ମନ କି ବାତ କାର୍ଯ୍ୟକ୍ରମ ରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ?

0

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।
ଦୁଇ ଦିନ ପୂର୍ବର କିଛି ଚମତ୍କାର ଛବି, କିଛି ସ୍ମରଣୀୟ ମୁହୁର୍ତ୍ତ ଏବେ ବି ମୋ ଆଖି ଆଗରେ ରହିଛି । ତେଣୁ, ଏଥର ‘ମନ୍ କି ବାତ୍’ର ଆରମ୍ଭ କରିବା ସେହି ମୁହୁର୍ତ୍ତଗୁଡ଼ିକୁ ନେଇ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଖେଳାଳିମାନଙ୍କୁ ତ୍ରିରଙ୍ଗା ଧରି ଚାଲୁଥିବା ଦେଖି କେବଳ ମୁଁ ନୁହେଁ, ବରଂ ସାରା ଦେଶ ରୋମାଞ୍ଚିତ ହୋଇଉଠିଲା । ସାରା ଦେଶ ସତେ ଯେମିତି ଆମର ଏହି ଯୋଦ୍ଧାମାନଙ୍କୁ କହିଲା –
ବିଜୟୀ ଭବ . . . ବିଜୟୀ ଭବ ।
ଏହି ଖେଳାଳିମାନେ ଯେତେବେଳେ ଭାରତରୁ ପ୍ରସ୍ଥାନ କରିଥିଲେ, ସେତେବେଳେ ମୋତେ ସେମାନଙ୍କ ସହ କଥାବାର୍ତ୍ତା ହେବାର, ସେମାନଙ୍କ ବିଷୟରେ ଜାଣିବାର ଏବଂ ଦେଶକୁ ଜଣାଇବାର ସୁଯୋଗ ମିଳିଥିଲା । ଏହି ଖେଳାଳିମାନେ ଜୀବନର ଅନେକ ବାଧାବିଘ୍ନକୁ ପାର କରି ଏ ଯାଏ ପହଞ୍ଚିଛନ୍ତି । ଆଜି ସେମାନଙ୍କ ପାଖରେ ଆପଣଙ୍କ ସ୍ନେହ ଏବଂ ସମର୍ଥନର ଶକ୍ତି ରହିଛି । ତେଣୁ ଆସନ୍ତୁ, ସମସ୍ତେ ମିଶି ଆମର ଏହି ଖେଳାଳିମାନଙ୍କୁ ନିଜ ନିଜର ଶୁଭେଚ୍ଛା ଜଣାଇ ସେମାନଙ୍କ ଉତ୍ସାହ ବୃଦ୍ଧି କରିବା । ସାମାଜିକ ଗଣମାଧ୍ୟମରେ ଅଲମ୍ପିକ୍ସ ଖେଳାଳିମାନଙ୍କ ସମର୍ଥନ ପାଇଁ ଆମର ଭିକ୍ଟୋରୀ ପଞ୍ଚ କ୍ୟାମ୍ପେନ୍ ଏବେ ଆରମ୍ଭ ହୋଇସାରିଛି । ଆପଣ ମଧ୍ୟ ନିଜ ଟିମ ସହ ନିଜର ଭିକ୍ଟୋରୀ ପଞ୍ଚ ଶେୟାର କରନ୍ତୁ । ଭାରତକୁ ପ୍ରୋତ୍ସାହିତ କରନ୍ତୁ ।
ବନ୍ଧୁଗଣ, ଯିଏ ଦେଶ ପାଇଁ ତ୍ରିରଙ୍ଗା ଧାରଣ କରେ, ତା’ର ସମ୍ମାନାର୍ଥେ ଆବେଗରେ ଜୁଡୁବୁଡୁ ହୋଇଯିବା ସ୍ୱାଭାବିକ । ଦେଶର ଏହି ଭାବନା ଆମ ସମସ୍ତଙ୍କୁ ବାନ୍ଧି ରଖିଛି ।

ଆସନ୍ତାକାଲି, ଅର୍ଥାତ ଜୁଲାଇ ୨୬ ତାରିଖ ଦିନ କାରଗିଲ୍ ଦିବସ ମଧ୍ୟ ରହିଛି । କାରଗିଲ୍ ଯୁଦ୍ଧ, ଭାରତୀୟ ସେନାବାହିନୀର ବୀରତ୍ୱ ଏବଂ ସଂଯମର ଏଭଳି ଏକ ପ୍ରତୀକ, ଯାହାକୁ ସାରା ବିଶ୍ୱ ଦେଖିଛି । ଏଥର ଏହି ଗୌରବମୟ ଦିନଟି ମଧ୍ୟ ଅମୃତ ମହୋତ୍ସବ ସମୟରେ ପାଳିତ ହେବ । ତେଣୁ, ଏହାର ଗୁରୁତ୍ୱ ଆହୁରି ଅଧିକ ହୋଇଯାଇଛି । ମୁଁ ଚାହୁଁଛି ଯେ କାରଗିଲ ରୋମାଞ୍ଚକର କାହାଣୀ ଆପଣମାନେ ପଢ଼ନ୍ତୁ, କାରଗିଲ ବୀରମାନଙ୍କୁ ଆମେ ସମସ୍ତେ ପ୍ରଣାମ କରିବା ।
ବନ୍ଧୁଗଣ, ଏଥର ଅଗଷ୍ଟ ୧୫ ଦିନ ଦେଶ ନିଜର ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛି । ଏହା ଆମର ବହୁତ ବଡ଼ ସୌଭାଗ୍ୟ ଯେ, ଯେଉଁ ସ୍ୱାଧୀନତା ପାଇଁ ଦେଶ ଶହ ଶହ ବର୍ଷ ଧରି ପ୍ରତୀକ୍ଷା କଲା, ତାହାର ୭୫ ବର୍ଷ ପୂରଣ ହେବା ଘଟଣାର ଆମେ ସାକ୍ଷୀ ହେବାକୁ ଯାଉଛୁ । ଆପଣମାନଙ୍କର ମନେଥିବ, ସ୍ୱାଧୀନତାର ୭୫ ବର୍ଷ ପାଳନ ପାଇଁ ମାର୍ଚ୍ଚ ୧୨ ତାରିଖ ଦିନ ବାପୁଙ୍କ ସାବରମତୀ ଆଶ୍ରମରୁ ଅମୃତ ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ସେହିଦିନ ବାପୁଙ୍କ ଦାଣ୍ଡିଯାତ୍ରାକୁ ମଧ୍ୟ ପୁନର୍ଜୀବିତ କରାଯାଇଥିଲା । ସେହିଦିନଠାରୁ ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ପୁଡୁଚେରୀ ଯାଏ, ଗୁଜରାଟରୁ ଆରମ୍ଭ କରି ଉତ୍ତର-ପୂର୍ବାଞ୍ଚଳ ଯାଏ, ସାରା ଦେଶରେ ଅମୃତ ମହୋତ୍ସବ ସହ ସଂଲଗ୍ନ କାର୍ଯ୍ୟକ୍ରମମାନ ଚାଲିଛି । ଅନେକ ଏଭଳି ଘଟଣା, ଏଭଳି ସ୍ୱାଧୀନତା ସଂଗ୍ରାମୀ, ଯେଉଁମାନଙ୍କର ବହୁତ ବଡ଼ ଅବଦାନ ରହିଛି, କିନ୍ତୁ ସେମାନେ ଲୋକଲୋଚନକୁ ଆସିପାରିନାହାନ୍ତି, ସେମାନଙ୍କ ବିଷୟରେ ମଧ୍ୟ ଜାଣିବାକୁ ପାଉଛୁ । ଯେମିତିକି ମୋଇରାଙ୍ଗ ଦେଙ୍କ କଥା ଧରନ୍ତୁ । ମଣିପୁରର ଗୋଟିଏ ଛୋଟ ଇଲାକା ମୋଇରାଙ୍ଗ, ଏକଦା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଇଣ୍ଡିଆନ ନ୍ୟାସନାଲ୍ ଆର୍ମି ବା ଆଇ.ଏନ୍.ଏ.ର ଗୋଟିଏ ପ୍ରମୁଖ କାର୍ଯ୍ୟସ୍ଥଳ ଥିଲା । ଏଠାରେ ସ୍ୱାଧୀନତାର ବହୁ ପୂର୍ବରୁ ଆଇ.ଏନ୍.ଏ.ର କର୍ଣ୍ଣେଲ ଶୌକତ୍ ମଲିକ୍ ପତାକା ଉତ୍ତୋଳନ କରିଥିଲେ । ଅମୃତ ମହୋତ୍ସବ ସମୟରେ ଏପ୍ରିଲ ୧୪ ତାରିଖ ଦିନ ପୁଣି ଥରେ ସେହି ମୋଇରାଙ୍ଗରେ ପତାକା ଉତ୍ତୋଳନ କରାଗଲା । ଏଭଳି ଅନେକ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷ ରହିଛନ୍ତି, ଯେଉଁମାନଙ୍କୁ ଅମୃତ ମହୋତ୍ସବ ସମୟରେ ଦେଶ ସ୍ମରଣ କରୁଛି । ସରକାର ଏବଂ ସାମାଜିକ ସଂଗଠନଗୁଡ଼ିକ ତରଫରୁ ମଧ୍ୟ ନିରନ୍ତର ଭାବେ ଏହା ସହ ଜଡ଼ିତ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ କରାଯାଉଛି । ଏହିଭଳି ଏକ କାର୍ଯ୍ୟକ୍ରମ ଏଥର ଅଗଷ୍ଟ ୧୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଜାତୀୟ ସଙ୍ଗୀତ ସହ ଜଡ଼ିତ ଗୋଟିଏ ପ୍ରୟାସ । ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରଚେଷ୍ଟା କରାଯାଉଛି ଯେ, ଏହି ଦିନ ଅଧିକରୁ ଅଧିକ ଭାରତବାସୀ ମିଶି ଜାତୀୟ ସଙ୍ଗୀତ ଗାନ କରନ୍ତୁ । ଏଥିପାଇଁ ଗୋଟିଏ ୱେବସାଇଟ ମଧ୍ୟ ପ୍ରସ୍ତୁତ କରାଯାଇଛି – ରାଷ୍ଟ୍ରଗାନ ଡଟ୍ ଇନ୍ । ଏହି ୱେବସାଇଟ ସହାୟତାରେ ଆପଣ ଜାତୀୟ ସଙ୍ଗୀତ ଗାନ କରି ତାହାକୁ ରେକର୍ଡ଼ କରିପାରିବେ, ଏହି ଅଭିଯାନ ସହ ସାମିଲ ହୋଇପାରିବେ । ଏହି ନିଆରା ପ୍ରଚେଷ୍ଟା ସହ ଆପଣମାନେ ଯୋଡ଼ି ହେବେ ବୋଲି ମୋର ଆଶା । ଏହି ଧରଣର ଅନେକ ଅଭିଯାନ, ଅନେକ ପ୍ରଚେଷ୍ଟା ଆପଣମାନଙ୍କୁ ଆଗାମୀ ଦିନମାନଙ୍କରେ ଦେଖିବାକୁ ମିଳିବ । ଅମୃତ ମହୋତ୍ସବ କୌଣସି ସରକାରୀ କାର୍ଯ୍ୟକ୍ରମ ନୁହେଁ ବା କୌଣସି ରାଜନୈତିକ ଦଳର କାର୍ଯ୍ୟକ୍ରମ ନୁହେଁ, ଏହା କୋଟି କୋଟି ଭାରତବାସୀଙ୍କ କାର୍ଯ୍ୟକ୍ରମ । ଏହା ହେଉଛି ପ୍ରତ୍ୟେକ ସ୍ୱାଧୀନ ଏବଂ କୃତଜ୍ଞ ଭାରତୀୟଙ୍କ ନିଜର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପ୍ରଣାମ । ଏହି ମହୋତ୍ସବର ମୂଳ ଚିନ୍ତାଧାରା ବହୁତ ବିସ୍ତୃତ । ଏହି ଚିନ୍ତାଧାରା ହେଉଛି, ନିଜର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପଦାଙ୍କ ଅନୁସରଣ କରିବା, ସେମାନଙ୍କ ସ୍ୱପ୍ନର ଦେଶ ଗଢ଼ିବା । ଯେମିତିକି ଦେଶର ସ୍ୱାଧୀନତା ପାଇଁ ମୁକ୍ତିସଂଗ୍ରାମୀମାନେ ଖୁବ୍ ଆବେଗର ସହ ଏକଜୁଟ ହୋଇଯାଇଥିଲେ, ଠିକ ସେହିଭଳି ଭାବେ ଆମେ ଦେଶର ଉନ୍ନତି ପାଇଁ ଏକଜୁଟ ହେବାକୁ ପଡ଼ିବ । ଆମକୁ ଦେଶ ପାଇଁ ବଞ୍ଚିବାକୁ ହେବ, ଦେଶ ପାଇଁ କାମ କରିବାକୁ ହେବ । ଏଥିରେ ଛୋଟ ଛୋଟ ପ୍ରୟାସ ମଧ୍ୟ ବଡ଼ ସଫଳତା ଆଣି ଦେଇପାରେ । ଦୈନନ୍ଦିନର କାର୍ଯ୍ୟ କରିବା ସାଙ୍ଗରେ ମଧ୍ୟ ଆମେ ରାଷ୍ଟ୍ର ନିର୍ମାଣ କରିପାରିବା, ଯେମିତିକି ଭୋକାଲ୍ ଫର୍ ଲୋକାଲ୍ । ଆମ ଦେଶର ସ୍ଥାନୀୟ ଉଦ୍ୟୋଗୀ, କଳାକାର, ଶିଳ୍ପୀ, ବୁଣାକାରମାନଙ୍କୁ ସହାୟତା କରିବା ଆମର ଅଭ୍ୟାସ ହେବା ଉଚିତ । ଅଗଷ୍ଟ ୭ ତାରିଖ ଦିନ ପଡ଼ୁଥିବା ଜାତୀୟ ହସ୍ତତନ୍ତ ଦିବସ ଏଭଳି ଏକ ସୁଯୋଗ, ଯେଉଁଦିନ ଆମେ ଏ ଦିଗରେ ଚେଷ୍ଟା କରି କାମ କରିପାରିବା । ଜାତୀୟ ହସ୍ତତନ୍ତ ଦିବସ ସହ ଅନେକ ଐତିହାସିକ ପୃଷ୍ଠଭୂମି ଜଡ଼ିତ । ୧୯୦୫ ମସିହାରେ ଏହି ଦିନ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
ବନ୍ଧୁଗଣ, ଆମ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ହସ୍ତତନ୍ତ, ଆୟର ଏକ ପ୍ରମୁଖ ସ୍ରୋତ । ଏହା ଏଭଳି କ୍ଷେତ୍ର, ଯେଉଁଥିରେ ଲକ୍ଷ ଲକ୍ଷ ମହିଳା, ଲକ୍ଷ ଲକ୍ଷ ବୁଣାକାର, ଲକ୍ଷ ଲକ୍ଷ ଶିଳ୍ପୀ କାର୍ଯ୍ୟରତ । ଆପଣଙ୍କର ଛୋଟ ଛୋଟ ପ୍ରୟାସ ବୁଣାକାରମାନଙ୍କ ମଧ୍ୟରେ ଗୋଟିଏ ନୂତନ ଆଶା ସୃଷ୍ଟି କରିବ । ଆପଣ ନିଜେ କିଛି ନା କିଛି କିଣନ୍ତୁ, ଏବଂ ନିଜ କଥା ଅନ୍ୟମାନଙ୍କୁ ବି ଜଣାନ୍ତୁ । ଆଉ, ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ, ସେତେବେଳେ ତ ଏତିକି କରିବା ଆମର ଦାୟିତ୍ୱ ବନ୍ଧୁଗଣ । ଆପଣମାନେ ଲକ୍ଷ୍ୟ କରିଥିବେ, ୨୦୧୪ ପରବର୍ତ୍ତୀ ସମୟରୁ ହିଁ ‘ମନ୍ କି ବାତ୍’ରେ ଆମେ ସବୁବେଳେ ଖଦି ବିଷୟରେ କଥା ହେଉଛୁ । କେବଳ ଆପଣମାନଙ୍କ ପ୍ରଚେଷ୍ଟା ଯୋଗୁଁ ହିଁ ଆଜି ଦେଶରେ ଖଦୀର ବିକ୍ରି ଅନେକ ଗୁଣ ବୃଦ୍ଧି ପାଇଛି । ଗୋଟିଏ ଖଦୀଭଣ୍ଡାରରୁ ଦିନକରେ ଏକ କୋଟି ଟଙ୍କାରୁ ଅଧିକ ବିକ୍ରିବଟା ହେବାକଥା କ’ଣ କେହି ଚିନ୍ତା କରିପାରୁଥିଲା? କିନ୍ତୁ, ଆପଣମାନେ ଏକଥା ମଧ୍ୟ କରି ଦେଖାଇଲେ । ଆପଣ ଯେତେବେଳେ ବି କିଛି ଖଦି ତିଆରି ଜିନିଷ କିଣନ୍ତି, ସେତେବେଳେ ଏହାର ଲାଭ ଆମର ଗରିବ ବୁଣାକାର ବନ୍ଧୁମାନଙ୍କୁ ହିଁ ମିଳିଥାଏ । ତେଣୁ, ଖଦି କିଣିବା ମଧ୍ୟ ଏକ ପ୍ରକାର ଜନସେବା, ଏକ ପ୍ରକାର ଦେଶସେବା । ମୋର ପ୍ରିୟ ଭାଇ-ଭଉଣୀମାନେ, ଆପଣମାନେ ମଧ୍ୟ ଗ୍ରାମାଞ୍ଚଳରେ ତିଆରି ହେଉଥିବା ହ୍ୟାଣ୍ଡଲୁମ ପ୍ରଡକ୍ଟସ କିଣିବା ପାଇଁ ଏବଂ ଏହାକୁ #MyHandloomMyPride ସହ ଶେୟାର କରିବାକୁ ମୋର ଅନୁରୋଧ ।
