ବିଭିନ୍ନ ଦାବି ନେଇ ଜିଲାପାଳ ସମ୍ମୁଖରେ ବାମ ସଂଗଠନ ସମୂହ ପକ୍ଷରୁ ବିକ୍ଷୋଭ
![](https://www.sanketkhabar.com/wp-content/uploads/2021/08/WhatsApp-Image-2021-08-09-at-3.07.21-PM-1024x768.jpeg)
ଯାଜପୁର(ସଂକେତ ଖବର) ବିଭିନ୍ନ ଦାବି ନେଇ ଆଜି ଜିଲାପାଳ ଅଫିସ ସମ୍ମୁଖରେ ବାମ ସଂଗଠନ ସମୂହ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ.ଆଇ.ଟି.ୟୁ.ସି., ଅଲ୍ ଇଣ୍ଡିଆ କୃଷକ ସଭା, ସି.ଆଇ.ଟି.ୟୁ., ଓଡ଼ିଶା କୃଷକ ସଭା ଓ ସି.ପି.ଆଇ., ସି.ପି.ଆଇ.(ଏମ୍.) ପକ୍ଷରୁ ଅଗଷ୍ଟ ୯ ଭାରତ ଛାଡ କ୍ରାନ୍ତି ଦିବସ ଅବସରରେ ଏହି ବିକ୍ଷୋଭ କରାଯାଇଥିଲା। କେନ୍ଦ୍ର-ରାଜ୍ୟ ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧି ବିଭିନ୍ନ ଆଇନ୍ ଓ ଯୋଜନାକୁ ତୀବ୍ର ବିରୋଧ କରାଯିବା ସହ କେନ୍ଦ୍ର ସରକାରଙ୍କ ଆଖିବୁଜା ଘରୋଇକରଣ ନୀତି, ତୃଟିପୂର୍ଣ୍ଣ କୋଭିଡ଼୍ ପରିଚାଳନା ଆଦିକୁ ବିରୋଧ କରାଯିବା ସହ ଏହି ମହାମାରୀ ସମୟରେ ଶ୍ରମିକ, କୃଷକ, କ୍ଷୁଦ୍ର ବ୍ୟବସାୟୀ, ଅଟୋଚାଳକ, ପରିବହନ ଶ୍ରମିକ, ଦିନ ମଜୁରିଆ, ଆଶା ଅଙ୍ଗନବାଡି଼କର୍ମୀ ଆଦି ସମସ୍ତ ବର୍ଗର ମଣିଷମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା, କୋଭିଡ଼୍ ଯୋଦ୍ଧାମାନଙ୍କୁ ସ୍ୱତନ୍ତ୍ର ସୁବିଧା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ସେହିପରି ଅନ୍ୟ ଦାବି ଯଥା ଶ୍ରମିକ ବିରୋଧୀ ଚାରୋଟି ଶ୍ରମକୋଡ, କୃଷକ ବିରୋଧୀ ୩ଟି କୃଷି ଆଇନ ଓ ବିଦ୍ୟୁତ ଘରୋଇକରଣ ବିଲ୍ ବାତିଲ, ଏମ୍.ଏସ୍.ସ୍ୱାମୀନାଥନ୍ କମିଶନ ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟ ଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ (ମୋଟ ଉତ୍ପାଦନ ଖର୍ଚ୍ଚ + ୫୦%) ପ୍ରଦାନ ପାଇଁ ଆଇନ ପ୍ରଣୟନ, ସମସ୍ତ ଲୋକଙ୍କୁ ମାଗଣାରେ କୋଭିଡ୍ ଟୀକା ଡିସେମ୍ବର ୨୦୨୧ ମଧ୍ୟରେ ଦେବାର ବ୍ୟବସ୍ଥା, ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ମାସକୁ ୭ ହଜାର ପାଞ୍ଚଶହ ଟଙ୍କା ଓ ମୁଣ୍ଡପିଛା ଦଶକିଲୋ ଚାଉଳ ଛଅମାସ ପାଇଁ ଯୋଗାଣ, ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ, କୋଭିଡ୍ ସମୟରେ କାମ କରୁଥିବା ସବୁ କ୍ଷେତ୍ରରେ (ସରକାରୀ ଏବଂ ବେସରକାରୀ) ନିଯୁକ୍ତ ଶ୍ରମିକମାନଙ୍କୁ କୋଭିଡ୍ ଯୋଦ୍ଧା ଶ୍ରମିକ ଭାବେ ସ୍ୱୀକାର, ଏହି କୋଭିଡ୍ ଯୋଦ୍ଧା ପ୍ରତ୍ୟେକ ଶ୍ରମିକ ପାଇଁ ପଚାଶ ଲକ୍ଷ ଟଙ୍କାର ଜୀବନବୀମା, ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଓ ଭାଗଚାଷୀମାନଙ୍କୁ ଚାଷୀର ଅଧିକାର, ମନରେଗାର ବର୍ଷକୁ ୨୦୦ ଦିନ କାମ ଓ ଦୈନିକ ମଜୁରୀ ଛଅଶହ ଟଙ୍କା, “ମନରେଗା” ମଜୁରୀ ପ୍ରଦାନ କ୍ଷେତ୍ରରେ ଆଦିବାସୀ-ଦଳିତମାନଙ୍କୁ ଭିନ୍ନ ପର୍ଯ୍ୟାୟଭୁକ୍ତ କରା ନ ଯିବା, ଓଡିଶାରେ ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ଓଡିଶା ଦୂରଦର୍ଶନ ଚ୍ୟାନେଲ ଜରିଆରେ ସୁନିଶ୍ଚିତ ବ୍ୟବସ୍ଥା, ପ୍ରତ୍ୟେକ କୋଭିଡ୍ ମୃତ୍ୟୁକୁ ସଠିକ୍ ଭାବରେ ପଞ୍ଜିକରଣ କରି ସଂପୃକ୍ତ ପୀଡିତ ପରିବାରକୁ ପ୍ରମାଣ ପତ୍ର ଦେବା, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ୍-୨୦୦୫ ଅନୁସାରେ କୋଭିଡ୍ ମୃତ୍ୟୁ ଜନିତ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ, ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ଆର୍ଥିକ ସହାୟତା ପ୍ରଦାନ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍.ଡି.ଆର୍.ଏଫ୍.)ର ନିୟମାବଳୀକୁ ସଂଶୋଧନ, ସେହି ଅନୁଯାୟୀ ଓଡିଶା ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସ.ଡି.ଆର୍.ଏଫ୍.)ର ନିୟମାବଳୀକୁ ମଧ୍ୟ ସଂଶୋଧନ କରିବା ଆଦିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।
ଉକ୍ତ ଆନ୍ଦୋଳନରେ ଏ.ଆଇ.ଟି.ୟୁ.ସି.,ଏ.ଆଇ.କେ.ଏସ୍. ଓ ସି.ପି.ଆଇ. ପକ୍ଷରୁ ମଳୟ କୁମାର ପଣ୍ଡା, ବନମାଳୀ ବାଇ, ସୁରେନ୍ଦ୍ର ମଲ୍ଲିକ, ବଳରାମ ମଲ୍ଲିକ, ପୁରସ୍ତମ ସାହୁ, ଅଭୟ ପଣ୍ଡା, ବନମାଳୀ ଦାସ, ସି.ଆଇ.ଟି.ୟୁ., ଓଡ଼ିଶା କୃଷକ ସଭା ଓ ସି.ପି.ଆଇ.(ଏମ୍.) ପକ୍ଷରୁ ବିଜୟ ନାୟକ, ଗଣେଶ ସାହୁ, ଅମୂଲ୍ୟ ସାମଲ, ନିର୍ମଳ ରଥ, ସୁରେଶ ସାହୁ, ଗୌତମ ସାହୁ, ଗଯାଧର ବେହେରା, ମାଧବ କୁଣ୍ଡୁ, ବ୍ରହ୍ମାନନ୍ଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।