ସୁକିନ୍ଦା ରେ ବାହୁଡ଼ାରୁ ହେବ ବ୍ୟାପକ ବୃକ୍ଷରୋପଣ: ବିଧାୟକ ଙ୍କ ଦ୍ୱିତୀୟ ଏକାମ୍ର କାନନ ପରିକଳ୍ପନା।
![](https://www.sanketkhabar.com/wp-content/uploads/2020/06/IMG-20200623-WA0035-1024x577.jpg)
ସୁକିନ୍ଦା(ସଙ୍କେତ ଖବର)
ପବିତ୍ର ବାହୁଡ଼ା ଯାତ୍ରା ଦିନ ଖରଡ଼ି ପଞ୍ଚାୟତର ଦଲକୀ ଠାରେ ୫୩ ହଜାର ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ ହେବ। ପ୍ରାୟ ୮୦ଏକର ଜମିରେ ସୃଷ୍ଟି ହେବାକୁ ଥିବା ସେହି ଉଦ୍ୟାନରେ ଔଷଧିୟ ବକ୍ଷକୁ ପ୍ରାଥମିକତା ଦିଆଯିବ। ଜୁଲାଇ ୧(ବାହୁଡ଼ା)ରୁ ଆରମ୍ଭ ହେଉଥିବା ବନ ମହତ୍ସୋବରୁ ସେହି ବୃକ୍ଷରୋପଣ କାର୍ଯ୍ୟର ଶଭାରମ୍ଭ କରିବେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଭୁବନେଶ୍ୱର ଏକାମ୍ର କାନନ ପରି ଦଲକିରେ ବଟାନିକାଲ୍ ପାର୍କ ନିର୍ମାଣ ହେବ। ପ୍ରଥମେ ୮୦ ଏକର ଜମିରେ ବୃକ୍ଷରୋପଣ ହେବ। ପରବର୍ତ୍ତି ସମୟରେ ନିକଟରେ ଥିବା ସରକାରୀ ଜମିରେ ପାର୍କ ଓ ସୁନ୍ଦର ପୋଖରୀ ନିର୍ମାଣ ସହ ଲାଇଟିଂର ବ୍ୟବସ୍ଥା ହେବ।
ସେହି ଉଦ୍ୟାନରେ ଔଷଧିୟ,ଫଳ ଏବଂ ଜଙ୍ଗଲ ଜାତ ବୃକ୍ଷ ଚାରା ଲାଗିବାକୁ ସ୍ଥିର ହୋଇଛି। ହରିଡ଼ା, ବାହାଡ଼, ଅଁଳା, କରଞ୍ଜ, ନିମ୍ବ ପରି ଔଷଧୀୟ ଚାରା ରୋପଣ ହେବ। ସେହିଭଳି ଆମ୍ବ, ପଣସ, ଡାଳିମ୍ବ, ଓଉ, ଆତ ଏବଂ ବେଲ ଗଛ ଲଗାଯିବ। ଏହାସହ ଶାଳ,ପିଆଶାଳ, ଶିଶୁ, ପାହାଡି ଶିଶୁ, ଅର୍ଜୁନ, ଫାଶୀ, ଓ ସୁନାରି ଆଦି ଚାରା ଲାଗିବ। ଚାରା ରୋପଣ ଓ ଗଛ ବଢ଼ିବାର ଅବଧିକୁ ୪ବର୍ଷ ଭାବେ ବିବେଚନା କରାଯାଇଛି। ଏହି ଉଦ୍ୟାନ ପ୍ରତିଷ୍ଠା ପାଇଁ ଡିଏମଏଫ(ଜିଲ୍ଲା ଖଣିଜ ନ୍ୟାସ) ଏବଂ କାମ୍ପା’ର ଅର୍ଥ ବିନିଯୋଗ କରାଯିବ।
ପ୍ରାୟ ୩୧ଏକର ଜମିରେ ୨୧ହଜାର ଚାରା ରୋପଣ ଏବଂ ଉଦ୍ୟାନ ପ୍ରତିଷ୍ଠାର ଖର୍ଚ୍ଚ ଡିଏମଏଫ ପାଣ୍ଠିରୁ ବିନିଯୋଗ ହେବ। ବଳକା ୪୯ ଏକର ଜମିରେ ବନୀକରଣ ପାଇଁ କାମ୍ପା’ରୁ ଅର୍ଥ ବିନିଯୋଗ ହେବ ବୋଲି ବନ ବିଭାଗର ସୁକିନ୍ଦା ରେଞ୍ଜ ଅଧିକାରୀ ବିପିନ ରାଉତ ସୂଚନା ଦେଇଛନ୍ତି । ଏହି ଉଦ୍ୟାନ ପ୍ରତିଷ୍ଠା ହେବା ଦ୍ୱାରା ସୁକିନ୍ଦାଗଡ଼,ଖରଡ଼ି ଓ ଅମ୍ପାବୋଳା ପଞ୍ଚାୟତର ଅନେକ ଲୋକ ଦୀର୍ଘ ଦିନ ପାଇଁ ରୋଜଗାର ପାଇ ପାରିବେ।