ବନ୍ଧୁଗଣ, ସ୍ୱାଧୀନତା ଆନ୍ଦୋଳନ ଏବଂ ଖଦୀ କଥା ପଡ଼ିଥିବା ବେଳେ ପୂଜ୍ୟ ବାପୁଙ୍କ କଥା ମନେପଡ଼ିବା ସ୍ୱାଭାବିକ । ଯେମିତି ବାପୁଙ୍କ ନେତୃତ୍ୱରେ ଭାରତଛାଡ଼ ଆନ୍ଦୋଳନ ହୋଇଥିଲା, ଠିକ୍ ସେହିଭଳି, ଆଜି ପ୍ରତ୍ୟେକ ଦେଶବାସୀଙ୍କୁ ଭାରତ ଯୋଡ଼ୋ ଆନ୍ଦୋଳନର ନେତୃତ୍ୱ ନେବାକୁ ହେବ । ଏହା ଆମ କର୍ତ୍ତବ୍ୟ ହେବା ଉଚିତ ଯେ ଆମେ ନିଜ କାମ ଏଭଳି ଢଙ୍ଗରେ କରିବା ଯାହା ବିବିଧତାରେ ପରିପୂର୍ଣ୍ଣ ଆମ ଭାରତକୁ ଯୋଡ଼ିବାରେ ସହାୟକ ହେବ । ତେବେ ଆସନ୍ତୁ, ଅମୃତ ମହୋତ୍ସବ ଅବସରରେ ଆମେ ଅମୃତ ସଂକଳ୍ପ ଗ୍ରହଣ କରିବା ଯେ, ଦେଶ ହିଁ ଆମର ସବୁଠାରୁ ବଡ଼ ଆସ୍ଥା, ସବୁଠାରୁ ବଡ଼ ଅଗ୍ରାଧିକାର ହୋଇରହୁ । ନେସନ୍ ଫାଷ୍ଟ୍, ଅଲ୍ୱେଜ୍ ଫାଷ୍ଟ୍ – ଏହି ମନ୍ତ୍ର ସହ ଆମକୁ ଆଗକୁ ବଢ଼ିବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ମୁଁ ‘ମନ୍ କି ବାତ୍’ ଶୁଣୁଥିବା ମୋର ଯୁବବନ୍ଧୁମାନଙ୍କ ପ୍ରତି ବିଶେଷ କୃତଜ୍ଞତା ଜଣାଇବାକୁ ଚାହୁଁଛି । କିଛିଦିନ ତଳେ ହିଁ, ମାଇଁଗଭ୍ ତରଫରୁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ନେଇ ଗୋଟିଏ ଅଧ୍ୟୟନ କରାଯାଇଥିଲା । ଏଥିରେ ଜଣାପଡ଼ିଲା ଯେ, ‘ମନ୍ କି ବାତ୍’ ପାଇଁ ବାର୍ତ୍ତା ଏବଂ ପ୍ରସ୍ତାବମାନ ପଠାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟତଃ ୭୫ ପ୍ରତିଶତ ଲୋକଙ୍କର ବୟସ ୩୫ ବର୍ଷରୁ କମ୍ । ଅର୍ଥାତ, ଭାରତର ଯୁବଶକ୍ତିର ପ୍ରସ୍ତାବଗୁଡ଼ିକ ‘ମନ୍ କି ବାତ୍’କୁ ଦିଗଦର୍ଶନ ଦେଉଛନ୍ତି । ମୁଁ ଏହାକୁ ଗୋଟିଏ ବହୁତ ଭଲ ସଙ୍କେତ ବୋଲି ମନେ କରୁଛି । ‘ମନ୍ କି ବାତ୍’ ଏଭଳି ଏକ ମାଧ୍ୟମ ଯେଉଁଠି ରହିଛି ସକାରାତ୍ମକତା, ସମ୍ବେଦନଶୀଳତା । ‘ମନ୍ କି ବାତ୍’ରେ ଆମେ ସକାରାତ୍ମକ କଥାଗୁଡ଼ିକ କହିଥାଉ । ଏହାର ଚରିତ୍ର କଲେକ୍ଟିଭ୍ ବା ସମଷ୍ଟିଗତ । ସକାରାତ୍ମକ ଚିନ୍ତାଧାରା ଏବଂ ପ୍ରସ୍ତାବ ପାଇଁ ଭାରତର ଯୁବବର୍ଗଙ୍କ ଏହି ସକ୍ରିୟତା ମୋତେ ଆନନ୍ଦିତ କରୁଛି । ମୋତେ ଏକଥାକୁ ନେଇ ମଧ୍ୟ ଖୁସି ଲାଗୁଛି ଯେ, ‘ମନ୍ କି ବାତ୍’ ମାଧ୍ୟମରେ ମୋତେ ଯୁବମାନସକୁ ମଧ୍ୟ ଜାଣିବାର ସୁଯୋଗ ମିଳୁଛି ।
ବନ୍ଧୁଗଣ, ଆପଣମାନଙ୍କଠୁ ମିଳିଥିବା ପ୍ରସ୍ତାବଗୁଡ଼ିକ ହିଁ, ‘ମନ୍ କି ବାତ୍’ର ପ୍ରକୃତ ଶକ୍ତି । ଆପଣମାନଙ୍କ ପ୍ରସ୍ତାବଗୁଡ଼ିକ ହିଁ ‘ମନ୍ କି ବାତ୍’ ମାଧ୍ୟମରେ ଭାରତର ବିବିଧତାର ପରିପ୍ରକାଶ କରନ୍ତି, ଭାରତବାସୀଙ୍କ ସେବା ଓ ତ୍ୟାଗର ମହକ ଚତୁର୍ଦିଗରେ ପ୍ରସାରିତ କରନ୍ତି । ଆମ ପରିଶ୍ରମୀ ଯୁବବର୍ଗଙ୍କ ଇନୋଭେସନ୍ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ‘ମନ୍ କି ବାତ୍’ରେ ଆପଣମାନେ ଅନେକ ପ୍ରକାର ନୂଆ ଆଇଡିଆ ପଠାଇଥାନ୍ତି । ଆମେ ସବୁଗୁଡ଼ିକ ଉପରେ ତ ଆଲୋଚନା କରିପାରୁନାହୁଁ, କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅନେକ ଆଇଡିଆ ମୁଁ ତତ୍ସଂଲଗ୍ନ ବିଭାଗଗୁଡ଼ିକୁ ନିଶ୍ଚୟ ଭାବେ ପଠାଇଥାଏଁ ଯାହାଫଳରେ ସେ ଦିଗରେ ଆଗକୁ କାର୍ଯ୍ୟ କରିହେବ ।
ବନ୍ଧୁଗଣ, ମୁଁ ଆପଣମାନଙ୍କୁ ସାଇ ପ୍ରନୀଥଙ୍କ ପ୍ରଚେଷ୍ଟା ବିଷୟରେ ନିଶ୍ଚୟ ଜଣାଇବାକୁ ଚାହୁଁଛି । ଆନ୍ଧ୍ରପ୍ରଦେଶର ବାସିନ୍ଦା ସାଇ ପ୍ରନୀଥ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ଗତବର୍ଷ ସେ ଲକ୍ଷ୍ୟ କଲେ ଯେ, ତାଙ୍କ ଅଞ୍ଚଳରେ ପାଣିପାଗର ଅସ୍ୱାଭାବିକତା ଯୋଗୁଁ ଚାଷୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ପାଣିପାଗ ବିଷୟରେ ବହୁତ ଆଗରୁ ତାଙ୍କର ଆଗ୍ରହ ରହିଥିଲା । ତେଣୁ ସେ ନିଜର ଆଗ୍ରହ ଏବଂ ନିଜର ପ୍ରତିଭାକୁ ଚାଷୀମାନଙ୍କ ହିତ ପାଇଁ ବ୍ୟବହାର କରିବାକୁ ନିଷ୍ପତ୍ତି ଗ୍ରହଣ କଲେ । ଏବେ ସେ ଭିନ୍ନ ଭିନ୍ନ ଡାଟା ସୋର୍ସରୁ ପାଣିପାଗ ସମ୍ପର୍କୀୟ ତଥ୍ୟ କିଣୁଛନ୍ତି, ଏହାର ବିଷ୍ଳେଷଣ କରୁଛନ୍ତି ଏବଂ ବିଭିନ୍ନ ମାଧ୍ୟମରେ ଆଞ୍ଚଳିକ ଭାଷାରେ ଏହି ସୂଚନା ଚାଷୀମାନଙ୍କ ନିକଟକୁ ପହଞ୍ଚାଉଛନ୍ତି । ପାଣିପାଗ ସମ୍ପର୍କୀୟ ସଦ୍ୟତମ ସୂଚନା ବ୍ୟତୀତ ପ୍ରନୀଥ ଭିନ୍ନ ଭିନ୍ନ ଜଳବାୟୁ ପରିସ୍ଥିତିରେ ଲୋକ କ’ଣ କରିବା ଦରକାର, ସେ ସମ୍ପର୍କରେ ମାର୍ଗଦର୍ଶନ ମଧ୍ୟ ଦେଉଛନ୍ତି । ବିଶେଷକରି ବନ୍ୟାରୁ ରକ୍ଷା ପାଇବା କିମ୍ବା ବଜ୍ରପାତରୁ କିଭଳି ସୁରକ୍ଷିତ ରହିହେବ ସେ ସମ୍ପର୍କରେ ଲୋକଙ୍କୁ ଜଣାଉଛନ୍ତି ।
