ବରମୁଣ୍ଡାରେ ଅର୍ଥୋ, ସ୍ପାଇନ୍ କେୟାର କ୍ଲିନିକ୍ ଉଦ୍ଘାଟିତ
![](https://www.sanketkhabar.com/wp-content/uploads/2021/10/IMG-20211017-WA0022-1024x910.jpg)
ଭୁବନେଶ୍ୱର(ସଙ୍କେତ ଖବର): ଭୁବନେଶ୍ୱର ବରମୁଣ୍ଡାଠାରେ ଅର୍ଥୋ, ସ୍ପାଇନ୍ କେୟାର ନାମକ ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସମ୍ପନ୍ନ କ୍ଲିନିକ୍ ଉଦ୍ଘାଟିତ ହୋଇଯାଇଛି । ଏଠାରେ ଆଣ୍ଠୁ, ଗଣ୍ଠି, ମଜ୍ଜା ଏବଂ ମେରୁଦଣ୍ଡ ସମ୍ପର୍କୀୟ ବିଭିନ୍ନ ରୋଗର ବିଶ୍ୱସ୍ତରୀୟ ଚିକିତ୍ସା ଉପଲବ୍ଧ ହେବ ବୋଲି ଜଣାଯାଇଛି । ଓଡ଼ିଶାର ଉଦୀୟମାନ ଓ ପାରଦର୍ଶୀ ଅସ୍ଥିଶଲ୍ୟ ଓ ମେରୁଦଣ୍ଡ ବ୍ୟାଧୀ ବିଶେଷଜ୍ଞ ଓ ଅସ୍ତ୍ରୋପଚାରକ ଡ଼ଃ ପୁଷ୍ପକ ସାମଲ ଏହି କ୍ଲିନିକ୍ର ପ୍ରତିଷ୍ଠାତା ଓ ମୁଖ୍ୟ ଚିକିତ୍ସକ ଅଟନ୍ତି । ତାଙ୍କ ସହିତ ଉକ୍ତ କ୍ଲିନିକ୍ରେ ଡ଼ଃ ପ୍ରିୟବ୍ରତ ଦାସ, ଡ଼ଃ ପି.କେ. କର, ଡ଼ଃ ସୁମନ ସୌରଭ ରାଉତ ଏବଂ ଡ଼ଃ ଆଲୋକ କୁମାର ଜେନା ପ୍ରମୁଖ ବିଶିଷ୍ଟ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା କରିବେ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ ।
ଡ଼ଃ ପୁଷ୍ପକ ସାମଲ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏମ୍କେସିଜି ମେଡିକାଲ କଲେଜରୁ ଏମ୍ବିବିଏସ୍ ଡିଗ୍ରୀ, କଟକସ୍ଥିତ ଏସ୍ସିବି ମେଡିକାଲ କଲେଜରୁ ‘ମାଷ୍ଟର ଇନ୍ ସର୍ଜରୀ’ ଡିଗ୍ରୀ ଏବଂ ପିଜିଆଇ ଚଣ୍ଡିଗଡ଼ରୁ ଅର୍ଥୋପେଡିକ୍ ବିଭାଗରେ ସିନିୟର୍ ରେସିଡେନ୍ସସିପ୍ ହାସଲ କରିବା ପରେ ସେଓଲସ୍ଥିତ ଦକ୍ଷିଣ କୋରିଆ ବିଶ୍ୱବିଦ୍ୟାଳୟରୁ ଅର୍ଥୋପେଡିକ୍ ଟ୍ରାଓମା ବିଭାଗରେ ଫେଲୋସିପ୍ ପ୍ରାପ୍ତ କରିବାର ଯୋଗ୍ୟତା ଅର୍ଜନ କରିଛନ୍ତି । ବର୍ତ୍ତମାନ ‘ସୋମ୍ ଅଲ୍ଟିମେଟ୍ ମେଡିକେୟାର’ ଏବଂ ‘ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ’ ହସ୍ପିଟାଲରେ ପରାମର୍ଶଦାତା ଭାବରେ କାର୍ଯ୍ୟରତ, ଡ଼ଃ ସାମଲ ଜଣେ ଅର୍ଥୋପେଡିକ୍ ଓ ସ୍ପାଇନ୍ ସର୍ଜନ ଭାବରେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ବିଶେଷ କରି ଅର୍ଥୋପେଡିକ୍ ଟ୍ରାଓମା, ସ୍ପାଇନାଲ୍ ସର୍ଜରୀ, ଜଏଣ୍ଟ ରିପ୍ଲେସ୍ମେଣ୍ଟ ସର୍ଜରୀ, ସ୍ପୋଟ୍ସ ମେଡିସିନ୍ ଓ ଆର୍ଥ୍ରୋସ୍କୋପିକ୍ ସର୍ଜରୀ ବାବଦରେ ଡ଼ଃ ସାମଲ ଖୁବ୍ ନିପୁଣତା ହାସଲ କରିଛନ୍ତି ।
ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଏବଂ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଯୋଗ ଦେଇ ପାରମ୍ପରିକ ଭାବେ ଫିତା କାଟି କ୍ଲିନିକ୍ର ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ପୁରୀ ଶ୍ରୀମନ୍ଦିରର ଦଇତାପତି ଅମିତ ଦାସମହାପାତ୍ର ଏବଂ ‘ଓ’ଟିଭିର ପ୍ରାର୍ଥନା ଚାନେଲର କାର୍ଯ୍ୟକ୍ରମ ପ୍ରଯୋଜକ ଅଭିନନ୍ଦନ ଦାସ ଯୋଗଦେଇଥିଲେ ।
ଉପସ୍ଥିତ ମାନ୍ୟଗନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡ଼ଃ ପୁଷ୍ପକ ସାମଲଙ୍କର ଶିକ୍ଷକ ମନୋଜ ଦାସ, ଡ଼ଃ ସାମଲଙ୍କର ପତ୍ନି ସସ୍ମିତା ସାମଲ, ମୁଣ୍ଡଳୀସ୍ଥିତ ନବୋଦୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଣ୍ଡା, ଡ଼ଃ ସୁମନ ସୌରଭ ରାଉତ, ଡ଼ଃ ସଂଗ୍ରାମ ମହାପାତ୍ର, ଡ଼ଃ ସନ୍ତୋଷ ସ୍ୱାଇଁ, ଡ଼ଃ ଗୌତମ ଜେନା, ଡ଼ଃ ଆଶିଷ ବିଶ୍ୱାଳ, ଡ଼ଃ ପ୍ରିୟବ୍ରତ ଦାସ, ଡ଼ଃ ଏନ୍. ଜଗଜିତ୍, ଡ଼ଃ ଶ୍ରୀକାନ୍ତ ସାହୁ ଓ ଡ଼ଃ ଅବିନାଶ ରାଉତରାୟ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।