ବାଙ୍କବାବୁଙ୍କ ସ୍ମୃତି ରେ..
ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ସାରିଥାଏ। ଫଳ ପ୍ରକାଶନର ମାସକ ପରେ ମାମୁଘର ଗାଁ କଳଣ କଲେଜରେ ଅଧ୍ୟାପକ ପଦ ପାଇଁ ବିଜ୍ଞାପନ ବାହାରିଲା। ବାପାଙ୍କର ଇଚ୍ଛା- ମୁଁ ଅଧ୍ୟାପକ ଟିଏ ହୁଏ। ମାମୁ କଲଣ କଲେଜ ପାଇଁ ଘରେ ପ୍ରସ୍ତାବ ଦେଲେ।
ମାମୁଘର ଗାଁରେ ଅଧ୍ୟାପନା କରିବା ବି ଏକ ସୁଯୋଗ ନୁହେଁ ତ ଆଉ କଣ! ମୋ ଜୀବନ ଗଠନରେ ବାପା ଓ ମାମୁଙ୍କ ପ୍ରସ୍ତାବ ସର୍ବଦା ଗୁରୁତ୍ବ ରଖୁଥିଲା। ମାମୁଘର ପ୍ରତି ମୂଳରୁ ଏକ ଦୁର୍ବଳତା ରହିଥିଲା ଓ ମୁଁ ବଡ଼ ଭଣଜା ହୋଇଥିବାରୁ ମାମୁଙ୍କ ଶ୍ରଦ୍ଧାର ପୁଞ୍ଜିରୁ ସିଂହଭାଗ ପାଉଥିଲି। କହିବାକୁ ଗଲେ ବାପାଙ୍କ ପରେ ମାମୁ ହିଁ ଥିଲେ ମୋର ଅଭିଭାବକ। ପୁଣି ସେଇ ମାମୁ ଘର ଗାଁ ହାଇସ୍କୁଲରେ ଛଅ ମାସ ପଢ଼ିବାର ସୁଯୋଗରୁ ଅନେକ ବନ୍ଧୁ ବି ସେଠି ଥିଲେ। ଅଗତ୍ୟା ସାମ୍ବାଦିକ ହେବି ବୋଲି ମୂଳରୁ ରଖିଥିବା ଇଚ୍ଛାକୁ ଚାପି ଅଧ୍ୟାପକ ପଦ ପାଇଁ ଆବେଦନ କଲି।
ରାଜନୈତିକ ବିଚାର ଓ ସିଦ୍ଧାନ୍ତରେ ବାପା ଓ ମାମୁଙ୍କ ମଧ୍ୟରେ ବିରୋଧାଭାସ ଥିଲା। ବାପା ଥିଲେ ବିଶିଷ୍ଟ ସମାଜବାଦୀ ନେତା ତଥା ରାଷ୍ଟ୍ରନୀତି ଚିନ୍ତକ ସ୍ଵାଧୀନତା ସଂଗ୍ରାମୀ ବାଙ୍କବିହାରୀ ଦାସ ଓ ପରମାନନ୍ଦ ମହାନ୍ତିଙ୍କ ସମର୍ଥକ। ବାପା କାହିଁକି, ମୋ ଜେଜେଙ୍କ ଅମଳରୁ ଆମ ପରିବାରରେ ସେହି ରାଜନୈତିକ ସିଦ୍ଧାନ୍ତ ପୃଷ୍ଠପୋଷକତା ପାଇଆସିଛି, ଏଯାଏଁ ବି।
ମାମୁ ଓ ମାମୁଘର ଗାଁରେ ବାଙ୍କଵାବୁ ଓ ପରମାନନ୍ଦ ବାବୁଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ଵୀ କାଙ୍ଗାଳି ଚରଣ ପଣ୍ଡାଙ୍କର ସମର୍ଥକ ବହୁ ଅଧିକ ଥାଆନ୍ତି। ସେତେବେଳେ ଘରୋଇ ମହାବିଦ୍ୟାଳୟ ପରିଚାଳନା ସମିତିରେ ସ୍ଥାନୀୟ ବିଧାୟକ ସଭାପତି ରହୁଥିଲେ। ଧର୍ମଶାଳା ର ବିଧାୟକ କାଙ୍ଗାଳି ବାବୁ, ତାଙ୍କ ସହିତ ବାପାଙ୍କର ନୀତିଗତ ବିରୋଧାଭାସ ମୋ ପ୍ରାର୍ଥୀତ୍ବ ପ୍ରତି ପ୍ରତିବନ୍ଧକ ହେବ ନାହିଁ ତ – ବାପାଙ୍କର ଏ ଆଶଙ୍କା ନିରର୍ଥକ ବୋଲି ମାମୁ ବଡ଼ ଆଶ୍ୱାସନା ଦେଲେ।
