ଯନ୍ତ୍ରଣାର ଅନ୍ୟ ନାମ : ପ୍ରବାସୀ

ସାରା ଦେଶରେ ଏବେ ଗୋଟିଏ ଶବ୍ଦକୁ ନେଇ ଖୁବ୍ ଚର୍ଚ୍ଚା ତା’ହେଲା ପ୍ରବାସୀ । ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ସେହି ଗୋଟିଏ ଚିନ୍ତା ତା’ହେଲା କ’ଣ କରି ଏ ପ୍ରବାସୀ ସମସ୍ୟାକୁ ଦୁର କରାଯିବ । ଏ ଶବ୍ଦଟି ଯଦିଓ କିଛି ଅନୁନ୍ନତ ରାଜ୍ୟ ମାନଙ୍କରେ ଆଗରୁ ଶୁଣାଯାଏ ହେଲେ କରୋନା ମହାମାରୀକୁ ନେଇ କଟକଣା ପରେ ଏହାର ପ୍ରକୃତ ଚିତ୍ର ପଦାକୁ ଆସିଛି। ଅନେକ ରାଜ୍ୟ ସରକାର ସେମାନଙ୍କର ସଫଳତାର କାହାଣୀ ଲୋକଙ୍କୁ କହି ବର୍ଷ ପରେ ବର୍ଷ କ୍ଷମତା ଦଖଲ କରିଚାଲି ଥିଲେବି ବିକାଶର ଏ ନଗ୍ନ ରୂପକଥା କିନ୍ତୁ କାହାକୁ କେବେ କହିନଥିଲେ ।
ପ୍ରକୃତିର ଏହି ପ୍ରଳୟ ସବୁ ମିଛକୁ ପଦାରେ ପକାଇ ଦେଲା । ଦେଖାଗଲା ଲକ୍ ଡାଉନର ପ୍ରଥମ ପର୍ଯ୍ୟାୟ ପରେ ପ୍ରବାସୀ ଶ୍ରମିକମାନେ ରାସ୍ତାକୁ ବାହାରିଲେ । ଆଶା କରିଥିଲେ ୨୧ ଦିନ ପରେ ସ୍ଥିତି ସ୍ବାଭାବିକ୍ ହୋଇଯିବ ଆଉ ସେମାନେ ପୁଣି କାମଦାମ କରି ପେଟ ପୋଷିବେ । ହେଲେ କରୋନାର କାୟା ବୃଦ୍ଧି ସଙ୍ଗେସଙ୍ଗେ ସେମାନଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଗଲା । ପେଟର ଭୋକ ସମ୍ଭାଳି ନପାରି କିଏ ଚାଲିଚାଲି ତ ପୁଣିକିଏ ସାଇକେଲ ମଟର ସାଇକେଲରେ ନିଜ ଭିଟାମାଟିକୁ ଯିବାକୁ ବାହାରିଲା । ଚାହୁଁ ଚାହୁଁ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ ଯାଇ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଲା ।
ରୋଗର ଭୟ ଅପେକ୍ଷା ଭୋକର ଭୟ ଏମାନଙ୍କୁ ଏତେ ବିବଶ କରି ପକାଇଲା ଯେ ଏମାନେ ଠିକ୍ ଭୁଲ୍ କ’ଣ ବୁଝି ପାରିଲେ ନାହିଁ । ଜୀବନ ବିକଳରେ ପିଲାଛୁଆ ଧରି ହଜାର ହଜାର ମାଇଲ ରାସ୍ତା ପାଦରେ ଚାଲିଚାଲି ଯିବା ଆରମ୍ଭ କରିଦେଲେ । ଯନ୍ତ୍ରଣାର ଚିତ୍ର ଦେଖିଦେଖି ସମସ୍ତେ ଏକ ପ୍ରକାରର ମୁକ ପାଲଟି ଗଲେଣି । ଲାଗିଲା ସତେ ଯେପରି ଯନ୍ତ୍ରଣାର ଅନ୍ୟ ନାମ ଏହି ପ୍ରଵାସୀ । ଜୀବନ ଜୀବିକାର ଦୋଛକିରେ ଏହି ମଣିଷ ମାନଙ୍କ ପାଖରେ ଆଉ କ’ଣ ବା ବିକଳ୍ପ ଥିଲା ସେମାନେ କରିପାରି ଥାଆନ୍ତେ ? ଏଠାରେ ପ୍ରଶ୍ନ ଉଠୁଛି ଏମାନଙ୍କୁ ପ୍ରବାସୀ ପ୍ରକୃତରେ କଲା କିଏ ?
