କାମବାଲୀ ଆସି ଖବର ଦେଲା

“ଦୁଇ ଜଣ ସ୍ତ୍ରୀ ଲୋକ ଆସିଛନ୍ତି। ଖୋଜୁଛନ୍ତି ଆପଣ ଙ୍କୁ। ଜଣେ ତାଙ୍କ ମଧ୍ୟ ରୁ ଆପଣଙ୍କ ଝିଅ ବୋଲି କହୁଛନ୍ତି।”

“ମୋ ଝିଅ ? “

ଆଶ୍ଚର୍ଯ୍ୟ ହେଲି ମୁଁ। ଗୀତା ର ଏବେ ଆସିବାର ନ ଥିଲା! ଗୀତା ମୋ ଏକମାତ୍ର ଝିଅ ଏବେ ବିଦେଶରେ ତା ବର ସହ। ହୋଇ ପାରେ ଭୁଲ ଠିକଣା ରେ ଏମାନେ ଆମ ଘରେ ପହଞ୍ଚି ଯାଇଛନ୍ତି। ଠିକ୍ ଅଛି ତାଙ୍କ ଠାରୁ ବୁଝି ସଠିକ ଠିକଣା ବତେଇ ଦେବା। ମୁଁ ଜଣେ ଅବସରପ୍ରାପ୍ତ ସଂସ୍କୃତି ବିଭାଗ ର ଉପ-ନିର୍ଦ୍ଦେଶକ । ପ୍ରାୟ  ବର୍ଷେ ତଳୁ ମୁଁ ଅବସର ନେବା ପରେ ସ୍ତ୍ରୀ କୁନ୍ତଳା ଙ୍କ ସହ ଭୁବନେଶ୍ୱର ରେ ରହୁଛି। ଯେହେତୁ ମୋ ସମଗ୍ର ଚାକିରି ସମୟ ଲୋକ ସଂପର୍କ ରେ କଟିଛି, କଳାକାର ମାନଙ୍କ ସହିତ ବିତିଛି, ତେଣୁ ଅବସର ସମୟ ଗୁଡ଼ିକ ମଧ୍ୟ ଅନୁରୂପ ଗହଳ ଚହଳ ରେ କଟୁଛି। ବର୍ତ୍ତମାନ ବେଶୀ ସମୟ ସଭା, ସମିତି ରେ କଟିଯାଉଛି। ପହଂଚିଲି ଡ୍ରଇଂ ରୁମରେ। ମଧ୍ୟ ବୟସ୍କା ଜଣେ ମହିଳା ଓ ତାଙ୍କ ସହ ଜଣେ ୨୩/୨୪ ବର୍ଷିଆ ଯୁବତୀ। ମୋତେ ଦେଖୁ ଦେଖୁ ସେମାନେ ପାଖକୁ ଆସି ସାଷ୍ଟାଂଗ ପ୍ରଣିପାତ କଲେ।ମୋ ପଛେ ପଛେ କୁନ୍ତଳା ଆସି କିଏ ଏମାନେ ବୋଲି ପଚାରନ୍ତେ ଉଭୟ ପୁନର୍ବାର ପ୍ରଣିପାତ କଲେ ତାଙ୍କୁ । ମୋତେ ଚାହିଁ ଆଖି ରେ ପ୍ରଶ୍ନ କଲେ “କିଏ ଇଏ ମ।”

ମୁଁ ବି ଅସହାୟ ଦୃଷ୍ଟି ରେ ତାଙ୍କୁ ଚାହିଁଲି।ଧିର ସ୍ୱରରେ ପଚାରିଲି “କିଏ ଆପଣ ମାନେ।କାହାକୁ ଖୋଜୁଛନ୍ତି ?”

ଝିଅ ଟି ପାଖକୁ ଆସି କହିଲା “ମୁଁ ଆପଣଙ୍କ ଝିଅ ବାପା।ଆଉ ଇଏ ମୋ ମା।”

ଚମକି ପଡ଼ିଲି ମୁଁ ! “ମୋ ଝିଅ!!” କୁନ୍ତଳା ଙ୍କ ସନ୍ଦହୀ ଆଖି ମୋ ତାଳୁରୁ ତଳିପା ଯାଏଁ ଘୁରି ଆସିଲାଣି। ତାଙ୍କ ଆଖୂ କୁ ମୁଁ ଚାହିଁଲି।ସେ ଆଖି ପ୍ରଶ୍ନ କରୁଛି, “କଣ ଏ ଘଟଣା ? ଏ ଝିଅ ଯାହା କହୁଛି କଣ ସତ  ?”

ମୋ ନିଷ୍କଳଙ୍କ ଚରିତ୍ର କୁ ଝିଅ ଟି ର ବାପ ଡାକ ଏକବାରେ କଳଙ୍କିତ କରିଦେଲା ଯେମିତି ଧର୍ମ ପତ୍ନୀ ଙ୍କ ନିକଟରେ। ମୁଁ ଥ ଥ ହୋଇ ପଚାରିଲି “କଣ ଭୁଲ ଠିକଣା ରେ ପହଂଚି ଯାଇଛନ୍ତି। କାହାକୁ ପ୍ରକୃତରେ ଖୋଜୁଛନ୍ତି।”

ଝିଅ ଟି ହସିଲା “ନାଁ ବାପା ଭୁଲ ଠିକଣା ନୁହେଁ, ଆମେ ବହୁ ଖୋଜାଖୋଜି କରିବା ପରେ ଆପଣଙ୍କ ଘର ପାଇଛୁ।”

