କୋରୋନା ପାଇଁ ରଙ୍ଗହୀନ ରଜପର୍ବ !

0

ଓଡ଼ିଶାର ଗଣପର୍ବ ହେଉଛି ରଜ। ଉପକୂଳ ଓଡିଶାର ଲୋକପ୍ରିୟ କୃଷିଭିତ୍ତିକ ପର୍ବ ଭାବରେ ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଠି ମହା ଧୂମଧାମରେ ପାଳନ କରା ଯାଇଥାଏ। ବିଶେଷ ଭାବେ ରଜ ଅବସରରେ ରାଜ୍ୟର ଗାଁ ଗଣ୍ଡା ହୋଇ ଉଠିଥାଏ ଉତ୍ସବମୁଖର। ରଜ ୩ ଦିନ ସମସ୍ତ କାମରୁ ଛୁଟି ନେଇ ଖେଳକୁଦ ଖିଆପିଆରେ ସମସ୍ତେ ମାତି ଉଠନ୍ତି। ବାଗୁଡି ତାସ୍‌ ପାଲି ମାଡ଼ରେ କମ୍ପିଉଠେ ଗାଁ ଦାଣ୍ଡ।

ପିଲାଠାରୁ ବୟସ୍କଙ୍କ ଯାଏ ସମସ୍ତେ ରଜ ଅବସରରେ ନୂଆ ପୋଷାକ ପିନ୍ଧି ପୋଡପିଠା ଖାଇ ମନଭରି ତିନିଦିନ ଉପଭୋଗ କରିଥାନ୍ତି। କିନ୍ତୁ ସବୁଠାରୁ ଅଧିକ ଉପଭୋଗ୍ୟ ହୋଇଥାଏ କୁମାରୀ କନ୍ୟା ତଥା ଗାଁର ଝିଅ ବୋହୂମାନଙ୍କ ପାଇଁ। ରଜ ଦୋଳି ଖେଳି ରଜ ଗୀତ ଗାଇ ରଜର ଭରପୁର ମଜା ଉଠାଇଥାନ୍ତି ଏମାନେ। ବସୁଦ୍ଧା ରଜଶ୍ବଳା ହୋଇଥିବା ମନେକରି ନାରୀ ଜାତିକୁ ବସୁଦ୍ଧାର ସାଙ୍କେତିକ ପରିଚୟ ଭାବରେ ଆମ ସମାଜ ସ୍ବତନ୍ତ୍ର ସମ୍ମାନ ଏହି ସମୟରେ ଦେଇଥାଏ।

ହେଲେ ଚଳିତ ବର୍ଷ କରୋନା ବା କୋଭିଡ-୧୯ ମହାମାରୀ ଚଳିତ ବର୍ଷ ରଜପର୍ବକୁ ପୁରା ରଙ୍ଗହୀନ କରିଦେଇଛି। ମୌସୁମୀର ପ୍ଳଥମ ସ୍ପର୍ଶରେ ଧରଣୀ ଖୁବ୍ ମନଲୋଭା ହୋଇଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ଦାଉରୁ ସମସ୍ତେ ରକ୍ଷା ପାଇଛନ୍ତି ସତ ହେଲେ ମନରେ ସରାଗ ନାହିଁ। ପ୍ରଥମକରି ପ୍ରକୃତିର କୋପର ଭୟରେ ରାଜ୍ୟବାସୀ ଏଥର ରଜପର୍ବ ପ୍ରାୟତଃ ପାଳନ କରିନାହାନ୍ତି। ଏ ଲେଖକ ଯାଜପୁର ଜିଲ୍ଲାର ଏମିତି ଏକ ଅଞ୍ଚଳରେ ଜନ୍ମ ହୋଇଛି ଯେଉଁଠି ରଜପର୍ବ ଟିକେ ନିଆରା ଢଙ୍ଗରେ ପାଳିତ ହୋଇଥାଏ।

ଆମ ଅଞ୍ଚଳର “ଖଣ୍ଡିତର” ନାମକ ଗୋଟିଏ ଗାଁ ଅଛି ଯାହାକୁ ରାଜ୍ୟ କବାଡି ଖେଳର ଏନ୍ତୁଡିଶାଳ ବୋଲି କୁହା ଯାଇଥାଏ। ଆମ ଜନ୍ମ ଆଗରୁ ପ୍ରାୟତ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଏହି ସ୍ଥାନରେ ଜାତୀୟ ସ୍ତରର କବାଡି ପ୍ରତିଯୋଗିତା ହୋଇଆସୁଛି। ଦେଶର ବଛାବଛା ରାଜ୍ୟ କବାଡି ଦଳମାନେ ଏଥିରେ ଅଂଶଗ୍ରହଣ କରିଥାନ୍ତି। ଆମ ସ୍ଥାନୀୟ ଅଞ୍ଚଳରେ ପ୍ରତିଘରେ ଝିଅ ଝିଆଣୀ ରଜରେ ଭର୍ତ୍ତି ହୋଇଯାଆନ୍ତି। ମୋର ଯାହା ମନେହୁଏ ଆମ ହେତୁ ପାଇବା ଠାରୁ ବୋଧହୁଏ ବର୍ଷେ ଦୁଇବର୍ଷ ଛାଡି ସବୁବର୍ଷ ଏହି କବାଡି ଖେଳ ଦେଖିଆସୁଛୁ।

ହେଲେ ପ୍ରଥମଥର ପାଇଁ ଚଳିତ ବର୍ଷ କରୋନା ପାଇଁ କବାଡି ପ୍ରତିଯୋଗିତା ବନ୍ଦ ରହିଛି। କବାଡି ଦୋଳି ପୋଡପିଠା ହେଉଛି ଆମ ଅଞ୍ଚଳର ରଜର ସ୍ବାତନ୍ତ୍ର୍ୟ ହେଲେ ଏଥରକ ସବୁ ଯେମିତି ଫିକା ଫିକା ଲାଗୁଛି। କରୋନା ପାଇଁ ପାଟିରେ ଏଥର ରଜପାନ ନାହିଁ, ଆଉ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ସଂଘବଦ୍ଧ ହୋଇ ରଜଦୋଳି ଖେଳିବା ଉପରେ ବି ଲାଗିଛି ଅଙ୍କୁଶ। ତଥାପି ମନରେ ବିଶ୍ବାସ ଏ ସମୟ ଚାଲିଯିବ ପୁଣି ସେଇ ପୁରୁଣା ଦିନ ଫେରିବ, ରଜର ରଙ୍ଗ ଦେହରେ ବୋଲି ହେବ ସମସ୍ତେ ପୁଣି ଖୁସିରେ ଏକାକାର ହୋଇଯିବେ ଆସନ୍ତା ବର୍ଷରେ।

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page