ମାଡିଗଲା ମାଲଗାଡି ବର୍ତିଗଲେ ଯାତ୍ରୀ

0

ଯାଜପୁର (ସଂକେତ ଖବର ବ୍ୟୁରୋ)

ଯାଜପୁର ରୋଡ ରେଳଷ୍ଟେସନରେ ଅଘଟଣ  । ରେଷ୍ଟ ସେଡ ଉପରକୁ ମାଡିଗଲା ଟ୍ରେନ୍  । ଏକ ବଡ ଧରଣର ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ  । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା  । ସୂଚନା ମୁତାବକ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଖୋର୍ଦ୍ଧା ରୋଡ ରେଳଷ୍ଟେସନ ଆଡୁ ଖଡଗପୁର ଅଭିମୁଖେ ଯାଉଥିବା ବେଳେ ଏହି ଘଟଣା ଘଟିଛି  ।

ଟ୍ରେନଟି ଯାଜପୁର ରୋଡ ରେଳଷ୍ଟେସନର ପ୍ଲାଟଫର୍ମ କଡ ଦେଇ ଗତି କରୁଥିବା ବେଳେ 3ନଂ ପ୍ଲାଟଫର୍ମର ଯାତ୍ରୀଙ୍କ ରେଷ୍ଟ ସେଡ୍ ଆଡକୁ ଢଳିଯାଇଥିଲା  । ଫଳରେ ଟ୍ରେନଟି ପ୍ରାୟ 60 ଫୁଟ୍ ଲମ୍ବ ଯାଏ ଆଇରନ୍ ସିଟ୍ ଗୁଡିକୁ ତାଡି ପକାଇଥିଲା  । କେତେକ ସିଟ୍ ଷ୍ଟ୍ରକଚରରୁ ବାହାରି ତଳକୁ ଖସି ପଡିଥିବା ବେଳେ ଅନ୍ୟ କେତେକ ସିଟ୍ ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଥିଲା  । ତେବେ ଏହି ସମୟରେ ଏକ ପ୍ରଚଣ୍ଡ ଶବ୍ଦ ହେବାରୁ ଶୋଇରହିଥିବା ଯାତ୍ରୀ ମଧ୍ୟ ଧଡପଡ ହୋଇ ଉଠିପଡିଥିଲେ  ।

ତୁରନ୍ତ ପ୍ଲାଟଫର୍ମରୁ ଯାତ୍ରୀ ମାନେ ଅନ୍ୟତ୍ର ଦଉଡି ପଳାଇଥିଲେ  । ତେଣୁ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତିଯାଇଥିଲେ । କିପିରି ଏବଂ କାହିଁକି ଏପରି ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅଧିକାରୀଙ୍କ ଦ୍ବାରା ଘଟଣାର ତଦନ୍ତ ଜାରି ରହିଥିବା କୁହାଯାଇଛି । ତେବେ ସମ୍ପୃକ୍ତ ଷ୍ଟେସନମାଷ୍ଟରଙ୍କ ଠାରୁ ସୂଚନା ପାଇ ରାତାରାତି ରେଳ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ମାନେ ପହଞ୍ଚିଥିଲେ  । ଘଟଣାସ୍ଥଳରେ ପଡିଥିବା ରେଷ୍ଟ ସେଡ୍ ସିଟ୍ ଗୁଡିକ ସ୍ଥାନାନ୍ତର କରିବା ସହିତ ବିପଦସଙ୍କୁଳ ଅବସ୍ଥାରେ ଝୁଲିରହିଥିବା ସିଟ୍ ଗୁଡିକୁ ମଧ୍ୟ ମରାମତି କରାଯାଇଛି  । ତେବେ ଏହି ଅଘଟଣ ପାଇଁ ରେଳଯାତ୍ରୀ କ୍ଷୋଭ ପ୍ରକାଶ କରିବା ସହ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଦାୟୀ କରିଛନ୍ତି  । 

Leave a Reply

Your email address will not be published. Required fields are marked *

You cannot copy content of this page