ଆଜି ମେ ୨୯,ମିଡ ନାଇଟ ଅପରେସନ ର ଦିନ।

0

ଓଡିଶା ରାଜନୀତିରେ ୨୦୧୨ ମସିହା ମେଁ ୨୯ ତାରିଖ ଆଜିବି ଅନେକ ଗୁରୁତ୍ବ ରଖେ। ଆଜିକୁ ଠିକ୍ ୮ ବର୍ଷ ତଳେ ତତ୍କାଳୀନ ବିଜୁ ଜନତା ଦଳର ଚାଣକ୍ୟ ଭାବରେ ପରିଚିତ ପୂର୍ବତନ ପ୍ରଶାସକ ପ୍ୟାରୀମୋହନ ମହାପାତ୍ର ଦଳର ସଭାପତିଙ୍କ ବିରୋଧରେ ଏକ ଷଢଯନ୍ତ୍ର ରଚନା କରିଥିଲେ। ସେତବେଳେ ଏହି ଘଟଣା ଉଭୟ ବିଜେଡି ଏବଂ ରାଜ୍ୟ ରାଜନୀତିକୁ ଖୁବ୍ ପ୍ରଭାବିତ କରିଥିଲା। ବିଜୁ ଜନତା ଦଳରେ ପ୍ରଥମକରି ଦଳର ସୁପ୍ରିମୋଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଦେଖିବାକୁ ମିଳିଥିଲା।

କୁହାଯାଏ ଦଳର ସଭାପତିଙ୍କ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ପ୍ୟାରୀ ମହାପାତ୍ର ଏକ ସମାନ୍ତରାଳ ସଙ୍ଗଠନ କରିବା ସହ କ୍ଷମତାରୁ ହଟାଇଦେବା ପାଇଁ ଚକ୍ରାନ୍ତ କରିଥିଲେ। ଏ ଅଭିଯୋଗର ସତ୍ୟତା କେତେ ତାହାତ ଭିନ୍ନକଥା କିନ୍ତୁ ଘଟଣା ଘଟିବାର ତିନିବର୍ଷ ପରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ୟାରୀବାବୁ ଏହାକୁ ଏକ ଭୁଲ୍ ଯୋଜନା ବୋଲି ସ୍ବିକାର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଗାଦୀଚ୍ୟୁତ କରିବା ନୁହେଁ ବରଂ ନିଜର ଗୁରୁତ୍ବକୁ ପ୍ରମାଣିତ କରିବା ଥିଲା ତାଙ୍କର ଏକ ଶକ୍ତି ପରୀକ୍ଷା ପଛର ଉଦ୍ଦେଶ୍ୟ ବୋଲି ସ୍ବିକାର କରିଥିଲେ।

ଏହା ମଧ୍ୟରେ ୮ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ପ୍ୟାରୀବାବୁ ବିଜେଡିରୁ ବହିଷ୍କୃତ ହୋଇ ଶେଷରେ ଦେହତ୍ୟାଗ କରି ସାରିଲେଣି। କିନ୍ତୁ ଆଜିବି ସେଦିନର ସେହି ମଧ୍ୟରାତ୍ର ଷଢଯନ୍ତ୍ର ଏବେବି ରହସ୍ୟାବୃତ ହୋଇ ରହିଛି। ଜୀବନବ୍ୟାପି ଯେତେ ଭଲକାମ କରିଥିଲେବି ସାମାନ୍ୟ ତୃଟି ଯେପରି ସବୁ ପୂଣ୍ୟକୁ ପାଣିରେ ପକାଇଦିଏ ଠିକ୍ ସେହିପରି ପ୍ୟାରୀବାବୁଙ୍କ ଜୀବନରେ ଏହା ଦେଖିବାକୁ ମିଳିଥିଲା। ବିଜୁ ଜନତା ଦଳର ପ୍ରତିଷ୍ଠା ଠାରୁ ୧୨ ବର୍ଷ ଧରି ଯିଏ ନିଜର ସମସ୍ତ କିଛିକୁ ଦଳ ପାଇଁ ସମର୍ପିତ କରି ଦେଇଥିଲେ, ଯାହାଙ୍କ ବିନା ଇଶାରାରେ ଗଛରୁ ପତ୍ର ଟିଏବି ଖସୁ ନଥିଲା ଶେଷରେ ସେ ବ୍ୟକ୍ତି ଦଳ ପାଇଁ ପୁରାପୁରି ଅଲୋଡା ଆଉ ଅଛୁଆଁ ହୋଇ ଯାଇଥିଲେ।

