ଦେବାରେ ଆନନ୍ଦ….

ଅନ୍ୟକୁ କିଛି ଦେବା ବା ଅନ୍ୟ ପାଇଁ କିଛି କରିବା ଭିତରେ ଥାଏ ଏକ ଭିନ୍ନ ଆନନ୍ଦ । ଏକଥା କେବଳ କରିଥିବା ବା କିଛି ଦେଇ ଥିବା ବ୍ୟକ୍ତିହିଁ ବୁଝି ପାରିବ। ଆଜି ବିଶିଷ୍ଠ ଶିକ୍ଷାବୀତ ତଥା କିସ୍ ଓ କିଟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ୨୦୧୩ ମସିହା ମେଁ ୧୭ ତାରିଖରେ ଆରମ୍ଭ କରାଯାଇଥିବା ସେହି ମହାନ ଚିନ୍ତାଧାରାକୁ ଆଜି ୭ ବର୍ଷ ପୁରିଛି।
ସାରା ବିଶ୍ବରେ ସମସ୍ତଙ୍କ ପାଖରେ ଏହି ଦେବାର ଭାବନା ସୃଷ୍ଠି କରିବା ଉଦ୍ଦେଶ୍ୟରେ ଗଠନ କରା ଯାଇଥିବା ସେଦିନର ସେହି Art of Giving ଅନୁଷ୍ଠାନଟି ଆଜି ପ୍ରତିଟି ମଣିଷକୁ ଦେବା ପାଇଁ ପ୍ରବର୍ତ୍ତାଉଛି । ଏ ପୃଥିବୀରେ ଅନେକବ୍ୟକ୍ତି ଅଛନ୍ତି ଯାହାଙ୍କ ପାଖରେ ଆବଶ୍ୟକତା ଠାରୁ ଅନେକ କିଛି ଅଧିକ ଅଛି ହେଲେ ଅନ୍ୟକୁ ଦେବାର ମନୋବୃତ୍ତି ଅଭାବରୁ ସେମାନେ ତାହା ଦେବାରୁ ବଞ୍ଚିତ ହୁଅନ୍ତି ।
ଏଭଳି ବ୍ୟକ୍ତିଙ୍କ ପାଖରେ ଏହି ଦେବାର ଭାବ୍ ସୃଷ୍ଠି କରିପାରିଲେ ଏ ସମାଜର ଅନେକ ଅଭାବୀ ମଣିଷମାନେ ଉପକୃତ ହୋଇ ପାରିବେ । ଆମ ସମାଜରେ ଗୋଟିଏ ଲୋକକଥା ଅଛି ” ଦେଇ ଥିଲେ ପାଇ..” ଅର୍ଥାତ ତୁମେ ଯଦି କାହାକୁ କିଛି ଦେଇଥିବ ତାହା କେବେନା କେବେ ବହୁଗୁଣା ହୋଇ ନିଶ୍ଚିତ ଫେରିବ । ତୁମେ ଦେଇଥିଲେ ହୁଏତ ତୁମେ ପାଇନପାର କିନ୍ତୁ ଏହା ତୁମ ପୁତ୍ର ପୌତ୍ର ପ୍ରପୌତ୍ର ଦେଇ ଦିନେନା ଦିନେ ନିଶ୍ଚିତ ଫେରିବ । ଏ ଭାବନା ସହ ପ୍ରାସଙ୍ଗିକ ଏକ ସୁନ୍ଦର କାହାଣୀଟି ଆପଣମାନଙ୍କ ପାଇଁ ହେଉଛି ଏହିପରି…
ସବୁଦିନ ପରି ଷ୍ଟିଫେନ୍ ନାମକ ଜଣେ ଯୁବକ ନିଜର ଛୋଟିଆ ଝିଅକୁ ଧରି ସପିଙ୍ଗ୍ ମଲରୁ ସଉଦା କିଣିବାକୁ ଯାଏ । ଜେଜେବାପାଙ୍କ ଜନ୍ମଦିନ ପାଇଁ ନାତୁଣୀ ଷ୍ଟେଲା ଗୋଟିଏ ସୁନ୍ଦର ଜନ୍ମଦିନ କେକ୍ ପସନ୍ଦ କରେ । କ୍ୟାସ୍ କାଉଣ୍ଟର ନିକଟରେ ସଉଦାର ମୂଲ୍ୟ ପଇଠ ବେଳେ ସମସ୍ତ ଆବଶ୍ୟକ ମୂଲ୍ୟଠାରୁ କମ୍ ଟଙ୍କା