ଖୋଲିବ ନିଳାଚଳ ଇସ୍ପାତ: ରଜ ଆଗରୁ କର୍ମଚାରୀଙ୍କୁ ମିଳିବ ମାସକର ଦରମା

0

କଳିଙ୍ଗନଗର(ସଙ୍କେତ ଖବର)

କର୍ମଚାରୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାରୀ ଉଦ୍ୟୋଗ ନିଳାଚଳ ଇସ୍ପାତ ନିଗମର କର୍ତ୍ତୃପକ୍ଷ। ୪ମାସ ଦରମା ନଦେଇ,ଏକପାଖିଆ ଭାବେ କାରଖାନା ବନ୍ଦ ରଖିଥିବା ନିଳାଚଳର ପରିଚାଳନ ଅଧିକାରୀ ଗୋଟିଏ ମାସର ଦରମା ଦେବାକୁ ରାଜି ହୋଇଛନ୍ତି। ଆସନ୍ତା ୧୪ ତାରିଖରେ ଉପକୂଳ ଓଡ଼ିଶାର ଗଣପର୍ବ ରଜ ଉତ୍ସବ। ତେଣୁ ସମସ୍ତ କର୍ମଚାରୀଙ୍କୁ ଚଳିତ ମାସ ୧୨ତାରିଖ ସୁଦ୍ଧା ଦରମା ପ୍ରଦାନ କରିବାକୁ ନିଳାଚଳ ଇସ୍ପାତର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଳାଚଳରେ କର୍ମଚାରୀ ଓ ଶ୍ରମିକ ଅଶାନ୍ତି ଲାଗି ରହିଥିଲା।ସେହି ଅଚଳାବସ୍ଥାକୁ ଦୂର କରିବାକୁ ଆଜି(ମଙ୍ଗଳବାର) ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଉପସ୍ଥିତିରେ ନିଳାଚଳ ଇସ୍ପାତର ମାନବ ସମ୍ବଳ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ପୃଷ୍ଟି ଗୋଟିଏ ମାସର ଦରମା ପ୍ରଦାନ ନେଇ ସମ୍ମତି ପ୍ରଦାନ କରିଛନ୍ତି।
ପୂର୍ବ ନିଷ୍ପତ୍ତି ଅନୁଯାୟୀ ନିଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାରକାର୍ଯ୍ୟ ଶେଷ ନହେବା ଯାଏଁ ଏମଏମଟିସି(ମେଟାଲସ୍ ଆଣ୍ଡ ମିନେରାଲସ୍ କରପୋରେସନ୍)କାରଖାନା ଚଳାଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ବଦଳରେ ନିଳାଚଳ କାରଖାନା ପରିସରେ ମହଜୁଦ ରହିଥିବା ଫିନସ୍ ଗୁଡସକୁ ପରିବହନ ଲାଗି ଯାଜପୁର ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ବୋଲି ଆଜିର ଏହି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି।
ତେବେ ଦରମା ପ୍ରଦାନ ଓ କାରଖାନା ପୁନଃ କାର୍ଯ୍ୟକ୍ଷମ କରିବା ସଂପର୍କରେ ଅମରେନ୍ଦ୍ର ପୃଷ୍ଟି ନିଳାଚଳ ଇସ୍ପାତ ମୁଖ୍ୟ ଅଂଶୀଦାର ଏମଏମଟିସି ସହ ଆଲୋଚନା କରିବେ। ସେହି ଉଚ୍ଚସ୍ତରୀୟ ବୈଠକରେ ଏଡିଏମ କଳିଙ୍ଗ ନଗର ସନ୍ତୋଷ ମିଶ୍ର,ଉପଜିଲ୍ଲାପାଳ ନାରୟଣ ଚନ୍ଦ୍ର ଧଳ,ଆଡିସିନାଲ୍ ଏସପି ରାଜକିଶୋର ଦୋରା,ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ଦାନଗଦି ତହସିଲଦାର ନମ୍ରତା ମୋଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page