ଯୁବବର୍ଗଙ୍କୁ ଟୀକା ଦେବାକୁ ଦାବି କଲେ ବିଜେପି ଯୁବମୋର୍ଚ୍ଚା ନେତା ବିକ୍ରମ ବିଶ୍ୱାଳ

ଯାଜପୁର (ସଙ୍କେତ ଖବର): ରାଜ୍ୟରେ କରୋନା ପ୍ରଭାବ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଲକ୍ ଡାଉନ୍ ନିଷ୍ପତ୍ତିକୁ ବଢାଇଛନ୍ତି । ବିଭିନ୍ନ ଜିଲ୍ଲାରେ ୧୮ ରୁ ୪୫ବର୍ଷ ବର୍ଗଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଛି । କିନ୍ତୁ ଯାଜପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବାରୁ ଏନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ ଯାଜପୁର ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି ।
ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଯାଜପୁରରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ୧୮ ରୁ ୪୫ ବର୍ଷୀୟ ବ୍ୟକ୍ତିଙ୍କ ପାଇଁ ଯଥାଶୀଘ୍ର ଟୀକା କରଣ ବ୍ୟବସ୍ଥା କରାଯିବା ସହ ଏହାର ସୁପରିଚାଳନା ପାଇଁ ପଞ୍ଚାୟତ ସ୍ତରରେ ଟୀକା ଦେବାର ବ୍ୟବସ୍ତା କରାଯାଉ । ଜିଲ୍ଲାରେ ଥିବା ସମସ୍ତ କୋଭିଡ ହସ୍ପିଟାଲ ରେ ଯେପରି ଅବ୍ୟବସ୍ଥା ନହୁଏ ସେଥିପାଇଁ ପ୍ରଶାସନ ଧ୍ୟାନ ଦିଅନ୍ତୁ ।ଆର୍ଟିପିଶିଆର ଓ ଆଣ୍ଟିଜେନ ଟେଷ୍ଟ ମଧ୍ୟ ବୃଦ୍ଧି କରାଯାଉ ।

ଗ୍ରାମାଞ୍ଚଳରେ ଅଧିକ ଲୋକ ବସବାସ କରିବା ସହ ଅଧିକାଂଶ ଲୋକଙ୍କ ଅଲଗା ଘର ନଥିବାରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଘରର ଅଲଗା ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି । ସେଥିଲାଗି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ଗୋଟିଏ ପୃଥକ୍ ଆଇସୋଲେସେନ୍ ସେଣ୍ଟର୍ ପ୍ରସ୍ତୁତ କରାଯାଉ । କୋଭିଡ୍ ରୋଗୀମାନଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ପ୍ରତ୍ୟେକ ବ୍ଲକରେ ଅତି କମରେ ଆଇସିୟୁ ସୁବିଧା ଥିବା ୨ଟି ଲେଖାଏଁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ । ଜିଲ୍ଲାର ଦୁଇ ପୌରପରିଷଦରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁରେ ଶବ ଦାହ ପାଇଁ ବିଦ୍ୟୁତ୍ ଚୁଲାର ବ୍ୟବସ୍ଥା କରିବାକୁ ଶ୍ରୀ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏ ସଂକ୍ରାନ୍ତରେ ଯଦି ଜିଲ୍ଲା ପ୍ରଶାସନ କୌଣସି ପ୍ରକାର ସାହାଯ୍ୟ, ସହଯୋଗ ଆଶା କରେ ତେବେ ଯୁବମୋର୍ଚ୍ଚାର ସଦସ୍ୟମାନେ ବିନା ଦ୍ୱିଧାରେ ସହଯୋଗ କରିବେ ବୋଲି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ କହିଛନ୍ତି ।