ସମ୍ମାନ ପାଇବାର ୫ଟି ବାଟ:ଅଧ୍ୟାପକ ବିରଞ୍ଚି ନାରାୟଣ ଦାସ

0

ସମ୍ମାନ ଠାରୁ ଦୁନିଆରେ ମଣିଷ ପାଇଁ ବଡ ଜିନିଷ କିଛି ନାହିଁ । ଯେଉଁ ମଣିଷକୁ କେହି ସମ୍ମାନ ଦିଅନ୍ତି ନାହିଁ, ସବୁଠି ଅପମାନିତ ହେବାକୁ ପଡେ ବୁଝିବାକୁ ପଡିବ ସେ ଲୋକ ବଞ୍ଚି ଥାଉଥାଉ ମରିବା ସହିତ ସମାନ । ଦେଖାଯାଏ ଅନେକ ଲୋକ ଏହି ସମସ୍ଯାରେ ପଡିଥାନ୍ତି । କେହି ତାଙ୍କୁ ସମ୍ମାନ ଦେଉ ନାହାନ୍ତି, କେଉଁଠି ତାଙ୍କର ଆଦର ନାହିଁ ଏକଥା ଭାବି ଭାବି ଅନେକ ଲୋକ ଭାଙ୍ଗି ପଡନ୍ତି । ସେ ଘର ହେଉ ବା କାର୍ଯ୍ୟାଳୟ ବା ସମାଜର ପ୍ରତ୍ୟକ ସ୍ଥାନରେ ଏଭଳି ସମସ୍ୟାକୁ ଅନେକ ଲୋକ ସାମ୍ନା କରିଥାନ୍ତି ।

କିନ୍ତୁ ଏହାର ସମାଧାନର ବାଟ ଆମ ନିଜ ପାଖରେ ହିଁ ଥାଏ ଅଥଚ ଆମେ ଅନ୍ୟ ଉପରେ ଦୋଷ ଲଦିବାକୁ ଚେଷ୍ଠା କରିଥାନ୍ତି । ଯଦି ପ୍ରତ୍ୟକ ବ୍ୟକ୍ତି ୫ଟି କଥାକୁ ଜୀବନରେ ମାନି ଚଳିବେ ତା’ହେଲେ ଅସମ୍ମାନିତ ହେବାତ ଦୁରର କଥା ବରଂ ତାଙ୍କୁ ଆଶାଠାରୁ ଅଧିକ ଲୋକ ସମ୍ମାନ ଦେବେ । ଆଉ ଯଦି ଏହି ରାସ୍ତାକୁ ନମାନି ଯେତେ ଯାହା କଲେବି ଏହା ଆମର ସମସ୍ଯାତ ସମାଧାନ କରିବ ନାହିଁ ବରଂ ଆମକୁ ଜୀବନ ସାରା କେବଳ ଅସମ୍ମାନିତ ହେବାକୁ ପଡିବ।

୧.ନିଜକୁ ସମ୍ମାନ:- ଅନେକ ସମୟରେ ଆମେ ଆମ ନିଜକୁ ସମ୍ମାନ ଦେଇନଥାନ୍ତି । ନିଜର ଶିକ୍ଷା, ଦୀକ୍ଷା, ଯୋଗ୍ୟତା, ବୃତ୍ତି, ରୂପଗୁଣ ଏପରିକି ନିଜର ବଂଶ ମର୍ଯଦାକୁ ନେଇ ନିଜ ଉପରେ ନିଜେ ସନ୍ତୁଷ୍ଠ ନଥାନ୍ତି । ଅନେକ ନିଜକୁବି ଘୃଣା କରନ୍ତି, ଜୀବନ ସେମାନଙ୍କ ପାଇଁ ମୂଲ୍ୟହୀନ ମନେକରି ନିଜକୁ ଖୁବ୍ ନ୍ୟୁନ ଦେଖନ୍ତି । ଫଳରେ ଦେଖାଯାଏ ଆତ୍ମବିଶ୍ବାସ ନିଜ ଉପରୁ କମିଯାଏ । ଏହା ଦେଖି ଆମ ପଡା ପଡୋଶି ଆମକୁ ଅସମ୍ମାନ କରିବା ଆରମ୍ଭ କରନ୍ତି । ଏମିତି ଏକ ସମୟ ଆସେ ଲୋକ ଆତ୍ମହତ୍ୟା କରିବାକୁବି ପଛାଏ ନାହିଁ। ଯେ ପର୍ଯ୍ୟନ୍ତ ଆମେ ଆମକୁ ସମ୍ମାନ ଦେଇନାହାନ୍ତି, ଜୀବନରେ କୌଣସି ଲକ୍ଷ ରଖି କାମ କରିନାହାନ୍ତି ସେଯାଏ ଆମେ ସମସ୍ତଙ୍କ ଦ୍ବାରା ଅସମ୍ମାନିତ ହେବା ସ୍ବାଭାବିକ । ବୁଦ୍ଧିମାନ ଲୋକ ସେ ଯିଏ କିଛି ପ୍ରତିକ୍ରିୟା ବା ପ୍ରତିଶ୍ରୁତି ଦେବା ପୂର୍ବରୁ ଅନେକଥର ଚିନ୍ତାକରି ଦିଏ । ଯେଉଁ ସମ୍ପର୍କରେ ଆତ୍ମସମ୍ମାନ ନଥିବ ସେଠାରୁ ଦୁରେଇ ଯିବା ଭଲ । ନିଜର ନିଜତ୍ବ ହରାଇ କାହାକୁ ଖୁସି କରିବାକୁ ଚେଷ୍ଠାକଲେ ଶେଷରେ ଅସମ୍ମାନିତ ହେବା ଥୟ । ତେଣୁ ପ୍ରଥମେ ନିଜକୁ ସମ୍ମାନ ଦେବା ଦରକାର ଦେଖାଯିବ ଆପେ ଆପେ ଦୁନିଆ ସମ୍ମାନ ଦେବା ଆରମ୍ଭ କରିବ ।

