ଅଟଳ ହତ୍ୟାକାଣ୍ଡ ମାମଲା, ଏସ୍‌ଡିଜେଏମ୍ କୋର୍ଟରେ ସାକ୍ଷୀଙ୍କ ବୟାନ ରେକର୍ଡ।

0

ଦଶରଥପୁର (ସଂକେତ ଖବର ) ବହୁ ଚର୍ଚ୍ଚିତ ମଙ୍ଗଳପୁର ଥାନା ଇସ୍‌ମାଇଲ୍‌ପୁର ଗ୍ରାମର ସୁବାସ କୁଅଁର ଓରଫ୍ ଅଟଳଙ୍କୁ ତାଙ୍କ ପତ୍ନୀ ମମତା କୁଅଁର ନିଜେ ହତ୍ୟାକରିଥିବା ସ୍ୱୀକାର କରିଛନ୍ତି । ଅଟଳ ପତ୍ନୀ ମମତାଙ୍କୁ ଶରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାରୁ ତାଙ୍କୁ ହତ୍ୟାକରିଥିବା ମମତା ସ୍ୱୀକାର କରିବା ପରେ ପୁଲିସ୍ ଥାନା କେସ୍ ନଂ. ୩୬୫/୨୧ ଓ ଭାରତୀୟ ଦଣ୍ଡସଂହିତା ଧାରା ୩୦୨ରେ ଜେଲ ପଠାଇଛି । ଅନ୍ୟ ପକ୍ଷରେ ପୋଲିସ୍ ତଦନ୍ତ ଉପରେ ମୃତ ଅଟଳଙ୍କ ଭାଇ ରଞ୍ଜନ କୁଅଁର ପ୍ରଶ୍ନ ଉଠାଇବା ସହ ପୁଲିସ୍ ତଦନ୍ତ ଦିଗହରା ବୋଲି ଅଭିଯୋଗ କରିଛନ୍ତି । ଏପରିକି ଚଳିତ ମାସ ୨୪ ତାରିଖ ଶନିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ମାରକପତ୍ର ପ୍ରଦାନକରି ପତ୍ନୀ ମମତାଙ୍କ ପଲିଗ୍ରାଫ୍ ଓ ନାର୍କୋ ଆନାଲିସ୍ ପରୀକ୍ଷା ପାଇଁ ଦାବି କରିବା ସହିତ ଘଟଣାର ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି । ସେହିପରି ମୃତ ଅଟଳଙ୍କର ଏକମାତ୍ର ପୁଅ ଓମ୍ ପ୍ରକାଶ ତାଙ୍କ ବାପାଙ୍କୁ ମାଆ ମମତା ହତ୍ୟା କରିନାହାନ୍ତି ବୋଲି ଦୃଢ଼ତାର ସହିତ ପ୍ରକାଶ କରିବା ସହିତ ଦୁଇ ଜଳ ସନ୍ଦିଗ୍ଧ ବ୍ୟକ୍ତି ତାଙ୍କ ମାଆଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ବେଳେ ଉକ୍ତ ଯୋଜନାରେ ବାଧା ଉପୁଜାଇବାରୁ ବାପା ଅଟଳଙ୍କୁ ହତ୍ୟାକରିଥିବା ନିଜେ ବୟାନ ଦେଇଛନ୍ତି । ହତ୍ୟାକାଣ୍ଡକୁ ନେଇ ତଦନ୍ତକାରୀ ମଙ୍ଗଳପୁର ପୁଲିସ୍ ମୃତ ଅଟଳ ଓ ତାଙ୍କ ପତ୍ନୀ ରହୁଥିବା ଭଡାଘରର ଅନ୍ୟ ଏକ କୋଠରୀରେ ରହୁଥିବା ଶାଳୀ ସଂଯୁକ୍ତା ବିଶ୍ୱାଳ ଓ ଶାଶୁ ଅରୁଣୀ ରାଉତଙ୍କୁ ଘଟଣାକୁ ନେଇ ପଚରାଉଚରା କରିସାରିଥିବା ବେଳେ ତଦନ୍ତ ସରିନାହିଁ ବୋଲି ସୂଚନା ଦେବା ସହ ଅଟଳଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସମେତ ଘଟଣାସ୍ଥଳରୁ ପୁଲିସ୍ ଜବଦ୍ କରିଥିବା ମୋବାଇଲ୍ ଓ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଜବଦ୍ ବେଡ୍‌ସିଟ୍‌, ତକିଆ, ସୁନା ଅଳଙ୍କାର, ମୋବାଲ୍ ଚର୍ଚ୍ଚର ତାର, ଭଙ୍ଗା ଚୁଡି ଇତ୍ୟାଦିର ରିପୋର୍ଟ ଆସିବା ପରେ ସ୍ଥିତି ଅଧିକ ସ୍ପଷ୍ଟ ହୋବ ବୋଲି ପୁଲିସ୍ ସୂଚନା ରଖିଛି । ଅପରପକ୍ଷେ ସୋମବାର ମଙ୍ଗଳପୁର ପୁଲିସ୍ ପକ୍ଷରୁ ଏସ୍‌ଆଇ ତଦନ୍ତକାରୀ ଅଧିକାରିଣୀ କବିତା ନାୟକ ଅଟଳଙ୍କ ଶାଳୀ ସଂଯୁକ୍ତା ବିଶ୍ୱାଳ ଓ ଶାଶୁ ଅରୁଣୀ ରାଉତଙ୍କ ସମେତ ଉକ୍ତ ଭଡାଘରର ଉପର ମହଲାରେ ରହୁଥିବା ଉକ୍ତ ଥାନା ଅନ୍ତର୍ଗତ ନିଜାମପୁର ଅଞ୍ଚଳର ଅପୂର୍ବ ରଞ୍ଜନ ବାରିକ ନାମକ ଜଣେ ଯୁବକଙ୍କୁ ସାଙ୍ଗରେ ଧରି ଯାଜପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଇ ଧାରା ୧୬୪ରେ ହତ୍ୟାକାଣ୍ଡର ଘଟଣାବଳୀ ବିଷୟରେ ବୟାନ ରେକର୍ଡ କରାଇଛନ୍ତି । ସେପଟେ ହତ୍ୟା ଘଟଣାରେ ପୁଲିସ୍ ଜଣେ ମହିଳା ଓ ଦୁଇ ସ୍ଥାନୀୟ ଯୁବକଙ୍କୁ ସ୍କାନରରେ ରଖିଥିବା ଶୁଣିବାକୁ ମିଳିଛି । ଏହି ମହିଳା ଓ ଏହି ଦୁଇ ଯୁବକ ହତ୍ୟାଘଟଣାର ଏକମାତ୍ର ଅଭିଯୁକ୍ତ ମମତା କୁଅଁରଙ୍କ ସହିତ ଘନିଷ୍ଠ ଥିବାବେଳେ ଘଟଣା ଘଟିବାର ଅଳ୍ପ କିଛିଦିନ ପୂର୍ବରୁ ମିଳିମିଶି ଜିଲ୍ଲା ବାହାରକୁ ଯାଇ ଏକତ୍ର ଫେରିଥିଲେ ବୋଲି ସବୁଠି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

You cannot copy content of this page