ଗଞ୍ଜେଇ ଭର୍ତ୍ତି ଅଟୋ ସହ ଗୋଟିଏ ବାଇକ୍‌ ଜବତ, ୪ ଗିରଫ

0

ବାଲିଗୁଡା (ସଙ୍କେତ ଖବର): ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଚଢ଼ାଉ କରି ୪୫କେଜି ୩୦୦ଗ୍ରାମ୍‌ ଗଞ୍ଜେଇ ସହ ଗୋଟିଏ ଅଟୋ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି । ଘଟଣାରେ ଚାରିଜଣ ମାଫିଆଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ୍‌ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଦିନକୁଦିନ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଇବାସହ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବଢ଼ିବାରେ ଲାଗିଛି । ଘଟଣାକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ଅଞ୍ଚଳରେ ପୋଲିସ୍‌ ସଜାଗ ରହିଛି । ଏଥିସହିତ ପୋଲିସ୍‌ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସବ୍‌ଇନ୍ସପେକ୍ଟର ଶାନ୍ତନୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଟ୍ରୋଲିଂ ଚାଲିଥିବା ବେଳେ ବାଲିଗୁଡ଼ା ଥାନା ବିରାଗୁଡ଼ା ଛକ ନିକଟରେ ଗଞ୍ଜେଇ ଭର୍ତ୍ତି ଅଟୋ କୁ ଅନ୍ୟ ଏକ ମୋଟରସାଇକେଲ ସୁରକ୍ଷା ଦେଇ ଯିବାବେଳେ ଉଭୟଙ୍କୁ କାବୁ କରିଥିଲା ପୋଲିସ୍‌ । ଗଞ୍ଜେଇ ଭର୍ତ୍ତି ଅଟୋ ଓ ମୋଟରସାଇକେଲ କୁ ଜବତ କରିବାସହ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ଗିରଫ ଚାରିଜଣଙ୍କ ମଧ୍ୟରେ କଟକ ମଧୁପାଟଣା ଅଞ୍ଚଳର ବେଣୁଧର ସେଠୀ ଓ ବିଦ୍ୟାଭୂଷଣ ଦାସ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ କଟକ ଚୌଦ୍ୱାର ଅଞ୍ଚଳର ଗଦାଧର ପଣ୍ଡା ଓ ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର କାଳନ୍ଦୀ ସ୍ୱାଇଁ ହୋଇଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

You cannot copy content of this page