୨.ଉପସ୍ଥାପନା :- ଅନେକ ସମୟରେ ଆମେ ନିଜକୁ ସଠିକ୍ ଢଙ୍ଗରେ ଦୁନିଆ ଆଗରେ ଉପସ୍ଥାପନ କରିପାରନ୍ତି ନାହିଁ ଫଳରେ ଯେଉଁ ସମ୍ମାନ ଆମେ ଆଶା କରନ୍ତି ତାହା ମିଳିନଥାଏ । ଆମର ବେଶ ପୋଷାକ, କଥାବାର୍ତ୍ତା ଅନୁଯାୟୀ ଆମକୁ ସମ୍ମାନ ମିଳିଥାଏ । ଆମକୁ ଭଲକରି ନଜାଣିଥିବା ବ୍ୟକ୍ତି ପ୍ରଥମେ ଆମ ବାହ୍ୟ ଆଚରଣ ଓ ଉଚ୍ଚାରଣକୁ ଦେଖି ସମ୍ମାନ ଦିଏ । ଯଦି ଦୁନିଆ ଆମକୁ ଠିକରେ ସମ୍ମାନ ଦେଉନାହିଁ ବୁଝିବାକୁ ପଡିବ ଆମର ନିଜକୁ ଉପସ୍ଥାପନ କରିବାରେ କେଉଁଠି ଉଣା ରହିଯାଇଛି ।

୩.ବଡ ସ୍ବପ୍ନ :- ଯେଉଁ ଲୋକର ଜୀବନରେ କିଛି ଲକ୍ଷ ନାହିଁ କିଛି ଦାୟିତ୍ବ ବୋଧ ନାହିଁ ତାକୁ କେହି ସମ୍ମାନ ଦିଅନ୍ତି ନାହିଁ । କୌଣସି କାର୍ଯ୍ୟ ନକରି ଅନ୍ୟ ଉପରେ ନିର୍ଭରଶୀଳ ହୋଇ ବଞ୍ଚିବାକୁ ପସନ୍ଦ କରନ୍ତି ସେମାନଙ୍କୁ ସମସ୍ତେ ନିଚ୍ଚ ଆଖିରେ ଦେଖିଥାନ୍ତି । ଅନେକ ବ୍ୟକ୍ତି ସଫଳ ଆଉ ବିଫଳ ହେବାର ହିସାବ କରିକରି କିଛି ନକରି ବସିବାକୁ ପସନ୍ଦ କରିଥାନ୍ତି । ବିଫଳ ହେଲେବି ଲାଭ ଥାଏ, କାରଣ ଦୁନିଆ ଦେଖେ ଆମେ ନବସି ଚେଷ୍ଠା କରୁଛ । କିଛି ନକରିବା ଅପେକ୍ଷା କିଛି କରି ବିଫଳ ମଣିଷକୁ ଦୁନିଆ ସମ୍ମାନ ଦିଏ । ଆଉ ଗୋଟିଏ ଏମିତି ଦିନ ଆସିବ ଯେତବେଳେ ହୁଏତ ଆମର ବିଫଳତା ସଫଳତାରେ ପରିବର୍ତ୍ତନ ହୋଇ ଯାଇଥିବ । ହାରିଗଲେବି ମନ ଦୁଖଃ ନକରି ସର୍ବଦା Career Oriented ହୋଇ ବଞ୍ଚିବା ଦରକାର ।

