ସୁକିନ୍ଦା ରେ ଖୋଳାଯିବ ୪୮୦ ପୋଖରୀ
![](https://www.sanketkhabar.com/wp-content/uploads/2020/05/IMG-20200528-WA0067-1024x474.jpg)
ସୁକିନ୍ଦା(ସଂକେତ ଖବର)
ଗ୍ରାମାଞ୍ଚଳ ପାଣି ସମସ୍ୟା ଦୂର କରିବାକୁ ପ୍ରତି ପଞ୍ଚାୟତରେ ଅତି କମରେ ୧୦ଟି ଲେଖାଏଁ ପୋଖରୀର ଆବଶ୍ୟକତା ରହିଛି। ସେଥିପାଇଁ ଦାନଗଦି ବ୍ଲକରେ୨୩୦ଟି ଏବଂ ସୁକିନ୍ଦା ବ୍ଲକରେ ୨୫୦ଟି ପୋଖରୀ ନିର୍ମାଣ କରାଯିବ।ଆଉ ପ୍ରତ୍ୟେକ ପୋଖରୀ ଲାଗି ୧୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଫଳରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ୪୮୦ଟି ପୋଖରୀ ନିର୍ମାଣ ହେବ। ପ୍ରତି ପୋଖରୀରେ ସିମେଣ୍ଟର ଗାଧୁଆ ତୁଠ ଏବଂ ପୋଷକା ପରିବର୍ତ୍ତନ ଲାଗି ସ୍ୱତନ୍ତ୍ର ଘର ନିର୍ମାଣ ହେବ। ଫଳରେ ଲୋକମାନେ ସୁବିଧାରେ ଶୌଚ ହେବା ସହ ବିଭିନ୍ନ ସାମାଜିକ କ୍ରିୟା ସମ୍ପାଦନ ହୋଇପାରିବ। ଏନେଇ ଆଜି(ଗୁରୁବାର) ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀଙ୍କ ସହ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କର ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି।
ପୋଖରୀ ନିର୍ମାଣ ଲାଗି ପ୍ରାୟ ୪୮କୋଟି ଟଙ୍କା ବ୍ୟୟ ହେବ।ଜିଲ୍ଲା ଖଣିଜ ନ୍ୟାସ(ଡିଏମଏଫ) ପାଣ୍ଠିରୁ ପୋଖରୀ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚ ହେବାକୁ ସ୍ଥିର ହୋଇଛି।କାରଣ ଏବେ ସୁଦ୍ଧା ଯାଜପୁର ଡିଏମଏଫ ପାଣ୍ଠିକୁ ୬୨୬.୩୧ କୋଟି ଟଙ୍କା ଆସିଛି। ଯାହାର ସିଂହଭାଗ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଖଣି ଅଞ୍ଚଳରୁ ସଂଗ୍ରହ ହୋଇଛି।
ତେବେ ପୋଖରୀ ନିର୍ମାଣ ନେଇ ବିସ୍ତୃତ ରିପୋର୍ଟ ଖୁବଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଉମେଶ ଜେନା ସୂଚନା ଦେଇଛନ୍ତି। କରୋନା ଯୋଗୁ କାମଧନ୍ଧା ପାଉନଥିବା ଲୋକଙ୍କୁ ପୋଖରୀ ନିର୍ମାଣ ହେବା ଦ୍ୱାରା ରୋଜଗାର ମିଳିବା ସହ ଗାଁର ଜଳ ସମସ୍ୟା ଦୂର ହୋଇପାରିବ।