କୁନ୍ତଳା ସେତେବେଳକୁ ପାଚିବା ସ୍ତର କୁ ଆସିଗଲେଣି। ପ୍ରକୃତରେ ଦୈନିକ ଗଣମାଧ୍ୟମ ରେ ରାଜନେତା ଏନ୍ ଡି ତିୱରୀ ଙ୍କ ଠାରୁ ଆରମ୍ଭ କରି ଆହୁରି ବହୁତ ବଡ଼ ବଡ଼ ବ୍ୟକ୍ତି ଙ୍କ ର ଚାରିତ୍ରିକ ସ୍ଫଳନ ର ଖବର ହାଲରେ ବାହାରୁ ଥିବା ରୁ ମୁଁ ଯେ ସେମିତି ଜଣେ ହୋଇଥିବା ସମ୍ଭବ ବୋଲି ପତ୍ନୀ ଙ୍କ ଚାହାଣୀ ରୁ ବୁଝି ହେଉଥିଲା। ମୁଁ ବି ଧର୍ମ ସଂକଟ ରେ।ମୋ ଶୁକୁଟା ମୁହଁ ରୁ ବୋଧହୁଏ ପରିସ୍ଥିତି ଟାକୁ ବୁଝି ପାରିଲା ଝିଅ ଟି। “ବାପା,ମୁଁ ନର୍ମଦା।”

ସେ ଠିକଣା କହିଲା ଓ ମୁଁ ଯେ ତା’ର କେମିତି ବାପା ହେଲି ତାହାର ପର୍ଦ୍ଦାଫାଶ କଲା।ତା କଥା ଟି ଶୁଣୁ ଶୁଣୁ ଚଳଚ୍ଚିତ୍ରରେ ଅତୀତର ଘଟଣା କୁ ଦେଖେଇବା ଭଳି ମୋ ସ୍ମୁତି ପଟଳ ସଜାଗ ହୋଇ ଉଠିଲା। ମୁଁ ଫେରିଗଲି ପ୍ରାୟ ୧୫ ବର୍ଷ ତଳକୁ। ନର୍ମଦା ଘର ଜିଲ୍ଲା ରେ ସଂସ୍କୃତି ଅଧିକାରୀ ଭାବରେ ମୁଁ କଟାଇଥିଲି ପ୍ରାୟ ୮ ବର୍ଷ। ଯେ ହେତୁ ମୋର ଲୋକ ସଂପର୍କ ବହୁତ ଭଲ ଥିଲା ଓ ସମସ୍ତ ଙ୍କ ସହିତ ମିଶି ଯାଉଥିଲି, ତେଣୁ ବିଭିନ୍ନ ସଭା ସମିତି କୁ ମୁଁ ଅତିଥି ଭାବେ ଆମନ୍ତ୍ରିତ ହେଉଥିଲି। ଜିଲ୍ଲାର ସବୁ କାର୍ଯ୍ୟକ୍ରମ ରେ ସଂପୃକ୍ତ ରହୁଥିବା ରୁ ମୋର ଅଧିକ ଲୋକଙ୍କ ସହ ସଂପର୍କ ରହିବା ସ୍ୱାଭାବିକ ଥିଲା। ସେମିତି ଗୋଟିଏ ଦିନରେ ଭେଟ ହୋଇଥିଲା ନରହରି ବାବୁ ଙ୍କ ସହିତ। ନରହରି ବାବୁ ଜଣେ ସାଂସ୍କୃତିକ ସଂଗଠକ। ବୟସ ୭୫/୭୮ ମଧ୍ୟ ରେ ହେବ।ବିଭିନ୍ନ ସ୍ଥାନରେ ଭାଗବତ ଓ ଆଧ୍ୟାତ୍ମିକ ମହତ୍ତ୍ଵ ର ପ୍ରଚାର ପ୍ରସାର ରେ କେବଳ ସେ ନୁହନ୍ତି, ତାଙ୍କ ଅନୁଷ୍ଠାନର ହଜାର ହଜାର ସଦସ୍ୟ ଲାଗିଛନ୍ତି। ଜିଲ୍ଲାର ପ୍ରାୟ ପ୍ରତ୍ୟେକ ଗ୍ରାମରେ ତାଙ୍କ ର ସଂଗଠନ ରହିଛି। ସେମାନେ ମୋ ସହ ଯୋଗାଯୋଗ ର କାରଣ ଥିଲା ପିତୃମାତୃ ପୂଜନ ଦିବସ ରେ ଅତିଥି ଭାବେ ଯୋଗ ଦେବାକୁ। ତାଙ୍କ ସହ ଆଉ କେତେ ଜଣ ଆମ ଅଫିସକୁ ମଧ୍ୟ ଆସିଥିଲେ।ଶିଖାଶିଖି ହୋଇ ଆସିଥିଲେ କି କ’ଣ ଆସୁ ଆସୁ ମୋ ସଂପର୍କରେ ପ୍ରଶଂସା ସୂଚକ ବ୍ୟାଖ୍ୟା ଆରମ୍ଭ କରିଦେଲେ। “ଆପଣ ଅମକ ଯାଗାରେ ସମକ କଥା କହି ଯେଉଁ ଜାଗରଣ ସୃଷ୍ଟିକଲେ,ସମକ ଯାଗାରେ ଅମକ କଥା କହି ଯେଉଁ ପ୍ରେରଣା ଦେଲେ,ତାହା ପ୍ରଭାବିତ କରିଥିଲା ସମସ୍ତ ଙ୍କୁ। ଆପଣଙ୍କ ଭଳି ସୁବକ୍ତା ଓ ଧାର୍ମିକ ଲୋକ ଙ୍କୁ ଆମ ଅନୁଷ୍ଠାନ ପାଇବା ଭାଗ୍ୟ ର କଥା। ଆପଣଙ୍କ ବକ୍ତବ୍ୟ ଶୁଣିବାକୁ ସମସ୍ତେ ଅପେକ୍ଷା ରେ ଅଛନ୍ତି।”

