ଦାନଗଦି:ଆର୍ଥିକ ସ୍ୱାବଲମ୍ବୀ ହେବ ପଞ୍ଚାୟତ

0

ଦାନଗଦି(ସଂକେତ ଖବର)

ପ୍ରତି ପଞ୍ଚାୟତରେ ନିର୍ମାଣ ହେବ ହାଟ ରାସ୍ତା, ସଡ଼କ ଓ ବିଦ୍ୟୁତ ସଂଯୋଗ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏବେ ପରିବେଶ ସୁରକ୍ଷା, ଜଳାଶୟର ପୁନଃଋଦ୍ଧାର ଏବଂ ନୂତନ ପୋଖରୀ ନିର୍ମାଣ କରିବାର ଆବଶ୍ୟକତା ରହିଛି। ଏହାସହ ସରକାରୀ ଅନୁଦାନର ସଦୁପଯୋଗ କରି ଦୀର୍ଘସ୍ଥାୟୀ ରାଜସ୍ୱ ଆଦାୟର ପନ୍ଥା ବାହାର କରିବାକୁ ସରପଞ୍ଚମାନଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ଆଜି(ସୋମବାର) ଫେରୋକମ୍ ଅତିଥି ଭବନରେ ଦାନଗଦି ବ୍ଲକର ସମସ୍ତ ୨୩ଜଣ ସରପଞ୍ଚଙ୍କ ବୈଠକ ହୋଇଥିଲା। ବିଭିନ୍ନ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଥିଲା।
ବିକାଶ ମୂଳକ କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ଏଣିକି ପ୍ରତି ମାସରେ ୨ଥର ସରପଞ୍ଚଙ୍କ ସହ ବିଧାୟକଙ୍କ ବୈଠକ ହେବ। ବିକାଶ ସହ ନିଜସ୍ୱ ରାଜସ୍ୱ ଆଦାୟ ଲକ୍ଷ୍ୟରେ ପ୍ରତି ପଞ୍ଚାୟତରେ ହାଟ ନିର୍ମାଣ ହେବ। ହାଟ ନିର୍ମାଣ ଏବଂ ରାଜସ୍ୱ ଆଦାୟ ଲକ୍ଷ୍ୟ ଯୋଜନା ସୁକିନ୍ଦା ବ୍ଲକର ବନ୍ଧଗାଁ ପଞ୍ଚାୟତର ଆରମ୍ଭ ହୋଇଛି। ଆଗକୁ ହାଟ ନିର୍ମାଣ ଏବଂ ରାଜସ୍ୱ ବୃଦ୍ଧି ପଦ୍ଧତିକୁ ଦାନଗଦି ବ୍ଲକରେ ଲାଗୁ କରାଯାଇ ପଞ୍ଚାୟତ ଗୁଡିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିଭଳି ବଡ଼ ବଡ଼ ପୋଖରୀ ନିର୍ମାଣ କରି ଜଳ ସମସ୍ୟା ଦୂର କରିବା ସହ ଜଳାଶୟକୁ ନିଲାମ ସୂତ୍ରରେ ଦେଇ ରାଜସ୍ୱ ଆଦାୟ କିପରି ହେବ ସେ ସଂପର୍କରେ ଚର୍ଚ୍ଚା ହୋଇଛି।
ଏହାସହ ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍ଏଫ) ପାଣ୍ଠିର ବିନିଯୋଗ କରି ପ୍ରତି ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟକୁ ତରାନ୍ୱିତ କରାଯାଉ। ଉନ୍ନତି ମୂଳକ କାର୍ଯ୍ୟ କରିବା ସମୟରେ ରାଜନୈତିକ ବିଚାରଧାରାର ଉର୍ଦ୍ଧରେ ରହିବା ଏବଂ ବ୍ଲକ ଅଧିକାରୀ, ଯନ୍ତ୍ରୀ ଏବଂ ଭିଏଲଡ୍ଲୁଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବାକୁ କରୋନା ଲଢ଼େଇର ପ୍ରମୁଖ ଯୋଦ୍ଧା-ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ବିଧାୟକ ଘଡ଼ାଇ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *

You cannot copy content of this page