ବନ୍ଧୁଗଣ, ଏକ ପକ୍ଷରେ ଏହି ଯୁବ ସଫ୍ଟୱେୟାର ଇଞ୍ଜିନିୟରଙ୍କର ଏହି ପ୍ରୟାସ ମନକୁ ଛୁଇଁଯାଉଥିବା ବେଳେ ଅନ୍ୟପକ୍ଷରେ ଆମର ଅନ୍ୟ ଜଣେ ବନ୍ଧୁଙ୍କ ଦ୍ୱାରା କରାଯାଉଥିବା ପ୍ରଯୁକ୍ତିବିଦ୍ୟାର ଉପଯୋଗ ମଧ୍ୟ ଆପଣମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେବ । ଏହି ବନ୍ଧୁଜଣକ ହେଉଛନ୍ତି ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଗୋଟିଏ ଗାଁରେ ବାସ କରୁଥିବା ଶ୍ରୀଯୁକ୍ତ ଇସାକ୍ ମୁଣ୍ଡା । ଇସାକ୍ ମହାଶୟ ଯିଏ ଦିନେ ଜଣେ ଦିନମଜୁରିଆ ଭାବେ କାମ କରୁଥିଲେ, ଆଜି ସେ ଜଣେ ଇଂଟରନେଟ୍ ସେନ୍ସେସନ୍ ପାଲଟିଯାଇଛନ୍ତି । ନିଜର ୟୁ-ଟ୍ୟୁବ୍ ଚ୍ୟାନେଲରୁ ସେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି । ନିଜ ଭିଡିଓଗୁଡ଼ିକରେ ସେ ସ୍ଥାନୀୟ ବ୍ୟଞ୍ଜନ, ପାରମ୍ପରିକ ରନ୍ଧନଶୈଳୀ, ନିଜ ଗାଁ, ନିଜର ଜୀବନଶୈଳୀ, ପରିବାର ଏବଂ ଖାଦ୍ୟପେୟର ଅଭ୍ୟାସ ସମ୍ପର୍କରେ ପ୍ରଦର୍ଶିତ କରୁଛନ୍ତି । ଜଣେ ୟୁ-ଟ୍ୟୁବର୍ ଭାବେ ତାଙ୍କର ଯାତ୍ରା ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଓଡ଼ିଶାର ସୁପ୍ରସିଦ୍ଧ ସ୍ଥାନୀୟ ଖାଦ୍ୟ ପଖାଳ ସହ ଜଡ଼ିତ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ । ସେବେଠାରୁ ସେ ଶହ ଶହ ଭିଡିଓ ପୋଷ୍ଟ କରିସାରିଛନ୍ତି । ତାଙ୍କର ଏହି ପ୍ରଚେଷ୍ଟା ଅନେକ କାରଣରୁ ନିଆରା । ବିଶେଷକରି ଏଥିପାଇଁ ଯେ, ଏହାଦ୍ୱାରା ସହରାଞ୍ଚଳରେ ରହୁଥିବା ଲୋକଙ୍କୁ ସେହି ଜୀବନଶୈଳୀ ଦେଖିବାର ସୁଯୋଗ ମିଳୁଛି, ଯାହା ବିଷୟରେ ସେମାନେ ବେଶୀ କିଛି ଜାଣନ୍ତିନି । ଇସାକ୍ ମୁଣ୍ଡା ମହାଶୟ ସଂସ୍କୃତି ଏବଂ ବ୍ୟଞ୍ଜନ ଉଭୟକୁ ମିଶାଇ ମନୋରଞ୍ଜନ କରୁଛନ୍ତି ଏବଂ ଆମ ସମସ୍ତଙ୍କୁ ପ୍ରେରଣା ମଧ୍ୟ ଯୋଗାଉଛନ୍ତି ।
ବନ୍ଧୁଗଣ, ଆମେ ଯେତେବେଳେ ପ୍ରଯୁକ୍ତିବିଦ୍ୟା କଥା କହୁଛୁ, ସେତେବେଳେ ମୁଁ ଆଉ ଗୋଟିଏ କୌତୂହଳପୂର୍ଣ୍ଣ ବିଷୟ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଛି । ନିକଟରେ ଆପଣମାନେ ପଢ଼ିଥିବେ କିମ୍ବା ଦେଖିଥିବେ ଯେ, ଆଇଆଇଟି ମାଡ୍ରାସର ପୁରାତନ ଛାତ୍ରମାନଙ୍କ ଦ୍ୱାରା ସ୍ଥାପିତ ଗୋଟିଏ ଷ୍ଟାର୍ଟ ଅପ୍ ଏକ ଥ୍ରୀଡି ପ୍ରିଂଟେଡ୍ ହାଉସ ପ୍ରସ୍ତୁତ କରିଛନ୍ତି । ଥ୍ରୀଡି ପ୍ରିଣ୍ଟ୍ କରି ଗୃହ ନିର୍ମାଣ ଅନ୍ତତଃ କିଭଳି ସମ୍ଭବ ହେଲା ? ପ୍ରକୃତରେ ଏହି ଷ୍ଟାର୍ଟ ଅପ୍ ସର୍ବପ୍ରଥମେ ଥ୍ରୀଡି ପ୍ରିଣ୍ଟରରେ ଗୋଟିଏ ଥ୍ରୀ ଡାଇମେନ୍ସନାଲ୍ ଡିଜାଇନକୁ ଫିଡ୍ କଲେ ଏବଂ ପରେ ଗୋଟିଏ ବିଶେଷ ଧରଣର କଂକ୍ରିଟ ମାଧ୍ୟମରେ ପରସ୍ତ ପରସ୍ତ କରି ଗୋଟିଏ ଥ୍ରୀଡି ଷ୍ଟ୍ରକ୍ଚର ନିର୍ମାଣ କରିଦେଲେ । ଆପଣମାନେ ଏକଥା ଜାଣି ଖୁସିହେବେ ଯେ, ସାରା ଦେଶରେ ଏହିଭଳି ଅନେକ ପରୀକ୍ଷା-ନିରୀକ୍ଷା ଚାଲିଛି । ଦିନ ଥିଲା ଯେତେବେଳେ ଛୋଟ ଛୋଟ ନିର୍ମାଣ କାର୍ଯ୍ୟରେ ମଧ୍ୟ ବହୁତ ବର୍ଷ ଲାଗିଯାଉଥିଲା । କିନ୍ତୁ ଏବେ ପ୍ରଯୁକ୍ତିବିଦ୍ୟା ଯୋଗୁଁ ଭାରତରେ ପରିସ୍ଥିତି ବଦଳୁଛି । ଆଗରୁ ଆମେ ବିଶ୍ୱର ଏଭଳି ଇନ୍ନୋଭେଟିଭ କମ୍ପାନୀଗୁଡ଼ିକୁ ଆମନ୍ତ୍ରିତ କରିବା ପାଇଁ ଗୋଟିଏ ଗ୍ଲୋବାଲ୍ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଆରମ୍ଭ କରିଥିଲୁ । ଏହା ଦେଶରେ ଗୋଟିଏ ଭିନ୍ନ ଧରଣର ପ୍ରୟାସ । ତେଣୁ, ଆମେ ତାହାକୁ ବତୀଘର ପ୍ରକଳ୍ପ ଭାବେ ନାମିତ କରିଥିଲୁ । ଏବେ ଦେଶର ଛଅଟି ବତୀଘର ପ୍ରକଳ୍ପ କାର୍ଯ୍ୟ ଭିନ୍ନ ଭିନ୍ନ ସ୍ଥାନରେ ଦ୍ରୁତ ଗତିରେ ଚାଲିଛି । ଏହି ବତୀଘର ପ୍ରକଳ୍ପରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବ ଉପାୟ ଅବଲମ୍ବନ କରାଯାଉଛି । ଏହାଦ୍ୱାରା ନିର୍ମାଣ କାର୍ଯ୍ୟ ଅବଧି ହ୍ରାସ ପାଉଛି । ତା’ସଙ୍ଗେ ସଙ୍ଗେ ନିର୍ମିତ ହେଉଥିବା ଗୃହଗୁଡ଼ିକ ଦୀର୍ଘସ୍ଥାୟୀ, ଶସ୍ତା ଏବଂ ଆରାମଦାୟକ ହୋଇପାରୁଛି । ମୁଁ ନିକଟରେ ଡ୍ରୋନ ଜରିଆରେ ଏହି କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲି ଏବଂ କାର୍ଯ୍ୟର ପ୍ରଗତିକୁ ସିଧାସଳଖ ଦେଖିଲି ।
ଇନ୍ଦୋରର ପ୍ରୋଜେକ୍ଟରେ ଇଟା ଓ ସିମେଣ୍ଟର କାନ୍ଥ ବଦଳରେ ପ୍ରି-ଫେବ୍ରିକେଟେଡ ସ୍ୟାଣ୍ଡ୍ୱିଚ୍ ପ୍ୟାନେଲ୍ ସିଷ୍ଟମ୍ ବ୍ୟବହାର କରାଯାଉଛି । ରାଜକୋଟରେ ଏକ ବତିଘର ଫରାସୀ ପ୍ରଯୁକ୍ତିବିଦ୍ୟାରେ ନିର୍ମାଣ କରାଯାଉଛି, ଯେଉଁଥିରେ ଟନେଲ ମାଧ୍ୟମରେ ମନୋଲିଥିକ୍ କଂକ୍ରିଟ୍ କନଷ୍ଟ୍ରକ୍ସନ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ଏହି ଟେକ୍ନୋଲୋଜିରେ ତିଆରି ହେଉଥିବା ଘର ବିପର୍ଯ୍ୟୟର ସମ୍ମୁଖୀନ ହେବାରେ ଅଧିକ ସକ୍ଷମ ହେବ । ଚେନ୍ନାଇ, ଆମେରିକା ଓ ଫିନଲାଣ୍ଡରେ ଏହି ଟେକ୍ନୋଲୋଜି – ପ୍ରି-କାଷ୍ଟ୍ କଂକ୍ରିଟ୍ ସିଷ୍ଟମର ଉପଯୋଗ କରାଯାଉଛି । ଏହାଦ୍ୱାରା ଘର ଶୀଘ୍ର ତିଆରି ହେବ ଏବଂ ଖର୍ଚ୍ଚ ମଧ୍ୟ କମ୍ ହେବ । ରାଂଚିରେ ଜର୍ମାନୀର ଥ୍ରୀଡି ନିର୍ମାଣ ବ୍ୟବସ୍ଥାର ପ୍ରୟୋଗ କରାଯାଇ ଘର ତିଆରି କରାଯିବ । ଏଥିରେ ପ୍ରତ୍ୟେକ କୋଠରିକୁ ଅଲଗା ଅଲଗା ତିଆରି କରାଯିବ, ପୁଣି ସମଗ୍ର ଷ୍ଟ୍ରକ୍ଚରକୁ ଏପରି ଯୋଡ଼ାଯିବ ଯେପରିକି ବ୍ଲକ୍ ଟଏଜକୁ ଯୋଡ଼ାଯାଏ । ଅଗରତାଲାରେ ନିଉଜିଲାଣ୍ଡ ଟେକ୍ନୋଲୋଜିର ଉପଯୋଗ କରି ଷ୍ଟିଲ୍ଫ୍ରେମ୍ ସହ ଘର ତିଆରି କରାଯାଉଛି, ଯାହା ବଡ଼ ଭୂମିକମ୍ପକୁ ମଧ୍ୟ ସମ୍ଭାଳିପାରିବ । ସେହିପରି ଲକ୍ଷ୍ନୌରେ କାନାଡାର ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ଏଥିରେ ପଲସ୍ତରା ଏବଂ ରଙ୍ଗ କରାଯିବ ନାହିଁ ଓ ଖୁବଶୀଘ୍ର ଘର ତିଆରି ପାଇଁ ପୂର୍ବରୁ ହିଁ ନିର୍ମିତ କାନ୍ଥର ପ୍ରୟୋଗ କରାଯିବ ।