ଏହି ଭଳି ସାଉଁଳିଆ କଥା ଯେ ଜଣକୁ ଉତ୍ସାହିତ କରିବା ର ମାଧ୍ୟମ ଏହା ଜାଣିବାକୁ କୋଡ଼ିଏ ବାଇସି ବର୍ଷ ଧରି ଚାକିରି କରିଥିବା ଲୋକ ପାଇଁ ଅସୁବିଧା ନ ଥିଲା।ମୋଟ ଉପରେ ବିଭିନ୍ନ ମିଟିଂ ମାନଙ୍କ ରେ ଯୋଗ ଦେବା ଓ ଗଣମାଧ୍ୟମ ରେ ସେଗୁଡିକ ର ଦୈନିକ ତଥ୍ୟ ପ୍ରକାଶ ପାଉଥିବା ରୁ ସାଧାରଣ ରେ ଏ ବୋଧହୁଏ ଜଣେ ଭଲ ବକ୍ତା ବା କୁହାଳିଆ ବୋଲି ଧାରଣା ସୃଷ୍ଟି ହୋଇଥିଲା।ଯ ଦ୍ଵାରା ଅନେକ ଅଜଣା ଲୋକ ପହଂଚି ତାଙ୍କ କାର୍ଯ୍ୟ କ୍ରମ ରେ ଯୋଗ ଦାନ ପାଇଁ ଆମନ୍ତ୍ରଣ କରୁଥିଲେ। ସବୁ ଯାଗାକୁ ତ ସମ୍ଭବ ହେଉନଥିଲା, ତେବେ ଅନେକ ମିଟିଂ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ପଡୁଥିଲା। ନରହରି ବାବୁ ସେମିତି କୋଉ ସଭା ରେ ଏକତ୍ର ଆମେ ଅତିଥି ଥିବା ବେଳେ ଚିହ୍ନା ହୋଇଥିଲେ। ତେଣୁ ସେଇ ଖାତିରିରେ କେତେ ଜଣ ଙ୍କୁ ଧରି ଅନୁରୋଧ କରିବାକୁ ଆସିଛନ୍ତି। ଅବଶ୍ୟ ପୂର୍ବରୁ ତାଙ୍କର କେତେକ ଧାର୍ମିକ କାର୍ଯ୍ୟକ୍ରମ ରେ ମୁଁ ଯୋଗ ଦେଇଥିଲି କିନ୍ତୁ ଏ ପିତୃମାତୃ କାର୍ଯ୍ୟ କ୍ରମ ରେ ଏଠି ବା କେଉଁଠି ଯୋଗ ଦେଇନଥିଲି। ଆଗ୍ରହ ହେଲା।ହଉ ଯିବା ବୋଲି ସମ୍ମତି ଦେଇ ଡାଇରୀରେ ତାରିଖ,ସ୍ଥାନ ଇତ୍ୟାଦି ଟିପି ରଖିଲି।

ନିର୍ଦ୍ଧାରିତ ଦିନ ଓ ସମୟ ରେ କାର୍ଯ୍ୟସ୍ଥଳରେ ପହଂଚି ଦେଖିଲି ଶହ ଶହ ଲୋକ।ଗୋଟେ ବଡ ଖୋଲା ସ୍ଥାନରେ ଟେଣ୍ଟ ମରାହୋଇଛି। ସୁନ୍ଦର ସାଜସଜ୍ଜା ଭିତରେ ଧାଡ଼ି ଧାଡ଼ି ହୋଇ ଲୋକ ବସିବା ପାଇଁ ବ୍ୟବସ୍ଥା ହୋଇଛି। ଆମକୁ ଯେଉଁଠି ପ୍ରଥମେ ବସାଇଥିଲେ ସେଇଠି ଟିକେ ଜଳ ଯୋଗର ବ୍ୟବସ୍ଥା କରାଯାଇଥିଲା।ମୋ ସହ ଆହୁରି ତିନି ଜଣ ସ୍ଥାନୀୟ ଅଧିକାରୀ ଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା। ଏଇଟା ଗୋଟେ ଭଲ ବୁଦ୍ଧି ର କଥା । ଆପଣ ଜଣକୁ ଅତିଥି ଭାବେ ଡାକିଵେ,ଅଥଚ କଣ କାମ ରେ ସେ ଆସି ପାରିଲେ ନାହିଁ,ତ ଆୟୋଜକ ଙ୍କୁ ସମସ୍ୟା ହେବ। କିନ୍ତୁ ୨/୩ ଜଣକୁ ଡାକିଲେ ଅନ୍ତତଃ ଅତିଥି ସମସ୍ୟା ରହେ ନାହିଁ। ପରିଚିତ ହେଲୁ ଅନ୍ୟ ଅତିଥି ମାନଙ୍କ ସହ।ଧିରେ ନରହରି ବାବୁଙ୍କୁ ପଚାରିଲି “କଣ ହୁଏ ଏ କାର୍ଯ୍ୟକ୍ରମ ରେ।”

