ମୋ ସ୍କୁଲ ମୋ ସାଥି:ସନ୍ତୋଷ କୁମାର ସେଠୀ

0

ଶଶୀ ସାଂଗେ ଦେଖା ପ୍ରାୟ ୩୦ ବର୍ଷ ପରେ। ଆମେ ୫ମ ରୁ ୧୦ମ ଯାଏଁ ସାଥୀ ହୋଇ ପଡ଼ୁଥିଲୁ।ସେ ଥିଲା ମୋର ବେଷ୍ଟ ଫ୍ରେଣ୍ଡ୍। ସେଥିପାଇଁ ଅନେକ ଇର୍ଷା ବି କରନ୍ତି ଆମ ସମ୍ପର୍କକୁ ନେଇ।ମୋ ବାପାଙ୍କର ବଦଳି ଚାକିରି। ତେଣୁ କୌଣସି ସ୍ଥାନରେ ନିର୍ଦିଷ୍ଟ ଭାବେ ମୋର ପଢା ସୀମିତ ନ ଥିଲା। ବାପା ଙ୍କ ଚାକିରି ସହ ମୋ ପାଠ ପଢା ଜଡ଼ିତ ଥିଲା। ଶଶୀ ର ବାପା ଚାଷୀ ଥିଲେ।କମ ଜମି ବାଡ଼ି। ସେମାନେ ଦୁଇ ଭଉଣୀ ଓ ଗୋଟିଏ ଭାଇ ଥିଲେ।ପୁରା ପରିବାର ଟି ବହୁତ ସ୍ନେହୀ ଓ ଆପଣାର ଲାଗୁଥିଲେ। ମୁଁ ଯେତେବେଳେ ତାଙ୍କ ଘରକୁ ଯାଉଥିଲି ତା ମା ମୋତେ ନ ଖୋଇ ଛାଡ଼ୁ ନ ଥିଲେ।ସେ ବେଶ ଭଲ ପଢ଼ୁଥିଲା।ତାର ମୋର ପଢା ରେ କମ୍ପିଟେସନ ଥିଲେ ମଧ୍ୟ କେବେ ଝଗଡ଼ା ବା ମନାନ୍ତର ହେଉ ନ ଥିଲା। ମାଟ୍ରିକ ପରୀକ୍ଷା ପରେ ବାପା ଙ୍କ ବଦଳି ଯୋଗୁଁ ମୁଁ ତାଙ୍କ ଗାଁ ଛାଡିଲି। ଆସିଲା ଦିନ ତ ଆମ କାନ୍ଦ ରେ ପୁରା ଗାଁ ଫାଟିପଡିଥିଲା। ବହୁତ ଦିନ ପର୍ଯ୍ୟନ୍ତ ତା କଥା ମନେ ପଡ଼ିଲା। ଚିଠି ଦିଆ ନିଆ ବି ଚାଲିଲା।ପରେ ମୁଁ ନୂଆ ଯାଗାରେ, କଲେଜ ରେ ନିଜକୁ ନିମ୍ମଜିତ କଲି।ପଢା ସହ ନୂଆ ସାଂଗ ଓ ନୂଆ ନୂଆ ଯୌବନ ର ଉଦ୍ଦାମତାରେ ଶଶୀ ବୋଲି ଗାଉଁଲି ସାଂଗ ଟି ଆସ୍ତେ ଆସ୍ତେ ସ୍ମୃତି ପଟରୁ ବିଲିନ ହେବାରେ ଲାଗିଲା।ପରେ ମୋର ପଢ଼ାପଢ଼ି, ଚାକିରି ଓ ଶେଷରେ ବାହାଘର ଜଞାଳ ମଧ୍ୟ ରେ କେବେ ଆଉ ଶଶୀ ମନେ ପଡ଼ିନାହିଁ। ମୁଁ ମଧ୍ୟ ସମ୍ପୂର୍ଣ୍ଣ ପାଶୋରି ଯାଇଥିଲି ତାକୁ। ତେବେ ମୋ ସ୍କୁଲ ଅଭିଯାନ ରେ ପୁରୁଣା ଛାତ୍ରୀ ମାନଙ୍କୁ ଡାକିବା ଯୋଗୁଁ ହଠାତ୍ ମୋ ମନକୁ ଆସିଲା ତା କଥା।ଆମ ସାଂଗେ ପଢି ଚାକିରି କରି ସମ୍ପର୍କରେ ଥିବା କିଛି ସାଂଗ ଙ୍କ ସହିତ କଥା ହେଉ ହେଉ ଶଶୀ କଥା ହଠାତ୍ ମନକୁ ଆସିଲା।

