ଅଫତାବଙ୍କ ଅନନ୍ୟ ଭକ୍ତି,ଘୋଷଯାତ୍ରା ପାଇଁ ଗଲେ ସୁପ୍ରିମକୋର୍ଟ।

0

“ମନ୍ଦିର ହେଉକି ମସଜିଦ୍ ମୋ ପାଇଁ କିଛି ଫରକ ପଡେନା। ସାମାଜିକ କଟକଣା ପାଇଁ ମୁଁ ମନ୍ଦିର ଯାଏନି। ମୁଁ ଜଣେ ମଣିଷ ହିସାବରେ ଆମର ପାଳନକର୍ତ୍ତା ଜଣେ ବୋଲି ବିଶ୍ବାସ କରେ ” ଏକଥା ହେଉଛି ନୟାଗଡ ଜିଲ୍ଲାର ଅଫତାବ୍ ହୁସେନ ନାମକ ଜଣେ ୧୯ ବର୍ଷିୟ ମୁସଲମାନ ଯୁବକଙ୍କର। ରାତାରାତି ସାରା ରାଜ୍ୟରେ ପରିଚିତ ହୋଇ ଯାଇଥିବା ଏହି ଯୁବକଙ୍କ ଜଗନ୍ନାଥଙ୍କ ପ୍ରତି ଭକ୍ତି ଆଉ ଆସ୍ଥାକୁ ଦେଖି ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇଯାଇଛି ଭୁରିଭୁରି ପ୍ରଶଂସା। କେହିକେହି ଏହି ଯୁବକଙ୍କୁ ଆଉଜଣେ ସାଲବେଗ ସହ ତୁଳନା କରୁଛନ୍ତି।

ପ୍ରକାଶଯୋଗ୍ୟ ଚଳିତ ବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ପାଇ ମାନ୍ୟଵର ସୁପ୍ରିମକୋର୍ଟ ରାୟ ଦେବାପରେ ଏହି ଯୁବକ ଜଣକ ଆଇନଜୀବୀ ପ୍ରଣୟ ମହାପାତ୍ରଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାୟର କରିଛନ୍ତି। ଜଗନ୍ନାଥ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ବାରଣ ଥିବାରୁ ଦେଶର ଲକ୍ଷ ଲକ୍ଷ ଅନ୍ୟ ସମ୍ପ୍ରଦାୟର ଲୋକେ ବର୍ଷରେ ଥରେ ଜଗନ୍ନାଥଙ୍କୁ ବଡଦାଣ୍ଡରେ ରଥ ଉପରେ ଦେଖିବାର ସୁଯୋଗ ପାଇଥାନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ଏଭଳି ନିଷ୍ପତ୍ତି ଫଳରେ ଚଳିତ ବର୍ଷ ତାଙ୍କପରି ଅନେକ ଲୋକ ଏହି ଦୁର୍ଲଭ ଦୃଶ୍ୟ ଦେଖିବାରୁ ବଞ୍ଚିତ ହେବେ।

କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ରାୟର ପୁନଃ ବିଚାର କରିବାକୁ ସେ ତାଙ୍କ ଆବେଦନରେ ଜଣାଇଛନ୍ତି। ଆସନ୍ତା ସୋମବାର ଏ ସମ୍ପର୍କରେ ଶୁଣାଣି ହେବାପରେ ଚିତ୍ର ସ୍ପଷ୍ଠ ହୋଇଯିବ। ଅଫତାବଙ୍କ କହିବା କଥା ମହାପ୍ରଭୁ ଜଗନ୍ନାଥ କାହାକୁ ନିରାଶ କରିବେ ନାହିଁ ବରଂ ରଥ ଉପରେ ବସି ଏ ଜଗତକୁ କରୋନା ମହାମାରୀରୁ ରକ୍ଷା ପାଇଁ ଆର୍ଶିବାଦ କରିବେ। ନୟାଗଡ ସ୍ବୟଂଶାସିତ କଲେଜର ଏହି ଛାତ୍ରଜଣକ ପିଲାଟି ଦିନରୁ ହିନ୍ଦୁ ରୀତିନୀତି ଆଉ ଜଗନ୍ନାଥ ସଂସ୍କୃତି ପ୍ରତି ନିଜର ଶ୍ରଦ୍ଧା ଆଉ ସମ୍ମାନ ଥିବାର ଦେଖିବାକୁ ମିଳିଛି।

ତାଙ୍କର ଏହି ଦୁର୍ବଳତା ପଛରେ ତାଙ୍କ ଶିକ୍ଷକ ବଂଶୀଧର ସାହୁ ଆଉ ତାଙ୍କ ଜେଜେବାପା ସ୍ବର୍ଗତ ମୁଲତାବ୍ ଖାଁଙ୍କ ପ୍ରେରଣା ଅଛି ବୋଲି ସେ କହନ୍ତି। ନିଜ ହାତରେ ତିଆରି ମାଟି ଜଗନ୍ନାଥଙ୍କ ପ୍ରତିକୃତିକୁ ରଥରେ ସେ ଗତ ଆଠ ବର୍ଷ ହେଲା ଟାଣି ଆସୁଛନ୍ତି। ଅଫତାବଙ୍କ ଏଭଳି ନିଆରା ଜଗନ୍ନାଥ ଭକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

-ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page