ଯାଜପୁର ରୋଡରେ ରେଲୱେ ଡିଭିଜନ ପ୍ରତିଷ୍ଠା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ନେତା ବିଶ୍ୱଜିତ ନାୟକ
![](https://www.sanketkhabar.com/wp-content/uploads/2021/07/1200px-Indian_Railways.svg_-1024x1015.png)
କୋରେଇ(ସଂକେତ ଖବର) ଯାଜପୁରରେ ରେଲୱେ ଡିଭିଜନ ପ୍ରତିଷ୍ଠା କରିବା ପାଇଁ ଅନେକ ସମୟରେ ବିଭିନ୍ନ ମହଲରୁ ଦାବି କରାଯାଇ ଆସୁଅଛି । ଯାଜପୁର ଜିଲ୍ଲାର କଳିଙ୍ଗନଗରର ବ୍ୟାପକ ଶିଳ୍ପାୟନ ସହ ଯାଜପୁର ହେଉଛି ପ୍ରାକୃତିକ ସମ୍ପଦ ତଥା ଖଣିଜ ପଦାର୍ଥ ଭରା ପାଞ୍ଚଗୋଟି ଜିଲ୍ଲା କେନ୍ଦୁଝର,ସୁନ୍ଦରଗଡ,ଢେଙ୍କାନାଳ ଅନୁଗୁଳ ର ପ୍ରବେଶ ଦ୍ୱାର । ଭୌଗଳିକ ଦୃଷ୍ଟିକୋଣରୁ ଯାଜପୁର ପାଞ୍ଚଗୋଟି ଜିଲ୍ଲାର ସୀମାସହ ଲାଗିକରି ରହିଛି ।ଯାଜପୁର କେନ୍ଦୁଝର ରୋଡରୁ ଭୁବନେଶ୍ୱର ଏକ ଶହ କିଲୋମିଟର ହୋଇଥିଲାବେଳେ କେନ୍ଦୁଝର ଏକଶହ କିଲୋମିଟର ଓ ବାଲେଶ୍ବର ଏକଶହ ଦଶ କିଲୋମିଟର ଅଟେ, ଯାଜପୁର କେନ୍ଦୁଝର ରୋଡରୁ ପାରାଦ୍ବୀପ ବନ୍ଦର ଏକଶହ ଦଶ କିଲୋମିଟର ହୋଇଥିଲା ବେଳେ ଧାମରା ବନ୍ଦର ଏକଶହ କିଲୋମିଟର ଅଟେ । ଉପରୋକ୍ତ ଦୂରତା ପରିମାପକରୁ ଏହା ସ୍ପଷ୍ଟରୂପେ ପ୍ରତୀୟମାନ ହୁଏକି ଯାଜପୁର କେନ୍ଦୁଝର ରୋଡ ଏକ କେନ୍ଦ୍ରସ୍ଥଳ ଯାହା ରାଜ୍ୟର ସମସ୍ତ ପ୍ରମୁଖ ସହର ତଥା ବନ୍ଦରଗୁଡିକୁ ସଂଯୋଗ କରୁଅଛି । ପାଞ୍ଚ ନମ୍ବର ଜାତୀୟ ଜଳପଥ ଯାଜପୁର ଜିଲ୍ଲା ମଧ୍ୟ ଦେଇ ଅଛି ଯାହା ପାରାଦ୍ବୀପରୁ ଯାଜପୁରର ଜୋକଡ଼ିଆ(ପଙ୍କପାଳ) ମଧ୍ୟଦେଇ ତାଳଚେରକୁ ସଂଯୋଜିକରଣ କରିବାର ଯୋଜନା ରହିଛି।
ଯାଜପୁର କେନ୍ଦୁଝର ରୋଡ କଳିଙ୍ଗନଗର ଶିଳ୍ପାୟନ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । କଳିଙ୍ଗ ନଗର ଶିଳ୍ପାଂଚଳରେ ପନ୍ଦରରୁ ଅଧିକ ଇସ୍ପାତ କାରଖାନା କାର୍ଯ୍ୟକାରୀ ହେଉଅଛି । ଜାତୀୟ ଇସ୍ପାତ ପଲିସି ଅନୁସାରେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଜାତୀୟ ସ୍ତରରେ କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରାଜ୍ୟ ସରକାର ମଧ୍ୟ କଳିଙ୍ଗନଗରରେ ଭାରତର ଦ୍ଵିତୀୟ ଟୁଲ ପାର୍କ(ପ୍ରଥମ ଟୁଲ ପାର୍କ କର୍ଣ୍ଣାଟକରେ ଅଛି) ପ୍ରତିଷ୍ଠା କରିବା ନିମନ୍ତେ ପ୍ରସ୍ତାବ ରଖିଛନ୍ତି l ଭାରତବର୍ଷରେ ଗଛିତ ଥିବା କ୍ରୋମାଇଟର ଶତକଡା ୯୮% ଭାଗ ସୁକିନ୍ଦାରେ ଅଛି ତାହା ସହିତ ସର୍ବାଧିକ ପରିମାଣରେ ନିକେଲ ମଧ୍ୟ ବହୁଳମାତ୍ରାରେ ଗଛିତ ଅଛି । ଲୁହା ପଥର(ଏଚ),କ୍ଵାରଜାଇଟ, କୋବଲ୍ଟ ଓ ଟିଟାନିୟମ ମଧ୍ୟ ଏହି ସୁକିନ୍ଦା ଖଣି ଅଂଚଳରେ ମିଳେ ।
