କାଳୀ ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0

ଯାଜପୁର (ସଙ୍କେତ ଖବର): ଯାଜପୁର ଜିଲ୍ଲାରେ କାଳୀ ପୂଜା ଏକ ଗଣପର୍ବ ଭାବେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ତାହାକୁ ନିରାଡମ୍ବର ଭାବେ ପାଳନ ନିମନ୍ତେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋରଙ୍କ ସଭାପତିତ୍ବରେ ହୋଇଥିଲା। ପୂଜା ପାଳନ ଠାରୁ ଜନସ୍ବାସ୍ଥ୍ୟ ରକ୍ଷା ଆଗ, ପୂଜା ବିଧି ହେଉ, ଲୋକେ ସୁରକ୍ଷିତ ରହନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ପ୍ରକାଶ କରିଥିଲେ । କୋଭିତ ନିୟମ ଅନୁସାରେ ଜିଲ୍ଲାପାଳଙ୍କ ଅନୁମତିରେ ପୂଜା ମଣ୍ଡପ ଗୁଡିକରେ ପୂଜା କରାଯିବ ।

ବିଗତ ଦିନ ମାନଙ୍କରେ ସମସ୍ତ ଉତ୍ସବ ଇତ୍ୟାଦିକୁ ଜିଲ୍ଲାବାସୀ କୋଭିତ ନିୟମ ମଧ୍ୟରେ ଅନୁପାଳନ କରି ଥିବାରୁ ଆଗାମୀ କାଳୀ ପୂଜାକୁ ସେହିଭଳି କୋଭିତ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ସହକାରୀ ଜିଲ୍ଲାପାଳ ତିଳୋତ୍ତମ ପୃଷ୍ଟି ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତ ନିୟମାବଳୀ ଓ ମାର୍ଗଦର୍ଶିକାକୁ କମିଟିରେ ଉପସ୍ଥାପନ କରିବା ସହ ଅନୁପାଳନ ନିମନ୍ତେ ଅନୁରୋଧ କରିଥିଲେ । ଶାନ୍ତି କମିଟିର ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ଶ୍ରୀ କନଟ କେଶରୀ ଦାସ ସବୁ କୋଭିଡ ନିୟମକୁ ପାଳନ କରି ପୂଜା କରିବା ପାଇଁ ପ୍ରଶାସନକୁ ସାହାଯ୍ୟ କରିବେ ବୋଲି ଜଣାଇଥିଲେ ।

ବିଭିନ୍ନ ଶାନ୍ତି କମିଟି ଓ ପୂଜା କମିଟି ତରଫରୁ ସର୍ବଶ୍ରୀ ଦିଗାମ୍ବର କର, ସନ୍ତୋଷ କୁମାର ନନ୍ଦ, ରାଜୀବ ମହାନ୍ତି, ବଳଭଦ୍ର ଦାସ ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆସନ୍ତା ୨୭ ତାରିଖ ଠାରୁ ପୂଜା ନିମନ୍ତେ ଦାୟିତ୍ବରେ ଥିବା ସାଧାରଣ ଓ ବିବିଧ ବିଭାଗର ବରିଷ୍ଠ ରାଜସ୍ର ସହାୟକ ମଦନ ମୋହନ ପତିଙ୍କ ନିକଟରେ ଆବେଦନ କରିପାରିବେ କେବଳ ମା’ କଳୀ ଓ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯିବ ପୂଜା ମଣ୍ଡପ ଗୁଡିକର ସଭାପତି ଓ ସଂପାଦକ ନଭେମ୍ବର ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ପୂଜା ପାଳନ କରିବେ ।

ପୂଜା ମଣ୍ଡପର ୩ ପାଖ ଆବଦ୍ଧ ରହିବ ଓ ଗୋଟିଏ ପାଖ ଖୋଲା ରହିବ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ବାଜା, ବାଣ ଓ ମାଇକ ବାଜିବା ଉପରେ ରୋକ ଲଗାଯାଇଛି । ୭ ଜଣରୁ ଅଧିକ ପୂଜା ମଣ୍ଡପରେ ରହିପାରିବେ ନାହିଁ । ସେହି ୭ ଜଣ ସାମାଜିକ ଦୂରତା, ମାସ୍ଟ ପରିଧାନ, ହାତ ଧୁଆ ନିୟମ ପାଳନ କରିବେ । ଉପାଣିରେ ମେଢ ଗୁଡିକ କୃତ୍ରିମ ପୋଖରୀରେ ପୂର୍ବାହ୍ନ ୮ ଘଟିକା ଠାରୁ ଅପରାହ୍ନ ୫ ଘଟିକା ମଧ୍ୟରେ ବିସର୍ଜନ କରାଯିବ । ଭସାଣି ସମୟରେ କୌଣସି ଶୋଭାଯାତ୍ରା କରାଯାଇ ପାରିବ ନାହିଁ । ଉକ୍ତ ନିୟମାବଳୀର ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଉପ ଆରକ୍ଷା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଶାନ୍ତି କମିଟିର ସଦସ୍ୟ, ପୂଜା ମଣ୍ଡପ ଗୁଡିକର ସଂପାଦକ ଓ ସଭାପତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ କିଆନାଳୀ ବ୍ଲକ ପୂଜା କମିଟିର ଦିବ୍ୟଗତ ସଭ୍ୟ ସ୍ବର୍ଗତ ଦେବେନ୍ଦ୍ର କୁମାର ମିଶ୍ର ଏବଂ ଲକ୍ଷ୍ମୀ ନାରାୟଣ ପୂଜା କମିଟିର ଦିବଂଗତ ସଭ୍ୟ ସ୍ୱର୍ଗତ ବାବାଜୀ ଚରଣ ସାହଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page