିନ ଭଲରେ ଖାଇବା, ପିଇବା କରି ନପାରି ଅତି ଦୁର୍ବଳତାରେ ଅଛନ୍ତି । ସେ ବାଲିଗୁଡା ଓ ବିଷମ କଟକ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ କିନ୍ତୁ ସେଠାରେ ଚିକିତ୍ସା ହୋଇ ପାରିବ ନାହିଁ ବୋଲି କହି ଫେରାଇବା ସହ ବ୍ରହ୍ମପୁର କିମ୍ବା ଭୁବନେଶ୍ୱରକୁ ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ ।
ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ତୁମୁଡିବନ୍ଧ ମେଡିକାଲକୁ ଯାଇ ଆମ୍ବୁଲାନ୍ସରେ ଯିବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା କିଛି ସୁଫଳ ମିଳି ନଥିଲା । ତାଙ୍କ ପରିବାର ଓ ଗ୍ରାମବାସୀମାନେ ସରକାରଙ୍କ ଠାରେ ଶ୍ରୀମତୀ ମାଝୀଙ୍କ ଚିକିତ୍ସା ପାଇଁ ନିବେଦନ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସରକାର ତାଙ୍କୁ ଚିକିତ୍ସା କରୁଛନ୍ତି ନା ସେପରି ରୋଗରେ ମୃତ୍ୟୁବରଣ କରିବାକୁ ଛାଡ଼ି ଦେଉଛନ୍ତି । ପ୍ରକାଶ ଥାଉକି ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ଏହି ଗ୍ରାମକୁ କେବେ ମଧ୍ୟ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ପହଞ୍ଚି ପାରିନାହିଁ ଏବଂ ଅନେକ ସମସ୍ୟା ରେ ଲୋକ ମାନେ କଷ୍ଟ ପାଉଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।