ପାଖରେ ଥିବାରୁ ଜନ୍ମଦିନ କେକ୍ ଟିକୁ ଷ୍ଟିଫେନ୍ ଫେରାଇ ଦେବାକୁ ନିଷ୍ପତ୍ତି ନିଏ । ଷ୍ଟେଲା କିନ୍ତୁ କୌଣସି ପରିସ୍ଥିତିରେ ବି ଜେଜେବାପାଙ୍କ ପାଇଁ କେକ୍ ଆଣିବାକୁ ଯିଦ୍ ଧରେ ହେଲେ ଟଙ୍କା ଅଭାବରୁ ତା ବାପା କିଣିବାରେ ସକ୍ଷମ ହୁଅନ୍ତି ନାହିଁ। ଏ ଘଟଣା ଚାଲିଥିବା ବେଳେ ପଛରେ ଥିବା ଅନ୍ୟ ଗ୍ରାହକମାନେ ବିଳମ୍ବ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତି । ମନଦୁଃଖରେ ସମସ୍ତ ସଉଦା ଧରି ସପିଙ୍ଗ୍ ମଲ୍ ଭିତରୁ ଷ୍ଟିଫେନ୍ ଓ ଷ୍ଟେଲା ବାହାରି ଆସିବା ପରେ ଦେଖାଯାଏ ଜଣେ ବୟସ୍କ ବ୍ୟକ୍ତି ଏମାନଙ୍କ ପଛେ ପଛେ ଏକ ବ୍ୟାଗ ଧରି ଆସି ପହଞ୍ଚନ୍ତି । ଅନୁରୋଧ କରନ୍ତି ଏମାନଙ୍କୁ ସେହି ବ୍ୟାଗଟି ଗ୍ରହଣ କରିବା ପାଇଁ । ଦେଖାଯାଏ ସେହି ଅଜଣା ବ୍ୟକ୍ତି ଜଣକ ଟଙ୍କା ଅଭାବରୁ ନଆଣି ପଳେଇ ଆସିଥିବା ଜନ୍ମଦିନ କେକଟିକୁ ସେହି ବ୍ୟାଗରେ ପୁରାଇ ଆଣିଛନ୍ତି । ଏହାକୁ ଦେଖି ଉଭୟ ବାପ ଝିଅ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । କିଛି ବୁଝିବା ପୂର୍ବରୁ ସେହି ବୟସ୍କ ବ୍ୟକ୍ତି ଜଣକ ଗୋଟିଏ କାର୍ଡ ଏମାନଙ୍କ ହାତକୁ ବଢେଇ ଦେଇଥିଲେ ଯେଉଁଥିରେ ଲେଖାଥିଲା “Pay it Forward”।
ମୁଁ ଯେତ ବେଳେ ଛୋଟ ହୋଇଥିଲି ସେତବେଳେ ଦିନେ ମୋ ମାଙ୍କ ସହ ମଲରୁ କିଛି କିଣିବା ବେଳେ ଟଙ୍କା ଅଭାବରୁ କିଣି ନପାରି ମନ ଦୁଖଃରେ ଫେରୁଥିବା ବେଳେ ଜଣେ ଭଦ୍ରଲୋକ ସେହି ଜିନିଷଟି କିଣିକରି ମୋ ମା ହାତରେ ଦେଇଥିଲେ । ଆଉ ସେଦିନ ଦେବାବେଳେ ଏହି କାର୍ଡଟି ଦେଇଥିଲେ ଯେଉଁଥିରେ ଲେଖାଥିଲା Pay it Forward । ଆଜି ମୋ ପାଇଁ କିଛି ଦେବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି ଆଉ ତାଙ୍କ କହିବା ଅନୁସାରେ ଏହି କାର୍ଡଟିକୁ ଆପଣଙ୍କୁ ଦେଉଛି । ଭବିଷ୍ୟତରେ ଆପଣବି କାହାକୁ ନା କାହାକୁ ସାହାର୍ଯ୍ୟ କରି ଏହି କାର୍ଡଟିକୁ ତାଙ୍କୁ ଦେଇଦେବେ ।