ସେ କହିଲେ “ସାର୍ ଆମେ ଏଇ ପାଖାପାଖି ର ପ୍ରାୟ ୨୦୦ ସ୍କୁଲ ଓ କଲେଜ ପିଲାଙ୍କୁ ଏକତ୍ରିତ କରିଛୁ। ସେମାନେ ସେମାନଙ୍କ ପିତା ମାତାଙ୍କୁ ପୂଜା କରିବେ। ପିତା ମାତାଙ୍କ ଠାରୁ ଆଶୀର୍ବାଦ ପାଇ ନିଜ ନିଜର ଘରକୁ ଫେରିବେ।ଆମ ପୁରାତନ ମହାନ ସଂସ୍କୃତି ଓ ପରମ୍ପରା କୁ ଉଦ୍ଜିବିତ କରିବା ସହ ଆଜିର ପିଢ଼ି କୁ ବାପ ମା ଙ୍କ ଆଦର୍ଶ ରେ ଅନୁପ୍ରାଣିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ” ବୋଲି ସେ ବୁଝେଇଲେ।ସେ ପୁଣି କହିଲେ “ଆପଣ ମଧ୍ୟ ଆଜି ଗୋଟିଏ ଝିଅ ର ପିତା ଆସନରେ ବସି ଆଶୀର୍ବାଦ ପ୍ରଦାନ କରିବେ। ଝିଅ ଟି ଏଇ ଅଳ୍ପ ଦୂରରେ ରହେ। ବିଚରା ତା ପିତାଙ୍କ      ଦେହାନ୍ତ ହୋଇଯାଇଛି। ବିଧବା ମା ଟି ଆସି ପାରୁନାହିଁ। ତେଣୁ ଆପଣ ତାକୁ ଆଶୀର୍ବାଦ ଦେବେ।”

“ଏମିତି କଥା ? କିଏ ସେ ଝିଅ ଟି !”

ମୋ ଜିଜ୍ଞାସା ରେ ସେ ସାଂଗେ ସାଂଗେ ଝିଅଟିକୁ ଡକେଇଲେ। ପତଳା ହୋଇ,ସାବନା ରଂଗ ର ଝିଅ ଟି ଏ।ବୟସ ଦଶ, ଏଗାର ବର୍ଷ ହେବ। ପାଖକୁ ଆସି ସମସ୍ତ ଙ୍କୁ ପ୍ରଣାମ କଲା।ଧିର ଅଥଚ ସ୍ପଷ୍ଟ ସ୍ୱର ରେ କହିଲା “ତା ନାଁ ନର୍ମଦା।ସେ ପାଖ ସ୍କୁଲରେ ୭ମ ଶ୍ରେଣୀ ର ଛାତ୍ରୀ।”

