ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଦେଢ଼ କ୍ୱିଣ୍ଟାଲ୍ ଗଞ୍ଜେଇ ସହ ଜଣେ ଗିରଫ

0

ବାଲିଗୁଡ଼ା (ସଙ୍କେତ ଖବର): ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଡୁବୁଲିପଦର ଗ୍ରାମରେ ଚଢ଼ାଉ କରି ଦେଢ଼ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରି ଘଟଣାରେ ଜଣକୁ ଗିରଫ କରିଛି ଅବକାରୀ ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ସୂଚନା ପ୍ରକାରେ ବର୍ତ୍ତମାନ ସମୟରେ ମହାମାରୀ କରୋନା ସାରା ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ରାଜ୍ୟରେ ମଧ୍ୟ କିଲର କରୋନା ଉତ୍କଟ ରୂପ ଧାରଣ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାରେ ଲକ୍ ଡାଉନ୍, ସଟ୍ ଡାଉନ୍ ଜାରି ରଖିଛନ୍ତି । ଗାଡ଼ି ମୋଟର ଯାତାୟାତ ବନ୍ଦ ରହିଥିବା ବେଳେ ଚୋରା ବେପାରୀ ଏହାର ଫାଇଦା ଉଠାଉଛନ୍ତି । ସାଧାରଣତଃ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଚୋରାଚାଲାଣ ଚାଲିଥିବା ବେଳେ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା ଏବଂ ସେହି ଟିମ୍ ବାଲିଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖମନଖୋଲ ଅଞ୍ଚଳକୁ ଗସ୍ତକରି ଗଞ୍ଜେଇ ଗଛିତ ରଖିଥିବା ଜଣଙ୍କ ଘରେ ଚଢ଼ାଉ କରିଥିଲା ଟିମ୍ । ଘଟଣାସ୍ଥଳରୁ ଦେଢ଼ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିବାସହ ଜଣକୁ ଗିରଫ କରିଛି ପୋଲିସ୍ ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଏସ୍ଆଇ ବିଶ୍ୱଜିତ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page