୧୦ ଦିନରେ ସୁକିନ୍ଦା-ଦାନଗଦିରେ ରୋପଣ ହେବ ୩ ଲକ୍ଷ ଚାରା

0

ସୁକିନ୍ଦା(ସଙ୍କେତ ଖବର)

ଓଡ଼ିଶାର ଶିଳ୍ପାଞ୍ଚଳ କଳିଙ୍ଗ ନଗର ଏବଂ କ୍ରୋମ ଉପତ୍ୟକା ସୁକିନ୍ଦାର ପରିବେଶ ସୁରକ୍ଷା ପାଇଁ, ବାହୁଡ଼ା ଯାତ୍ରାରୁ ଦଲକି ଠାରେ ଆରମ୍ଭ ହୋଇଛି ବୃକ୍ଷରୋପଣ। ଦେଶର ସୁରକ୍ଷା ପାଇଁ ବୀର ଯବାନମାନେ ନିଜର ଜୀବନ ଉତ୍ସର୍ଗ କରୁଛନ୍ତି। ଆମେ ଗଛ ଲଗାଇ ପରିବେଶକୁ ସୁରକ୍ଷିତ ରଖି ପାରିବା। ବିଶେଷକରି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଶିଳ୍ପାୟନ ଯୋଗୁ ପ୍ରଦୂଷିତ ହେଉଥିବା ପରିବେଶକୁ ବୃକ୍ଷମାନେ ହିଁ ବଞ୍ଚାଇ ପାରିବେ ବୋଲି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି । ସୁକିନ୍ଦାଗଡ଼ ପଞ୍ଚାୟତର ପ୍ରାୟ ୮୦ଏକର ଜମିରେ ସୃଷ୍ଟି ହେବାକୁ ଥିବା ଏହି ଉଦ୍ୟାନରେ ଔଷଧିୟ ବୃକ୍ଷକୁ ପ୍ରାଥମିକତା ଦେଇ ୫୩ ହଜାର ଚାରା ରୋପଣ ହେଉଛି।ବନ ମହତ୍ସୋବରୁ ଆରମ୍ଭ ଦଲକିର ଏହି ବୃକ୍ଷରୋପଣ ଆସନ୍ତାକାଲି(ଗୁରୁବାର) ଠାରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତରେ ଚାଲିବ। ୧୦ଦିନ ମଧ୍ୟରେ ପ୍ରତି ପଞ୍ଚାୟତରେ ୫ହଜାର ଲେଖାଏଁ ଚାରା ରୋପଣ କରାଯାଇ ପ୍ରାୟ ୩ ଲକ୍ଷ ବୃକ୍ଷ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି।

ପ୍ରଥମେ ବୃକ୍ଷରୋପଣ ଏବଂ ପରବର୍ତ୍ତି ସମୟରେ ନିକଟରେ ଥିବା ସରକାରୀ ଜମିରେ ପାର୍କ ଓ ସୁନ୍ଦର ପୋଖରୀ ନିର୍ମାଣ ସହ ଲାଇଟିଂର ବ୍ୟବସ୍ଥା ହେବ। ଭୁବନେଶ୍ୱର ଏକାମ୍ର କାନନ ପରି ଦଲକିରେ ବଟାନିକାଲ୍ ପାର୍କ ନିର୍ମାଣ ହେବ। ସେହି ଉଦ୍ୟାନରେ ଔଷଧିୟ,ଫଳ ଏବଂ ଜଙ୍ଗଲ ଜାତ ବୃକ୍ଷ ଚାରା ଲାଗିବାକୁ ସ୍ଥିର ହୋଇଛି। ହରିଡ଼ା, ବାହାଡ଼, ଅଁଳା, କରଞ୍ଜ, ନିମ୍ବ ପରି ଔଷଧୀୟ ଚାରା ରୋପଣ ହେଉଛି।ସେହିଭଳି ଆମ୍ବ, ପଣସ, ଡାଳିମ୍ବ, ଓଉ, ଆତ ଏବଂ ବେଲ ଗଛ ଲଗାଯିବ। ଏହାସହ ଶାଳ,ପିଆଶାଳ, ଶିଶୁ, ପାହାଡି ଶିଶୁ, ଅର୍ଜୁନ, ଫାଶୀ, ଓ ସୁନାରି ଆଦି ଚାରା ଲାଗୁଛି। ଚାରା ରୋପଣ ଓ ଗଛ ବଢ଼ିବାର ଅବଧିକୁ ୪ବର୍ଷ ଭାବେ ବିବେଚନା କରାଯାଇଛି।

ସେହି ଉଦ୍ୟାନ ପ୍ରତିଷ୍ଠା ପାଇଁ ଡିଏମଏଫ(ଜିଲ୍ଲା ଖଣିଜ ନ୍ୟାସ) ପାଣ୍ଠିରୁ ୫୭ଲକ୍ଷ ୭ ହଜାର ୭୬୫ ଟଙ୍କା ଏବଂ କାମ୍ପା’ର ୨୭ ଲକ୍ଷ ୮୭ ହଜାର ୩୦୦ ଟଙ୍କା ବିନିଯୋଗ ହେବ। ପ୍ରାୟ ୮୫ଲକ୍ଷ ବ୍ୟୟରେ ଏହି ଉଦ୍ୟାନ ପ୍ରତିଷ୍ଠା ହେବା ଦ୍ୱାରା ସୁକିନ୍ଦାଗଡ଼,ଖରଡ଼ି ଓ ଅମ୍ପାବୋଳା ପଞ୍ଚାୟତର ଅନେକ ଲୋକ ଦୀର୍ଘ ଦିନ ପାଇଁ ରୋଜଗାର ପାଇ ପାରିବେ। ଆଜି(ବୁଧବାର)ର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କଟକ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ର, ସୁକିନ୍ଦା ବନାଞ୍ଚଳ ରେଞ୍ଜ ଅଧିକାରୀ ବିପିନ ରାଉତରାୟ, ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଯେନା ଓ ବ୍ଲକ ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page