ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି ର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

0

ପୁରୀ(ସଂକେତ ଖବର) ମହାମାରୀ କରୋନା ପାଇଁ ଦୁଇ ବର୍ଷ ବିନା ଭକ୍ତ ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ କରୋନା ର ପ୍ରକୋପ ହ୍ରାସ ପାଇଥିବାରୁ ଭକ୍ତ ଙ୍କ ମେଳରେ ରଥଯାତ୍ରା ହେବ। ପୂର୍ବାପେକ୍ଷା ଅଧିକ ଜନସମାଗମ ର ଆକଳନ କରାଯାଉଛି। ତେଣୁ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଯାତ୍ରୀ ମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ଅପରାହ୍ନରେ ରଥଯାତ୍ରା ସମ୍ପର୍କରେ ଏକ ସମୀକ୍ଷା ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଓ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ରାସ୍ତା ଘାଟ ମରାମତି, ଡ୍ରେନ ସଫା ଓ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ସୁନାବେଶ ରେ ଅତିରିକ୍ତ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା,ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ, ରଥଯାତ୍ରା ପାଇଁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ଆଶ୍ରୟ ସ୍ଥଳ ବ୍ୟବସ୍ଥା, ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରୁ ସମସ୍ତ ଅବରୋଧ ଓ କ୍ୟାବିନ ଅପସାରଣ, ବର୍ଷା ହେଲେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା, ରାସ୍ତା ଅବରୋଧ କରି ଗାଡି ପାର୍କିଂ କରୁଥିଲେ ତୁରନ୍ତ ହଟେଇବା ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ପ୍ରତିଟି ରଥ ଟଣା ପରେ ତୁରନ୍ତ ବଡଦାଣ୍ଡ ରୁ ଚପଲ,ପାଣି ବୋତଲ ଇତ୍ୟାଦି ଅଳିଆ କୁ ହଟେଇବା ସହ ରୌଦ୍ର ତାପରୁ ରକ୍ଷା ପାଇଁ ଜଳ ସିଚଂନ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପ୍ରଶାସନ ଗ୍ରହଣ କରିଥିବା ବିବିଧ ପଦକ୍ଷେପ ଓ ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ ସିଂ ଆଇନ ଶୃଙ୍ଖଳା ରକ୍ଷା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,ନିତୀ ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ସମୀକ୍ଷା ପରେ ପରେ ମୁଖ୍ୟ ଶାସନ ସଚିବ ସେବାୟତ ମାନଙ୍କ ସହ ରଥଯାତ୍ରା କୁ ସୁଚାରୁ ରୁପେ ଓ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ସମାପନ କରିବାକୁ ସହଯୋଗ କାମନା କରିଥିଲେ।ପରେ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତି କୁ ଅନୁଧ୍ୟାନ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page