ବନ୍ଧୁଗଣ, ଆଜି ଦେଶରେ ଏପରି ଚେଷ୍ଟା ହେଉଛି ଯେ ଏହି ପ୍ରକଳ୍ପ ଇନକ୍ୟୁବେସନ ସେଣ୍ଟର ଭଳି କାମ କରିବ । ଏହାଦ୍ୱାରା ଆମର ଯୋଜନାକାରୀ, ସ୍ଥପତି, ଇଂଜିନିୟର ଓ ବିଦ୍ୟାର୍ଥୀମାନେ ନୂଆ ପ୍ରଯୁକ୍ତିକୁ ଜାଣିପାରିବେ ଓ ତା’ର ପରୀକ୍ଷାନିରୀକ୍ଷା ମଧ୍ୟ କରିପାରିବେ । ମୁଁ ଏକଥାଗୁଡ଼ିକୁ ବିଶେଷଭାବେ ଆମର ଯୁବପିଢ଼ି ପାଇଁ କହୁଛି, ଯେପରିକି ଆମ ଯୁବକ ଯୁବତୀମାନେ ରାଷ୍ଟ୍ର ହିତରେ ପ୍ରଯୁକ୍ତର ନୂଆ ନୂଆ କ୍ଷେତ୍ରଗୁଡ଼ିକ ପ୍ରତି ଆକର୍ଷିତ ହୋଇପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ଇଂରେଜୀର ଗୋଟିଏ ପ୍ରବାଦ ଶୁଣିଥିବେ- “ଟୁ ଲର୍ଣ୍ଣ ଇଜ୍ ଟୁ ଗ୍ରୋ” ଅର୍ଥାତ ଶିଖିବା ହିଁ ଆଗକୁ ବଢ଼ିବା । ଯେତେବେଳେ ଆମେ କିଛି ନୂଆ ଶିଖୁ, ସେତେବେଳେ ଆମ ପାଇଁ ପ୍ରଗତିର ନୂଆ ନୂଆ ରାସ୍ତା ଆପେଆପେ ଖୋଲିଯାଏ । ଯେତେବେଳେ ବି କେଉଁଠି ନିଆରା କିଛି ନୂଆ କରିବାର ପ୍ରୟାସ ହୋଇଛି, ମାନବତା ପାଇଁ ନୂଆ ଦ୍ୱାର ଖୋଲିଛି, ଗୋଟିଏ ନୂଆ ଯୁଗର ଆରମ୍ଭ ହୋଇଛି । ଆଉ ଆପଣ ଦେଖିଥିବେ ଯେତେବେଳେ କେଉଁଠି କିଛି ନୂଆ ହୁଏ, ତା’ର ପରିଣାମ ପ୍ରତ୍ୟେକ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ । ଯେପରିକି ମୁଁ ଯଦି ଆପଣଙ୍କୁ ଏବେ ପଚାରିବି ଯେ ସେଓ ଓ ଆପଲ୍ ସହ ଆପଣ କେଉଁ ରାଜ୍ୟକୁ ଯୋଡ଼ିବେ? ତାହାଲେ ସର୍ବପ୍ରଥମେ ଆପଣଙ୍କ ମନରେ ନିଶ୍ଚିତ ଭାବେ ହିମାଚଳ ପ୍ରଦେଶ, ଜମ୍ମୁକଶ୍ମୀର ଓ ଉତ୍ତରାଖଣ୍ଡର ନାମ ଆସିବ । କିନ୍ତୁ ଯଦି ମୁଁ କହିବି ଯେ ଏଇ ତାଲିକାରେ ଆପଣ ମଣିପୁରର ନାଁ ମଧ୍ୟ ଯୋଡ଼ିଦିଅନ୍ତୁ ତେବେ ବୋଧହୁଏ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିଛି ନୂଆ କରିବାର ଉତ୍ସାହ ଉଦ୍ଦୀପନାରେ ଭରା ଯୁବକ ଯୁବତୀ ମଣିପୁରରେ ଏହି ଅଦ୍ଭୁତ କାର୍ଯ୍ୟ କରି ଦେଖାଇଛନ୍ତି । ଆଜିକାଲି ମଣିପୁରର ଉଖରୁଲ୍ ଜିଲାରେ ବହୁ ପରିମାଣରେ ସେଓ ଚାଷ ହେଉଛି । ଏଠାକାର ଚାଷୀମାନେ ନିଜ ବଗିଚାରେ ସେଓ ଉତ୍ପାଦନ କରୁଛନ୍ତି । ସେଓ ଉତ୍ପାଦନ ପାଇଁ ଏମାନେ ହିମାଚଳ ଯାଇ ବିଧିବଦ୍ଧଭାବେ ତାଲିମ ମଧ୍ୟ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଲେ ଟି ଏସ୍ ରିଙ୍ଗଫାମି ୟୋଙ୍ଗ୍ । ସେ ପେସାରେ ଜଣେ ଏରୋନଟିକାଲ୍ ଇଂଜିନିୟର୍ । ସେ ନିଜ ପତ୍ନୀ ଶ୍ରୀମତୀ ଟି.ଏସ୍. ଏଞ୍ଜେଲଙ୍କ ସହ ମିଶି ସେଓ ଉତ୍ପାଦନ କରୁଛନ୍ତି । ସେହିପରି ଅବୁଙ୍ଗଶୀ ଶିମରେ ଅଗଷ୍ଟିନା ମଧ୍ୟ ନିଜ ବଗିଚାରେ ସେଓ ଉତ୍ପାଦନ କରୁଛନ୍ତି । ଅବୁଙ୍ଗଶୀ ଦିଲ୍ଲୀରେ ଚାକିରି କରୁଥିଲେ । ତାକୁ ଛାଡ଼ି ସେ ନିଜ ଗାଁକୁ ଫେରିଆସିଲେ ଏବଂ ସେଓ ଚାଷ ଆରମ୍ଭ କଲେ । ମଣିପୁରରେ ଆଜି ଏପରି ଅନେକ ସେଓ ଉତ୍ପାଦକ ଅଛନ୍ତି, ଯେଉଁମାନେ କିଛି ଅଲଗା ଓ ନୂଆ କରିକି ଦେଖାଇଛନ୍ତି ।
ବନ୍ଧୁଗଣ, ଆମର ଆଦିବାସୀ ସମ୍ପ୍ରଦାୟରେ କୋଳି ବହୁତ ଲୋକପ୍ରିୟ । ଆଦିବାସୀମାନେ ସବୁବେଳେ କୋଳି ଚାଷ କରିଥାନ୍ତି । କିନ୍ତୁ କୋଭିଡ-୧୯ ମହାମାରୀ ପରେ ଏହି ଚାଷ ବିଶେଷ ଭାବେ ବୃଦ୍ଧି ପାଉଛି । ତ୍ରିପୁରାର ଉନାକୋଟିରେ ଏହିପରି ୩୨ ବର୍ଷର ମୋର ଯୁବ ବନ୍ଧୁ ହେଲେ ବିକ୍ରମଜିତ ଚକମା । ସେ ବରକୋଳି ସେଓ ଚାଷ ଆରମ୍ଭ କରି ବହୁତ ଲାଭ ମଧ୍ୟ ପାଇଛନ୍ତି ଏବଂ ଏବେ ସେ ଲୋକଙ୍କୁ ବରକୋଳିସେଓ ଚାଷ କରିବା ପାଇଁ ପ୍ରେରଣା ମଧ୍ୟ ଦେଉଛନ୍ତି । ରାଜ୍ୟ ସରକାର ମଧ୍ୟ ଏପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସରକାରଙ୍କ ଦ୍ୱାରା ଏଥିପାଇଁ କେତେକ ସ୍ୱତନ୍ତ୍ର ନର୍ସରି ତିଆରି କରାଯାଇଛି, ଯେପରିକି ବରକୋଳି ସେଓ ଚାଷ ସହ ସମ୍ପୃକ୍ତ ଲୋକଙ୍କ ଚାହିଦା ପୂରଣ କରାଯାଇପାରିବ । ଚାଷରେ ନୂଆ ନୂଆ ପ୍ରୟୋଗ ମଧ୍ୟ ହେଉଛି ତ ଚାଷର ବାଇ ପ୍ରଡକ୍ଟରେ ମଧ୍ୟ ସୃଜନଶୀଳତା ଦେଖିବାକୁ ମିଳୁଛି ।
