ହଟିଲେ ହେମନ୍ତ।କୋରୋନା ସାମଗ୍ରୀ କିଣା ହେରଫେର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ!
![](https://www.sanketkhabar.com/wp-content/uploads/2020/06/FB_IMG_1591372400722.jpg)
ମାତ୍ର ଦିନ କେଇଟା ପୂର୍ବରୁ ଯିଏ କୋଭିଡ୍-୧୯ ମୁକାବିଲାରେ ଅଗ୍ରଣୀ ସାଜି ସରକାରଙ୍କ ସବୁଠାରୁ ଗେହ୍ଲାପୁଅ ଥିଲେ ସେ ଏବେ ସାତପର ହୋଇ ଯାଇଛନ୍ତି। ଆମେ କହୁଛୁ ପର୍ଚେଜ୍ କମିଟିର ମୁଖ୍ୟ ହେମନ୍ତ ଶର୍ମାଙ୍କ କଥା। ସରକାର ସାମନ୍ୟ ବିଳମ୍ବ କଲେ ମଧ୍ୟ କୋଭିଡ୍ କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ଘଟଣା ଅଧିକ ଜଟିଳ ହେବା ପୂର୍ବରୁ ଚେତିଛନ୍ତି। କିଟ୍ କିଣାକୁ ନେଇ ସରକାର ବିରୋଧୀଙ୍କ ନାଶାନାରେ ଆସିବା ପରେ ପର୍ଚେଜ୍ କମିଟି ମୁଖ୍ୟ ପଦରୁ ହେମନ୍ତ ଶର୍ମାଙ୍କୁ ହଟାଇ ଦିଆଯାଇଛି।
କଥା ପଦାକୁ ଆସିଥିଲା ଅର୍ଡର ଦେଇ କରୋନା ମୁକାବିଲା ସରଞ୍ଜାମ ଗ୍ରହଣ ନକରିବା ପରେ । ପ୍ରଥମ ଟେଣ୍ଡର ପରେ ଦ୍ବିତୀୟ ଟେଣ୍ଡରରେ ୭ ଟଙ୍କା ବୃଦ୍ଧି କାହା ସ୍ବାର୍ଥରେ ବୋଲି ବିରୋଧୀ ସରକାରଙ୍କୁ ପଚାରିଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅକଳରେ ପଡ଼ିଥିଲେ ସରକାର। ପ୍ରାକୃତିକ ବିପର୍ଯ୍ୟୟ କରୋନା ପାଇଁ ସରକାରଙ୍କୁ ସମାଲୋଚନା କରିବାରୁ ଦୁଇମାସ ବିରୋଧୀ ନିରବ ରହିବା ପରେ ଏହି ଘଟଣାରେ ମୁହଁ ଖୋଲିଥିଲେ। ବୋଧହୁଏ କରୋନା ମୁକାବିଲାକୁ ନେଇ ଏ ଥିଲା ସରକାରଙ୍କ ପ୍ରଥମ ଆକ୍ସନ ଟେକିଂ ଆଟିଚ୍ୟୁଡ୍।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଏ କେଳଙ୍କାରୀର ଚେର କେବଳ ହେମନ୍ତଙ୍କ ପାଖରେ ଅଟକିଛି ନାଁ ଆଗକୁ ଅଛି ତାହା ଜାଣିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି।ବିରୋଧୀ ଏହି ଘଟଣାରେ ଖୁବ୍ ତୁମ୍ଭ ତୋଫାନ କରିଥିବା ବେଳେ ବିଜେଡି କହିଛି, ଯଦି ହେମନ୍ତ ଶର୍ମାଙ୍କ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ଥିବ, ସରକାର ନିଶ୍ଚିତ ତଦନ୍ତ କରାଇବେ ଓ କାର୍ଯ୍ୟାନୁଷ୍ଠାନ ନେବେ ।
-ବିରଞ୍ଚି ନାରାୟଣ ଦାସ