ପଚାରି ବୁଝିଲି,ଝିଅଟି କ୍ଲାସ ରେ ଫାଷ୍ଟ ହେଉଛି।ଗରୀବ ଘରର ଝିଅ ଟି। ବାପା ୫ ବର୍ଷ ତଳୁ ମରିଗଲା ପରେ ବିଧବା ମା ଟି ଦୁଖେ କଷ୍ଟେ ଚଳେଇ ନେଉଛି ପରିବାର ଟିକୁ।ଘରେ ମା ଓ ନର୍ମଦା ଯୋଡିଏ ଲୋକ। ଝିଅ ଟି ର ହସ ହସ ମୁହଁ ଓ ସ୍ପଷ୍ଟ କଥା ମୋତେ ଭଲ ଲାଗିଲା।ତା ଦେହର ଦୁସ୍ଥ ପୋଷାକ ଟି ଅବଶ୍ୟ ତା ପରିବାର ର ସ୍ଥିତି ଦର୍ଶାଇବାକୁ ଯଥେଷ୍ଟ ଥିଲା ।ତାକୁ ପାଖକୁ ଡାକି ପାଠ ଓ ସାମ୍ପ୍ରତିକ ଘଟଣାବଳି ସଂପର୍କ ରେ କିଛି ପ୍ରଶ୍ନ କଲି। ସୁନ୍ଦର ଭାବରେ ସେ ସବୁ ଗୁଡ଼ିକ ର ଉତ୍ତର ଦେଲା।ପୂଜନ କାର୍ଯ୍ୟ ଆରମ୍ଭ ହେଲା।ମୋ ସମ୍ମୁଖରେ ବସିଥାଏ ନର୍ମଦା। ମଝିରେ ପୂଜା ଥାଳି। ସେଥିରେ ଗୋଟିଏ ନଡ଼ିଆ, ଫୁଲ, ଚନ୍ଦନ, ଦୀପ, ଭୋଗ, ଇତ୍ୟାଦି ରହିଥାଏ।ସେ ମୁହଁ କୁ ତଳକୁ କରି ବସିଥାଏ।ନନା ଙ୍କ ର ମନ୍ତ୍ର ଉଚ୍ଚାରଣ ସହ ଯାହା ନିର୍ଦ୍ଦେଶ ଆସୁଥାଏ ସେହି ପ୍ରକାରେ ଆମେ ସମସ୍ତେ କର୍ମ କରୁଥାଉ।ନନା ଙ୍କ ନିର୍ଦ୍ଦେଶ ଆସିଲା, ପିଲାଙ୍କ ମଥାରେ ହାତ ରଖି ପିତା ମାତା ଆଶୀର୍ବାଦ ପ୍ରଦାନ କରିବେ। ନର୍ମଦା ମସ୍ତକରେ ହାତ ଦେଉ ଦେଉ ମୋ ପିଲା ଦିନ ସ୍ମୃତି ତେଜି ଉଠିଲା।ମୋ ପିଲା ବେଳ ଗରୀବିରେ କଟିଥିଲା। ବାପା,ମୋ ସାନ ବେଳୁ ସେପୁରକୁ ଚାଲିଯାଇଥିଲେ। ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁସ୍ଥ ଥିଲା। ପୁରୁଣା,ଚିରା ପ୍ୟାଣ୍ଟ୍,ସାଟ୍ ପିନ୍ଧି ସ୍କୁଲ ଯିବା କୁ ପଡୁଥିଲା। ଖାଇବା, ପିଇବା ମଧ୍ୟ ଠିକ୍ ନ ଥିଲା। ମୁଁ ଆମ ପରିବାର ର ଅବସ୍ଥିତି କୁ ମର୍ମେ ମର୍ମେ ଅନୁଭବ କରୁଥିଲି।ଏପରିକି କିଛି ଧନୀକ ଶ୍ରେଣୀ ର ପିଲାଙ୍କ ପୁରୁଣା ପୋଷାକ ମା ଆଣି ଆମକୁ ପିନ୍ଧିବାକୁ ଦେଉଥିଲା। ଟିକେ ଟାଇଟ ହେଲେ ତ ଚଳିଯାଉଥିଲା, କିନ୍ତୁ ଢିଲା ଡ୍ରେସ୍ ରେ ଚିରା ଲୁଗା ର ଗୋଟେ ଗୋଟେ ଧଡି ବାନ୍ଧି ଆମେ ବ୍ୟବହାର କରୁଥିଲୁ। ଆଜି ର ବେଲ୍ଟ ସେଇ ଡୋରର ରୂପାନ୍ତରିତ ଅବତାର ବୋଲି ମୁଁ ଭାବେ। ଆଜି କାଲି ର ଚିରା,ଫଟା ପ୍ୟାଣ୍ଟ୍,ସାଟ୍ ର ଦାମ ଅଧିକ ଓ ତାହା ଅଧିକ ଫେସନଯୁକ୍ତ। କିନ୍ତୁ ପିଲାବେଳେ ସେଗୁଡିକ ଦୁଃସ୍ଥିତି କୁ ଚିହ୍ନଉ ଥିଲା।ମନେ ଅଛି ଦିନେ ଜଣେ ଶିକ୍ଷା ଅଧିକାରୀ ଆମ ସ୍କୁଲ ପରିଦର୍ଶନ ରେ ଆସିଥିଲେ।ଆମ କ୍ଲାସ କୁ ଆସି କେତେ ଗୁଡିଏ ପ୍ରଶ୍ନ ପଚାରିଥିଲେ।ସେ ପଚାରିଥିବା ପ୍ରଶ୍ନର ସର୍ବାଧିକ ସଠିକ୍ ଉତ୍ତର ଦେଇଥିଲି ମୁଁ।ସେ ଆଗ୍ରହ ରେ ପାଖକୁ ଡାକିଲେ। ମୁଁ ଗଲି ତାଙ୍କ ନିକଟକୁ, ଭାବିଲି ସବୁ ର ଉତ୍ତର ଠିକ୍ ଦେଇଥିବାରୁ ସେ ବୋଧହୁଏ ସମସ୍ତ ଙ୍କ ସାମ୍ନାରେ ମୋତେ ସାବାସୀ ଦେବେ ବୋଲି। ହେଲେ ଦୂର ପାହାଡ଼ ସୁନ୍ଦର କିନ୍ତୁ ପାଖକୁ ଗଲେ ରୁକ୍ଷତା ଜଣାଗଲା ଭଳି ସେ ମୋର ମଇଳା ଫଟା ପୋଷାକ ଦେଖି କହିଲେ “ପରିଦର୍ଶକ ଆସିବେ ବୋଲି ତୁ ଜାଣିଥିଲୁ ?” ମୁଁ ହଁ କଲାରୁ କହିଲେ “ଭଲ ପୋଷାକ ଟିଏ ନ ପିନ୍ଧି କଣ ବାହାବା ନବାକୁ ଚିରା ଫଟା ପିନ୍ଧି ଆସିଛୁ ।” ୭ ମ ଶ୍ରେଣୀ ର ପିଲାଟି କି ଉତ୍ତର ବା ଦେଇଥାନ୍ତା।ଆଖିରୁ ଲୁହ ଝରାଇ ମୁହଁ କୁ ତଳକୁ ପୋତି ଠିଆ ହେଲି। ଶିକ୍ଷକ ଙ୍କୁ ନିର୍ଦ୍ଦେଶ ଦେଲେ ଭଲ, ସଫା ପୋଷାକ ପତ୍ର ଯିଏ ନ ପିନ୍ଧି ଥିବ ତାକୁ ଶ୍ରେଣୀ ମନା।ମଇଳା ତ ରୋଗକୁ ଆମନ୍ତ୍ରଣ କରେ।ତା ଛଡା ସ୍କୁଲର ଦୟନୀୟ ଅବସ୍ଥାକୁ ପଦାରେ ଦେଖେଇ ସମ୍ମାନ କମାଏ। ଶିକ୍ଷକ ଙ୍କ ଆଦେଶରେ ମୁଁ ସେଦିନ ଘରକୁ ବାହୁଡ଼ି ଆସିଥିଲି। ବହୁ କଷ୍ଟରେ ମା ଧାର ଉଧାର କରି ଗୋଟେ ପ୍ୟାଣ୍ଟ୍ ସାଟ୍ କିଣିବା ପରେ ମୁଁ ସ୍କୁଲ ଫେରିଥିଲି। ସଂଘର୍ଷ ର ସେହି କାହାଣୀ ନର୍ମଦା ର ମସ୍ତକ ଛୁଉଁ ଛୁଉଁ ଜୀବନ୍ତ ହୋଇଉଠିଲା ଯେମିତି। ଆଜି ମୁଁ ଚାକିରୀ କରିଛି। ଭଲରେ ଚଳୁଛି, ତେବେ ସେଦିନ ର କଥା ଏବେବି ସତେଜ। ନର୍ମଦା କୁ ଭଲ କରି ଲକ୍ଷ୍ୟ କଲି। ଜୀବନ ଯୁଦ୍ଧର ଗୋଟେ ସାଧାରଣ ସୈନିକ ଭଳି ମା ସେନାପତି ପଛରେ ହୁଏତ ସେ ଧାଉଁଥିବ।ମା କୁ ତା ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବ ସାହାଯ୍ୟ କରିବାକୁ। ଯେମିତି ମୁଁ କରୁଥିଲି। ଭଗବାନ ଦୁଃଖି ମାନଙ୍କୁ ହୁଏତ ଏଇଥି ପାଇଁ ଜନ୍ମ ଦିଅନ୍ତି ଯେ ଇଏ କେତେ ଦୁଃଖ ସହୁଛି ପରୀକ୍ଷା କରିବାକୁ। ହୁଏତ କିଏ ସଫଳ ହୁଏ ଅଥବା ହଜିଯାଏ ହାରିଯାଇ। ଅଜାଣତରେ ମୋ ଆଖି ଓଦା ହୋଇ ଯାଉଥିଲା। ପିଲାଟି ର ମା ହୁଏତ ଯାଇଥିବ କାହାର ପାଇଟି କରି ! ମୂଲ ଯାହା ଆଣିବ ଫୁଟେଇଲେ ମା, ଝିଅ ଖାଇବେ।ଯେବେ ରୋଗ ବଇରାଗ ରେ ମା ପଡୁଥିବ ତ ଦୁହେଁ ଖାଡା ଉପାସ।ତା ମଥାରେ ହାତ ଥୋଇ ଇଶ୍ୱର ଙ୍କୁ ପ୍ରାର୍ଥନା କଲି ଏଇ ପିଲା ଟିକୁ ଗୋଟିଏ ଶ୍ରେଷ୍ଠ ମଣିଷ ଟିଏ ଗଢି ତୋଳ ପ୍ରଭୁ। ତା’ର ଯେମିତି  କୌଣସି ଅଭାବ, ଅସୁବିଧା ନ ରହୁ। ତାକୁ ସବୁବେଳେ ଖୁସି ଓ ଶାନ୍ତି ମିଳୁଥାଉ। ଆଶୀର୍ବାଦ ପର୍ବ ପରେ ପିଲା ମାନେ ପିତା ମାତା ଙ୍କୁ ପ୍ରଣାମ କଲେ। ନର୍ମଦା ଏକ ସଂସ୍କାରୀ ପିଲା ଟିଏ।ସେ ସାଷ୍ଟାଂଗ ପ୍ରଣିପାତ କଲା।ମୋ ଆଖି ଓଦା ହୋଇଗଲା ତା ଭକ୍ତି ଓ ନିଷ୍ଠାରେ।

