ରହସ୍ୟ ଘେରରେ ମେଁ ୨୯(ମିଡନାଇଟ ଅପରେସନ)

0

ଅଧ୍ୟାପକ ବିରଞ୍ଚି ଦାସ

ଆଜି ହେଉଛି ମେଁ ମାସ ୨୯ ତାରିଖ । ଠିକ ୧୧ ବର୍ଷ ତଳେ ଆଜିର ଦିନରେ ଓଡିଶା ରାଜନୀତିରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଆଜିବି ରହସ୍ୟାବୃତ ହୋଇ ରହିଛି । ଓଡିଶା ରାଜନୈତିକ ଇତିହାସରେ ଏହି ଦିନଟି ସର୍ବଦା ଗୁରୁତ୍ୱ ରଖି ଆସିଛି । ଘଟଣାଟି ଏହିପରି ତତ୍କାଳୀନ ବିଜୁ ଜନତା ଦଳର ମାର୍ଗଦର୍ଶକ ତଥା ସାଂସଦ ଅବସରପ୍ରାପ୍ତ ପ୍ରଶାସକ ପ୍ୟାରୀମୋହନ ମହାପାତ୍ରଙ୍କ ଦ୍ୱାରା ବିଜୁ ଜନତା ଦଳର ମୁଖିଆଙ୍କ ବିରୋଧରେ କାଳେ ଷଢଯନ୍ତ୍ର ହୋଇଥିଲା । କୁହାଯାଏ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିବାବେଳେ ପ୍ୟାରୀବାବୁ ସେତବେଳର କିଛି ବିଧାୟକ ଏବଂ ମନ୍ତ୍ରୀଙ୍କୁ ତାଙ୍କ ସହିଦନଗର ବାସଭବନକୁ ଡାକି କ୍ଷମତା ପରିବର୍ତନ ପାଇଁ ଷଢଯନ୍ତ୍ର କରିଥିଲେ । ଏହା ମଧ୍ୟରେ ଏହି ଘଟଣାକୁ ୧୧ ବର୍ଷ ପୁରିଗଲାଣି । ପ୍ୟାରୀବାବୁବି ଇହଧାମ ତ୍ୟାଗ କରି ସାରିଲେଣି ଆଉ ଅନେକଙ୍କ ମନରୁ ଏହି ଘଟଣା ଧିରେ ଧିରେ ହଜିଯିବାକୁ ବସିଲାଣି ହେଲେ ଓଡିଶା ରାଜନୀତିରେ ରୂଚି ରଖୁଥିବା ପ୍ରତ୍ୟକଙ୍କ ପାଇଁ ସେଦିନ ରାତିର ଘଟଣା କିନ୍ତୁ ଆଜିବି ରହସ୍ୟାବୃତ ହୋଇ ରହିଛି ।

କୌଣସି ଏକ ବିଶେଷ କାର୍ଯ୍ୟରେ ପ୍ରଥକମକରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂଲଣ୍ଡ ଗସ୍ତରେ ଥାନ୍ତି ହଟାତ୍ ଶୁଣିବାକୁ ମିଳିଲା ପ୍ୟାରୀବାବୁଙ୍କ ଘରେ ବିଜୁ ଜନତା ଦଳର ଅନେକ ହେଭି ୱେଟ ନେତାଙ୍କର ଗହଳି ଆରମ୍ଭ ହୋଇଯାଇଛିି । ରାତି ଯେତିକି ବଢୁଥାଏ ଏ ଖବର ସେତିକି ସେତିକି ବ୍ୟାପୁଥାଏ । ଗଣମାଧ୍ୟମର ଶିରୋନାମା ପାଲଟି ଚାଲିଥାଏ ସେତେବେଳେ ଏହି ଘଟଣା । ଜଣକ ପରେ ଜଣେ ପ୍ୟାରୀଙ୍କ ଶହୀଦନଗର ସ୍ଥିତ ପ୍ଲଟ ନମ୍ବର ୧୧୧ ବାସଭବନରେ ପହଁଚିବା ଆରମ୍ଭ କରନ୍ତି । ଗଣମାଧ୍ୟମର ପ୍ରତିନିଧିମାନଙ୍କର ମଧ୍ୟ ଗହଳି ଲାଗିବା ଆରମ୍ଭ ହୋଇଯାଏ । କଥା କଣ କେହି ବୁଝିବା ପୂର୍ବରୁ ପ୍ରଚାର ହୋଇଯାଏ ପ୍ୟାରୀବାବୁଙ୍କ ନେତୃତ୍ୱରେ ରାଜ୍ୟରେ କ୍ଷମତା ପରିବର୍ତନ ପାଇଁ ଚାଲିଛି ଷଢଯନ୍ତ୍ର ।