କାହିଁକି ଏମାନେ ନିଜ ଜନ୍ମ ମାଟି ଛାଡି ହଜାର ହଜାର ମାଇଲ ଦୁରରେ ରହି ଶ୍ରମିକ ଭାବରେ କାମ କରିବାକୁ ପଡିଲା ? ସମ୍ପୃକ୍ତ ରାଜ୍ୟ ସରକାରଙ୍କ ନିକଟରେ ଏ ମଣିଷମାନେ ଅନ୍ୟ ରାଜ୍ୟରେ ପ୍ରବାସୀ ଭାବରେ କାମ କରୁଥିବାର ତଥ୍ୟ ଥିଲାକି ? ଆମେ ଏମାନଙ୍କର ହିସାବ ରଖି ହାତକୁ କାମ ଯୋଗାଇ ଦେବାକୁ କେବେ ଚେଷ୍ଠା କରିଥିଲେକି ? ଯଦି ନାଁ ତା’ହେଲେ ଏମାନେ ଅନ୍ୟ ରାଜ୍ୟ ବା ଦେଶକୁ ଯିବାରେ ଅସୁବିଧା କେଉଁଠି ରହିଲା ? ନଯାଇଥିଲେ ଏମାନଙ୍କର ପିଲାଛୁଆଙ୍କ କଥା ବୁଝିଥାନ୍ତା କିଏ ? ଏକ ପରିସଂଖ୍ୟାନ କହୁଛି ସମଗ୍ର ଦେଶରେ ପ୍ରାୟତଃ ୪୦ କୋଟି ଲୋକ ପ୍ରବାସୀ ପରିଚୟରେ ବଞ୍ଚୁଛନ୍ତି ।
ବିଶେଷକରି ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ପଞ୍ଜାବ ଦିଲ୍ଲୀ ପରି କିଛି ନିର୍ଦ୍ଦିଷ୍ଟ ରାଜ୍ୟକୁ ଛାଡିଦେଲେ ପ୍ରାୟତଃ ସମସ୍ତ ରାଜ୍ୟରୁ ଏହି ଶ୍ରମିକମାନେ ଭିନ୍ନ ଭିନ୍ନ ରାଜ୍ୟରେ ପ୍ରବାସୀ ପରିଚୟରେ ବଞ୍ଚୁଛନ୍ତି । ଏହି କରୋନାର କଟକଣା ମଧ୍ୟରେ ଆଉ ଗୋଟିଏ କଥା ସ୍ପଷ୍ଠ ହେଲା ତାହା ହେଉଛି ଏ ପ୍ରବାସୀମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ ମାଲିକର ଯେତେ ଉପକାର କଲେବି ଠିକଣା ସମୟରେ ସେମାନେ କିନ୍ତୁ ହାତ ଛାଡିଦିଅନ୍ତି ଯାହା ଏବେ ପ୍ରମାଣିତ ହୋଇଛି ।
ପ୍ରଶ୍ନ ଉଠୁଛି ଯଦି ଏମାନଙ୍କର ଝାଳବୁହା ପରିଶ୍ରମରେ ସେହି ରାଜ୍ୟର ବିକାଶର ସୌଧ ନିର୍ମାଣ ହୋଇପାରିଲା ତା’ହେଲେ ଏଭଳି ସଙ୍କଟ ସମୟରେ ଖାଇବାକୁ ଦୁଇ ଓଳା ଦେଇ ରଖା ଯାଇ ପାରିଲା ନାହିଁ କାହିଁକି ? ଏଥିରୁ ସ୍ପଷ୍ଠ ବୁଝା ପଡୁଛି ଏମାନଙ୍କର ସବୁ ପରିଶ୍ରମ, ତ୍ୟାଗ କେବଳ ସର୍ତ୍ତମୂଳକ ଥିଲା। ଏବେ ପ୍ରାୟ ୫୦ ଭାଗ ପ୍ରବାସୀ ନିଜ ରାଜ୍ୟକୁ ଫେରି ଗଲେଣି । ସରକାର ବିଳମ୍ବରେ ହେଲେମଧ୍ୟ ସେମାନଙ୍କ ଯିବା ପାଇଁ ରାସ୍ତା ପରିସ୍କାର କଲେଣି । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଲା କରୋନା ଚାଲିଗଲା ପରେ ଏମାନେ ପ୍ରକୃତରେ କରିବେ କ’ଣ ?
ପୁନର୍ବାର ପୁରୁଣା କର୍ମଭୂମୀକୁ ଫେରିବେ ନାଁ ଭିଟାମାଟିର ଲୋଭରେ ଏଇଠି କଷ୍ଟେମଷ୍ଟେ ବଞ୍ଚିବେ ? କିଏ ତାଙ୍କ ମନରେ ବିଶ୍ବାସ ଭରିଦେବ ହଁ ଆଉ ଯିବା ଦରକାର ନାହିଁ ଆମେ ଏଇଠି ମିଳିମିଶି ବଞ୍ଚିବା, ଆମେ ଏଇଠି ହାତକୁ କାମ ଯୋଗାଇଦେବା ?ଏକଥା କାହିଁକି ପୁରାପୁରି ଅସମ୍ଭବ ଆଉ ଅବିଶ୍ୱାସ ଲାଗୁଛି। ଯେତବେଳେ ଆମ ପାଖରେ କେତେ ସଂଖ୍ୟାରେ ଏମାନେ ଅନ୍ୟ ରାଜ୍ୟରେ କାମ କରୁଥିବାର ହିସାବ ନାହିଁ ସେତବେଳେ ଆମେ କେମିତି କହିପାରିବା ଏମାନଙ୍କ ପାଇଁ ସରକାର ଥଇଥାନ ବ୍ୟବସ୍ଥା କରିପାରିବେ !