ଅଧ୍ୟାପକ ପଦ ପାଇଁ ଚୟନ ତାରିଖ ଧାର୍ଯ୍ୟ ହେଲା। ରବିବାର ଥାଏ। ବିଶିଷ୍ଟ ଇଂରାଜୀ ଅଧ୍ୟାପକ ତଥା ଆମ ରାଜ୍ୟର ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା ବିଶେଷଜ୍ଞ ଭାବରେ ଆସିଥିଲେ। ଆମେ ମୋଟ ୮ ଜଣ ପ୍ରାର୍ଥୀ। ସାକ୍ଷାତକାର ପରୀକ୍ଷାରେ ପରିଚାଳନା ସମିତିରେ ଥାଇ ସାକ୍ଷାତକାର ମଣ୍ଡଳୀରେ ସ୍ଥାନ ପାଇଥିବା ଦୁଇ ଜଣ ଶିକ୍ଷକ (ସମ୍ପର୍କରେ ଯାହାଙ୍କୁ ଅଜା ଡାକେ) ମାମୁଙ୍କୁ ମୋ ସଫଳତାର ଖବର ଦେଇଦେଲେ – ବାବୁଲୁ( ମାମୂଘର ଗାଁରେ ମୋ ଶ୍ରଦ୍ଧା ନାମ) ଇଂଟର୍ଭିୟୁରେ ଫାଷ୍ଟ ହୋଇଛି। ଏ ଖୁସି ଖବର ମାମୁଙ୍କ ପାଇଁ ଯଥେଷ୍ଟ ଆନନ୍ଦଦାୟକ ଥିଲା।
ଶନିବାର ବିଧାୟକ କଙ୍ଗାଳିବାବୁ ଭୁବନେଶ୍ୱରରୁ ଆସନ୍ତି ନିଜ ଅଞ୍ଚଳକୁ। ସେ ସପ୍ତାହରେ ବ୍ୟତିକ୍ରମ କରି ସେ ରବିବାର ସନ୍ଧ୍ୟାରେ ଆସି ରାତିରେ ସିଧା ଯାଇ କଲଣ କଲେଜରେ ପହଞ୍ଚିଲେ। ପରିଚାଳନା ସମିତିର ସଭାପତି ଭାବରେ ନିଜ କ୍ଷମତା ବ୍ୟବହାର କରି ସେ ସେଦିନର ଇଂରାଜୀ ମନୋନୟନ ବ୍ୟବସ୍ଥାକୁ ରଦ୍ଦ କରିଦେଲେ, କହିବାବାହୂଲ୍ୟ ଅନ୍ୟ ଦୁଇ ବିଷୟରେ ହୋଇଥିବା ଚୟନ ପରୀକ୍ଷା ସଭାପତିଙ୍କ ସ୍ଵୀକୃତି ପାଇଥିଲା।
ମାମୁ ସଭାପତିଙ୍କ ଏ ନିଷ୍ପତ୍ତିର ପ୍ରବଳ ବିରୋଧ କରି ବିଷର୍ଣ୍ଣ ମନରେ ଘରକୁ ଫେରିଲେ। ସେବେଠୁଁ ସେ ଆଉ କାଙ୍ଗାଳିବାବୁଙ୍କ ପାଖ ମାଡିନାହାନ୍ତି।
ଆମ ପରିବାରର ବହୁ ଶୁଭେଚ୍ଛୁ ମତେ ଓ ବାପାଙ୍କୁ ପ୍ରସ୍ତାବ ଦେଲେ – ଆମ ଭିତରୁ କେହି କାଙ୍ଗାଳିବାବୁଙ୍କୁ ସାକ୍ଷାତକରି ଅନୁରୋଧ ରଖିବାକୁ। ବାପା ନହେଲେ ନାଇଁ ମୋତେ ଯିବାକୁ ତାଙ୍କ ପାଖକୁ କୁହାଗଲା। ମୁଁ ସେଥିରେ ସମ୍ମତ ହେଲି ନାହିଁ।
ଆମେ ପରା ବାଙ୍କବାବୁଙ୍କ ଲୋକ! ବାପାଙ୍କର ଆଶଙ୍କା ସତ ହେଲା। ଵାଙ୍କବାବୁ ସେତେବେଳେ ସକ୍ରିୟ ରାଜନୀତିରୁ ଓହରି ସାରିଥିଲେ ବି ତାଙ୍କ ଛାଇ ଅନେକଙ୍କୁ ଡରାଉ ଥିଲା ବୋଧେ!
ମୋ ଚାକିରି ଆରମ୍ଭ ନହେଉଣୁ ଶେଷ ହେଲା! ବିଶ୍ୱାସ କରନ୍ତୁ, ରାଜନୈତିକ ସଂକୀର୍ଣ୍ଣ ତାର ଏ ପ୍ରୟୋଗ ମତେ ଓ ମୋ ବାପାଙ୍କୁ ଆଦୌ ନିଷ୍ପ୍ରଭ କରିନଥିଲା।
ବାଙ୍କବାବୁଙ୍କ ପରି ଜଣେ ଯୋଗଜନ୍ମାଙ୍କ ଅନୁଗାମୀ ହେବାର ସୌଭାଗ୍ୟ ବେଶୀ ସନ୍ତୋଷ ଦେଉଥିଲା।
(ଆଜି ବାଙ୍କବାବୁଙ୍କ ପବିତ୍ର ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧସମ୍ବଳିତ ଏ ଆତ୍ମାନୁଭୂତି)
-ଦେବୀ ପ୍ରସନ୍ନ ନାୟକ