ହିନ୍ଦୁ ଦର୍ଶନ ବିଶ୍ୱକୁ ବିଭିନ୍ନ ସମସ୍ୟାରୁ ମୁକ୍ତିର ମାର୍ଗ ଦେଖାଇବ : ମୋଦୀ

0

ନୂଆଦିଲ୍ଲୀ : ବର୍ତ୍ତମାନ ବିଶ୍ୱକୁ ବିନାଶ ଆଡ଼କୁ ଟାଣି ନେଉଥିବା ବିଭିନ୍ନ ସମସ୍ୟାର ସମାଧାନ ବାହାର କରିବାରେ ହିନ୍ଦୁ ଦର୍ଶନର ବିଭିନ୍ନ ଦିଗ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦ୍ୱିତୀୟ ହିନ୍ଦୁ କଂଗ୍ରେସକୁ ଏକ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ମାନବଜାତିର ଇତିହାସରେ ହିନ୍ଦୁଧର୍ମ ସର୍ବପୁରାତନ ବିଶ୍ୱାସ ମଧ୍ୟରୁ ଅନ୍ୟତମ। ହିନ୍ଦୁଧର୍ମ ସହିତ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିହେବାପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଭିନ୍ନ ପୁରାତନ ଗ୍ରନ୍ଥ, ପୁରାଣ ଓ ମହାକାବ୍ୟର ଡିଜିଟାଇଜେସନ କରାଗଲେ ଯୁବପିଢ଼ୀ ଏହା ସହିତ ଯୋଡି ହୋଇପାରିବେ, ଯାହାକି ଆଗାମୀ ପିଢ଼ିପାଇଁ ଏକ ମହାନ୍‍ ସେବା ହୋଇପାରିବ।
ଶୁକ୍ରବାର ରାତିରେ ଆମେରିକାର ସିକାଗୋଠାରେ ଆରମ୍ଭ ହୋଇଥିବା ବିଶ୍ୱ ହିନ୍ଦୁ କଂଗ୍ରେସରେ ଆମେରିକାରେ ରହୁଥିବା ବିଶିଷ୍ଟ ଭାରତୀୟ ବଂଶୋଦ୍ଭବ ଭାରତ ବରାଇ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ପାଠ କରିଥିଲେ। ସମ୍ବିଳନୀର ପ୍ରାରମ୍ଭିକ ଅଧିବେଶନରେ ୨୫୦୦ ପ୍ରତିନିଧିଙ୍କ ସମେତ ୬୦ରୁ ଅଧିକ ଦେଶର ହିନ୍ଦୁ ନେତା ଯୋଗ ଦେଇଛନ୍ତି। ପୁରାତନ ଗ୍ରନ୍ଥରେ ଥିବା ଜ୍ଞାନର ଭଣ୍ଡାର ମାଧ୍ୟମରେ ସାମାଜିକ ଏବଂ ବୌଦ୍ଧିକ ଭିତ୍ତିରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରି ଆଗାମୀ ପିଢ଼ି ମଧ୍ୟରେ ଉତ୍ତମ ବୁଝାମଣା, ଗ୍ରହଣୀୟତା ତଥା ପାରସ୍ପରିକ ଯତ୍ନ ଓ ଆଦାନ ପ୍ରଦାନ ଆଦି ମୂଲ୍ୟବୋଧକୁ ଉଜ୍ଜୀବିତ କରାଇବା ଦିଗରେ ଭାରତ କିପରି ସମଗ୍ର ବିଶ୍ୱକୁ ଜ୍ଞାନ ପ୍ରଦାନ କରିପାରିବ, ଏହି ସମ୍ମିଳନୀରେ ତାହା ଉପରେ ବିଚାର ବିମର୍ଷ କରାଯିବ ବୋଲି ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ସିକାଗୋଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ସେ ବିଶେଷ ଆନନ୍ଦିତ। କାରଣ ୧୨୫ ବର୍ଷ ତଳେ ୧୮୯୩ ମସିହାର ଏହି ସେପ୍ଟେମ୍ବର ମାସରେ ସେଠାରେ ଅନୁଷ୍ଠିତ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦଙ୍କ ଉଦ୍‍ବୋଧନ ସମସ୍ତ ଭାରତୀୟଙ୍କୁ ଗର୍ବ ଗୌରବ ଅନୁଭବ କରିବାର ପ୍ରେରଣା ଯୋଗାଇଥାଏ।

 

Leave a Reply

Your email address will not be published. Required fields are marked *

You cannot copy content of this page