ଏହା ପରେ ଷ୍ଟିଫେନ୍ ଆଉ ଝିଅ ଷ୍ଟେଲା ଘରେ ପହଞ୍ଚି ଜେଜେବାପାଙ୍କ ଜନ୍ମଦିନ କେକ୍ କାଟିବା ସହ ଖୁସି ମନାଇଥିଲେ । ପୁଅଠାରୁ କେକ୍ କିଣିବାର ସମସ୍ତ ଘଟଣା ଶୁଣିବା ପରେ ଷ୍ଟେଫେନଙ୍କ ବାପାଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ନାତୁଣୀ ହାତରୁ କାର୍ଡଟିକୁ ଆଣି ଦେଖିବା ପରେ ନିଜକୁ ବିଶ୍ବାସ କରିପାରି ନଥିଲେ ବୃଦ୍ଧ ଜଣକ । ମନେ ପଡି ଯାଇଥିଲା ତାଙ୍କର ୩୦ ବର୍ଷ ତଳର ସେଦିନର ସେହି ଘଟଣା । କୃତଜ୍ଞତା ଜଣାଇଥିଲେ ଈଶ୍ବରଙ୍କୁ । ସେଦିନର ସେହି ବୟସ୍କ ବ୍ୟକ୍ତି ଜଣକ ଯିଏ ମା ପୁଅଙ୍କୁ କିଛି ଦେଇଥିଲେ ସେ ଆଉ କେହି ନଥିଲେ ବରଂ ସେଥିଲେ ଷ୍ଟେଲାଙ୍କ ଜେଜେବାପା । ମନେମନେ ଖୁସିହୋଇ କୃତଜ୍ଞତା ଜଣାଉଥିଲେ ସେଦିନର କଥା ମନେରଖି ଆଜି ସାହାର୍ଯ୍ୟ କରିଥିବାରୁ ।
ଆଜି ସମୟ ବଦଳି ଯାଇଛି ଅନ୍ୟକୁ ଦେବା ଅପେକ୍ଷା ଲୋକେ ଆନନ୍ଦ ପାଉଛନ୍ତି ନେବାରେ । ଅନ୍ୟର ଦୁଖଃ ଅନ୍ୟର କଷ୍ଟ ଦେଖି ଆତ୍ମତୃପ୍ତି ଅନୁଭବ କରୁଛନ୍ତି । ତଥାପି ସେଦିନର ସେହି ଲୋକ କଥା ଅନୁସାରେ ଆଜିବି ଦେବାରେ ଯେଉଁ ଆନନ୍ଦ ତାହାକୁ ବୁଝି ଅନେକ ଲୋକ ଆମ ସମାଜରେ ପ୍ରତି ମୁହୁର୍ତ୍ତରେ ଦେଇ ଚାଲିଛନ୍ତି । ଦେବା ଅର୍ଥ ନୁହେଁ କେବଳ ଟଙ୍କ ପଇସା ବା କିଛି ଜିନିଷ ପତ୍ର । ଏହାକୁ ଛାଡି ଜଣେ ଚାହିଁଲେ ବୁଦ୍ଧି, ବିଦ୍ୟା, ସାହାସ, ପ୍ରେରଣା, ଧର୍ଯ୍ୟ, ସମ୍ବେଦନଶୀଳତା ପରି ଅନେକ କଥା ଅନ୍ୟକୁ ଦେଇପାରିବ ।
କିମ୍ବଦନ୍ତୀ କହେ ଦେବାରେ ଈଶ୍ବରଙ୍କ ଆର୍ଶିବାଦ ମିଳେ । ଆଜି ସାରା ବିଶ୍ବ କରୋନା ସଙ୍କଟରେ ପଡି ଛଟପଟ ହେଉଛି । ଏହି ସମୟରେ ଆମ ଭିତରୁ ଅନେକ ପ୍ରତି ମୁହୁର୍ତ୍ତରେ ସେମାନଙ୍କ ଚତୁର୍ପାଶ୍ବରେ ଥିବା ଅଭାବୀ ମଣିଷ ମାନଙ୍କୁ କିଛିନା କିଛି ଦେଇ ଚାଲିଛନ୍ତି । ସତରେ ଦେବାରେ ଗୋଟିଏ ସ୍ବତନ୍ତ୍ର ଆନନ୍ଦ ମିଳେ ଯାହା ଉପରଲିଖିତ ଗଳ୍ପରେ ଦେଖିବାକୁ ମିଳିଲା । ବିରଂଚି ନାରାୟଣ ଦାସ |