ଖରସ୍ରୋତା ନଦୀରେ ମେଗା ପାଇପ ପାଣି ପ୍ରକଳ୍ପ ସଂପର୍କରେ ମିଛ ତଥ୍ୟ ଦେଇଛନ୍ତି ସରକାର: କଂଗ୍ରେସ
![](https://www.sanketkhabar.com/wp-content/uploads/2021/08/images-12.jpeg)
ଭୁବନେଶ୍ୱର(ସଙ୍କେତ ଖବର)କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀ ଉପରେ ନିର୍ମାଣ ହେଉଥିବା ମେଗା ପାଇପ ପାଣି ପ୍ରକଳ୍ପ ସଂପର୍କରେ ରାଜ୍ୟବାସୀଙ୍କୁ ମିଛ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ସରକାର ଦେଇଥିବା ପରିବେଶ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ ବା ଇଏସ୍ଆଇଏ ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ପ୍ରକଳ୍ପଟି ଇକୋ ସେନସିଟିଭ୍ ଜୋନ୍ ଭିତରେ ଆସୁଥିବାରୁ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ଜୋନ୍ କମିଟିର ସହମତି ଓ ସ୍ବୀକୃତି ନେବା ଜରୁରୀ। କମିଟିର ଅନୁମତି ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ ନିୟମ ରହିଛି। ମାତ୍ର ରାଜ୍ୟ ସରକାର ଇଏସ୍ଆଇଏ ଷ୍ଟଡି କରି ନଥିବା ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ଆବାହକ ସତ୍ୟପ୍ରକାଶ ନାୟକ କହିଲେ, ପ୍ରକଳ୍ପଟି ଭିତରକନିକା ଇକୋ ସେନସିଟିଭ ଜୋନ୍ ଭିତରେ ଆସୁଛି। ଭିତରକନିକା ଉପରେ ପ୍ରକଳ୍ପର କ’ଣ ପ୍ରତିକୂଳ ପ୍ରଭାବ ରହିବ, ତାହାର ସର୍ଭେ ରିସର୍ଚ ରିପୋର୍ଟ ପ୍ରସ୍ତୁତ ପରେ ହିଁ ଇକୋ-ସେନସିଟିଭ ଜୋନ୍ କମିଟିର ବୈଠକରେ ଆଲୋଚନା କରାଯିବା ଜରୁରୀ। ୪୦ ପ୍ରତିଶତ କାମ ସରିବା ପରେ ପ୍ରଶାସନ କାହିଁକି ଇକୋ ସେନସିଟିଭ ଜୋନ୍ କମିଟିର ବୈଠକ ଡାକିଲେ ଓ ଆଇଆଇଟି ହାଇଦ୍ରାବାଦ ଦ୍ବାରା ପ୍ରସ୍ତୁତ ରିପୋର୍ଟ କପି କିଭଳି ଠିକା ସଂସ୍ଥା ପାଖକୁ ଆସିଲା, ସେ ସଂପର୍କରେ ସରକାର ଜବାବ ଦିଅନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି। ମୁଖପାତ୍ର ମନୋରଂଜନ ଦାଶ ଏହି ପ୍ରସଙ୍ଗରେ ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାରେ କେନ୍ଦ୍ରୀୟ ଆଇନର ଉଲ୍ଲଂଘନ ହୋଇଥିବାରୁ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହିତ ଅଭିଯୁକ୍ତ ଠିକାଦାର ଓ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ଦାବି କରିଛନ୍ତି।