ୟା ମଧ୍ୟ ରେ ଡ୍ରାଇଭର କୁ ସ୍ଥାନୀୟ ମାର୍କେଟ କୁ ପଠାଇ ନର୍ମଦା ପାଇଁ ଡ୍ରେସ କେତୋଟି ମଗେଇଥିଲି।ତା ହାତକୁ ତାକୁ ବଢେଇବା ବେଳେ ସେ ଅନିଚ୍ଛୁକ ହେଉଥିଲା ନେବାକୁ। ତାକୁ କୋଳେଇ ନେଇ କହିଲି “ଯଦି ତୋ ନିଜ ବାପା ଏଇଟା ଦେଇଥାନ୍ତେ ତୁ କ’ଣ ମନା କରିଥାଆନ୍ତୁ ? ସେ ମୋତେ କୁଣ୍ଢେଇ ପକାଇଲା।ତା ଆଖି ରୁ ଝରଝର ହୋଇ ଲୁହ ବୋହିବାକୁ ଲାଗିଲା।ମତେ କହିଲା

“ମୋ ବୁଝିବା ବୟସ ଆଗରୁ ବାପା ଚାଲିଯାଇଥିଲେ। ବାପା ର ସ୍ନେହ, ମମତା, ଭଲପାଇବା,ଆଦର ମୁଁ କିଛି ଜାଣିନି। ଅନ୍ୟ ପିଲା ମାନେ ଯେତେବେଳେ ତାଙ୍କ ବାପା ଙ୍କ ସାଂଗେ ବୁଲନ୍ତି, ମୁଁ ତାକୁ ଲୋଭିଲା ଆଖିରେ ଚାହେଁ। ଭାବେ ମୋ ବାପା ଥିଲେ ଏମିତି ମୋତେ ବୁଲେଇ ନେଇ ଥାନ୍ତେ।ମା କୁ ବାପାଙ୍କ କଥା ପଚାରିଲେ ସେ ଏତେ କାନ୍ଦେ ଯେ ତାକୁ ମୁଁ ବୁଝେଇ ବୁଝେଇ ନାକେଦମ ହୋଇପଡେ। ବାପା ମୁହଁ ମୁଁ ମନେ ରଖିନି। ତାଙ୍କୁ କେବେ ସପନରେ ବି ଦେଖିନି।ଏବେ ତ ଅଭାବ ଅନାଟନ ଭିତରେ ପେଟ ଚାଖଣ୍ଡକ ପାଇଁ ଆମକୁ ଏତେ କଷ୍ଟ କରିବାକୁ ପଡୁଛି ଯେ ବାପାଙ୍କ କଥା ଭାବିବାକୁ ସମୟ ବି ନାହିଁ।”

“କଣ କରନ୍ତି ତୁମ ମା।”

“ଆମର ଗୁଡିଆ ଘର ମା ମୁଢ଼ି, ଚୁଡ଼ା ଭାଜି ବିକ୍ରି ବଟା କରନ୍ତି। ମୁଁ ବି ସ୍କୁଲ ରୁ ଗଲେ ବିକ୍ରି କରେ। ମୁଁ ବସିଲେ ମା ଘର କାମ କରେ।”

“ତୁ ପଢୁ କେତେବେଳେ?”