ଏଠାରେ ସ୍ମରଣଯୋଗ୍ୟ ଏହି ଘଟଣାର କିଛିଦିନ ପୂର୍ବରୁ ବିଜୁ ଜନତା ଦଳର ସର୍ବେସର୍ବା ତଥା ମାର୍ଗଦର୍ଶକ ପ୍ୟାରୀବାବୁ ଏବଂ ନବୀନବାବୁଙ୍କ ମଧ୍ୟରେ ପତିଆରା ଆଉ ପ୍ରଭାବକୁ ନେଇ କିଛିଟା ମନମାଳିନ୍ୟ ଆରମ୍ଭ ହୋଇ ଯାଇଥାଏ । ୨୦୦୯ ମସିହାରେ ବିଜେପି ଠାରୁ ହାତ ଛାଡି ଏକାକୀ ନିର୍ବାଚନ ଲଢି ବିଜେଡି ଆଶାତୀତ ସଫଳତା ପାଇଥିବା ପଛର ପ୍ରକୃତ ନାୟକ ଯେହେତୁ ଥିଲେ ପ୍ୟାରୀ ତେଣୁ ତାଙ୍କୁ ନପଚାରି ବିଜେଡି କାହିଁକି ଏପରିକି ସରକାରୀ ନଥିପତ୍ର ପାଦେବି ଆଗଉ ନଥିଲା । ସବୁ କଥାରେ ପ୍ୟାରୀଙ୍କୁ ଖୋଜା ପଡୁଥିଲା । ନବୀନ ବାବୁବି ପ୍ୟାରୀଙ୍କ ଉପରେ ସେତିକି ଭରଷା ଆଉ ବିଶ୍ୱାସ କରୁଥିଲେ । ସବୁ କଥାରେ ଅଙ୍କଲଙ୍କ ପାଖକୁ ଦଳୀୟ କର୍ମୀ ଆଉ ନେତାଙ୍କୁ ପଠାଉଥିଲେ ।

ପ୍ୟାରୀବାବୁ ଏକଦା ପ୍ରବାଦପୁରୁଷ ବିଜୁ ବାବୁଙ୍କର ବି ଏକାନ୍ତ ବିଶ୍ୱସ୍ଥ ଥିଲେ । ସରକାରୀ ଚାକିରୀ ସମୟରେ ତାଙ୍କ ସହ ପ୍ୟାରୀବାବୁ ଅନେକ ବର୍ଷ କାମ କରିଥିଲେ । ଛାତ୍ର ଜୀବନରୁ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ପ୍ୟାରୀ ବାବୁ ପ୍ରଶାସକ ଭାବରେ ଖୁବ୍ ପରାକ୍ରମୀ ଆଉ ସ୍ପଷ୍ଠବାଦୀ ଥିଲେ ଯାହା ବିଜୁ ବାବୁଙ୍କୁ ଖୁବ ପସନ୍ଦ ଥିଲା । ତତ୍କାଳୀନ କଂଗ୍ରେସ ସରକାରର ଦୌରାତ୍ମ୍ୟ ଆଉ କୁଶାସନ ବିରୋଧରେ ରାଜ୍ୟବାସୀଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ଥିଲା ତାହକୁ ପୁଞ୍ଜିକରି ବିଜୁ ବାବୁଙ୍କ ମୃତ୍ୟୁପରେ ନବୀନ ବାବୁ କ୍ଷମତା ଦଖଲ କଲେ । ଜାତୀୟ ରାଜନୀତିରେ ଜନାତା ଦଳର ବିଭକ୍ତିକରଣ ପରେ ରାଜ୍ୟରେ ବିଜୁ ଜନତା ଦଳର ଯୁଗ ଆରମ୍ଭ ହେଲା ଆଉ ପ୍ୟାରୀବାବୁ ନବୀନ ବାବୁଙ୍କ ପାଖେ ପାଖେ ଛାଇପରି ରହି ରାଜ୍ୟ ଶାସନକୁ ସୁରୁଖୁରରେ ଚଲାଇଲେ ।

