ମଣିଷ ମଣିଷ ମଧ୍ୟରେ ଛୁଆଁ ଅଛୁଆଁ ଅଉ ଜାତିବାଦ ଆମ ସନାନତ ଧର୍ମର ପରିପନ୍ଥୀ । ସମୟ ସହିତ ତାଳ ଦେଇ ଏହି ମାନସିକତା ବଦଳି ଚାଲିଥିଲେବି କେଉଁଠି ନା କେଉଁଠି ଏବେବି ଏହା ଆମ ସମାଜରେ ଦେଖିଵାକୁ ମିଳୁଛି । ଏକଦା ଉତ୍ତର ପ୍ରଦେଶର ସତ୍ୟପ୍ରକାଶ ନାମକ ଜଣେ ବ୍ୟକ୍ତି ଜଣେ ସଫେଇ କର୍ମଚାରୀର ଘରେ ପହଞ୍ଚି ଖାଦ୍ୟ ଖାଇବା ସମସ୍ତଙ୍କୁ ଚକିତ୍ କରି ଦେଇଥିଲା ।

ସ୍କୁଲରେ ପାଠ ପଢିବା ବେଳେ ସମସ୍ତ ପିଲାମାନେ ଟିଫିନ୍ ଏକାଠି ଗୋଟିଏ ସ୍ଥାନରେ ରଖି ଅଦଳବଦଳ କରି ଖାଇବା ହେଉ ବା ଜେଲ୍ ବିଭାଗରେ କାର୍ଯ୍ୟ କରିବା ବେଳେ କର୍ମଚାରୀ ସଙ୍ଗଠନର ନେତୃତ୍ବ ନେବାକୁ ଯାଇ ଦଳିତଙ୍କ ଘରେ ଖାଇବା ସବୁକିଛି ଥିଲା ପ୍ରେରଣାଦାୟୀ । ଆଜି ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ଏହି ଛୁଆଁ ଅଛୁଆଁ ଜାତିଭେଦକୁ ନେଇ କାମ କରୁଛନ୍ତି

ଏକଥା ଦୃଢତାର ସହ କୁହାଯାଇ ପାରେକି ପୂର୍ବପେକ୍ଷା ଏ ମାନସିକତାରେ ଅନେକ ପରିବର୍ତ୍ତନ ଆସିଛି । ରାମାୟଣର କଥାବସ୍ତୁକୁ ଯଦି ଆମେ ଅନୁଶୀଳନ କରନ୍ତି ତାହେଲେ ଦେଖାଯାଏ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ସ୍ତ୍ରୀ ସୀତାଙ୍କ ସହ ଅଯୋଧ୍ୟାରୁ ବନବାସରେ ଗଲାବେଳେ ନିଶାଦ ରାଜା ଜଣେ ଆଦିବାସୀ ହୋଇବି ତାଙ୍କର ଆତିଥ୍ୟ ଗ୍ରହଣ କରିଥିଲେ।

ତାଙ୍କ ଜୀବନରେ ଏହି ଛୁଆଁ ଅଛୁଆଁ ଭେଦଭାବ ଆଉ ଜାତିବାଦକୁ ସେ ଭୁଲ୍ ପ୍ରମାଣିତ କରିଛନ୍ତି । ଆଜିବି ଆମ ସମାଜରେ ଏହି ଛୁଆଁ ଅଛୁଆ ବିଷକୁ ଏବେବି କିଛି ବ୍ୟକ୍ତି ବା ଅନୁଷ୍ଠାନ ବଞ୍ଚାଇ ରଖିବାକୁ ଚେଷ୍ଠା କରୁଛନ୍ତି । କୁହାଯାଏ ମୋଗଲ ଶାସନ ସମୟରେ ଯେଉଁମାନେ ଧର୍ମ ପରିବର୍ତ୍ତନ ପାଇଁ ଅରାଜି ହେଉଥିଲେ ସେମାନଙ୍କୁ ଏକ ଅଛୁଆ ବା ଅସ୍ପୃଶ୍ୟ ଭାବେ ପରିଗଣିତ କରା ଯାଉଥିଲା ।

ଯେତବେଳେ ହସ୍ପିଟାଲର ସୁବିଧା ନଥିଲା ସେତବେଳେ ନବଜାତକ ଟିଏ ଜନ୍ମ ବେଳେ ଜଣେ ଧାଇର ଖୋଜା ପଡୁଥିଲା । ବିବାହ ବ୍ରତ ବା ସମସ୍ତ ପୂଜାପାଠରେ ଏବେବି ବାରିକ, ଧୋବାର ଆବଶ୍ୟକତା ଚାଲିଆସିଛି । କୂମ୍ଭାରର ହାତଗଢା ମାଟିର ପାତ୍ର ହେଉବା ରାଢି ଘରର ଢିଙ୍କିକୁଟା ଚୁଡା ଆଜିବି ସବୁ କାମରେ ଖୋଜା ପଡୁଛି ।

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁଠି ଏହି ତଥାକଥିତ ଅଛୁଆଁ ମଣିଷମାନଙ୍କର ଆବଶ୍ୟକତା ପଡୁଛି । ସବୁ ସଚେତନତା ସତ୍ତ୍ବେ ଏ ମାନସିକତା ତଥାପି ଆଜି ଆମ ସମାଜରେ ବଞ୍ଚିରହିଛି । ନିକଟରେ ବିହାରର ଗୋପାଳଗଞ୍ଜରେ ଜଣେ ବିଧବା ହାତର ରୋଷେଇ ଖାଇବାକୁ ସ୍କୁଲର ପିଲାମାନେ ମନା କରି ଦେଇଥିଲେ। ଏପରିକି ଏହି କଥାକୁ ନେଇ ସ୍ଥାନୀୟ ଲୋକେ ସ୍କୁଲରେ ତାଲା ପକାଇ ଦେଇଥିଲେ ।

କିନ୍ତୁ ଜିଲ୍ଲାଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଏହି ଘଟଣାର ସୁସ୍ଥ ସମାଧାନ କରି ଦେଇଥିଲା । ସ୍ବୟଂ ଜିଲ୍ଲାଧିକାରୀ ବିଧବା ହାତରୁ ଖାଦ୍ୟ ଖାଇବା ପରେ ସ୍ଥିତି ସ୍ବଭାବିକ ହୋଇଥିଲା । ପ୍ରଭୁ ରାମଚନ୍ଦ୍ର କେବେ କୌଣସି ଜାତି ଧର୍ମ ବା ସମ୍ପ୍ରଦାୟକୁ ପର ଭାବିନାହାନ୍ତି ବରଂ ଏ ସବୁର ଉର୍ଦ୍ଧରେ ମାନବବାଦକୁ ସର୍ବଦା ପ୍ରାଧାନ୍ୟ ଦେଇଛନ୍ତି । ସତ୍ୟ ହେଲା ମଣିଷହିଁ କେବଳ ଗୋଟିଏ ଜାତି ବାକି ସବୁ ମିଥ୍ୟା ।

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page