“ଆଜ୍ଞା ବହି ଖାତା ସାଂଗ ରେ ନେଇଥାଏ।ଗ୍ରାହକ ନ ଥିଲା ବେଳେ ପଢେ। ପୁଣି ରାତିରେ ମା କାମ ବାଧାରେ ଶୋଇ ପଡ଼ିଲା ପରେ ମୁଁ ପଢି ଶୁଏ।”

ମୋ ଆଖି ଲୁହ କୁ ନିୟନ୍ତ୍ରଣ କରି ତା ମୁଣ୍ଡ କୁ ଆଉଁସି ଦେଲି।

“ମନ ଲଗେଇ ପଢ ମା।ଏଇ ତୋ ଭାଗ୍ୟ ପରିବର୍ତ୍ତନ ର ପ୍ରକୃତ ସାରଥୀ।ମା ରେ ତୋ ପାଖରେ ସାଧନ ନାହିଁ ସତ ହେଲେ ଯେଉଁ ସାଧନା ରହିଛି ସେଇ ହେବ ତୋର ଶ୍ରେଷ୍ଠ ପରିଚୟ।”

ତା ହାତକୁ ପୋଷାକ ସହ ହଜାରେ ଟଙ୍କା ବଢ଼େଇ ଦେଲି। କହିଲି “ଯେତେ ବେଳେ ଯାହା ଦରକାର ନରହରି ବାବୁ ଙ୍କ ମାଧ୍ୟମରେ ମତେ ଜଣେଇବୁ।”

ସେ ଅରାଜି ହେଉଥିଲା ଟଙ୍କା ନେବାକୁ। ନରହରି ବାବୁ କହିଲେ “ନେ’ରେ,ଝିଅ ବାପା ର ଦାନକୁ ଅସ୍ୱୀକାର କରିବା ଭଲ ନୁହେଁ।”

ସେ କୁଣ୍ଠିତ ଭାବେ ନେଲା। ତାଙ୍କ ଘରକୁ ଯିବା କୁ ଡାକୁଥିଲା। କିନ୍ତୁ ଏମିତି ତ ଡେରି ହୋଇଥିଲା ତା ସହ ମୋ ଅଫିସ କାମ ପାଇଁ ଆଉ କେବେ ଆସିବି ର ପ୍ରତିଶୃତି ଦେଇ ମୁଁ ସେଦିନ ଫେରି ଆସିଥିଲି।ତା କଥା ମନରେ ଘାଣ୍ଟି ହେଉଥିଲା। ତେବେ ସେହି କାର୍ଯ୍ୟ କ୍ରମ ର କିଛି ଦିନ ପରେ ମୋର ବଦଳି ହେଲା।ତା ସହ ନରହରି ବାବୁ ଙ୍କ ଦେହ ଖରାପ ଯୋଗୁଁ ସେ ପ୍ରାୟ ଆଉ ଦେଖା ହେଉ ନ ଥିଲେ। ଅନେକ ଥର ନର୍ମଦା ର କଥା ସେତେବେଳେ ମନେ ପଡୁଥାଏ। ତେବେ ନୂଆ ଯାଗାରେ,କାମ ଚାପରେ ଆସ୍ତେ ଆସ୍ତେ ନର୍ମଦା ଝିଅ ଟି କୋଉଠି ସ୍ମୃତି ରେ ହଜିଗଲା ! ସେ ଯାଗା ରୁ ଆହୁରି ଅନେକ ବଦଳି ପରେ ଭୁବନେଶ୍ୱର ରେ ଉପ-ନିର୍ଦ୍ଦେଶକ ପଦବୀରୁ ଅବସର।ମୋଟ ଉପରେ କହିଲେ ତାଙ୍କ ଜିଲ୍ଲା ଛାଡି ଆସିବା ପରେ ମୁଁ ତା ସଂପର୍କରେ ଖବର ରଖି ନ ଥିଲି। କାମ ର ଚାପ ରେ ସବୁ ଭୁଲି ଯାଇଥିଲି। ପାଖରେ ବସେଇ ଶ୍ରଦ୍ଧାରେ ତା ମୁଣ୍ଡ କୁ ଆଉଁସି ଦେଇ କହିଲି

“ବୁଝିଲ କୁନ୍ତଳା ଏ ମୋର ଧର୍ମର ଝିଅ ଟିଏ।ତମର ମନେ ଅଛି ନା ଆମେ ୟାଙ୍କ ଜିଲ୍ଲା ରେ ଥିବା ବେଳେ ମୁଁ ଗୋଟେ ଫଙ୍କସନରୁ ଫେରି ଏ ଝିଅ ସଂପର୍କରେ କହିଥିଲି। ବାପା ଆସନରେ ବସାଇ ଏ ମୋତେ ସେଦିନ ପୂଜା କରିଥିଲା।”

କୁନ୍ତଳା ମନେ ପକାଇଲେ ଆଉ ସ୍ମରଣ କୁ ଆସିଲା କି କଣ ଝିଅଟି ପାଖକୁ ଆସି ଆଦର କଲେ। ମୁଁ ପଚାରିଲି

“ଆରେ ମା ଏତେ ଦିନ ପରେ କେମିତି ମନେ ପଡ଼ିଲା ଆମ କଥା ! ହଁ ଏଇଟା ସତରେ ମା ମୁଁ ବି ଭୁଲ କରିଛି,ଅନ୍ୟାୟ କରିଛି,ତୋ ଖବର ନ ରଖି।”