![](https://www.sanketkhabar.com/wp-content/uploads/2021/07/IMG-20210629-WA0033-981x1024.jpg)
ସର୍ବମୋଟରେ ୧୮ଗୋଟି ଖଣି କାର୍ଯ୍ୟକାରୀ ହେଉଥିବା ବେଳେ ୨ ଗୋଟି କ୍ରୋମାଇଟ ଖଣି ଓ ଗୋଟିଏ ଲୁହା ପଥର ଖଣି ନିଲାମ ହେବାକୁ ଯାଉଅଛି । ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ଼ ମଧ୍ୟ ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲଠାରେ ଏକ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା କରିବାକୁ ଯାଉଛି । ଟାଟା ଷ୍ଟିଲ ଓ ଜିନ୍ଦଲ ଦ୍ୱାରା ଅନେକ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ ହେବାକୁ ଯାଉଅଛି । ୨୦୧୮ ମେକ ଇନ ଓଡିଶା କନକ୍ଳେଭରେ ରୁଷ ଓ ଚୀନ କଳିଙ୍ଗନଗର ତଥା ଯାଜପୁର ଜିଲ୍ଲାରେ ବିପୁଳ ପରିମାଣରେ ଅର୍ଥ ବିନିଯୋଗ କରିବାକୁ ଇଛା ପ୍ରକାଶ କରିଅଛନ୍ତି । ଇଡ଼କୋ ୧୬୭ ବର୍ଗକିଲୋମିଟରେ ଏକ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିଅଛି ଓ ଭବିଷ୍ୟତରେ ଏହାକୁ ଆହୁରି ବ୍ୟାପକ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ।ସଫ୍ଟୱୟାର ଟେକ୍ନୋଲୋଜିକାଲ ପାର୍କ ଅଫ ଇଣ୍ଡିଆର ନିର୍ମାଣ କାର୍ଯ୍ୟ ଅତି ଦ୍ରୁତଗତି ଚାଲୁଅଛି । ବେଟ ଲଜିଷ୍ଟିକ, ସାଇଜର, ଏପିଜୟ ଲଜିଷ୍ଟିକ, ଡ଼ିସିଆରଏଲ ଲଜିଷ୍ଟିକ ଆଦି ଲଜିଷ୍ଟିକ କମ୍ପାନୀ ମାନେ କାର୍ଯ୍ୟ କରୁଅଛନ୍ତି । ରାମକୋ, ଓସିଏଲ , ସାଗର ସିମେଣ୍ଟ, ଜେଏସଡବ୍ଲୁ ସିମେଣ୍ଟ, ଇମାମି ସିମେଣ୍ଟ ଓ ଚେତ୍ତିନାଡ଼ ଆଦି ସିମେଣ୍ଟ କମ୍ପାନୀ ମାନେ ଯାଜପୁର ଜିଲ୍ଲାରେ ସିମେଣ୍ଟ ଉତ୍ପାଦନ କରୁଅଛନ୍ତି । ଏହା ବ୍ୟତୀତ ମା ବିରଜା, ରତ୍ନଗିରି, ଲଳିତଗିରି, ଉଦୟଗିରି ପରି ବୌଦ୍ଧ ବିହାର ମଧ୍ୟ ରହିଛି । ଉତ୍ତର ଓଡ଼ିଶାର ସର୍ବାଧିକ ରେଳପଥ ଏହି ଅଞ୍ଚଳ ମଧ୍ୟରେ ରହିଛି । ସରକାରି ଓ ବେସରକାରୀ ଭାବେ ଅନେକ ଛୋଟ ବଡ଼ କମ୍ପାନୀ କାମ କରୁଛନ୍ତି ।ଏହିସବୁ ଉପଯୁକ୍ତ ସୁବିଧା ସୁଯୋଗକୁ ବିଚାର କରି ଯାଜପୁରର ଲୋକମାନଙ୍କ ରହିଆସୁଥିବା ଦୀର୍ଘ ଦିନର ଦାବିକୁ ହୃଦୟଙ୍ଗମ କରି ମାନ୍ୟବର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଯାଜପୁର ରୋଡ଼ରେ ରେଲୱେ ଡିଭିଜନ ପ୍ରତିଷ୍ଠା ଦାବିକୁ ଗୁରୁତ୍ବ ଦେବେ ବୋଲି ବିଜେପି ନେତା ବିଶ୍ୱଜିତ୍ ନାୟକ ଆଶା ପୋଷଣ କରିଛନ୍ତି ।