ଅହମଦାବାଦ(ସଂକେତ ଖବର)-ଗୁଜୁରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ଼ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ରଥଯାତ୍ରାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଅଡାଲଜ୍ ରେ ଦୁଇ ପ୍ରହରରେ ପାଗ କୋହଲା ଥିବାରୁ ଶ୍ରଦ୍ଧାଳୁ ମାନଙ୍କର ଅସମ୍ଭବ ଭିଡ଼ ନଜରକୁ ଆସିଥିଲା।

ତେବେବି ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର(ଜେ.ସି. ଏ. ଆର୍.ସି.) ତରଫରୁ ମାସ୍କ୍ ପିନ୍ଧାକୁ ବାଧ୍ୟ କରାଯିବା ପାଇଁ ସମସ୍ତ ଆନୁସଙ୍ଗିକ ପଦକ୍ଷେପ ନିଆଯାଇଥିଲା। ମନ୍ଦିରରେ ବଢି ଭୋର୍ ରୁ ଠାକୁର ମାନଙ୍କର ଯଥାରୀତି ପୂଜାର୍ଚ୍ଚନା କରାଯାଇ ସକାଳ ୧୦ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ୨୨ଫୁଟ ଉଚ୍ଚ ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଦେବୀ ସୁଭଦ୍ରାଙ୍କ ରୋଷଣୀ ମହିଳା ମାନେ କରୁଥିବାର ଦୃଶ୍ୟ ବେଶ୍ ମନୋରଞ୍ଜକ ଥିଲା। ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେଉଥିବାର ଭବ୍ୟ ଅନୁଭୂତି ଖୁବ୍ ନିଆରା ଥିଲା।


ଗୁଜୁରାଟ ସରକାରଙ୍କର ରାଜସ୍ବ ମନ୍ତ୍ରୀ ରାଜେନ୍ଦ୍ର ଏସ୍ ତ୍ରିବେଦୀ ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ତାଙ୍କୁ ଏହି କାର୍ଯ୍ୟରେ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଡ଼ଃ ସୁଦୀପ କୁମାର ନନ୍ଦ ଓ ସୁରତର ମୁନିସିପାଲ କମିଶନର ବାଞ୍ଛାନିଧି ପାଣି ସହଯୋଗ କରିଥିଲେ। ଏହା ପରେ ଅପରାହ୍ନ ୨ଟା ବେଳେ ମନ୍ଦିର ସାମ୍ନାର ବଡ଼ ଦାଣ୍ଡରେ ରଥ ଗଡିବାକୁ ଆରମ୍ଭ କରିଥିଲା। ପ୍ରାୟ ୧୫୦୦୦ ଭକ୍ତଙ୍କର ଉପସ୍ଥିତିରେ ରଥକୁ ଦୀର୍ଘ ୬ କିମି ଲମ୍ବ ରାସ୍ତା ଶନି ଦେବ ମନ୍ଦିର, ସ୍ବାମୀ ନାରାୟଣ ମନ୍ଦିର ଓ ତ୍ରୀ ମନ୍ଦିର ନିକଟକୁ ନିଆଯାଇ ପୁଣି ଅପରାହ୍ନ ୪ଟା ବେଳେ ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ଏହା ପରେ ଠାକୁର ମାନଙ୍କୁ ମନ୍ଦିରର ତଳତାଲାରେ ଥିବା କମ୍ୟୁନିଟି ହଲ୍ କୁ ନିଆଯାଇ ସେଠାରେ ନିର୍ମିତ ସିଂହାସନରେ ବିରାଜମାନ କରାଯାଇଥିଲା।

ରଥଯାତ୍ରା ମହୋତ୍ସବର ଆୟୋଜନ ଓ ସୁଚାରୁ ରୂପେ ସମ୍ପାଦନା କରିବାରେ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଡକ୍ଟର ସୁଦୀପ କୁମାର ନନ୍ଦ, ସଦସ୍ୟ ସଚିବ ବଦ୍ରି ମହାପାତ୍ର, ସଦସ୍ୟ ହରେକୃଷ୍ଣ ଦାଶ, ମହେଶ୍ୱର ସାହୁ, ଡକ୍ଟର ନିବେଦିତା ସାହୁ, ଲୀଳା ଦାସ, ରବି ପଣ୍ଡା, ଅଶୋକ ସାମଲ, ସତ୍ୟ ମିଶ୍ର, ନାରାୟଣ ସ୍ବାଇଁ, ଅଜୟ ଦାସ, ମହେନ୍ଦ୍ର ଦାସ, ରୋହିତ ନାୟକ, ନିଗମାନନ୍ଦ ଦାସ, ବସନ୍ତ ପଣ୍ଡା ଓ ଗଣେଶ ନାୟକ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page