ବିରଳ ବ୍ୟକ୍ତିତ୍ବ ପ୍ରଫେସର ଗଣେଶୀ ଲାଲ୍ ।
ଓଡିଶାବାସୀ ଅନେକ ରାଜ୍ୟପାଳଙ୍କୁ ଦେଖିଛନ୍ତି ହେଲେ ଜଣେ ସରଳ ଅମାୟିକ ଆଉ ସ୍ବାଭାବିକ୍ ମଣିଷ ଭାବରେ ପ୍ରଫେସର ଗଣେଶୀ ଲାଲ୍ ହେଉଛନ୍ତି ଜଣେ ବ୍ୟତିକ୍ରମ। ଏହା ମଧ୍ୟରେ ଓଡିଶାରେ ରାଜ୍ୟପାଳ ଦାୟିତ୍ୱ ତୁଲାଇବା ତାଙ୍କର ଦୁଇବର୍ଷରେ ପହଞ୍ଚିଛି। ଡ.ଏସ ସି ଜମିରଙ୍କ ପରେ ଅସ୍ଥାୟୀ ଭାବରେ ସତ୍ୟପାଲ ମଲ୍ଲିକଙ୍କ ଠାରୁ ଗଣେଶୀ ଲାଲ୍ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ଏହା ମଧ୍ୟରେ ଦୁଇବର୍ଷ ହେଲାଣି ।
ତାଙ୍କର ଦୁଇ ବର୍ଷର ଓଡିଶା ରହଣୀ ଆଉ ଓଡିଶାର ଜନଜୀବନ ସହ ସମ୍ପୃକ୍ତିକୁ ନେଇ ଆଜି ଏକ ସ୍ବତନ୍ତ୍ର ଆଲେଖ୍ୟ ଦୈନିକ ସମ୍ବାଦପତ୍ର “ସମାଜ” ରେ ପ୍ରକାଶ ପାଇଛି। ନିଜର ଅନୁଭବର କଥା କହିବାକୁ ଯାଇ ସେ ଯେପରି ଭାବରେ ବର୍ଣ୍ଣନା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଓଡିଶାବାସୀଙ୍କ ଆତିଥ୍ୟର ପଟାନ୍ତର ନାହିଁ, ଏଠାକାର ଆଦିବାସୀ ମାନଙ୍କର ସରଳ ନିସ୍କପଟ ଜୀବନକୁ ସେ ରାମଚନ୍ଦ୍ର ଆଉ ଶବରୀ ଉପାଖ୍ୟାନ ସହ ତୁଳନା କରିଛନ୍ତି।
ଓଡିଶା ଭାରତ ରତ୍ନର ଭଣ୍ଡାର ଏଠି ଉତ୍କଳମଣି ଗୋପବନ୍ଧୁ ଉତ୍କଳ ଗୋରବ ମଧୁବାବୁଙ୍କୁ ସେ ଭାରତ ଗୌରବ ଭାରତମଣି ଭାବରେ ସମ୍ବୋଧନ କରିଛନ୍ତି। ରାଜଭବନ ନୁହେଁ ଏହା ଜନଭବନ ବୋଲି କହିଛନ୍ତି। ଓଡିଶା ହେଉଛି ଦେବଭୂମୀ କଳାର ଭୂମୀ ଜଗନ୍ନାଥଙ୍କ ଭୂମୀ ଏଠାରେ କାର୍ଯ୍ୟ କରିବା ସୌଭାଗ୍ୟର ବିଷୟ। ଦୁଇ ବର୍ଷରେ ରାଜ୍ୟର ଅନେକ ଅଞ୍ଚଳ ବୁଲିଛନ୍ତି ଅନେକ ଯାଗାରେ ସରକାରୀ କଟକଣାକୁ ଅଣଦେଖା କରି ଲୋକଙ୍କ ସହ ପ୍ରତ୍ୟକ୍ଷ ହୋଇଛନ୍ତି ଆଉ ତାହାକୁ ନେଇ ପ୍ରଶାସନର ନିରବ ବିରକ୍ତିକୁ ବି ସାମ୍ନା କରିବା କଥା କହିଛନ୍ତି।
ସର୍ବାଦୌ ଏହି ଜ୍ଞାନୀ ଗୁଣି ପ୍ରଜ୍ଞା ପୁରୁଷଙ୍କୁ ପାଇ ଓଡିଶା ମଧ୍ୟ ଧନ୍ୟ ହୋଇଛି। ୦୧.ମାର୍ଚ୍ଚ ୧୯୪୧ ମସିହାରେ ହରିୟାଣାର ଶିର୍ଶାଠାରେ ଜନ୍ମ ହୋଇଥିବା ଗଣେଶୀ ଲାଲ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ। ଇଂରାଜୀରେ ସ୍ନାତକ ଗଣୀତରରେ ସ୍ନାତକୋତ୍ତର ଆଉ FA BA MAରେ ଜଣେ ଫାଷ୍ଟକ୍ଲାସ ଫାଷ୍ଟ ଗୋଲ୍ଡ ମେଡାଲିଷ୍ଟ ଭାବରେ ଗଣେଶୀ ଲାଲ୍ ୧୯୬୪ ରୁ ୧୯୯୧ ପର୍ଯ୍ୟନ୍ତ ହରିୟାଣାର ସରକାରୀ କଲେଜରେ ଅଧ୍ୟାପନା ଦାୟିତ୍ୱ ତୁଲାଇଥିଲେ।
୧୯୭୫-୭୬ ମସିହା ଜରୁରୀକାଳୀନ ପରିସ୍ଥିତିରେ ଜେଲ୍ ଯାଇଥିବା ଗଣେଶୀ ଲାଲ୍ ୧୯୯୦ ମସିହାରେ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଇ ତତ୍କାଳୀନ ହେଭିଓ୍ବେଟ ଲଛମନ ଦାସଙ୍କୁ ପରାଜିତ କରି ହରିଆଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜଣେ ବରିଷ୍ଟ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଗଣେଶୀ ଲାଲଙ୍କୁ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି ତରଫରୁ ବିଭିନ୍ନ ରାଜ୍ୟର ପ୍ରଭାରୀ ଭାବରେ ନିଯୁକ୍ତି ମିଳିଥିଲା।
ନିଜର ଦୁଇ ବର୍ଷର ରାଜ୍ୟପାଳ କାର୍ଯ୍ୟକାଳ ସମୟରେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ସମସ୍ୟାକୁ ବୁଝିବା ପାଇଁ ସାକ୍ଷାତ ସୁଯୋଗ ଦେବା ତାଙ୍କ ବଡ ପଣିଆକୁ ପ୍ରମାଣିତ କରେ। ଜଣେ ଅନୁଭବୀ ରାଜନେତା ଧୁରୀଣ ଶିକ୍ଷାବିତ ଭାବରେ ନିଜର ଦୁଇବର୍ଷ କାର୍ଯ୍ୟକାଳ ପୁରଣରେ ସେ ଓଡିଶାବାସୀଙ୍କୁ ଯେପରି ଶ୍ରଦ୍ଧା ଆଉ ସମ୍ମାନ ଦେଇଛନ୍ତି ସତରେ ଏହା ସବୁଦିନ ପାଇଁ ତାଙ୍କୁ ସ୍ମରଣୀୟ କରିରଖିବ।
-ବିରଞ୍ଚି ନାରାୟଣ ଦାସ