ସୁକିନ୍ଦା-ଦାନଗଦିରେ ପ୍ରତିଷ୍ଠା ହେବ ହାଚେରୀ,ଦେଶୀ କୁକୁଡ଼ା-ଛେଳି ଚାଷ କୁ ଗୁରୁତ୍ୱ।

0

ସୁକିନ୍ଦା(ସଂକେତ ଖବର)
ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଗରିବ ଲୋକଙ୍କର ଜୀବାକା ଉପାର୍ଜନ ପାଇଁ କୁକୁଡ଼ା,ଛତୁ ଏବଂ ଛେଳି ଚାଷକୁ ପ୍ରୋତ୍ସାହିତ କରାଯିବ। ଡିଏମଏଫ୍(ଜିଲ୍ଲା ଖଣିଜ ନ୍ୟାସ) ପାଣ୍ଠି ସହ ନରେଗା ଅର୍ଥକୁ ଯୋଡି ପାରମ୍ପାରିକ ଉପାୟରେ ରୋଜଗାର ବୃଦ୍ଧି କରାଯିବ। ବିଶେଷ କରି ଦେଶୀ କୁକୁଡ଼ା ଏବଂ ଅଣ୍ଡାର ଚାହିଦାକୁ ଦୃଷ୍ଟିରେ ରଖି ସୁକିନ୍ଦା ଏବଂ ଦାନଗଦି ବ୍ଲକରେ ଗୋଟିଏ ଲେଖାଏଁ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବା ହାଚେରୀ ପ୍ରତିଷ୍ଠା ହେବ। ଏହାସହ ଗାଁ ଲୋକଙ୍କର ଜୀବନ ଶୈଳୀ ଏବଂ ସ୍ଥାୟୀ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ଅଣ୍ଡା ଦେଉଥିବା କୁକୁଡ଼ା ପାଳନକୁ ପ୍ରାଥମିକତା ମିଳିବ। ଏନେଇ ଆଜି(ବୁଧବାର)ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

ଡିଏମଏଫ୍ ପାଣ୍ଠିକୁ ବିନିଯୋଗ କରି ଉଭୟ ବ୍ଲକରେ ହାଚେରୀ ଏବଂ ବ୍ରୁଡର ହାଉସ୍ ପ୍ରତିଷ୍ଠା କରାଯିବ। ଲୋକଙ୍କ ଠାରୁ ଅଣ୍ଡା ସଂଗ୍ରହ ଲାଗି ସ୍ୱୟଂସହାୟକ ଗୋଷ୍ଠୀ ଗୁଡିକୁ ସାମିଲ କରାଯିବ। ଅଣ୍ଡା କିଣିବା ଲାଗି ଅର୍ଥ ଆଗୁଆ ଏକକାଳୀନ ଦିଆଯିବ। ସେହିଭଳି ଚାଷୀଙ୍କୁ କୁକୁଡ଼ା ଚିଆଁ ଯୋଗାଇବା ଲାଗି ଏସଏଚଜିର ସହାୟତା ନିଆଯିବ। ଏହାସହ କୁକୁଡା ଫାର୍ମ ନିର୍ମାଣ ପାଇଁ ଅର୍ଥ ମଧ୍ୟ ପ୍ରଦାନ ହେବ। ଅନ୍ୟପକ୍ଷରେ ଉତ୍ପାଦିତ ଅଣ୍ଡା ଏବଂ କୁକୁଡ଼ା ବିକ୍ରୟ ଲାଗି ବଜାର ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ପ୍ରଥମେ ସୁକିନ୍ଦା-ଦାନଗଦିର ଅଙ୍ଗନଓ୍ୱାଡି କେନ୍ଦ୍ର ଏବଂ ମଧ୍ୟାହ୍ନ ଭୋଜନ ଲାଗି ଆବଶ୍ୟକ ଅଣ୍ଡା ସ୍ଥାନୀୟ କୁକୁଡ଼ା ଫାର୍ମରୁ ସଂଗ୍ରହ ହେବ। ବଳକା ଅଣ୍ଡା ଏବଂ କୁକୁଡ଼ାର ବିକ୍ରୟ ଲାଗି ଓପେଲ୍ ଫେଡ୍ ବା ଅନ୍ୟ ଘରୋଇ ସଂସ୍ଥା ସହ ଚୁକ୍ତିନାମା କରାଯିବାକୁ ନିଷ୍ପତ୍ତି ହୋଇଛି।
ଛେଳି ପ୍ରଜନନକୁ ଗୁରୁତ୍ୱ
ସେହିପରି ବଣପାହାଡ଼ ଘେରା ସୁକିନ୍ଦା-ଦାନଗଦି ଅଞ୍ଚଳରେ ପାରମ୍ପାରିକ ଉପାୟରେ ଛେଳି ରଖୁଥିବା ଗରିବ ଲୋକଙ୍କର ଆୟ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରଥମତଃ ସୁସ୍ଥ ଛେଳିର ଜନ୍ମ ଏବଂ ଏହାର ବଂଶ ବୃଦ୍ଧି ଲାଗି ପ୍ରଜନନକୁ ଗୁରୁତ୍ୱ ଦିଆଯିବ। ଗାଁ ବା ପଞ୍ଚାୟତ ସ୍ତରରେ ବୋଦାକୁ ଅଦଳ ବଦଳ କରାଯାଇ ସୁସ୍ଥ ଛେଳିର ଜନ୍ମକୁ ଅଗ୍ରାଧିକାର ଦିଆଯିବ। ଏହାସହ ଛେଳିର ରହିବା ସ୍ଥଳୀକୁ ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ କରାଯିବ। ନରେଗା ପାଣ୍ଠିକୁ ବିନିଯୋଗ କରି ଭାଡ଼ି ଥିବା ଗୁହାଳ ପ୍ରତିଷ୍ଠା କରାଯିବ। ଫଳରେ ଛେଳିର ପରିସ୍ରା ବା ମଳ ସେମାନଙ୍କ ଦେହରେ ଲାଗିବ ନାହିଁ। ଯାହା ଦ୍ୱାରା ଛେଳି ଗୁଡିକ ରୋଗମୁକ୍ତ ହେବା ସହ ସୁସ୍ଥ ରହିବେ। ଏହାସହ ନିୟମିତ ଡାକ୍ତରୀ ପରୀକ୍ଷା କରି ଯଥାଶୀଘ୍ର ରୋଗ ଚିହ୍ନଟ କରାଯାଇ ଛେଳି ମଡ଼କ ଉପରେ ଅଙ୍କୁଶ ଲଗାଯିବ। ଏତଦ୍ ବ୍ୟତୀତ ଛେଳି ଚାଷ କରିବା ଲାଗି ଆଗ୍ରହୀ ଚାଷୀଙ୍କ ଭୟ ଦୂର କରିବା ନିମନ୍ତେ ଡିଏମଏଫ୍ ଅର୍ଥରେ ବୀମାଭୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି।
ସୁକିନ୍ଦା ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ କଳିଙ୍ଗ ନଗର ଏଡିଏମ୍ ସନ୍ତୋଷ ମିଶ୍ର,ଦାନଗଦି ଓ ସୁକିନ୍ଦା ବ୍ଲକର ଉନ୍ନୟନ ଅଧିକାରୀ, ଯାଜପୁର ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ପ୍ରଶାନ୍ତ ପାଢ଼ୀ ଏବଂ ଡିଏମଏଫ୍ ମୁଖ୍ୟ ଶୁଭାଶିଷ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page