୪.ନିଜର ଜ୍ଞାନ ବୃଦ୍ଧି :- ଯାହାର ଯେତେ ଜ୍ଞାନ ତାକୁ ଦୁନିଆ ସେତେ ସମ୍ମାନ ଦେଇଥାଏ । ଜ୍ଞାନର ଅର୍ଥ ନୁହେଁ କେବଳ ବହିର ବରଂ ଅନୁଭବ ଆଉ ଅନୁଭୁତିରୁ ଯାହା ସମାଜ କଲ୍ୟାଣରେ ଲାଗେ ତାହା ପ୍ରତ୍ୟକ ମଣିଷ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ଜଣେ ଯଦି ଏହି ଜ୍ଞାନକୁ ବ୍ୟବହାର କରି ଅନ୍ୟର ଜୀବନରେ ପରିବର୍ତ୍ତନ ଆଣିପାରିଲା ତା’ହେଲେ ସେ ଲୋକକୁ ସମସ୍ତେ ସମ୍ମାନ ଦେବାକୁ ବାଧ୍ୟ । ଯେଉଁମାନେ ଅଜ୍ଞାନୀ ସେମାନେ ନିଜକୁ ଚିହ୍ନିପାରନ୍ତି ନାହିଁ। ନିଜ ଉପରୁ ଆତ୍ମବିଶ୍ବାସ କମିଯାଏ, ଫଳରେ ନିଜକୁ ନିଜେ ସମ୍ମାନ ଦେବାକୁ ପଛାନ୍ତି । ସେଥିପାଇଁ ପ୍ରତ୍ୟକ ବ୍ୟକ୍ତିକୁ ନିଜର ଜ୍ଞାନର ସୀମା ବଢାଇବା ଦରକାର ।

୫.ଯୋଗାଯୋଗ ଶୈଳୀ :- ଅନେକ ସମୟରେ ଆମର କଥା ବାର୍ତ୍ତା ଯୋଗାଯୋଗର ଶୈଳୀ ଠିକ୍ ନଥିବାରୁ ଆମେ ଅନେକ ସ୍ଥାନରେ ଅସମ୍ମାନିତ ହୋଇଥାନ୍ତି । ଭଲ କଥାକୁ ଭଲରେ କହି ନପାରିବାରୁ ଲୋକେ ଆମକୁ ଭୁଲ୍ ବୁଝିଥାନ୍ତି। କୌଣସି ସ୍ଥାନରେ ନିଜର କ୍ରୋଧ ସମ୍ବରଣ କରିନପାରି ଯଦି କିଛି କହି ଦେଉଛନ୍ତି ତା’ହେଲେ ତାହା ଆମର ବ୍ୟକ୍ତିତ୍ବକୁ ପ୍ରଭାବିତ କରୁଛି । ଦେଖାଯାଏ ଆମ ମୁହଁରେ ଏମିତି ଏକ ଶକ୍ତି ଅଛି ଚାହିଁଲେ ଦୁନିଆକୁ ନିଜର କରିନେଇ ପାରିବା ଆଉ ଏହି ଏହି ମୁହଁର ପଦିଏ କଥା ଦୁନିଆ ଆଗରେ ଆମକୁ ବହୁତ ଛୋଟବି କରି ଦେଇପାରେ । ସେଥିପାଇଁ କୁହାଅଛି ମୁହଁରୁ କଥା ବାହାରିବା ପୂର୍ବରୁ ହଜାର ଥର ଚିନ୍ତାକରିବା ଦରକାର । ନିଜର ସମ୍ମାନ ବୃଦ୍ଧି ଆଉ କ୍ଷୟ ପଛରେ ଏହି ଯୋଗାଯୋଗ ଶୈଳୀ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ।

ଏ ସମସ୍ତ କଥାକୁ ଯଦି ଆମେ ଅଳ୍ପବହୁତ ମାନି ଚାଲନ୍ତି, ନିଜକୁ ନିଜେ ସମ୍ମାନ ଦିଅନ୍ତି, ନିଜକୁ ଆଗଠାରୁ ଅଧିକ ଭଲ ପାଆନ୍ତି ତା’ହେଲେ ଦେଖାଯିବ ଏ ପୁରା ଦୁନିଆ ଆମକୁ ସମ୍ମାନ ଦେବା ଆରମ୍ଭ କରିବ । ସମ୍ମାନ ପାଇବାର ଏହି ପାଞ୍ଚୋଟି ବାଟ ସମସ୍ତଙ୍କ ପାଇଁ ଏକାନ୍ତ ଲୋଡା ।

କୋରେଇ କାହ୍ନୁଚରଣ ମହାବିଦ୍ୟାଳୟ

ଯାଜପୁର

Leave a Reply

Your email address will not be published. Required fields are marked *

You cannot copy content of this page