ପିଡିଙ୍କ ଗାଡି ଆଗରେ ଶୋଇଲେ ଆବାସ ହିତାଧିକାରୀ

0

ଯାଜପୁର (ସଙ୍କେତ ଖବର): ଆବାସ ଖଣ୍ଡେ ପାଇଁ ୫ ବର୍ଷ ହେବ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ  ବାରମ୍ବାର ଆବେଦନ କରି ବିଫଳ ହେବା ପରେ ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଗାଡି ସାମ୍ନାରେ ଶୋଇଲେ ହିତାଧିକାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକରେ । ଗତକାଲି ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ (ଆଇଏଏସ୍‌) ଦଶରଥପୁର ବ୍ଲକକୁ ବିଭିନ୍ନ କାର୍ଯ୍ୟ ସମୀକ୍ଷା ନେଇ ଆସିଥିଲେ । ଏହି ସମୟରେ ବିଡିଓଙ୍କୁ ସରକାରୀ ଆବାସ ସମ୍ପର୍କରେ ଦରଖାସ୍ତ ଆବେଦନ କରିବାକୁ ବ୍ଲକ କାର୍ଯ୍ୟାଳୟକୁ ଡାହାଣହତା ପଂଚାୟତ ଡାହାଣହତା ଗ୍ରାମର ପାଣ୍ଡବ ସାହୁ ଆସିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଆସିଥିବା ଜାଣି ପାଣ୍ଡବ ତାଙ୍କୁ ଦେଖାକରିବାକୁ ବ୍ଲକ କାର୍ଯ୍ୟାଳୟ ଭିତରକୁ ଯାଇଥିଲେ । ମାତ୍ର ପାଣ୍ଡବଙ୍କୁ ବ୍ଲକ କର୍ମଚାରୀମାନେ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦେଖାକରିବାକୁ ବାରଣ କରିଥିଲେ । ଏଣୁ ପାଣ୍ଡବ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସିଂ ବାହାରକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ବିଭାଗୀୟ ସମୀକ୍ଷା ସାରି ପ୍ରକଳ୍ପ ନିର୍ଦ୍ଦେଶକ  ବିଡିଓଙ୍କ କାର୍ଯ୍ୟାଳୟରୁ ବାହାରି ଗାଡିରେ ବସିଯିବାରୁ ପାଣ୍ଡବ ତତ୍‌କ୍ଷଣାତ୍ ତାଙ୍କ ଗାଡି ଆଗରେ ଶୋଇପଡିଥିଲେ । ଯାହାକୁ ଦେଖି ଘଟଣାସ୍ଥରେ ଉପସ୍ଥିତ ଥିବା ପିଡିଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀଙ୍କ ସମେତ ବିଡିଓ ନାରାୟଣ ଚନ୍ଦ୍ର ନାୟକ, କ୍ୟାସିୟର ଦଶରଥ ଦାସଙ୍କ ସମେତ କିଛି ବ୍ଲକ କର୍ମଚାରୀ ପାଣ୍ଡବଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଗାଡି ଆଗରୁ ଉଠାଇ ଆଣି ତାଙ୍କ ସମସ୍ୟା ସମ୍ପର୍କରେ ପିଡିଙ୍କୁ କହିବାରୁ ପିଡି ଚାଲିଯାଇଥିଲେ । ମାତ୍ର ବ୍ଲକରେ ପାଣ୍ଡବଙ୍କ କଥା କେହି ବୁଝିନଥିବାରୁ ସେ ପୁଣି ନିରାଶ ହୋଇ ଫେରିଯାଇଥିଲେ ।

ସୂଚନାଥାଉକି ଡାହାଣହତା ଗ୍ରାମର ପାଣ୍ଡବ ସାହୁ ଜଣେ ଅତି ଦରିଦ୍ର ଶ୍ରେଣୀର ବ୍ୟକ୍ତି ଅଟନ୍ତି । ସ୍ତ୍ରୀ ହେମଲତା ସାହୁ ୧୦୦ ପ୍ରତିଶତ ଭିନ୍ନକ୍ଷମ । ମାତ୍ର ତାଙ୍କୁ ଏଯାବତ ସରକାରୀ ଆବାସ ଖଣ୍ଡେ ମିଳି ପାରିନାହିଁ । ଏଣୁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳଙ୍କ ନିକଟରେ ପାଣ୍ଡବ ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ୨୫ ଜାନୁୟାରୀ ୨୦୧୬, ୧ ଫ୍ରେବୃୟାରୀ ୨୦୧୬, ୪ ଏପ୍ରିଲ ୨୦୧୬, ୩୦ ମେ ୨୦୧୭ରେ ପାଣ୍ଡବ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ । ମାତ୍ର କେବଳ ତଦନ୍ତରେ ରହିଯାଇଛି ସମସ୍ତ ଅଭିଯୋଗ । ତଦନ୍ତ ପରେ ସ୍ଥାନୀୟ ସରପଂଚ ଗୋବିନ୍ଦ ଚନ୍ଦ୍ର ଯେନା ଏବଂ ପିଇଓ ପ୍ରିୟଙ୍କା ମହାଳିକ ଆବସ ପ୍ରଦାନ ପାଇଁ ଆଗୁଆ ୧୦ ହଜାର ଟଙ୍କା ମାଗିଥିବା ପାଣ୍ଡବ ଅଭିଯୋଗ କରିବା ସହ ସେ ଜଣେ ଅତି ଦରିଦ୍ର ଶ୍ରେଣୀର ଲୋକ ହୋଇଥିବାରୁ ଟଙ୍କା ଦେଇ ନପାରିବାରୁ ତାଙ୍କୁ ଘର ମିଳିପାରୁନଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ପାଣ୍ଡବଙ୍କ ପରିବାର ବିପଦପୂର୍ଣ୍ଣ କଚ୍ଚା ଚାଳ ଘରେ ରହୁଛନ୍ତି । ଏହି ଘର ଖଣ୍ଡିକୁ ୨/୩ ବର୍ଷରେ ଥରେ ଛପର ପକାଇବା କଷ୍ଟସାଧ୍ୟ ହୋଇପଡୁଛି । ପାଣ୍ଡବ ଦିନ ମଜୁରୀ ଲାଗି ପରିବାରର ୫ ଜଣ ସଦସ୍ୟଙ୍କ ଭରଣ ପୋଷଣ ସହିତ ସ୍ତ୍ରୀ ହେମଲତାଙ୍କର ଔଷଧ ଖର୍ଚ୍ଚ ତୁଲାଇବା ସମ୍ଭବ ହେଉନାହିଁ । ଦିନକୁ ୨ ଓଳି ଖାଇବା କଷ୍ଟକର ବ୍ୟାପାର । ଏବିଷୟରେ ବିଡିଓଙ୍କୁ ପଚାରିବାରେ ତାଙ୍କ ପୈତୃକ ସମ୍ପତ୍ତିରେ କୋଠା ଘର ଅଛି ଏବଂ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page