ତା ନାଁ ସ୍ମରଣ କରୁକରୁ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଅତୀତର ଘଟଣା ଗୁଡ଼ିକ ଆଖି ଆଗରେ ନାଚି ଉଠିଲା ସେହି ବିଦ୍ୟାଳୟ ପରିସରରେ। ଆଶ୍ଚର୍ଯ୍ୟ ଲାଗିଲା। ହଠାତ୍ ସ୍ମୃତି ରେ ତେଜୀୟାନ ହୋଇ ଯାଉଥିବା ଘଟଣା ଗୁଡ଼ିକ ୩୦ ବର୍ଷ ଧରି ସୁପ୍ତ ରହିଥିଲା କିପରି। ପରସ୍ପର\n ଚିହ୍ନା ହେଲୁ ସମସ୍ତେ। କିଏ କିଏ ମେଦ ବହୁଳ ବା ଆଉ କିଏ ଅତି ରୋଗା ହୋଇ ଦୁର୍ବଳରୁ ଚିହ୍ନି ହେଉ ନ ଥାନ୍ତି। ଶଶୀ କୁ ଖୋଜିଲି। ସମସ୍ତ ଙ୍କୁ ପଚାରିଲି। ହେଲେ ଶଶୀ କାହିଁ। ବହୁତ ଡେରି ସେ ଆସିଲା ସେ ।ତାକୁ ତ ମୁଁ ଚିହ୍ନି ପାରିଲିନି।କି ରୂପ ହେଇଛି ତାର। ଅତି ସାଧାରଣ ଶାଢ଼ୀ ହୁଏତ କେତେ ଦିନ ଧରି ସାଇତି ରଖିଥିବା ଶାଢ଼ୀ, ଯାହା ଲୋଚାକୋଚା ହୋଇ ତାର ଦୟନୀୟ ଅବସ୍ଥାକୁ ପ୍ରତିପାଦିତ କରୁଥିଲା ସେୟାକୁ ସେ ପିନ୍ଧିଥିଲା। ସେ ଶଙ୍କିତ ଭାବେ ପାଖକୁ ଆସି ଟିକେ ଦୂରରେ ଥାଇ ପଚାରିଲା ତମେ ଅନୁ ନା। ହଁ ହେଲେ ତମେ।ମୋ ଜିଜ୍ଞାସା ରେ ସେ ଲଜ୍ଜିତ ହୋଇ କହିଲା ମୁଁ ଶଶୀ। ମୁଁ ଯେମିତି ଆକାଶ ରୁ ଆସି ପଡ଼ିଲି। ଶଶୀ,ମୋ ସାଂଗ ! ଯିଏ ରୂପ ରେ, ଗୁଣରେ,ପାଠରେ ଅନନ୍ୟ ଥିଲା,ସିଏ ଇଏ। ଅନ୍ୟ ମାନେ ଯିଏ ଯାହା ର ଗପସପ ରେ ମାତିଥିଲେ। ମୁଁ ତାକୁ ଟାଣି ନେଲି ସେଇ ପୁରୁଣା ଆମ୍ବ ଗଛ ମୁଳକୁ, ଯେଉଁଠି ଆମେ ବସି କେତେ ଦୁଃଖ ସୁଖ ହେଉଥିଲୁ।ତା ଅବସ୍ଥା ଦେଖି ମୋ ଆଖି ଲୋତକାପ୍ଲୁତ ହୋଇ ଯାଉଥିଲା। ମୁଁ ତା ସମ୍ପର୍କରେ ପଚାରିଲି।ସେ ମୋ ଆଖି ରୁ ଲୁହ ପୋଛି ଦେଲା।ତା ଆଖି ଲୁହ ବୋଧହୁଏ ବହୁ ଆଗରୁ ଝରି ଝରି ଶୁଷ୍କ ହୋଇସାରିଥିଲା।ସେ ନିର୍ଲିପ୍ତ କଣ୍ଠ ରେ ତା ଜୀବନ କାହାଣୀ କୁ ବଖାଣି ଚାଲିଥିଲା। ମାଟ୍ରିକ ପରେ ଆଉ ପଢେଇବାକୁ ସକ୍ଷମ ନ ଥିବା ତା ପରିବାର ତାକୁ ବାହା ଦେଇଥିଲେ ଗୋଟେ ଚାଷୀ ପରିବାର ରେ। ଦୁଃଖ ସୁଖ ରେ ସଂସାର ଚାଲିଥିବା ବେଳେ କ୍ୟାନ୍ସର ରେ ଆକ୍ରାନ୍ତ ସ୍ୱାମୀ ର ଚିକିତ୍ସା ପାଇଁ ସର୍ବସ୍ବାନ୍ତ ହେଲା ପରେ ବି ସେ ବଚେଂଇ ପାରିଲାନି ସ୍ୱାମୀ କୁ।ବାପା ଘରର ଅସ୍ୱଛଳ ଅବସ୍ଥାରେ ତାଙ୍କ ଉପରେ ବୋଝ ହେବାକୁ ଚାହିଁ ଲାନି ସେ। ଝିଅ ଟିକୁ ଛୋଟ ବ୍ୟବସାୟ କରୁଥିବା ଲୋକ ଟି ହାତରେ ଛନ୍ଦି ଥିବା ବେଳେ ପୁଅଟି ଆଡହକରେ କୋଉଠି କାମ ଟେ କରୁଛି। ନିଜେ ବହୁ ଚେଷ୍ଟା କରିବି ଚାକିରି ଖଣ୍ଡେ ନ ପାଇବାରୁ ଛୋଟ ଛୁଆ ଙ୍କୁ ପଢେଇ ଯାହା ମିଳୁଛି ଗୁଜୁରାଣ ମେଣ୍ଟିଯାଉଛି।