ସମୟ ବଦିଳି ଯାଇଛି, ତତ୍କାଳୀନ ଷଡଯନ୍ତ୍ରରେ ସମ୍ମୁଖ ଭାଗରେ ଥିବା ସୈନିକମାନେ ଏବେ ବିଜେଡିରେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଆସୀନ ଅଛନ୍ତି। ପ୍ୟାରୀବାବୁ ଦଳରୁ ବିଦା ହେବା, ନୂଆ ରାଜନୈତିକ ଦଳ “ଓଡିଶା ଜନମଞ୍ଚ” ତିଆରି କରିବା ପରି ଅନେକ ଘଟଣାରର ମୂଳ କାରଣ ଥିଲା ଏହି ମେଁ ୨୯। ଏହା ମଧ୍ୟରେ ବିଜୁ ଜନତା ଦଳ ରାଜ୍ୟରେ ୪ର୍ଥ ପାଳି ଶେଷକରି ପଞ୍ଚମ ପାଳିର ଆଜି ଦ୍ବିତୀୟ ବର୍ଷ ଆରମ୍ଭ କରିବାକୁ ଯାଉଛି। ବର୍ଷକ ତଳେ ଆଜିର ଦିନରେ ବିଜେଡି ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଥିଲା।

ଦଳ ଆଜି ଯେଉଁ ଭିତ୍ତିଭୂମି ଉପରେ ଠିଆ ହୋଇ ନିଜର ଦାମ୍ଭିକତା ପ୍ରମାଣିତ କରିପାରିଛି ସେଥିରେ ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ଅବଦାନକୁ ଅସ୍ବୀକାର କରାଯାଇ ପାରେନା। ଆଜି ପ୍ୟାରୀବାବୁ ନାହାନ୍ତି ହେଲେ ମେଁ ୨୯ ଆସିଲେ ସେଦିନର ଘଟଣାକ୍ରମକୁ ମନେ ପକାଇ ଅନେକ ଚର୍ଚ୍ଚା ହୁଏ। ରହସ୍ୟ ଘେରରେ ରହି ଯାଇଥିବା ସେଦିନର ସେହି ମଧ୍ୟରାତ୍ର ଷଢଯନ୍ତ୍ର କାହାକୁ କ’ଣ ଶିକ୍ଷା ଦେଉବା ନଦେଉ ବିଜେଡି ସୁପ୍ରିମୋଙ୍କୁ କିନ୍ତୁ ଏକ ବଡ ଶିକ୍ଷା ଦେଇଛି ତାହା ହେଲା ଦଳରେ ଦ୍ବିତୀୟ କ୍ଷମତା କେନ୍ଦ୍ରର ଆବଶ୍ୟକତା ଆଦୌ ନାହିଁ।

ଅବିଶ୍ବାସ, ଅକୃତଜ୍ଞତା ଆଉ ଆତ୍ମମ୍ଭରିତାର ଜ୍ବଳନ୍ତ ପ୍ରମାଣ ଏହି ଦିନଟି ଓଡିଶା ରାଜନୀତିରେ ସର୍ବଦା ଶତ୍ରୁ, ମିତ୍ର ସମର୍ଥକ ଆଉ ସମାଲୋଚକଙ୍କ ପାଇଁ ଏକ ଦିଗବାରେଣୀ ହୋଇ ସବୁଦିନ ପାଇଁ ରହିବ ଏଥିରେ ସନ୍ଦେହ ନାହିଁ

Leave a Reply

Your email address will not be published. Required fields are marked *

You cannot copy content of this page