ବନ୍ଧୁଗଣ, ଉତ୍ତରପ୍ରଦେଶର ଲଖିମପୁର ଖିରିରେ କରାଯାଇଥିବା ଏକ ପ୍ରୟାସ ସମ୍ପର୍କରେ ମଧ୍ୟ ମୁଁ ଅବଗତ ହୋଇଛି । କୋଭିଡ ସମୟରେ ହିଁ ଲଖିମପୁର ଖିରିରେ ଏକ ନିଆରା ପ୍ରଚେଷ୍ଟା ହୋଇଛି । ସେଠାକାର ମହିଳାମାନେ କଦଳୀପଟୁଆରୁ ଫାଇବର ତିଆରି କରିବାର ତାଲିମ ଦେବାର କାମ ଆରମ୍ଭ କରିଛନ୍ତି । ୱେଷ୍ଟରୁ ବେଷ୍ଟ୍ କରିବାର ମାର୍ଗ । କଦଳୀପଟୁଆକୁ କାଟି ମେସିନ ସାହାଯ୍ୟରେ ବାନାନା ଫାଇବର୍ ତିଆରି କରାଯାଏ, ଯାହା ଝୋଟ ବା ଛଣ ଭଳି ହୋଇଥାଏ । ଏହି ଫାଇବରରୁ ହ୍ୟାଣ୍ଡବ୍ୟାଗ୍, ଚଟେଇ, ଦରି ଆଦି ଅନେକ ପ୍ରକାରର ଜିନିଷ ତିଆରି ହୋଇଥାଏ । ଏହାଦ୍ୱାରା ଗୋଟିଏ ପଟେ ଫସଲ ଆବର୍ଜନାର ବ୍ୟବହାର ଆରମ୍ଭ ହୋଇଗଲା, ଅନ୍ୟପଟେ ଗାଁରେ ରହୁଥିବା ଆମର ମାଆଭଉଣୀମାନଙ୍କୁ ଆୟର ଆଉ ଏକ ସାଧନ ମିଳିଗଲା । ବାନାନା ଫାଇବର ଏହି କାମରୁ ଜଣେ ସ୍ଥାନୀୟ ମହିଳାଙ୍କୁ ଚାରି ଶହରୁ ଛଅ ଶହ ଟଙ୍କା ଦୈନିକ ଆୟ ହୋଇଯାଏ । ଲଖିମପୁର ଖିରିରେ ଶହଶହ ଏକର ଜମିରେ କଦଳୀ ଚାଷ ହୋଇଥାଏ । କଦଳି ଫସଲ ପରେ ସାଧାରଣତଃ ଚାଷୀମାନେ ଏହାର ପଟୁଆକୁ ଫିଙ୍ଗିବା ପାଇଁ ଅଲଗା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏବେ ସେମାନଙ୍କ ସେହି ପଇସା ମଧ୍ୟ ବଞ୍ଚିଯାଉଛି, ଅର୍ଥାତ “ଆମ୍ କେ ଆମ୍ ଗୁଠଲିୟୋଁ କେ ଦାମ୍” ରୁଢ଼ିଟି ଏ କ୍ଷେତ୍ରରେ ସଂପୂର୍ଣ୍ଣ ଠିକ୍ ସାବ୍ୟସ୍ତ ହୋଇଛି ।
ବନ୍ଧୁଗଣ, ଗୋଟିଏ ପଟେ ବାନାନା ଫାଇବରରୁ ଜିନିଷପତ୍ର ତିଆରି କରାଯାଉଛି, ଅନ୍ୟପଟେ କଦଳୀର ଅଟାରୁ ଦୋସା ଓ ଗୁଲାବଜାମୁନ ପରି ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ତିଆରି ହେଉଛି । କର୍ଣ୍ଣାଟକର ଉତ୍ତର କନ୍ନଡ଼ ଏବଂ ଦକ୍ଷିଣ କନ୍ନଡ଼ ଜିଲାଗୁଡ଼ିକରେ ମହିଳାମାନେ ଏହି ଅସାଧାରଣ କାର୍ଯ୍ୟ କରୁଛନ୍ତି । ଏହାର ଆରମ୍ଭ ମଧ୍ୟ କରୋନା କାଳରେ ହିଁ ହୋଇଛି । ଏହି ମହିଳାମାନେ କେବଳ କଦଳୀ ଅଟାରୁ ଦୋସା, ଗୁଲାବଜାମୁନ୍ ଭଳି ଜିନିଷ ତିଆରି କରୁନାହାନ୍ତି, ବରଂ ସେଗୁଡ଼ିକର ଛବିକୁ ସୋସିଆଲ୍ ମିଡିଆରେ ମଧ୍ୟ ଶେୟାର୍ କରିଛନ୍ତି । ଯେତେବେଳେ ଅଧିକ ଲୋକ କଦଳୀ ଅଟା ସମ୍ପର୍କରେ ଜାଣିଲେ ସେତେବେଳେ ତା’ର ଚାହିଦା ମଧ୍ୟ ବଢ଼ିଲା ଓ ଏହି ମହିଳାଙ୍କର ଆମଦାନୀ ମଧ୍ୟ ବଢ଼ିଗଲା । ଲଖିମପୁର ଖିରି ଭଳି ଏଠାରେ ମଧ୍ୟ ମହିଳାମାନେ ହିଁ ଇନ୍ନୋଭେଟିଭ୍ ଆଇଡିଆକୁ କାର୍ଯ୍ୟକାରୀ କରିବାରେ ଆଗୁଆ ଅଛନ୍ତି ।
ବନ୍ଧୁଗଣ, ଏପରି ଉଦାହରଣ ଜୀବନରେ କିଛି ନୂଆ କରିବାର ପ୍ରେରଣା ପାଲଟିଯାଏ । ଆପଣଙ୍କ ଆଖପାଖରେ ମଧ୍ୟ ଏପରି ଅନେକ ଲୋକ ରହିଥିବେ । ଯେତେବେଳେ ଆପଣଙ୍କ ପରିବାରରେ ଆପଣ ମନଖୋଲି କଥା ହେଉଥାନ୍ତି, ସେତେବେଳେ ଆପଣ ଏଗୁଡ଼ିକୁ ମଧ୍ୟ ନିଜର ଗପସପର ଅଂଶ କରନ୍ତୁ । କେବେ ସମୟ ବାହାର କରି ପିଲାଙ୍କ ସହ ଏପରି ପ୍ରୟାସଗୁଡ଼ିକୁ ଦେଖିବାକୁ ମଧ୍ୟ ଯାଆନ୍ତୁ ଏବଂ ସୁଯୋଗ ମିଳିଲେ ନିଜେ ମଧ୍ୟ ଏପରି କିଛି କରିଦେଖାନ୍ତୁ । ଆଉ ହଁ, ଏସବୁକୁ ଆପଣ ମୋ ସଂଗେ ନମୋଆପ୍ ବା ମାଇଁଗଭରେ ଯଦି ବାଣ୍ଟିପାରିବେ ମୋତେ ଆହୁରି ଭଲ ଲାଗିବ ।
ମୋର ପ୍ରିୟ ଦେଶବାସୀଗଣ, ଆମର ସଂସ୍କୃତ ଗ୍ରନ୍ଥରେ ଏକ ଶ୍ଳୋକ ଅଛି-
ଆତ୍ମାର୍ଥମ୍ ଜୀବ ଲୋକେ ଅସ୍ମିନ୍, କୋ ନ ଜୀବତି ମାନବଃ ।
ପରମ୍ ପରୋପକାରାର୍ଥମ୍, ୟୋ ଜୀବତି ଓ ଜୀବତି ।
ଅର୍ଥାତ୍ ନିଜ ପାଇଁ ତ ସଂସାରରେ ସମସ୍ତେ ବଞ୍ଚନ୍ତି; କିନ୍ତୁ ବାସ୍ତବରେ ସେହି ବ୍ୟକ୍ତି ହିଁ ଅମର ହୋଇଥାଏ ଯିଏ ପରୋପକାର ପାଇଁ ବଂଚେ । ଭାରତମାତାର ପୁଅଝିଅଙ୍କ ପରୋପକାରୀ ପ୍ରୟାସର କଥା- ଏହାହିଁ ତ ‘ମନ୍ କୀ ବାତ୍’ । ଆଜି ମଧ୍ୟ ଏପରି କେତେକ ବନ୍ଧୁଙ୍କ ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା । ଜଣେ ବନ୍ଧୁ ଚଣ୍ଡିଗଡ଼ ସହରର । ଚଣ୍ଡିଗଡ଼ରେ, ମୁଁ ମଧ୍ୟ କିଛି ବର୍ଷ ରହିଥିଲି । ଏହା ବହୁତ ଆନନ୍ଦମୟ ଆଉ ସୁନ୍ଦର ସହର ଅଟେ । ଏଠାରେ ରହୁଥିବା ଲୋକ ମଧ୍ୟ ହୃଦୟବାନ ଏବଂ ହଁ, ଯଦି ଆପଣ ଖାଦ୍ୟପ୍ରିୟ, ତେବେ ଏଠି ଆପଣଙ୍କୁ ଆହୁରି ଖୁସି ଲାଗିବ । ଏହି ଚଣ୍ଡିଗଡ଼ର ସେକ୍ଟର ୨୯ରେ ସଂଜୟ ରାଣା ଫୁଡଷ୍ଟଲ୍ ଚଳାନ୍ତି ଆଉ ସାଇକଲରେ ଛୋଲେ-ଭଟୁରେ ବିକ୍ରି କରନ୍ତି । ଦିନେ ତାଙ୍କ ଝିଅ ରିଦ୍ଧିମା ଆଉ ଭାଣିଜୀ ରିୟା ଗୋଟିଏ ଆଇଡିଆ ନେଇ ତାଙ୍କ ପାଖକୁ ଆସିଲେ । ଦୁଇଜଣ ତାଙ୍କୁ କୋଭିଡ଼ ଟିକା ନେଇଥିବା ଲୋକଙ୍କୁ ମାଗଣା ଛୋଲେ-ଭଟୁରେ ଖୁଆଇବାକୁ କହିଲେ । ସେ ଏଥିପାଇଁ ଖୁସିରେ ପ୍ରସ୍ତୁତ ହୋଇଗଲେ । ସେ ସାଂଗେସାଂଗେ ଏହି ଉତ୍ତମ ଓ ସୁନ୍ଦର ପ୍ରୟାସ ଆରମ୍ଭ ମଧ୍ୟ କରିଦେଲେ । ସଂଜୟ ରାଣାଙ୍କ ଛୋଲେ-ଭଟୁରେ ମାଗଣାରେ ଖାଇବା ପାଇଁ ଆପଣଙ୍କୁ ସେହିଦିନ ଟିକା ନେଇଥିବା ଦେଖାଇବାକୁ ପଡ଼ିବ । ଟିକାର ମେସେଜ୍ ଦେଖାଇବା ମାତ୍ରେ ସେ ଆପଣଙ୍କୁ ସ୍ୱାଦିଷ୍ଟ ଛୋଲେ-ଭଟୁରେ ଦେଇଦେବେ । କୁହାଯାଏ, ସମାଜର ମଙ୍ଗଳ କରିବା ପାଇଁ ଅର୍ଥଠୁ ଅଧିକ ସେବାଭାବ, କର୍ତ୍ତବ୍ୟଭାବର ଅଧିକ ଆବଶ୍ୟକତା ହୋଇଥାଏ । ଆମର ସଂଜୟ ଭାଇ ଏହାକୁ ସତ୍ୟ ସାବ୍ୟସ୍ତ କରୁଛନ୍ତି ।