ମୋ ସ୍କୁଲ ଅଭିଯାନ ପାଇଁ ସେ ଦେଲା ହଜାରେ ଟଙ୍କା।ଆମେ ସବୁ ଦଶ, କୋଡ଼ିଏ,ତିରିଶ ହଜାର ଦେଲା ବେଳେ ତା’ର ହଜାରେ ଟଙ୍କା ତାକୁ ମାଡି ପଡୁଥିଲା। ସମସ୍ତ ଙ୍କ ଦୃଷ୍ଟି ତା ଉପରେ ଥିଲା ନିହାତି ଅକିଚଂନ ଭାବେ।ସେ ପଢିଥିବା ସ୍କୁଲ ର ଋଣ ଶୁଝି ବାକୁ ମାତ୍ର ହଜାରେ ଟଙ୍କା ଯେ ଯଥେଷ୍ଟ ନୁହେଁ ଏହା ଅନ୍ୟମାନଙ୍କ ଦୃଷ୍ଟି ହିଁ ପରିପ୍ରକାଶ କରୁଥିଲା। କିନ୍ତୁ ମୁଁ ବୁଝୁଥିଲି ଏ ହଜାର ଟଙ୍କା ପାଇଁ ସେ କେତେ ହଜାର ଥର ଚିନ୍ତା କରିଥିବ।ତା ନିଅଣ୍ଟିଆ ବଜେଟ ରୁ ସେ କେତେ କଟାକଟି କରିଥିବ। ଅନ୍ୟ ମାନେ ସେମାନଙ୍କ ଦାମୀ ଗାଡ଼ିରେ ଯିବା ପରେ ଲୁକ୍କାୟିତ ସ୍ଥାନ ରୁ ସେ ଆତ୍ମପ୍ରକାଶ କରି ଧିରେ ଧିରେ ବାହାରିଲା ବସଷ୍ଟାଣ୍ଡ ଉଦ୍ଦେଶ୍ୟରେ। ହୁଏତ ସେ ଭାବିଥିଲା ମୋ ସ୍କୁଲ ଅଭିଯାନର ବୈଠକ ପରେ ଖାଇପିଇ ସମସ୍ତେ ଚାଲିଯାଇଛନ୍ତି। ହେଲେ ବାଟରେ ତାକୁ ଯେ ମୁଁ ଜଗିଥିବି ଏ କଥା ସେ ଚିନ୍ତା କରି ନ ଥିଲା।ତା ସ୍ୱାଭିମାନ ଆମେ ପିଲା ବେଳେ ଲାଲ୍ ବାହାଦୁର ଶାସ୍ତ୍ରିଜୀ ଙ୍କ ଉପରେ ପଢିଥିବା ପାଠ ଭଳି ଲାଗୁଥିଲା।ପଇସା ନାହିଁ ବୋଲି ଡଂଗା ରେ ନ ଆସି ପହଁରି ପହଁରି ଗଂଗା ନଦୀ ପାର ହେଲା ଭଳି, ସମସ୍ତେ ଗଲା ପରେ ଇଏ ଚାଲିଚାଲି ଫେରିବା ଲକ୍ଷ୍ୟ ରେ ରହିଛି।ତା ଅନିଛାସତ୍ୱେ ତାକୁ ଗାଡ଼ିରେ ବସେଇ ମୁଁ ତା ଘରକୁ ଗଲି।ଘର ତ ନୁହେଁ ଗୋଟେ ଗୁହାଳ ଭଳି ଲାଗୁଥିଲା ତାହା। ହୁଏତ ଏ ଲଜ୍ଜା ଜନକ ଜିନିଷ କାହାକୁ ଦେଖେଇବ ନାହିଁ ବୋଲି ସେ ଲୁଚି ଲୁଚି ଆସିବାକୁ ଚାହୁଁ ଥିଲା। ତଥାପି ଭଗାଂ ଚେୟାର ଟିଏରେ ବସେଇ ଲେମ୍ବୁ ପାଣି ଟୋପେ ଦେଇ ବଡ଼ କରୁଣ ଦୃଷ୍ଟିରେ ମୋତେ ସେ ଚାହିଁଲା। ମୁଁ ତା ମନକୁ ବୁଝି ପାରୁଥିଲି, ବୁଝି ପାରୁଥିଲି ତାର ଅସହାୟତା କୁ।ତା ଦୁଃଖ ମୋ ହୃଦୟ କୁ ବିଗଳିତ କରି ପକଉଥିଲା।ତାକୁ ସାନ୍ତ୍ଵନା ଦେବା ଉଦ୍ଦେଶ୍ୟରେ ତାକୁ ଧରିବା କ୍ଷଣି ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ଯେମିତି ପୁଞ୍ଜିଭୂତ ଲୁହ ସବୁ ଜମାଟ ବାନ୍ଧି ରହିଥିଲା କେବଳ ଏକ ବାହାନା ଅପେକ୍ଷା ରେ। ଆପଣାର ଲୋକ ଟି କୁ ଦେଖି ସେ ଧର୍ଯର ବରଫ ସବୁ ତରଳି ଯାଉଥିଲା।ଢେର ସମୟ କାନ୍ଦିଲା ପରେ ସେ ପ୍ରକୁସ୍ଥିତ ହେଲା।