ପ୍ରଥମ ଦୁଇଟି ଟର୍ମ ବିଜେଡି-ବିଜେପି ମେଂଟ ସରକାର ପରେ ୨୦୦୯ ମସିହାରେ କନ୍ଧମାଳ ସାମ୍ପ୍ରଦାୟିକ ଦଙ୍ଗା ଘଟଣା ପରେ ପ୍ୟାରୀବାବୁ ବିଜେପିର ହାତ ଛାଡିବା ପାଇଁ ପ୍ରସ୍ତାବ ଦେଲେ । ଆଉ ଦେଖାଗଲା ସମସ୍ତ କଳ୍ପନାଜଳ୍ପନାକୁ ଭୁଲ ପ୍ରମାଣିତ କରି ବିଜେଡି ଏକକ ଭାବରେ ରାଜ୍ୟରେ ଶହେରୁ ଅଧିକ ଆସନ ଜିତି ସରକାର କଲା । ଏହା ମଧ୍ୟରେ ପ୍ୟାରୀବାବୁ ବିଜେଡିର ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର ପାଲଟିଗଲେ । ସମସ୍ତଙ୍କ ମନରେ ଗୋଟିଏ ଧାରଣା ବିଜେଡିରେ ଯାହା କିଛି ହେଉଛି ବା ହେବ ତାହା କେବଳ ପ୍ୟାରୀବାବୁ କରିବେ । ଏହାକୁ ଆଖିରେ ରଖି ଦଳୀୟ ବିଧାୟକ ଆଉ ମନ୍ତ୍ରୀମାନେ ମଧ୍ୟ ପ୍ୟାରୀଙ୍କୁ ଦଳର ଗଡ ଫାଦର ଭାବରେ ମାନିବା ଆରମ୍ଭ କରିଦେଲେ ।

ଏ ସମସ୍ତ କଥାର ଜବନିକା ପଡିଥିଲା ଆଜିର ଦିନରେ ଠିକ ଆଜକୁ ୧୦ ବର୍ଷ ତଳେ । ପ୍ୟାରୀଙ୍କ ମନରେ ଥିବା ନବୀନଙ୍କ ପ୍ରତି ଅସନ୍ତୋଷ କାଳେ ଏଭଳି ଏକ ମଧ୍ୟରାତ୍ର ଷଢଯନ୍ତ୍ରର କାରଣ ଥିଲା ବୋଲି ଚର୍ଚ୍ଚା ହୁଏ । କେତକ କହନ୍ତି ନବୀନଙ୍କୁ ଏକ ସବକ ଶିଖାଇବା ପାଇଁ ଏହା କରା ଯାଇଥିଲା ହେଲେ ଆଉକିଛି କହନ୍ତି ପ୍ରକୃତରେ ପ୍ୟାରୀ ବଳ ସଂଗ୍ରହ କରୁଥିଲେ ନବୀନଙ୍କୁ ଗାଦିରୁ ହଟାଇ ନିଜେ ଚୌକିରେ ବସିବା ପାଇଁ । ଅବଶ୍ୟ ଏକଥା ସତ୍ୟ ପ୍ୟାରୀବାବୁଙ୍କ ମୃତ୍ୟୁ ପର୍ଯ୍ୟନ୍ତବି ଏହି ରହସ୍ୟ ଉପରୁ ପରଦା ହଟିପାରିଲା ନାହିଁ । ତେବେ ସେଦିନର ମେଳି ପଛର ପ୍ରକୃତ କଣ କାରଣ ଥିଲା ତାହା ଆଜିଯାଏ ଅସ୍ପଷ୍ଠ ହୋଇ ରହିଯାଇଛି । ରାଜ୍ୟପାଳଙ୍କ ଠାରୁ ସମୟ ନେବା, ତାରକା ହୋଟେଲରେ ବିଧାୟକମାନଙ୍କୁ ରଖି ଯୋଜନା ପ୍ରସ୍ତୁତ କରିବା ଖବର ଯଦିଓ ଅନେକଙ୍କୁ ସେତବେଳେ ସନ୍ଦେହରେ ପକାଇଥିଲା ହେଲେ ଏ ଘଟଣା ପରେ ପ୍ୟାରୀବାବୁ ଗଣମାଧ୍ୟମକୁ ଦେଇଥିବା ବିବୃତିରେ କିନ୍ତୁ ଏହା ପଛରେ କିଛିବି ଷଢଯନ୍ତ୍ର ନଥିବା କଥା କହନ୍ତି ।