ବନ୍ଧୁଗଣ, ଏପରି ଆଉ ଏକ କାମର ଚର୍ଚ୍ଚା ଆଜି କରିବାକୁ ଚାହୁଁଛି । ଏହି କାମ ହେଉଛି ତାମିଲନାଡୁର ନୀଳଗିରିରେ । ସେଠାରେ ରାଧିକା ଶାସ୍ତ୍ରୀ ଏମ୍ବୁରେକ୍ସ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହି ପ୍ରୋଜେକ୍ଟରର ଉଦ୍ଦେଶ୍ୟ ହେଉଛି ପାହାଡ଼ିଆ ଅଞ୍ଚଳରେ ରୋଗୀଙ୍କର ଚିକିତ୍ସା ପାଇଁ ସହଜ ପରିବହନ ଉପଲବ୍ଧ କରାଇବା । ରାଧିକା କୁନ୍ନୁରରେ ଏକ କାଫେ ଖୋଲିଛନ୍ତି । ସେ ନିଜ କାଫେର ସାଥୀମାନଙ୍କ ସହ ଏମ୍ବୁରେକ୍ସ ପାଇଁ ପାଣ୍ଠି ସଂଗ୍ରହ କଲେ । ନୀଳଗିରି ପାହାଡ଼ରେ ଆଜି ୬ ଏମ୍ବୁରେକ୍ସ ସେବାରତ ଅଛନ୍ତି ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଏମର୍ଜେନ୍ସି ସମୟରେ ରୋଗୀଙ୍କ ସହାୟତା କରୁଛନ୍ତି । ଏମ୍ବୁରେକ୍ସରେ ଷ୍ଟ୍ରେଚର୍, ଅକ୍ସିଜେନ ସିଲିଣ୍ଡର୍, ଫାଷ୍ଟ୍ ଏଡ୍ ବକ୍ସ ଭଳି ଅନେକ ଜିନିଷର ବ୍ୟବସ୍ଥା ରହିଛି ।
ବନ୍ଧୁଗଣ, ସଂଜୟ ରାଣା ହୁଅନ୍ତୁ ବା ରାଧିକା ଶାସ୍ତ୍ରୀ, ଏମାନଙ୍କ ଉଦାହରଣରୁ ଜାଣିହୁଏ ଯେ ଆମେ ନିଜର କାର୍ଯ୍ୟ, ନିଜର ବ୍ୟବସାୟ, ଚାକିରି କରୁଥିବାବେଳେ ମଧ୍ୟ ସେବା କାର୍ଯ୍ୟ କରିପାରିବା ।

ବନ୍ଧୁଗଣ, କିଛିଦିନ ପୂର୍ବରୁ ଗୋଟିଏ ବହୁତ ମଜାଦାର ଓ ବହୁତ ଆବେଗଭରା ଘଟଣା ଘଟିଥିଲା, ଯାହାଦ୍ୱାରା ଭାରତ-ଜର୍ଜିଆ ମୈତ୍ରୀକୁ ନୂଆ ଶକ୍ତି ମିଳିଲା । ଏହି ସମାରୋହରେ ଭାରତର ସେଣ୍ଟ୍ କୁଇନ୍ କେଟେଭାନର ହୋଲି ରେଲିକ୍ ଅର୍ଥାତ ତାଙ୍କର ପବିତ୍ର ସ୍ମୃତିଚିହ୍ନ ଜର୍ଜିଆର ସରକାର ଓ ସେଠାକାର ଜନତାକୁ ସମର୍ପଣ କଲେ, ଏଥିପାଇଁ ଆମର ବିଦେଶ ମନ୍ତ୍ରୀ ସ୍ୱୟଂ ସେଠାକୁ ଯାଇଥିଲେ । ବହୁତ ଭାବପୂର୍ଣ୍ଣ ପରିବେଶରେ ହୋଇଥିବା ଏହି ସମାରୋହରେ ଜର୍ଜିଆର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ତାଙ୍କ ଧର୍ମଗୁରୁ ଏବଂ ବହୁସଂଖ୍ୟକ ଜର୍ଜିଆବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଶଂସା କରି ଯେଉଁ ଶବ୍ଦଗୁଡ଼ିକ କୁହାଯାଇଥିଲା, ତାହା ବହୁତ ସ୍ମରଣୀୟ । ଏହି ଗୋଟିଏ ସମାରୋହରେ ଦୁଇ ଦେଶ ସହିତ, ଗୋଆ ଓ ଜର୍ଜିଆ ମଧ୍ୟରେ ସମ୍ବନ୍ଧକୁ ମଧ୍ୟ ଆହୁରି ପ୍ରଗାଢ଼ କରିଦେଇଛି । ଏପରି ଏଥିପାଇଁ ଯେ ସେଣ୍ଟ୍ କୁଇନ କେଟେଭାନଙ୍କ ଏହି ପବିତ୍ର ଅବଶେଷ ୨୦୦୫ରେ ଗୋଆର ସେଣ୍ଟ୍ ଅଗଷ୍ଟାଇନ ଚର୍ଚ୍ଚରୁ ମିଳିଥିଲା ।
ବନ୍ଧୁଗଣ, ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏସବୁ କ’ଣ, ଏହା କେବେ ଓ କିପରି ହୋଇଥିଲା ? ପ୍ରକୃତରେ, ଏହା ଆଜିଠାରୁ ଚାରି ଶହ ପାଞ୍ଚ ଶହ ବର୍ଷ ତଳର କଥା । କୁଇନ କେଟେଭାନ ଥିଲେ ଜର୍ଜିଆର ରାଜକନ୍ୟା । ଦଶବର୍ଷର କାରାବାସ ପରେ ୧୬୨୪ ଖ୍ରୀଷ୍ଟାବ୍ଦରେ ସେ ସହିଦ ହୋଇଯାଇଥିଲେ । ଏକ ପ୍ରାଚୀନ ପର୍ତ୍ତୁଗାଲି ଦସ୍ତାବିଜ୍ ଅନୁସାରେ ସେଣ୍ଟ୍ କୁଇନ୍ କେଟେଭାନଙ୍କ ଅସ୍ଥିକୁ ଓଲ୍ଡ ଗୋଆର ସେଣ୍ଟ୍ ଅଗଷ୍ଟାଇନ କନଭେଟରେ ରଖାଯାଇଥିଲା । କିନ୍ତୁ, ଦୀର୍ଘ ସମୟ ଧରି ଏହା ଧରାଯାଉଥିଲା ଯେ ଗୋଆରେ ସମାଧି ଦିଆଯାଇଥିବା ତାଙ୍କର ଅବଶେଷ ୧୯୩୦ ମସିହାର ଭୂମିକମ୍ପରେ ଉଭାନ ହୋଇଯାଇଥିଲା ।
ଭାରତ ସରକାର ଓ ଜର୍ଜିଆର ଐତିହାସିକ, ଗବେଷକ, ପ୍ରତ୍ନତତ୍ୱବିତ୍ ଓ ଜର୍ଜିଆନ୍ ଚର୍ଚ୍ଚର ଦଶନ୍ଧି ଧରି ନିରନ୍ତର ପ୍ରୟାସ ପରେ ୨୦୦୫ରେ ସେହି ପବିତ୍ର ଅବଶେଷକୁ ଖୋଜିବାରେ ସଫଳତା ମିଳିଥିଲା । ଏହି ବିଷୟ ଜର୍ଜିଆର ଲୋକଙ୍କ ପାଇଁ ବହୁତ ଭାବନାତ୍ମକ ଅଟେ । ସେଥିପାଇଁ ତାଙ୍କର ଐତିହାସିକ, ଧାର୍ମିକ ଓ ଆଧ୍ୟାତ୍ମିକ ଭାବାବେଗକୁ ଧ୍ୟାନରେ ରଖି ଭାରତ ସରକାର ଏହି ଅବଶେଷର ଏକ ଅଂଶ ଜର୍ଜିଆର ଲୋକଙ୍କୁ ଉପହାର ସ୍ୱରୂପ ଦେବାର ନିଷ୍ପତ୍ତି ନେଲେ । ଭାରତ ଓ ଜର୍ଜିଆର ସାଧାରଣ ଇତିହାସର ଏହି ଅସାଧାରଣ ଘଟଣାକୁ ସଜାଇ ରଖିବା ପାଇଁ ମୁଁ ଆଜି ଗୋଆର ଜନସାଧାରଣଙ୍କୁ ହୃଦୟର ସହିତ ଧନ୍ୟବାଦ ଦେବାକୁ ଚାହିଁବି । ଗୋଆ ଅନେକ ମହାନ ଆଧ୍ୟାତ୍ମିକ ଐତିହ୍ୟର ଭୂମି ରହିଆସିଛି । ସେଣ୍ଟ୍ ଅଗଷ୍ଟାଇନ ଚର୍ଚ୍ଚ, ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତାପ୍ରାପ୍ତ – ଚର୍ଚ୍ଚେସ୍ ଆଣ୍ଡ୍ କନଭେଟସ ଅଫ୍ ଗୋଆର ଏକ ଅଂଶ ।