ମୋର ବି ଫେରି ବାର ସମୟ ହୋଇ ଆସିଥିଲା। ଜାଣି ଥିଲି ସେ ନେବନି। ତଥାପି ରାଣ ନିୟମ ପକେଇ ତାକୁ କିଛି ଅର୍ଥ ଦେଇ ଖୁବ ଶିଘ୍ର ଫେରିବି ବୋଲି ପ୍ରତିଶ୍ରୁତି ଦେଇ ଫେରିଥିଲି ସେଦିନ।ଘରକୁ ଫେରି ଢେର କାନ୍ଦିଥିଲି ମୁଁ।ପରେ ୟାଙ୍କ ସହ ପରାମର୍ଶ କରି ତା ପୁଅ ଟି କୁ ଭଲ ଯାଗାରେ ଥଇଥାନ କରେଇ ଦେଲି। ଶଶୀ ପାଇଁ ସରକାରୀ ଆବାସ ଟିଏ ସିନା କରେଇ ଦେଲି, ହେଲେ ପରବର୍ତ୍ତୀ ସମୟରେ ସେ ନିଜ ଉଦଯୋଗରେ ବେଶ ଭଲ ରେ ଚଳିବାରେ ସକ୍ଷମ ହେଲାଣି।ଆମେ ଦୁଇ ବାନ୍ଧବୀ ଏବେ ପ୍ରତିଦିନ ଦୁଃଖ ସୁଖ ହେଉଛୁ।ଭଲ ବୋହୂ ଟି ଏ ପାଇ ସେ ଖୁସି।ଆଉ ତା ଖୁସି ରେ ମୁଁ ବି। ଆମେ ଏକାଠି ପ୍ରାୟ ସ୍କୁଲ ଯାଉ। ମୋ ସ୍କୁଲ ଅଭିଯାନ ର ଏହି ହଜିଲା ସ୍ମୃତି କୁ ଫେରି ପାଇଥିବାରୁ କୃତଜ୍ଞତା ଜଣାଇବା ପାଇଁ।
:ଲୋକ ସଂପର୍କ ଅଧିକାରୀ, ଯାଜପୁର

Leave a Reply

Your email address will not be published. Required fields are marked *

You cannot copy content of this page