ତା ମା ଉତ୍ତର ଦେଲା।

“ଝିଅ ର ବାହାଘର। ସେଇଥି ପାଇଁ ଖୋଜି ଖୋଜି ଆପଣଙ୍କ ପାଖକୁ ଆସିଛୁ।”

ମୁଁ ଭାବିଲି ନିଶ୍ଚୟ କିଛି ପଇସା ଉଦ୍ଦେଶ୍ୟରେ ଏମାନେ ଆସିଛନ୍ତି। ଝିଅ ଟି ମୋ ମନର କଥା ବୁଝିଲା କି କଣ କହିଲା

“ବାପା। ଆପଣଙ୍କ ସାହାଯ୍ୟ ପାଇ ଆମେ ଆଜି ଏଇଠି ପହଂଚିଛୁ। ଆପଣ ଦେଇଥିବା ହଜାର ଟଙ୍କା ଆମ ଭାଗ୍ୟ ବଦଳେଇ ଦେଇଛି। ସେଇ ଟଙ୍କା ରେ ଆମେ ମୁଢ଼ି ବେପାର କୁ ଆଗକୁ ନେଲୁ।ମା ଗୋଟେ,ଦିଟା ଲୋକ ରଖି ବେପାର ବଢ଼ାଇଲା। ଆପଣଙ୍କ ଆଶୀର୍ବାଦ ରୁ ମୁଁ ଭଲ ପଢି ଗୋଟେ କଲେଜରେ ୟୁଜିସି ସ୍କେଲର ଅଧ୍ୟାପିକା ଅଛି। ସେହି କଲେଜର ଜଣେ ଅଧ୍ୟାପକ ଙ୍କ ସହ ମା ର ଇଛା ରେ ବାହାଘର। ଆପଣମାନେ କେବଳ କନ୍ୟାଦାନ କରିବେ।ମୋ ମା ର ଇଛା ଏହା। ଆପଣ ଯିବେ ନା ବାପା,ଯିବେନା ମା ?”

ତା ଆଖି ର ଲୁହ କୁ ପୋଛି କୁନ୍ତଳା କହିଲେ

“ଯିବୁରେ ମା । କୌଣସି ଝିଅ ର ବାହାଘରରେ କଣ ବାପା ମା ଅନୁପସ୍ଥିତି ରହିପାରିବେ।”

କୁନ୍ତଳା ଙ୍କ ଦୁଃଖ ମୁଁ ବୁଝୁଥିଲି।ଗୀତା ବିଦେଶରେ ପଢିଲା ବେଳେ ଭଲ ପାଇ ଗୋଟେ ଖ୍ରୀଷ୍ଟିଆନ ପିଲାଟିକୁ ତାଙ୍କ ରୀତି ନୀତି ଅନୁସାରେ ବିବାହ କରିଥିବାରୁ କନ୍ୟା ଦାନ ର ଅବଶୋଷ ଟା ରହିଯାଇଥିଲା। ତେଣୁ ନର୍ମଦା କଥା ରେ ସେ ରାଜି ‌ହୋଇଗଲେ।

ବାହାଘର ର ଆଠଦିନ ଆଗରୁ ଆମେ ଗଲୁ। ବାସ୍ତବ ରେ ନର୍ମଦା ର ବୁଦ୍ଧିମତା କୁ ପ୍ରଶଂସା ନ କରି ରହିପାରିଲିନି। ସୁନ୍ଦର ଭାବେ ଘର ଦ୍ବାର କରିଛି।ସାଇ ପଡ଼ିଶା ରେ ସମସ୍ତ ଙ୍କ ସ୍ନେହ ତା ପ୍ରତି। ଆମେ ଆମ ଝିଅଙ୍କୁ ଯେମିତି ବାହା ଦେଇଥାନ୍ତୁ ଅନୁରୂପ ଭାବେ କୁନ୍ତଳା ସେୟା କଲେ। ଜ୍ୱାଇଁ ଟି ବି ବେଶ ଭଲ ଲାଗିଲା। ଭୋଜିଭାତ, ସାଜସଜ୍ଜା, ଦିଆନିଆ କେଉଁଥିରେ ବି କମ୍ ନ ଥିଲା। ଝିଅ ବିଦା ବେଳେ ମୋତେ ଓ କୁନ୍ତଳା କୁ ଧରି ଖୁବ୍ କାନ୍ଦିଲା ନର୍ମଦା। ତା ବରକୁ ମୁଣ୍ଡିଆ ମାରିବା ପାଇଁ କହି ଚିହ୍ନେଇଲା

“ଜାଣିଛ ! ଇଏ ଆମ ଘରର ଦେବତା। ପିଲା ବେଳେ ମୋ ମୁଣ୍ଡକୁ ଛୁଇଁ ଆଶୀର୍ବାଦ ଦେଇଥିଲେ ବୋଲି ଆଜି ଆମେ ଏଇଠି ପହଂଚିଛୁ। ତାଙ୍କ ଆଶୀର୍ବାଦ ରେ ଆମ ଜୀବନ ଧନ୍ୟ ହୋଇଯିବ।”

ଝିଅ ବିଦା ର ପ୍ରକୃତ କୋହରେ ମୋ ଛାତି ଫାଟି ପଡୁଥିବା ଭଳି ଲାଗିଲା। ମୋତେ ଓ କୁନ୍ତଳା କୁ ଲାଗୁଥିଲା ଯେମିତି ଏ ଝିଅଟି ଆମର କୋଉଠି ହଜିଯାଇଥିଲା ଏଇ ମାତ୍ର ମିଳିଛି !!

ସନ୍ତୋଷ କୁମାର ସେଠୀ

ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

ଯାଜପୁର।

Leave a Reply

Your email address will not be published. Required fields are marked *

You cannot copy content of this page