ଜିଲ୍ଲା ଶିକ୍ଷାଧିକାରୀଙ୍କ ବ୍ଲକ ସ୍ତରୀୟ ” ମୋ ସ୍କୁଲ ଅଭିଯାନ “
![](https://www.sanketkhabar.com/wp-content/uploads/2021/09/IMG-20210908-WA0024-1024x481.jpg)
ସୁକିନ୍ଦା(ସଂକେତ ଖବର) ଡୁବୁରୀ କପିଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦାନଗଦୀ ଏବଂ ସୁକିନ୍ଦା ବ୍ଲକ ର ବିଇଓ, ଏବିଇଓ, ସିଆରସିସି ତଥା ସମସ୍ତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ “ମୋ ସ୍କୁଲ ଅଭିଯାନ ” ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ ସଭାପତିତ୍ୱ କରିଥିଲେ । ଯାଜପୁର ଜିଲ୍ଲାରେ ନୂତନ କରି ଯୋଗ ଦେଇଥିବା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରଂଜନ କୁମାର ଗିରି ମହୋଦୟ ଙ୍କୁ ଦୁଇ ବ୍ଲକ ତରଫରୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବୈଠକ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଗିରି “ମୋ ସ୍କୁଲ ଅଭିଯାନ ” ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଥିଲେ । ଯେ କୌଣସି କାର୍ଯ୍ୟକୁ ପ୍ରାକ ପ୍ରସ୍ତୁତି ସହିତ ଯୋଜନା ବଦ୍ଧ ଭାବେ, ଦଳଗତ ମନୋଭାବ ରଖି କାର୍ଯ୍ୟ କଲେ ସଫଳତା ପ୍ରାପ୍ତ ହୋଇପାରିବ ବୋଲି ଶ୍ରୀଯୁକ୍ତ ଗିରି ମତବ୍ୟକ୍ତ କରିଥିଲେ । ଯାଜପୁର ଜିଲ୍ଲାରେ ଶିକ୍ଷା କ୍ଷେତ୍ର ରେ ଥିବା ଅଭାବ ଅସୁବିଧା କୁ ସରକାରଙ୍କ ସୁପରିକଳ୍ପିତ ଯୋଜନା “ମୋ ସ୍କୁଲ ଅଭିଯାନ ” ମାଧ୍ୟମରେ ପୂରଣ କରି ଜିଲ୍ଲାକୁ ରାଜ୍ୟରେ ଏକ ଅଗ୍ରଣୀ ଶିକ୍ଷା ଜିଲ୍ଲାରେ ପରିଣତ କରିବାର ବୀଜମନ୍ତ୍ର ପ୍ରଦାନ କରିଥିଲେ ।
ବ୍ଲକ ସ୍ତରୀୟ ଟିମ ଗଠନ କରି ସମସ୍ତ ଆଲୁମିନି ଏବଂ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗରେ ଗୋଟି ଗୋଟି ପାଦ ଆଗକୁ ଯାଇ ସଫଳତା ର ଶୀର୍ଷ ସ୍ଥାନରେ ପହଞ୍ଚିବାର ଆଶା ସଂଚାର କରିଥିଲେ ଶ୍ରୀଯୁକ୍ତ ଗିରି ମହୋଦୟ । 5-T ଅନ୍ତର୍ଗତ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରିବା ସହ, ଛାତ୍ରଛାତ୍ରୀଙ୍କ ସହିତ ସାକ୍ଷାତ କରି ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଶ୍ରୀଯୁକ୍ତ କୃତିବାସ ବାରିକ, ଏଡିଇଓ, ଶ୍ରୀ ବଳରାମ ନାୟକ, ବିଇଓ, ଶ୍ରୀ ବିଷ୍ନୁଚରଣ ପଣ୍ଡା, ଡ଼ି. ଏସ ଏସ, ଶ୍ରୀମତୀ ପ୍ରଭାତୀ ମିଶ୍ର, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତିରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗିରି ମହୋଦୟ ଙ୍କ କରକମଳରେ ବିଦ୍ୟାଳୟ ପ୍ରାଙ୍ଗଣ ରେ ତିନି ମହାପୁରୁଷ ନେତାଜୀ ସୁବାସ ଚନ୍ଦ୍ର ବୋଷ, ଗୋପବନ୍ଧୁ ଦାଶ ଏବଂ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯାଇଥିଲା l ଉକ୍ତ ବୈଠକ ରେ ବିଇଓ ଶ୍ରୀଯୁକ୍ତ ନାୟକ ସଭାର ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ, ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଶତପଥି, ସହକାରୀ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଶିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ବେଦପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ମା’ ବିରଜା ଙ୍କ ଆଶୀର୍ବାଦ ନେଇ ସଭା ସାଙ୍ଗ କରାଯାଇଥିଲା ।