ଓଡ଼ିଶାକୁ ବାତ୍ୟା “ୟାସ” କ୍ଷୟକ୍ଷତି ବାବଦକୁ ୫୦୦ କୋଟି ଘୋଷଣା

ଭୂବନେଶ୍ୱର (ସଙ୍କେତ ଖବର): ବାତ୍ୟା “ୟାସ” କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ମିଳିବ ୫ଶହ କୋଟିର କେନ୍ଦ୍ରୀୟ ସହାୟତା। ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବା ସହ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ।

ଘର ଭାଙ୍ଗିବାଠୁ ଆରମ୍ଭ କରି ଚାଷ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଓ ରାସ୍ତାଘାଟକୁ ହୋଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏ ସଂପର୍କିତ ୮ ମିନଟର ଭିଡ଼ିଓ ପ୍ରଧାନମନ୍ତ୍ରୀଙ୍କୁ ଦେଖିଥିଲେ । ମୁଷଳଧାରାରେ ବର୍ଷା, ଏହାକୁ ନେଇ କିଛି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ସମୁଦ୍ର ଜୁଆର ମାଡି ଯାଇ ଅନେକ ଗାଁ ଜଳମଗ୍ନ ହେବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। ତେବେ ବାତ୍ୟା କ୍ଷୟୟତି ବାବଦକୁ କେନ୍ଦ୍ରକୁ କୌଣସି ଅର୍ଥ ମଗାଯାଇନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏବେ କ୍ଷୟକ୍ଷତିର ଆକଳନ ଚାଲିଛି। ରିପୋର୍ଟି ମିଳିବା ପରେ ୭ ଦିନ ମଧ୍ୟରେ କେନ୍ଦ୍ରକୁ ଜଣାଇ ଦିଆଯିବ। ତେବେ ବାତ୍ୟା ମୁକାବିଲା ଲାଗି ଦୀର୍ଘ ମିଆଦି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖାଯାଇଛି। Disaster Resilience Power system ବା ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ ଭିତ୍ତିଭୂମୀ ନିର୍ମାଣ ଯେପରିକି ଅନଡରଗ୍ରାଉଣ୍ଡ କେବେଲିଂ କଥା ଉଠାଇଥିଲେ ରାଜ୍ୟ ସରକାର। ତାହା ସହ Coastal Storm Surge Protection ବା ସାମୁଦ୍ରିକ ଜୁଆର ପ୍ରତିରୋଧ ବନ୍ଧ ନିର୍ମାଣ ଲାଗି ରାଜ୍ୟ ସରକାର ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା ସହାୟତା ବାବଦକୁ ୫ଶହ କୋଟିର ସହାୟତା ଘୋଷଣା କରିଥିଲେ ମଧ୍ୟ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍। ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବିପର୍ଯ୍ୟୟ ମୁକାବିଲା ଲାଗି ଓଡ଼ିଶାକୁ ପ୍ରସ୍ତୁତ ରଖିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବେ। ଅନ୍ୟପକ୍ଷରେ ବାତ୍ୟା ମୁକାବିଲା ଲାଗି ସ୍ଥାୟୀ ବ୍ୟବସ୍ଥା କରାଯିବା ଦିଗରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ବାତ୍ୟାର ସ୍ଥିତିର ଅନୁଧ୍ୟାନ କରିବା ପରେ ଓଡ଼ିଶାର ଜନସାଧାରଣଙ୍କ ସହିତ କେନ୍ଦ୍ର ସରକାର ଦୃଢ଼ତାର ସହିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଜଣାଇଛନ୍ତି।