କୋରେଇ:ତେଜୁଛି ପ୍ରଧାନମନ୍ତ୍ରୀ ଆବାସ ରାଜନୀତି।
![](https://www.sanketkhabar.com/wp-content/uploads/2021/02/IMG-20210205-WA0024-1024x578.jpg)
କୋରେଇ(ସଙ୍କେତ ଖବର)ଯାଜପୁର ଜିଲ୍ଲା କୋରେଇ ବ୍ଲକରେ ଠିକଣା ଭାବେ କାର୍ଯ୍ୟକାରୀ ହେଉନି ସରକାରୀ ଯୋଜନା। ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଗଡବଡ଼ ହୋଇଥିବା ଅଭିଯୋଗ କରିଛି ବିଜେପି। କୋରେଇ ବ୍ଲକ୍ ରେ ବିଭିନ୍ନ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ହୋଇଥିବା ସହ ଶାସକ ଦଳ ପ୍ରତି ସରକାରୀ କର୍ମଚାରୀଙ୍କ ଉଦାରତା ପ୍ରତିବାଦରେ ଆଜି କୋରେଇ ବିଜେପି ପକ୍ଷରୁ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ କେଶରୀ ବିଶ୍ଵାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ କୋରେଇ ବିଡ଼ିଓଙ୍କୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏକ ଦାବିପତ୍ର ପ୍ରଦାନ କରିବା ସହ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
![](https://www.sanketkhabar.com/wp-content/uploads/2021/02/IMG-20210205-WA0020-1024x497.jpg)
ବିଜେପି ର ଅଭିଯୋଗ ଅନୁଯାୟୀ ଅନେକ ପଞ୍ଚାୟତରେ ତାଲିକାକୁ ଉପର ତଳ କରାଯିବା ସହ ଶାସକ ଦଳର କର୍ମୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି କିନ୍ତୁ ଗରିବ ଏବଂ ଅଧିକାଂଶ ଯୋଗ୍ୟ ବ୍ୟକ୍ତିଙ୍କୁ ଏଥିରୁ ବାଦ୍ ନିଆଯାଉଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ସର୍ ଜମିନ ତଦନ୍ତ ନ କରି, ଶାସକ ଦଳ ଚାପରେ ମୋଟ ଅଙ୍କର ପିସି ନେଇ ଆଯୋଗ୍ୟଙ୍କୁ ଘର ଯୋଗାଇ ଦେଉଥିବା ବିଜେପି ଅଭିଯୋଗ ଆଣିଛି । ଏପରିକି ସୂଚନା ଅଧିକାର କର୍ମୀ ଓ ଅନେକ ଅଭିଯୋଗକାରୀଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପ୍ରଶାସନ ଶାସକ ଦଳର ଗୁଣ୍ଡାଙ୍କ ସହାୟତାରେ କିଛି ଧମକ ଚମକ୍ ଦେବା ସହ ଜୀବନରୁ ମାରିଦେବାକୁ କହିବାକୁ ମଧ୍ୟ ପଛାଉ ନାହାନ୍ତି । ଗତକାଲି ସୂଚନା ଅଧିକାର କର୍ମୀଙ୍କୁ ମନୋରଞ୍ଜନ ନାୟକଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଶାସକ ଦଳର କର୍ମୀ ଧମକ ଦେଇଛନ୍ତି । ଏହାର ଅଡିଓ ଏବେ ଭାଇରାଲ ହେବାର ଲାଗିଛି। ସଦ୍ୟ ବ୍ଲକ୍ ଯୁବ ବିଜେଡି ସଭାପତିଙ୍କ ସ୍ତ୍ରୀ ଅଙ୍ଗନବାଡ଼ି କର୍ମୀ ହୋଇଥିବା ସତ୍ତ୍ଵେ , ଦୁଇ ମହଲା କୋଠା , ଚାରି ଚକିଆ ଗାଡ଼ି ଥାଇ ମଧ୍ୟ କିପରି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଗଲା, ବିଜେପି ପ୍ରଶ୍ନ କରିଛି । ଏ ନେଇ ପ୍ରଶାନ୍ତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
![](https://www.sanketkhabar.com/wp-content/uploads/2021/02/IMG-20210205-WA0025.jpg)
ଭାତ ହାଣ୍ଡି ରୁ ଚାଉଳ ଚିପିଲା ପରି କୋରେଇ ର ସମସ୍ତ ପଞ୍ଚାୟତରେ ଏପରି ସରକାରୀ ବାବୁ ଓ ପ୍ରଶାସନର ସହାୟତାରେ ଏପରି ଦୁର୍ନୀତି ହେଉଛି, ଯଦି ଏହାର ଉଚ୍ଚସ୍ତରୀୟ ତଦନ୍ତ କରା ନଯାଏ ତେବେ ଆଗାମୀ ଦିନରେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ଧଳ, ଜିଲ୍ଲା ଉପସଭାପତି ପ୍ରମୋଦ ନାୟକ, ମଣ୍ଡଳ ସଭାପତି ରବୀନ୍ଦ୍ର ବେହେରା, ପ୍ରମୋଦ ସାହୁ, ନୀଳମାଧବ ଚକ୍ର, ସରପଂଚ ଦୀପ୍ତିମୟୀ କୁଅଁର, ସମିତି ସଭ୍ୟା ଜୟନ୍ତୀ ସାହୁ, କ୍ଷୀରୋଦ ଦାସ, ବିଜୟ ଘଡ଼େଇ, ମନ୍ମଥ ଜେନା, ଶଶିଭୂଷଣ ସେନାପତି, ରାକେଶ ଜେନା, ମାନସ ଦାସ, ସତ୍ୟବ୍ରତ ଦାସ, ଲଲାଟେନ୍ଦୁ ନାୟକ, ସୁବାସ ନାଥ, ଦିଗମ୍ବର ନାୟକ, ସୁରେନ୍ଦ୍ର କୁଅଁର, ସୁଜିତ୍ ସ୍ବାଇଁ, ଗୋପାଳ ସାହୁ, ଯତୀନ ଦାସ, ଚକ୍ରଧର ସାହୁ, ଅରୁଣ ଦାସ, ମନୋଜ ଦାସ, ସୁବାସ ମଲ୍ଲିକ, ତୋଫାନ ରାଉତ, ପ୍ରତୀକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।