ପୁରୀ ଗଣ୍ଡଗୋଳ ଘଟଣା,ଆମିକସ କ୍ୟୁରି ମାଗିଲେ ରିପୋର୍ଟ

0

ପୁରୀ: ଶ୍ରୀମନ୍ଦିରର ବାଇସି ପାହାଚ ଓ ବଡଦାଣ୍ଡରେ  ସୃଷ୍ଟି ହୋଇଥିବା ଲଙ୍କାକାଣ୍ଡ ନେଇ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁହଁ ଖୋଲିଛନ୍ତି । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଏବଂ ଏହାଦ୍ବାରା ଶ୍ରୀକ୍ଷେତ୍ର ପୁରୀ ବିଶ୍ବ ଦରବାରରେ ନିନ୍ଦିତ ହୋଇଛି । ବନ୍ଦ ପାଳନ ନାଁରେ କିଛି ଅସାମାଜିକ ତତ୍ତ୍ବ ଏଭଳି କାଣ୍ଡ ଭିଆଇଥିବା ସେ କହିଛନ୍ତି । ଯେଉଁମାନେ ବନ୍ଦ ଡାକରା ଦେଇଥିଲେ, ସେମାନଙ୍କର ସେ ଅସାମାଜିକ ତତ୍ତ୍ବଙ୍କ ଉପରେ ନିୟନ୍ତ୍ରଣ ନ ଥିଲା । ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସକ୍ୟୁରୀ ଜଷ୍ଟିସ ଗୋପାଳ ସୁବ୍ରମନିୟମ ମଧ୍ୟ ଉଦ୍‌ବେଗ ପ୍ରକାଶ କରିବା ସହ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଆମିକସକ୍ୟୁରୀ ତାଙ୍କୁ ଶ୍ରୀମନ୍ଦିର ରିପୋର୍ଟ ଓ ଭିଡିଓ ଫୁଟେଜ ମାଗିଥିବା ସେ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଧାଡିରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥିଲା । ଏ ସଂପର୍କରେ ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା । ସବୁ ସେବାୟତ ଏବଂ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ସଂପୃକ୍ତ ବ୍ୟକ୍ତିମାନେ ଏ ସଂପର୍କରେ ଅବଗତ ଥିଲେ । ଗତ ଏକ ତାରିଖରେ ଏହି ପ୍ରକ୍ରିୟା ଯେଉଁ ଦିନ କାର୍ଯ୍ୟକାରୀ ହୋଇଥିଲା, ସେ ନିଜେ ମଧ୍ୟ ଧାଡିରେ ଯାଇ ଦର୍ଶନ କରିଥିବା କହିଛନ୍ତି ।

ବୁଧବାର ରାତିରେ ଶାନ୍ତି କମିଟି ବୈଠକ ପରେ ପୁରୀରେ ପୁଣି ଥରେ ଶାନ୍ତି ଫେରିଛି । ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଏବଂ ସୂଚନା କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଥାନାରେ ଦୁଇଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଛି । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ପୁରୀ ଏସପି ଓ 15ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ତେଣୁ ସବୁ ଭିଡିଓ ଫୁଟେଜକୁ ଦୃଷ୍ଟିରେ ରଖି ପୋଲିସ ଆବଶ୍ୟକ ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।

 

Leave a Reply

Your email address will not be published. Required fields are marked *

You cannot copy content of this page