ଆମେରିକାର ହ୍ୟୁଷ୍ଟନଠାରେ ରଥଯାତ୍ରା ।

0

ଆମେରିକା : ଯୁକ୍ତରାଷ୍ଟ୍ର ଆମେରିକାର ଚତୁର୍ଥ ବୃହତ୍ତମ ମହାନଗରୀ ହ୍ୟୁଷ୍ଟନ ଠାରେ ପବିତ୍ର ଚତୁର୍ଦ୍ଦଶ ବାର୍ଷିକ ରଥଯାତ୍ରା ପର୍ବ ମହାସମାରୋହନରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବଢ଼଼ି ଭୋରରୁ ୩୧୦୧, ଫିକ୍‍ୱେ ମାର୍ଗସ୍ଥିତ ଓରିଶା କଲ୍‍ଚର ସେଣ୍ଟର (ଓ.ସି.ସି) ମଧ୍ୟରେ ସ୍ଥାପିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମ୍ମୁଖରେ ନୃସିଂହ ହଭନ, ରଥ ବାସ୍ତୁ ପୂଜା, ନାମଯଜ୍ଞ, ମଙ୍ଗଳ ଆଳତୀ, ପ୍ରତାପ ଉପଚାର, ଜଗନ୍ନାଥ ପରିବାର ବନ୍ଦାପନା ଆଦି ପୂଜାର୍ଚ୍ଚନା ଯଥାବିଧି ଅନୁଷ୍ଠିତ ହୋଇଥିଲା। ଏହାପରେ ଜଗନ୍ନାଥ ଅଷ୍ଟକମ୍‍, ଗୀତ ଗୋବିନ୍ଦ ଓ ଦଶାବତାର ଗାୟନ ତଥା ଭଗବତ ଗୀତା ପାଠ କରାଯାଇଥିଲା। ମଧ୍ୟାହ୍ନରେ କେନ୍ଦ୍ରର ଆନନ୍ଦବଜାର ଭାବରେ ନାମିତ ପାକଶାଳାରେ ପ୍ରସ୍ତୁତ ୫୬ଭୋଗ ଠାକୁରଙ୍କୁ ଅର୍ପଣ କରାଯାଇ ବିଶ୍ରାମ ଦିଆଯାଇଥିଲା। ଅପରାହ୍ନ ଅଢ଼େଇଟାରେ ଦୀଅଁମାନଙ୍କର ପରଦା ଉନ୍ମୁକ୍ତ ହେବା ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଉପଚାର ପୂଜା ଏବଂ ରଥ ପାଇଁ ଆଜ୍ଞାମାଳ ଗ୍ରହଣ ପ୍ରଭୃତି ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ଉପସ୍ଥିତ ପ୍ରାୟ ୫୦୦ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ପରିଲ୍ଲଖିତ ହୋଇଥିଲା। ଭକ୍ତମାନଙ୍କର ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ତଥା ଶଙ୍ଖ, ଘଣ୍ଟ, କର୍ତ୍ତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଗର ନାଦ ଦ୍ୱାରା ଗଗନ ପବନର ପ୍ରକମ୍ପନ ଭିତରେ ଚାରି ଠାକୁରଙ୍କୁ ପହଣ୍ଡି ରୋଷଣୀ କରାଯାଇ ରଥ ଉପରକୁ ଅଣାଯାଇଥିଲା। ସୁନ୍ଦର, ସୁଶୋଭିତ ଏବଂ ନାନା ରଙ୍ଗବେରଙ୍ଗ କପଡ଼ାରେ ଓ ସୁସଜ୍ଜିତ ରଥ ଉପରେ ଜଗତର ନାଥ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀସୁଦର୍ଶନଙ୍କର ବିରାଜମାନର ଦୃଶ୍ୟ ବେଶ୍‍ ମର୍ମସ୍ପର୍ଶୀ ଥିଲା। ସନ୍ଧ୍ୟା ସାଢ଼େ ୭ଟା ବେଳେ ଭୁବନେଶ୍ୱରରୁ ଆସିଥିବା ବଂଶୀଧର ଲେଙ୍କା ରଥ ଉପରେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମାପନ କରିବା ପରେ ରଥ ଟଣା ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ରଥାରୁଢ଼ ଠାକୁରମାନେ ଭଜନ, ଜଣାଣ, ସଂକୀର୍ତ୍ତନର ସୁମଧୂର ଝଙ୍କାର ଦ୍ୱାରା ସୃଷ୍ଟ ଭକ୍ତିପୂତ ପରିବେଶ, ଆଧ୍ୟାତ୍ମିକ ଉତ୍ସ୍ୱାସ ଏବଂ ଐଶ୍ୱରିକ ଭାବାବେଗର ଅପୂର୍ବ ଉନ୍ମାଦନା ମଧ୍ୟରେ ଗୁଣ୍ଡିଚା ଗୃହରେ ପହଞ୍ଚିଥିଲେ।

ଏହି ଅବସରରେ ହ୍ୟୁଷ୍ଟନ ଠାରେ ଅବସ୍ଥାପିତ ଭାରତର କନ୍‍ସୁଲେଟ୍‍ ଜେନେରାଲ ଅସୀମ ମହାଜନ ଏବଂ ସୀତାରାମ ପ୍ରତିଷ୍ଠାନର ଅଧ୍ୟକ୍ଷ ଅରୁଣ ବର୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ରଥଯାତ୍ରାର ବିଶେଷ ଆକର୍ଷଣ ଭାବରେ ସ୍ଥାନୀୟ ଚିକିତ୍ସକମାନଙ୍କ ଦ୍ୱାରା ଏକ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିଲା।

ଶେଷରେ ପ୍ରତିଷ୍ଠିତ ଓ ଉଦୀୟମାନ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ ଓ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା। ଓ.ସି.ସି. ତରଫରୁ ଆୟୋଜିତ ଚଳିତ ବର୍ଷର ରଥଯାତ୍ରା ମହୋତ୍ସବକୁ ସଫଳ ଓ ସ୍ମରଣୀୟ କରାଇବାରେ, ଏହାର ଅଧ୍ୟକ୍ଷ ଡଃ ଆଦିତ୍ୟ ସାମଲ, ସଭାପତି ଡଃ ଦେବାନନ୍ଦ ପତି, ଉତ୍ସବ କମିଟିର ଦୁଇ ଆବାହକ ତପନ ବେହେରା ଏବଂ ଅରୁଣୀ ଆଚାର୍ଯ୍ୟଙ୍କର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ ଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page