ଓଏମ୍‌ଜି ରେକର୍ଡ଼ ବୁକରେ ପେପରମ୍ୟାନ ଶଶାଙ୍କ ଶେଖର ଦାଶ

0

ବରୀ(ସଂକେତ ଖବର ) ବରୀ ମାଟିର ପୁଅ ଓଡ଼ିଶାର ବିଶିଷ୍ଟ ଖବରକାଗଜ ସଂଗ୍ରାହକ ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ହୋଇଥିବା ଶଶାଙ୍କ ଶେଖର ଦାଶଙ୍କ ନାମ ଓଏମ୍‌ଜି ରେକର୍ଡ଼ ବୁକରେ ସ୍ଥାନ ପାଇଥିବା ଜଣାଯାଇଛି । ରେକର୍ଡ଼ ବୁକର ମୁଖ୍ୟ ଡ଼କ୍ଟର ଦିନେଶ ଗୁପ୍ତା ତାଙ୍କୁ ଇ-ମେଲ ମାଧ୍ୟମରେ ଏହା ଜଣାଇବା ସହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଗତ ମଇ ୧୨ ତାରିଖ ଦିନ ଏହା ପ୍ରଦାନ ହୋଇଛି । ଦେଶ ବିଦେଶର ସର୍ବାଧିକ ଖବରକାଗଜ ସଂଗ୍ରହ ନିମନ୍ତେ ଶ୍ରୀଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୧୩୮ଟି ଦେଶର ଓ ୯୪ଟି ଭାଷାର ମୋଟ ୪୮୭୪ଟି ଖବରକାଗଜ ସଂଗ୍ରହ କରି ସେ ଏହି ବିରଳ ରେକର୍ଡ କରିଛନ୍ତି । ଏହା ତାଙ୍କର ଅଷ୍ଟମ ରେକର୍ଡ଼ ହୋଇଥିବା ବେଳେ ଅର୍ନ୍ତଜାତୀୟ ସ୍ତରରେ ସର୍ବାଧିକ ସଂଗ୍ରହ ପାଇଁ ଏହା ମିଳିପାରିଛି । ଏଠାରେ କୁହାଯାଇପାରେ ଶଶାଙ୍କ ପୂର୍ବରୁ ଖବରକାଗଜ ସଂଗ୍ରହ ପାଇଁ ୫ଥର ଲିମ୍‌କା ବୁକ ଅଫ ରେକର୍ଡ଼ସ, ଥରେ ଇଣ୍ଡିଆ ବୁକ ଅଫ ରେକର୍ଡସ ଓ ଥରେ କ୍ରେଡ଼େନ୍ସ ବୁକ ଅଫ ୱାଲ୍ଡ ରେକର୍ଡ଼ରେ ନିଜର ନାମ ଦରଜ କରିପାରିଛନ୍ତି ।

ପେପର ମ୍ୟାନ ଶଶାଙ୍କ ଶେଖର ଦାସ

ଶ୍ରୀ ଦାଶ ସମସ୍ତ ସଂଗ୍ରହକୁ ନେଇ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ ଅରଙ୍ଗାବାଦ ଗ୍ରାମରେ ତାଙ୍କ ବାପାଙ୍କ ନାମରେ “ଦୋଳଗୋବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଂଟର” ପ୍ରତିଷ୍ଠା କରିଛନ୍ତି । ଯାହାକି ସାମ୍ବାଦିକତା ଛାତ୍ର/ଛାତ୍ରୀ, ସାମ୍ବାଦିକ, ବୁଦ୍ଧିଜୀବି ଓ ସାଧାରଣ ଲୋକଙ୍କୁ ବହୁ ସହାୟତା ପ୍ରଦାନ କରୁଥିବା ଜଣାଯାଇଛି । ଶଶାଙ୍କ ୨୦୦୦ ମସିହାରେ ପ୍ରଥମେ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ । ସେତେବେଳେ ଖବରକାଗଜ ଏକ ସଂଗ୍ରହଣୀୟ ହୋଇପାରେ ତାହା ବିଶ୍ୱାସ ହେଉନଥିଲା । ସେ ପ୍ରଥମେ ଓଡ଼ିଆ ଖବରକାଗଜ ସଂଗ୍ରହ କରିଥିଲେ । ପରେ ଓଡ଼ିଶାରେ ମିଳୁଥିବା ଅନ୍ୟାନ୍ୟ ଖବରକାଗଜ ଓ ବିଦେଶୀ ଖବରକାଗଜ ସଂଗ୍ରହରେ ମନ ଦେଇଥିେଲେ । ଯେଉଁମାନଙ୍କ ନିକଟରେ ପୁରାତନ ଖବରକାଗଜ ରହିଛି ସେମାନେ ସଂଗ୍ରହାଳୟକୁ ଦାନ କରିବା ନିମନ୍ତେ ସେ ଅନୁରୋଧ କରିଛନ୍ତି । ତାଙ୍କୁ ନିମ୍ନ ଫୋନ ନମ୍ବର (୯୮୬୧୧୭୨୬୦୫)ରେ ଯୋଗାଯୋଗ କରି ପ୍ରଦାନ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page