ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କ ଅଧିକ ଚିକିତ୍ସା ପାଇଁ ଭୂବନେଶ୍ୱରକୁ ସ୍ଥାନାନ୍ତର
କନ୍ଧମାଳ (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାସ୍ଥିତ ଚାରିପଡ଼ା ଗ୍ରାମର ଅନନ୍ୟ ପ୍ରତିଭା ତଥା ଲୋକକବି, ଆଦିବାସୀ ସଂସ୍କାରକ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ଣ୍ଣମାସୀ ଜାନୀ (ଟାଡ଼ିସରୁ ବାଇ) ଫୁଲବାଣୀ ଜିଲ୍ଲା କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ତାଙ୍କ କୋଭିଡ୍ ନମୁନା ଗତ ୧୪ ତାରିଖରେ ପଜିଟିଭ୍ ଥିବା ଜଣାପଡ଼ିଥିଲା। ତାଙ୍କୁ ନିଜ ବାସଭବନରେ ସଙ୍ଗରୋଧରେ ରଖାଯାଇ ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ଦ୍ୱାରା ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ହୋଇଥିଲା। ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ଏକ କୋଭିଡ୍ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଫୁଲବାଣୀ ଜିଲ୍ଲା କୋଭିଡ୍ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ । ଗତ କାଲିଠାରୁ ପେଟରେ ଯନ୍ତ୍ରଣା ଅନୁଭଵ କରିବାରୁ ପଦ୍ମଶ୍ରୀ ଯାନୀଙ୍କୁ ଭୂବନେଶ୍ୱରସ୍ଥିତ ଅଶ୍ୱିନୀ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଅଲ୍ଟ୍ରାସାଉଣ୍ଡ ସହିତ ଅନ୍ୟାନ୍ୟ କିଛି ଉନ୍ନତ ଧରଣର ପରୀକ୍ଷାର ସୁବିଧା ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ନଥିବାରୁ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ସୂଚନା। ପୂର୍ଣ୍ଣମାସୀଙ୍କ ଅମ୍ଳଜାନ ସ୍ତର ସ୍ୱଭାବିକ ରହିଛି ଏବଂ କୋଭିଡ୍ ସଂକ୍ରମଣ ମଧ୍ୟ ସାମାନ୍ୟ ରହିଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।