କର୍ପୋରେଟ୍ ଷ୍ଟାଇଲରେ ନିର୍ମାଣ ହେବ ସୁକିନ୍ଦା ମେଡିକାଲ, ନିଯୁକ୍ତି ହେବେ ୪ ବିଶେଷଜ୍ଞ ଡାକ୍ତର;

0

ସୁକିନ୍ଦା(ସଂକେତ ଖବର)

ଡିଏମଏଫରୁ ହେବ ଖର୍ଚ୍ଚ ହେବ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଭିତ୍ତିଭୂମି। ରୋଗୀ ସେବାରେ ଉନ୍ନତି ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ୪ମହଲାର ନୂତନ କୋଠା ନିର୍ମାଣ ସହ ୪ଜଣ ବିଶେଷଜ୍ଞ ଡାକ୍ତର ନିଜୁକ୍ତି କରାଯିବ। ରୋଗୀ ସେବାର ପ୍ରମୁଖ ଅଂଗ ଆଶା ଦିଦିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି।ଏଥିପାଇଁ ଆଜି ସୁକିନ୍ଦା ସିଏଚସିରେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ଓ ସିଡିଏମଓଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଛି ଯେ ତଳମହଲା ସମେତ ଉପର ୩ଟି ମହଲା ନିର୍ମାଣ ହେବ।
ଘରୋଇ ହସ୍ପିଟାଲ ଭଳି ତଳ ମହଲାରେ କାଜୁଆଲଟି ଏବଂ ରୋଗୀ ପ୍ରତ୍ୟାକ୍ଷଳୟ ନିର୍ମାଣ ହେବ। ପ୍ରଥମ ମହଲାରେ ଓପିଡି ଏବଂ ଡାକ୍ତରମାନଙ୍କ ପାଇଁ ସ୍ୱତନ୍ତ୍ର ଚ୍ୟାମ୍ବର ରହିବ। ଏହାସହ ସ୍ତ୍ରୀ ଓ ପ୍ରସୂତି ବିଭାଗ ରହିବ। ଦ୍ୱିତୀୟ ମହଲାରେ ଓ୍ୱାର୍ଡ ନିର୍ମାଣ କରି ରୋଗୀଙ୍କ ଲାଗି ବେଡ୍ ବ୍ୟବସ୍ଥା କରାଯିବ। ଉପର ମହଲାରେ ଆଇସିୟୁ ସହ ଓଟି କାର୍ଯ୍ୟ କରିବ। ମେଡିକାଲ୍ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ରାସ୍ତା ଓ ଗୃହ ନର୍ମାଣ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି। ଜିଲ୍ଲା ଖଣିଜ ନ୍ୟାସ୍(ଡିଏମଏଫ୍) ପାଣ୍ଠିରେ ନିର୍ମାଣ ହେବାକୁ ଥିବା ସୁକିନ୍ଦା ମେଡିକାଲ୍ କୋଠା ସହ ଷ୍ଟାଫ୍ କ୍ୱାଟର୍ସ ଓ ପାର୍କ ମଧ୍ୟ ନିର୍ମାଣ ହେବ।
ବର୍ତ୍ତମାନ ସୁକିନ୍ଦା ସିଏଚସିରେ ୫ଜଣ ଡାକ୍ତର ଅଛନ୍ତି। ଆଗାମୀ ଦିନରେ ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁ ରୋଗ, ଭେଷଜ ଏବଂ ଅସ୍ଥି ଶଲ୍ୟ ବିଶେଷଜ୍ଞ ନିଜୁକ୍ତି କରାଯିବ। ନିଜୁକ୍ତି ପାଇବାକୁ ଥିବା ୪ ବିଶେଷଜ୍ଞ ଡାକ୍ତରଙ୍କ ଦରମା ଡିଏମଏଫ୍ ପାଣ୍ଠିରୁ ପ୍ରଦାନ ହେବ।ବର୍ତ୍ତମାନ କାର୍ଯ୍ୟରତ ଡାକ୍ତରଙ୍କ ମଧ୍ୟରୁ ୨ଜଣଙ୍କୁ ଡିଏମଏଫ୍ ପାଣ୍ଠିରୁ ଦରମା ପ୍ରଦାନ ହେଉଛି। ସେହିଭଳି ସୁକିନ୍ଦା ସିଏଚସି ଅଧିନରେ ଥିବା କୁହିକା, ହାତୀବାରୀ, ଅତ୍ତା ଏବଂ ଡୁବୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିର ବିକାଶ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଗାଁ ଗାଁରେ ସ୍ୱାସ୍ଥ୍ୟସେବା ପହଞ୍ଚାଉଥିବା ଆଶା ଦିଦିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଖୁବଶୀଘ୍ର ୧୫ଜଣ ନୂଆ ଆଶା ଦିଦିଙ୍କୁ ନିଜୁକ୍ତି କରିବା ଲାଗି ଏହି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଡାକ୍ତରଙ୍କ ସୁରକ୍ଷା ସହ ମେଡିକାଲ ପରିସରରେ ଗଣ୍ଡଗୋଳ କରୁଥିବା ଅସମାଜିକ ତତ୍ତ୍ୱଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ସେହିଭଳି ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ବିଲ୍ଡିଂ ଓ ଷ୍ଟାଫ୍ କ୍ୱାଟର୍ସ ନିର୍ମାଣ ହେବ। ହସ୍ପିଟାଲ ପରିସରକୁ ଯେପରି ଗାଇମାନେ ପ୍ରବେଶ ନକରି ପାରିବେ ତାର ମଧ୍ୟ ବ୍ୟବସ୍ଥା ହେବ। ସୁକିନ୍ଦା ଭଳି ଦାନଗଦିରେ ଆହୁରି ୫ଜଣ ଆଶା ଦିଦିଙ୍କୁ ନିଜୁକ୍ତି କରାଯିବ।ସୁକିନ୍ଦା ସିଏଚସିର ବୈଠକ ପରେ ବିଧାୟକ ଘଡ଼ାଇ ଦାନଗଦି ମେଡିକାଲ ଆସିଥିଲେ। ଦାନଗଦି ସିଏଚସିରେ କାମ କରୁଥିବା ସ୍ୱାସ୍ଥ୍ୟ ଓ ସଫେଇ କର୍ମଚାରୀଙ୍କ ଦରମା ସମସ୍ୟା ଦୂର କରିଛନ୍ତି। ୩ଜଣ ମହିଳା କର୍ମଚାରୀଙ୍କ ସମେତ ୫ଜଣଙ୍କୁ ବକେୟା ଦରମା ପ୍ରଦାନ ହୋଇଛି। ୨୦୧୫ ଅଗଷ୍ଟ ମାସର ଚୁକ୍ତି ମୁତାବକ ମେସ୍କା ଗ୍ରୁପ୍ ଦରମା ପ୍ରଦାନରେ ଖିଲାପ କରିବାରୁ,ରୋଗୀ ସେବାରେ ସମର୍ପିତ ସେହି ୫ଜଣଙ୍କୁ ପୁନଃ ନିଜୁକ୍ତି କରାଯାଇଛି। ଏଣିକି ସେହି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଡିଏମଏଫ୍ ପାଣ୍ଠିରୁ ଦରମା ପ୍ରଦାନ ହେବ।

Leave a Reply

Your email address will not be published. Required fields are marked *

You cannot copy content of this page