ମୋର ପ୍ରିୟ ଦେଶବାସୀଗଣ, ଜର୍ଜିଆରୁ ଏବେ ମୁଁ ଆପଣଙ୍କୁ ସିଧା ସିଙ୍ଗାପୁର ନେଇଯାଉଛି, ଯେଉଁଠି ଏହି ମାସ ଆରମ୍ଭରେ ଆଉ ଏକ ଗୌରବଶାଳୀ ଘଟଣା ସାମ୍ନାକୁ ଆସିଛି । ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଏବଂ ମୋର ବନ୍ଧୁ, ଲୀ ସେନ ଲୁଙ୍ଗ୍ ଏଇ ନିକଟରେ ପୁର୍ନନିର୍ମାଣ କରାଯାଇଥିବା ସିଲାଟ୍ ରୋଡ଼ ଗୁରୁଦ୍ୱାରାର ଉଦ୍ଘାଟନ କରିଥିଲେ । ସେ ପାରମ୍ପରିକ ଶିଖ୍ ପଗଡି ମଧ୍ୟ ପିନ୍ଧିଥିଲେ । ଏହି ଗୁରୁଦ୍ୱାରା ପ୍ରାୟ ଶହେ ବର୍ଷ ତଳେ ନିର୍ମିତ ହୋଇଥିଲା ଏବଂ ଏଠାରେ ଭାରତ ମହାରାଜ ସିଂହଙ୍କୁ ସମର୍ପିତ ଏକ ସ୍ମାରକ ମଧ୍ୟ ଅଛି । ଭାଇ ମହାରାଜ ସିଂହ ଜୀ ଭାରତର ସ୍ୱାଧୀନତା ପାଇଁ ଲଢ଼େଇ ଲଢ଼ିଥିଲେ ଏବଂ ଏବେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ସମୟରେ ଆହୁରି ଅଧିକ ପ୍ରେରଣାଦାୟକ ହୋଇଯାଏ । ଦୁଇ ଦେଶ ମଧ୍ୟରେ, ପିପୁଲ୍ ଟୁ ପିପୁଲ୍ କନେକ୍ଟ, ଏପରି କଥା, ଏପରି ପ୍ରୟାସରେ ହିଁ ମଜଭୁତ ହୋଇଥାଏ । ଏଥିରୁ ଏହା ମଧ୍ୟ ଜାଣିହୁଏ ଯେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ରହିବା ଏବଂ ଜଣେ ଅପରର ସଂସ୍କୃତିକୁ ବୁଝିବାର କେତେ ମହତ୍ୱ ରହିଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ୍ କୀ ବାତ୍’ରେ ଆମେ ଅନେକ ବିଷୟ ଆଲୋଚନା କଲେ । ଆଉ ଗୋଟିଏ ବିଷୟ ଅଛି ଯାହା ମୋ ହୃଦୟର ଖୁବ୍ ନିକଟତର । ଏହି ବିଷୟ ଜଳ ସଂରକ୍ଷଣର । ମୋ ଶୈଶବ ଯେଉଁଠି କଟିଥିଲା, ସେଇଠି ସବୁବେଳେ ପାଣିର ଅଭାବ ରହିଥାଏ । ଆମେ ବର୍ଷାକୁ ସବୁବେଳେ ଅପେକ୍ଷା କରୁଥିଲୁ ଏବଂ ସେଥିପାଇଁ ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଂରକ୍ଷିତ କରି ରଖିବା ଆମ ସଂସ୍କାରର ଏକ ଅଂଶ ହୋଇଯାଇଥିଲା । ଏବେ “ଜନଭାଗିଦାରୀରେ ଜଳ ସଂରକ୍ଷଣ” ଏହି ମନ୍ତ୍ର ସେଠାକାର ଚିତ୍ରକୁ ବଦଳାଇ ଦେଇଛି । ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଂରକ୍ଷଣ କରିବା, କୌଣସି ପ୍ରକାରେ ପାଣି ନଷ୍ଟ ହେବାକୁ ନ ଦେବା, ଏହା ଆମ ଜୀବନଶୈଳୀର ଏକ ସହଜ ଅଂଶ ହୋଇଯିବା ଉଚିତ । ଆମ ପରିବାରର ଏହା ପରମ୍ପରା ହୋଇଯିବା ଆବଶ୍ୟକ, ଯାହାକୁ ନେଇ ପ୍ରତ୍ୟେକ ସଦସ୍ୟ ଗର୍ବ କରିବେ ।
ବନ୍ଧୁଗଣ, ପ୍ରକୃତି ଓ ପରିବେଶର ସୁରକ୍ଷା ଭାରତର ସାଂସ୍କୃତିକ ଜୀବନରେ, ଆମର ଦୈନିକ ଜୀବନରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସେହିପରି ବର୍ଷା ଓ ମୌସୁମି ସବୁବେଳେ ଆମର ବିଚାର, ଆମର ଦର୍ଶନ ଓ ଆମର ସଭ୍ୟତାକୁ ରୂପ ପ୍ରଦାନ କରିଆସିଛି । ଋତୁସଂହାର ଓ ମେଘଦୂତରେ ମହାକବି କାଳିଦାସ ବର୍ଷାକୁ ନେଇ ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି । ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଏହି କବିତା ଆଜି ମଧ୍ୟ ବହୁତ ଲୋକପ୍ରିୟ । ଋଗବେଦର ପର୍ଜନ୍ୟ ସୂକ୍ତରେ ମଧ୍ୟ ବର୍ଷାର ସୌନ୍ଦର୍ଯ୍ୟ ସମ୍ପର୍କରେ ଅନୁପମ ବର୍ଣ୍ଣନା ରହିଛି । ସେହିପରି ଶ୍ରୀମଦ୍ ଭାଗବତରେ ମଧ୍ୟ କାବ୍ୟାତ୍ମକ ରୂପରେ ପୃଥିବୀ, ସୂର୍ଯ୍ୟ ଓ ବର୍ଷା ଭିତରେ ରହିଥିବା ସମ୍ପର୍କକୁ ବିସ୍ତୃତ ଭାବେ ଦିଆଯାଇଛି ।
ଅଷ୍ଟୌ ମାସାନ୍ ନିପୀତଂ ୟଦ୍, ଭୂମ୍ୟାଃ ଚ, ଓଦ-ମୟମ୍ ବସୁ ।
ସ୍ୱଗୋଭିଃ ମୋକ୍ତୁମ୍ ଆରେଭେ, ପର୍ଜନ୍ୟଃ କାଳ ଆଗତେ । ।
ଅର୍ଥାତ୍ ସୂର୍ଯ୍ୟ ଆଠମାସ ଧରି ଜଳ ରୂପରେ ଥିବା ପୃଥିବୀ ସଂପଦର ଦୋହନ କରିଥିଲେ, ଏବେ ବର୍ଷାଋତୁରେ, ସୂର୍ଯ୍ୟ ସେହି ସଞ୍ଚିତ ସଂପଦକୁ ପୃଥିବୀକୁ ଫେରାଇ ଦେଉଛନ୍ତି । ସତରେ, ମୌସୁମୀ ଓ ବର୍ଷାର ଋତୁ କେବଳ ସୁନ୍ଦର ଓ ମନଲୋଭା ହୋଇନଥାଏ, ଏହା ପୋଷଣଦାତା, ଜୀବନଦାତା ମଧ୍ୟ । ଆମକୁ ଯେଉଁ ବର୍ଷାଜଳ ମିଳୁଛି ତାହା ଆମର ଆଗାମୀ ପିଢ଼ି ପାଇଁ, ଏକଥାକୁ ଆମେ କେବେ ଭୁଲିବା ଅନୁଚିତ ।
ଆଜି ମୋ ମନରେ ଏହି ବିଚାର ଆସୁଛି ଯେ ଏହି ରୋଚକ ବିଷୟ ସହିତ ହିଁ ନିଜ କଥାକୁ ମୁଁ କାହିଁକି ଶେଷ ନ କରିବି । ଆପଣ ସଭିଙ୍କୁ ଆଗାମୀ ଦିନର ପର୍ବପର୍ବାଣୀର ବହୁତ ବହୁତ ଶୁଭକାମନା । ପର୍ବ ଓ ଉତ୍ସବ ପାଳନ ସମୟରେ, ଏହା ନିଶ୍ଚିତ ମନେ ରଖନ୍ତୁ ଯେ କରୋନା ଏବେ ବି ଆମ ଭିତରୁ ଯାଇନାହିଁ । କରୋନା ସହ ସଂପୃକ୍ତ ମାର୍ଗଦର୍ଶିକା ଓ କଟକଣାକୁ ଆପଣ ଭୁଲନ୍ତୁ ନାହିଁ । ଆପଣ ସୁସ୍ଥ ଓ ପ୍ରସନ୍ନ ରହନ୍ତୁ ।
ବହୁତ ବହୁତ ଧନ୍ୟବାଦ

Leave a Reply

Your email address will not be published. Required fields are marked *

You cannot copy content of this page