ଦେଶବାସୀଙ୍କୁ ଅମ୍ଳଜାନ ଯୋଗାଣରେ ଯାଜପୁରର ବଡ ଭୂମିକା

ଯାଜପୁର (ସଙ୍କେତ ଖବର): କରୋନା ମହାମାରୀ ସମୟରେ ଅମ୍ଳଜାନ ସଙ୍କଟ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି । ପ୍ରତିଦିନ ଦେଶରେ କୌଣସି ନା କୌଣସି ସ୍ଥାନରେ ଅମ୍ଳଜାନ ଅଭାବରୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି । ଏଭଳି ପରିସ୍ଥିତିରେ ଓଡ଼ିଶା ବିଭିନ୍ନ ରାଜ୍ୟକୁ ମେଡିକାଲ ଅମ୍ଳଜାନ ଯୋଗାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ବର୍ତମାନ ସୁଦ୍ଧା ଓଡ଼ିଶାରୁ ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଁଚଳକୁ ୧୦୯୧ ଟ୍ୟାଙ୍କର ଜରିଆରେ ୨୦ ହଜାର ୭ ମେଟ୍ରିକ ଟନ୍ ମେଡିକାଲ ଅମ୍ଳଜାନ ଯୋଗାଣ ହୋଇଛି । ଏ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ରାଉରକେଳା, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରୁ ଏହିସବୁ ଅମ୍ଳଜାନ ଯୋଗାଣ ହୋଇଛି ।
ଗତ ୩୧ ଦିନ ମଧ୍ୟରେ ଯାଜପୁରରୁ ୨୫୨ ଟ୍ୟାଙ୍କରରେ ୫୧୬୬.୩୨୭ ମେଟ୍ରିକ ଟନ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଛି । କଳିଙ୍ଗନଗର ଶିଳ୍ପାଁଚଳରେ ଗଢି ଉଠିଥିବା ଟାଟା ଷ୍ଟିଲ, ଜିନ୍ଦଲ ତଥା ଅନ୍ୟାନ୍ୟ ପ୍ଲାଂଟରୁ ନିୟମିତ ଅମ୍ଳଜାନ ଉତ୍ପାଦନ ହୋଇ ପଠା ଯାଉଛି । ଅମ୍ଳଜାନ ଯୋଗାଣ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦଶେକୁ ୩୪୦ ଟ୍ୟାଙ୍କରରେ ୬୬୯୩.୦୭୪ ମେଟ୍ରିକ ଟନ୍, ତେଲେଙ୍ଗାନାକୁ ୨୭୮ ଟ୍ୟାଙ୍କରରେ ୪୭୪୪.୦୪୯ ମେଟ୍ରିକ ଟନ, ତାମିଲନାଡ଼ୁକୁ ୭୮ ଟ୍ୟାଙ୍କରରେ ୧୩୮୨.୬୬୭ ମେଟ୍ରିକ ଟନ, ହରିୟାଣାକୁ ୧୪୯ ଟ୍ୟାଙ୍କରରେ ୨୭୫୩.୨୩୩ ମେଟ୍ରିକ ଟନ, ମହାରାଷ୍ଟ୍ରକୁ ୪୧ ଟ୍ୟାଙ୍କରରେ ୬୬୦.୦୫୧ ମେଟ୍ରିକ ଟନ, ଛତିଶଗଡ଼କୁ ୩୭ ଟ୍ୟାଙ୍କରରେ ୫୯୮.୩୫ ମେଟ୍ରିକ ଟନ ଅମ୍ଳଜାନ ପଠାଯାଇଛି । ସେହିପରି ମଧ୍ୟପ୍ରଦେଶକୁ ୬୫ ଟ୍ୟାଙ୍କରରେ ୧୧୪୭.୭୬, ଉତରପ୍ରଦେଶକୁ ୫୮ ଟ୍ୟାଙ୍କରରେ ୧୧୫୪.୮୯୨ ମେଟ୍ରିକ ଟନ ଅମ୍ଳଜାନ ପଠାଯାଇଛି ।