ବିଞ୍ଝାରପୁର ବଜାର ରେ ପୁତି ଗନ୍ଧମୟ ପରିବେଶ

0

ବିଞ୍ଝାରପୁର (ସଂକେତ ଖବର) ବିଞ୍ଝାରପୁର ବଜାର ଓ ଏହାର ପାର୍ଶ୍ଵବର୍ତୀ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ବେଳେ ପରିବେଶ ପ୍ରଦ୍ୟୁଷିତ ହେବାରେ ଲାଗିଛି । ବିଞ୍ଝାରପୁର ଓ ଆଖପାଖ ଛକ ମାନଙ୍କରେ କଠିନ ବର୍ଜ୍ୟବସ୍ତୁ ଜମା ହେଉଥିବା ବେଳେ ଏହାର ପରିଚାଳନା ପାଇଁ ପଞ୍ଚାୟତର ସରପଞ୍ଚମାନେ ଆଖିବୁଜି ଦେଇଛନ୍ତି । ସ୍ୱଚ୍ଛ ଭାରତ ଯୋଜନା ସମ୍ପୂର୍ଣ୍ଣ ବିଫଳ ହେବା ଦେଖା ଯାଉଛି । ଅଣ୍ଡା , ମାଛ ମାଂସ , ପନିପରିବା ଦୋକାନ ଓ ଜଳଖିଆ ଦୋକାନୀମାନେ ବର୍ଜ୍ୟବସ୍ତୁ ଗୁଡିକୁ ଯେଉଁଠି ନାହିଁ ସେଇଠି ଜମା କରି ଚାଲିଛନ୍ତି । ଗ୍ରାମାଞ୍ଚଳରେ ଦିନରାତି ଟ୍ରାକ୍ଟର ଯିବା ଆସିବା ଯୋଗୁ ଧୂଳି ଧୂଆଁରେ ଲୋକେ ଅଣନିଶ୍ଵାସୀ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । କିନ୍ତୁ ଏହାର ନିରାକରଣ ପାଇଁ କେହି ଦୃଷ୍ଟି ଦେଉ ନାହାନ୍ତି । ବିଞ୍ଝାରପୁର ବଜାରଟିରେ ସୁଲଭ ଶୌଚାଳୟ ନିର୍ମାଣ ପାଇଁ ଦୀର୍ଘ ୨୦ ବର୍ଷ ହେଲା ଦାବି ହୋଇ ଆସୁଛି । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ହେଉ କିମ୍ବା ଜିଲା ପ୍ରଶାସନ ହେଉ କାହାରି ନିଦ ଭାଙ୍ଗୁ ନାହିଁ । ଅତୀତରେ ଜିଲାପାଳ ମାନେ ଖଣିଖାଦାନରୁ ମିଳୁଥିବା ଉନ୍ନୟନ ଅର୍ଥ ବଜାର ମାନଙ୍କର ବିକାଶ କରାଯାଇଥିବା ବେଳେ ସେଥିରୁ ବିଞ୍ଝାରପୁର ବାଦ ପଡ଼ିଛି । ଯାହାଫଳରେ ବିଞ୍ଝାରପୁର ଅଞ୍ଚଳଟି ପଛୁଆ ହୋଇ ପଡ଼ି ରହିଛି । ବିଞ୍ଝାରପୁର ମେଡିକାଲ ଛକଠାରେ ବିଶ୍ରାମଗାର , ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯିବା ପାଇଁ ଦାବି ହୋଇ ଆସୁଥିବା ବେଳେ ଏହି ବ୍ୟସ୍ତ ବହୁଳ ବଜାରଟିର ବିକାଶ ପାଇଁ କାହାରି ନିଘା ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ଦୈନିକ ହଜାର ହଜାର ଯାତ୍ରୀ ନିର୍ଭର କରୁଥିବା ବେଳେ ଏଠାରେ ଯାତ୍ରୀଙ୍କୁ କୌଣସି ସୁବିଧା କରାଗଲା ନାହିଁ । ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଯାତ୍ରୀ ବିଶ୍ରାମଗାରଟିଏ ନଥିଲାବେଳେ ଅସମୟରେ ଶୌଚ ହେବା ପାଇଁ ଶୌଚାଳୟଟିଏ ନାହିଁ । ଶହ ଶହ ଦୋକାନୀ ଓ ଜନସାଧାରଣ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାଜପୁରରୁ ସିଂହପୁର ରାସ୍ତାଟି ଏକ ବ୍ୟସ୍ତ ବହୁଳ ରାସ୍ତାରେ ପରିଣତ ହୋଇ ଗଲାଣି । ଏ ପାଖରୁ ସେପାଖକୁ ଯିବା ପାଇଁ ଅନ୍ୟୁନ ୧୦ରୁ ୧୨ ମିନିଟ ସମୟ ଲାଗୁଛି । ସେହିପରି ସୟଦପୁର , ମଇଁଦା , ମାଁସଢା ଛକର ଗହଳି ବୃଦ୍ଧି ପାଇବାରେ ଲାଗିଛି । ଏହି ସବୁ ଛକ ମାନଙ୍କରେ ୪ ଟିକିଆ ରାସ୍ତା ହେବ ପାଇଁ ବହୁ ଦିନରୁ ପ୍ରଶାସନିକ ନିଷ୍ପତି ହୋଇଥିବା ବେଳେ ତାହା କାର୍ଯ୍ୟକାରୀ ହେବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ପ୍ରକାଶ ପାଉ ନଥିବା ଦେଖା ଯାଉଛି । ତେବେ ବିଞ୍ଝାରପୁର ବଜାର ସମେତ ୪ଟି ପଞ୍ଚାୟତକୁ ନେଇ ବିଜ୍ଞପିତ ଅଞ୍ଚଳ ଗଠନ ନିମନ୍ତେ ସରକାରଙ୍କ ନିକଟରେ ପ୍ରସ୍ତାବ ଥିବା ବେଳେ ସରକାର ଏହାକୁ ଅଣଦେଖା କରି ଚାଲିଛନ୍ତି । ଏଥିପାଇଁ ଅତୀତରେ ବହୁ ଆନ୍ଦୋଳନ ମୁଣ୍ଡ ଟେକି ଥିବା ବେଳେ ତଥାପି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଉ ନାହିଁ । ଦୀର୍ଘ ୧୦ ବର୍ଷ ଧରି ବିଞ୍ଝାରପୁର ବଜାର ଓ ସୟଦପୁର – ରଘୁନାଥପୁର ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ହୋଇ ପାରି ନଥିବାରୁ ସାଧାରଣରେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି । ଦୀର୍ଘ ଏକ ଶହ ବର୍ଷ ଧରି ବିଞ୍ଝାରପୁରର ସାପ୍ତାହିକ ହାଟଟି ଯେଉଁ ସ୍ଥାନରେ ହେଉଥିଲା ତାହା ସେଠାରେ ନହୋଇ ଏବେ ଖରସ୍ରୋତା ନଦୀ ବନ୍ଧକୁ ଉଠି ଯାଇଛି । ଯାହା ଫଳରେ ଦୋକାନୀ ଓ ବ୍ୟବସାୟୀ ମାନେ ବହୁ କଷ୍ଟରେ ବ୍ୟବସାୟ କରୁଛନ୍ତି । ସେମାନଙ୍କ ପାଇଁ ବସିବାକୁ ସ୍ଥାନ ନଥିବା ଦେଖା ଯାଉଛି । ବର୍ଷା ହେଲେ ହାଟ ବନ୍ଦ ହୋଇ ଯାଉଛି । ଏଥିପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କୁ ବିଞ୍ଝାରପୁର ବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page