ସମୟ ସ୍ରୋତରେ ଆଜି ପ୍ୟାରୀବାବୁ ନାହାନ୍ତି । ଦୁରାରୋଗ୍ୟ ବ୍ୟାଧିରେ ପଡି ଆର ପାରିକୁ ଏହା ମଧ୍ୟରେ କିଛି ବର୍ଷହେବ ଚାଲିଗଲେଣି । ଦଳପାଇଁ ଏତେ କଥା କରିଥିବା ମଣିଷ ଜଣକୁ ଶେଷରେ ବେଇମାନର ପରିଚୟ ଦେଇ ଦଳରୁ ବିଦା କରି ଦିଆଗଲା । ପ୍ୟାରୀବାବୁ ଦଳରୁ ବିଦାହେବା ପରେ ଓଡିଶା ଜନମୋର୍ଚ୍ଚା ନାମକ ଏକ ରାଜନୈତିକ ଦଳ ଗଠନ କରି ୨୦୧୪ ମସିହା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କଲେ ସତ ହେଲେ ପରାଜିତ ହେଲେ । ଯେଉଁମାନେ ଦିନେ ପ୍ୟାରୀଙ୍କ କ୍ୟାମ୍ପରେ ଅଜ୍ଞାଧୀନ ଥିଲେ ସେମାନେ ରଙ୍ଗ ବଦଳାଇ ଏବେ ସ୍ୱଚ୍ଚ ଆଉ ନିର୍ମଳ ହୋଇଗଲେଣି ହେଲେ ପ୍ୟାରୀଙ୍କ ଉପରେ ଲାଗିଥିବା କଳଙ୍କ ଆଜିବି ଓଡିଶାର ଜନମାନସରେ ଅନେକ ପ୍ରଶ୍ନବାଚି ସୃଷ୍ଠି କରୁଛି । ଅନେକ ନିଜକୁ ବାରମ୍ବାର ପଚାରୁଛନ୍ତି ସତରେ କଣ ସେଦିନ ରାତିରେ କ୍ଷମତା ଛଡାଇନେବା ପାଇଁ ଷଢଯନ୍ତ୍ର ହୋଇଥିଲା ?

ପ୍ୟାରୀ ମହାପାତ୍ର ନାହାନ୍ତି ସତ ହେଲେ ଓଡିଶା ରାଜନୀତିର ଇତିହାସରେ ପ୍ୟାରୀ ଉପାଖ୍ୟାନକୁ ବାଦଦେଇ ପୂର୍ଣ୍ଣାଙ୍ଗ ଇତିହାସ ଲେଖା ଯାଇପାରିବ ନାହିଁ ଏହା ନିଶ୍ଚିତ। ଦୀର୍ଘ ୨୧ ବର୍ଷଧରି ଯେଉଁ ଦଳ ଆଜି ରାଜ୍ୟବାସୀଙ୍କ ଭରଷା ଆଉ ବିଶ୍ୱାସର ଦଳ ଭାବରେ ପରିଚୟ ପାଇଛି ତାହାର ଆଦ୍ୟ ବିନ୍ଧାଣୀ ମାନଙ୍କ ମଧ୍ୟରୁ ପ୍ୟାରୀ ଥିଲେ ଅନ୍ୟତମ । ଆଜି ୧୧ ବର୍ଷପରେ ବି ସେଦିନର ସେହି ରହସ୍ୟ ଏବେବି ରହସ୍ୟବୃତ ହୋଇ ରହିଛି ।

Leave a Reply

Your email address will not be published. Required fields are marked *

You cannot copy content of this page