ଏପରି ସ୍ଥିତିରେ ଆଜି ପ୍ରବାସୀମାନେ ସମସ୍ତଙ୍କ ଆଖିରେ ଏକ ଉପହାସର ପାତ୍ର ହୋଇ ପଡିଛନ୍ତି । ପ୍ରବାସୀ ନାଁ ଶୁଣିବାକ୍ଷଣି ସମସ୍ତେ ଧଡପଡ ହୋଇ ଉଠୁଛନ୍ତି । କାହିଁକି ! ଏମାନଙ୍କର କ’ଣ ତୃଟି ରହିଲାଯେ ଯେଉଁଥି ପାଇ ସମସ୍ତେ ଏମାନଙ୍କୁ ହୀନ ଚକ୍ଷୁରେ ଦେଖିବେ ? ବରଂ ଆମେ ଏମାନଙ୍କ ପାଖରେ କୃତଜ୍ଞ ଏଥିପାଇଁ ସେମାନେ ରାଜ୍ୟ ଉପରେ ବୋଝ ନହୋଇ ସେମାନଙ୍କ ନିଜସ୍ବ ଉଦ୍ୟମରେ ପେଟ ପୋଷିବାର ବ୍ୟବସ୍ଥା କରିଛନ୍ତି । ଆମ ରାଜ୍ୟ ପରି ପ୍ରେକ୍ଷୀରେ ଦେଖିଲେ ବେସରକାରୀ ଭାବରେ ଅନ୍ୟୁନ ୨୦ ଲକ୍ଷ ପ୍ରବାସୀ ଆମ ରାଜ୍ୟରୁ ବିଭିନ୍ନ ରାଜ୍ୟ ତଥା ଦେଶରେ କାମ କରୁଛନ୍ତି ।
ଆଜି ସମସ୍ତଙ୍କ ଜୀବନ ଆଉ ଜୀବିକା ସଙ୍କଟରେ । ଗୋଟିଏ କଥା କହିବାକୁ ଚାହୁଁ ଏମାନେ ଆମରି ମାଟିର ମଣିଷ, ଆମ ପରି ଏମାନଙ୍କରବି ଏ ପାଣି ପଵନରେ ସମାନ ଅଧିକାର ଅଛି । ହେଲେ ଦୁର୍ଭାଗ୍ୟର ବିଷୟ ଏମାନଙ୍କୁ ନେଇ ବେଶ୍ କିଛିଦିନ ହେବ ସାରା ଦେଶରେ ଏକ ଅଦ୍ଭୁତ ସ୍ଥିତି ସୃଷ୍ଠି ହୋଇଛି । ଅଛୁଆଁ ଅସ୍ପୃଶ୍ୟ ପରି ବ୍ୟବହାର କରାଯାଉଛି, ଅପାନ୍ତେୟ ମଣିଷ ପରି ଏମାନଙ୍କୁ ଦେଖାଯାଉଛି । ସତେ ଯେପରି ଲାଗୁଛି ଯନ୍ତ୍ରଣାର ଅନ୍ୟ ନାମ ଏହି ପ୍ରବାସୀମାନେ । ହେଲେ କେହି କେବି ଥରୁଟିଏ ବୁଝିବାକୁ ଚେଷ୍ଠାକରିଛି ଏ ପ୍ରବାସୀ ମନର ବ୍ୟଥାକୁ ?
କେହି କେଵେ ପଚାରି ବୁଝିଛି କେଉଁ ସ୍ଥିତିରେ ସେ ବିଦେଶରେ ଜୀବନ ବିତାଏ ? ସେକଥା ବୁଝିବା ପାଇଁ ନା ଆମ ପାଖରେ ନା ଆମ ବ୍ୟବସ୍ଥା ପାଖରେ ସମୟ ଅଛି । ଆମେ କେବଳ ଏମାନଙ୍କୁ ମୁଣ୍ଡଗଣତି ହିସାବକରି ଆମ ରାଜନୈତିକ ଇଚ୍ଛାକୁ ପୁରଣ କରିବାରେ ସମସ୍ତେ ବ୍ୟସ୍ତ । ଅନ୍ତତପକ୍ଷେ ଥରୁଟିଏ ଭାବିବା ଦରକାର ଏମାନେ ଆମରି ଭିତରୁ ଜଣେଜଣେ….
ବିରଂଚି ନାରାୟଣ ଦାସ