ମଣିଷ ବଦଳ ରେ ମେସିନ୍ କରୁଛି କାମ

0

ବଡ଼ଚଣା(ସଂକେତ ଖବର) ବଡଚଣା ବ୍ଲକ ଅନ୍ତର୍ଗତ ସମିଆଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ପୋଖରୀ,ଖେଳପଡ଼ିଆ ଗୁଡିକର ପୁନଃରୁଦ୍ଧାର କାର୍ଯ୍ୟ ସହ ମୋ ପୋଖରୀ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ବ୍ଲକ ପ୍ରଶାସନ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରାଯାଉଥିଲା ବେଳେ ଏହା ଜବ୍ କାର୍ଡ ଧାରୀ ଲୋକଙ୍କ ଦ୍ଵାରା କରାନଯାଇ ମେସିନ ସାହାଯ୍ୟରେ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ସୂଚନା ମୁତାବକ ସମିଆଁ ପଞ୍ଚାୟତର ଚମ୍ପାପୁର ଗ୍ରାମରେ ଥିବା ଖେଳ ପଡ଼ିଆ ପାଇଁ ମନରେଗା ଯୋଜନାରେ ୨ ଲକ୍ଷ ଟଙ୍କା,ଚମ୍ପାପୁର ବୋଧି ପୋଖରୀ ପାଇଁ ୩ ଲକ୍ଷ ଟଙ୍କା ଓ ଭାଲୁମରା ଗ୍ରାମର ପୋଖରୀ ପାଇଁ ୫ ଲକ୍ଷ ଟଙ୍କା ସହ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ପୋଖରୀ,ଖେଳ ପଡ଼ିଆ,ମୋ ପୋଖରୀ ଯୋଜନା ଆଦି ପାଇଁ ମନରେଗା ଯୋଜନାରେ ଅର୍ଥ ବ୍ୟୟ ବରାଦ ହୋଇ ଥିବାବେଳେ ଏହାର କାର୍ଯ୍ୟ ଲୋକମାନଙ୍କ ଦ୍ବାରା କରାନଯାଇ ଜେସିବି ମେସିନ ସାହାଯ୍ୟରେ କରାଯାଉଛି ।କାର୍ଯ୍ୟ ସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ ।ଏହି ପଞ୍ଚାୟତ ଏକ ଆଦିବାସୀ ଅଧ୍ବିସିତ ପଞ୍ଚାୟତ ହୋଇଥିବା ବେଳେ ଏଠାରେ ଅନେକ ଗରିବ ଲୋକ ଦିନ ମଜୁରୀଆ ଭାବେ କାର୍ଯ୍ୟକରି ପରିବାର ଚଳାନ୍ତି ।

ଚାଲିଛି ମେସିନ ଯୋଗେ କାମ

ନିଜ ଅଞ୍ଚଳରେ କାମ ନ ମିଳିଲେ ନିକଟସ୍ଥ କଟକ ଓ ଢେଙ୍କାନାଳ ଜିଲ୍ଲାକୁ ଠିକାଦାରଙ୍କ ଦ୍ବାରା ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଆନ୍ତି ।ସରକାର ଏହି ଶ୍ରମିକ ମାନଙ୍କ ପାଇଁ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇ ଦେଉଥିବା ବେଳେ ଏମାନଙ୍କୁ ପଞ୍ଚାୟତରେ ଅଣଦେଖା କରାଯାଉଛି । ଏହି ସବୁ କାର୍ଯ୍ୟ ସମିଆଁ ପଞ୍ଚାୟତର ଜଣେ ରାଜନେତା ତଥା ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ପଞ୍ଚାୟତର ଜିଆରଏସ୍ ଦୁର୍ଯ୍ୟୋଧନ ସାହୁଙ୍କୁ ସାଥିରେ ଧରି ନିଜର ଦୁଇଗୋଟି ଜେସିବି ମେସିନ ସାହାଯ୍ୟରେ ପଞ୍ଚାୟତର ମନରେଗା ଯୋଜନା କାର୍ଯ୍ୟ ଗୁଡ଼ିକ କରୁଛନ୍ତି ଓ ନିଜର କିଛି କର୍ମୀଙ୍କ ଜରିଆରେ ଜବକାର୍ଡ ସଂଗ୍ରହ କରି ଜିଆରଏସ୍ ଙ୍କ ମାଧ୍ୟମରେ ବିଲ କରିବା ପାଇଁ ବସିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ମନରେଗା କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗାଯାଇ ନ ଥିବା ବେଳେ ଜିଆରଏସ୍ ମେସିନ ଖୋଳା କାର୍ଯ୍ୟକୁ କିପରି ଜିଓଟ୍ୟାଗ୍ କରି ପ୍ରଶାସନକୁ ତଥ୍ୟ ଦେଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ପଞ୍ଚାୟତର ଗରିବ ଜବ୍ କାର୍ଡଧାରୀ ଶ୍ରମିକ ପଞ୍ଚାୟତରେ କାର୍ଯ୍ୟ ନ ପାଇ ଦାଦନ ଖଟିବାକୁ ବାହାର ଜିଲ୍ଲାକୁ ଯାଉଥିବା ବେଳେ ପଞ୍ଚାୟତର ଏହି କାର୍ଯ୍ୟ କିପରି ବଡଚଣା ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉନାହିଁ ତାହା ଆଲୋଚନାର ବିଷୟ ପାଲଟିଛି ।ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *

You cannot copy content of this page