ସୁକିନ୍ଦା ହେବ ଶସ୍ଯ ଶ୍ୟାମଳା, ରେଙ୍ଗାଲି ଡ୍ୟାମ ହେବ ଚାଷୀଙ୍କ ଲାଇଫ ଲାଇନ:ବିଧାୟକ
![](https://www.sanketkhabar.com/wp-content/uploads/2021/07/IMG_20210716_083629-1024x757.jpg)
ସୁକିନ୍ଦା(ସଙ୍କେତ ଖବର)ସାକାର ହେଲା ଅନ୍ନଦାତାଙ୍କ ସ୍ବପ୍ନ। ଚାଷ ଜମିକୁ ମାଡ଼ିଲା ରେଙ୍ଗାଲି କେନାଲ ପାଣି। ଆଉ ଚାଷ କାର୍ଯ୍ୟରେ ଉପୁଜିବନି ଜଳ ସମସ୍ୟା। ଉପକୃତ ହେବେ ହଜାର ହଜାର ଚାଷୀ। ଏପରିକି ଖରାଦିନେ ଏବଂ ବର୍ଷା ଋତୁରେ ସ୍ୱଳ୍ପ ବୃଷ୍ଟିରୁ ଚାଷୀଙ୍କୁ ମୁକ୍ତି ଦେବ ରେଙ୍ଗାଲି କେନାଲ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଆଜି ରେଙ୍ଗାଲି ବାମ ପାର୍ଶ୍ଵ କେନାଲରେ ପ୍ରଥମଥର ପାଇଁ ପାଣି ଛଡାଯାଇଛି। ଯାଜପୁର ସୁକିନ୍ଦା ବ୍ଲକ ବନ୍ଧୁଗାଁ ନିକଟରେ ଉଦଘାଟନ କରି ଏହାର ଶୁଭାରମ୍ଭ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ। ଏହି କେନାଲ ଦ୍ଵାରା ଉପକୃତ ହେବେ ସୁକିନ୍ଦା, ଦାନଗଦୀ ଓ କୋରାଇ ବ୍ଲକର ହଜାର ହଜାର ଚାଷୀ। ଜଳସେଚିତ ହୋଇପାରିବ ହଜାର ହଜାର ଏକର ଚାଷଜମି। ଏଥିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଚାଷୀ।
![](https://www.sanketkhabar.com/wp-content/uploads/2021/07/IMG-20210716-WA0012.jpg)
![](https://www.sanketkhabar.com/wp-content/uploads/2021/07/IMG-20210716-WA0015.jpg)
ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ରେଙ୍ଗାଲି ପ୍ରକଳ୍ପରୁ ପାଣି ମାଡିଛି। ୩ଟି ଡିଷ୍ଟ୍ରିବ୍ୟୁଟେରୀ ଓ ୯ଟି ମାଇନର୍ କେନାଲ ଯୋଗେ ଜଳ ଯୋଗାଣ କରାଯାଇଛି। ଯେଉଁଥିରେ ପ୍ରାୟ ୧୦ ହଜାର ହେକ୍ଟର ରୁ ଉର୍ଦ୍ଧ୍ବ ଚାଷ ଜମିରେ ପାଣି ମାଡ଼ି ପାରିବ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବନ୍ଧଗାଁ ଠାରେ ଆଜି ଉଦଘାଟନ କରି ଏହାର ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ବିଧାୟକ ପ୍ରିତିରଞ୍ଜନ ଘଡାଇ। ଅନ୍ନଦାତାଙ୍କର ଉନ୍ନତିରେ ବିଶ୍ୱାସ ରଖୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୩ ମସିହା ଜାନୁଆରୀ ୫ ତାରିଖରେ ରେଙ୍ଗାଲି ମେଗା ପ୍ରକଳ୍ପର ୨୯ କିଲୋମିଟର ଅର୍ଥାତ୍ ଯାଜପୁର ଜିଲ୍ଲା ସିମାନ୍ତ ସୁକିନ୍ଦା ବ୍ଲକ ବରଗଜି ଗ୍ରାମ ଠାରୁ ସଂସାଇଲୋ ପର୍ଯ୍ୟନ୍ତ ରେଙ୍ଗାଲି ମୁଖ୍ୟ କେନାଲ ଖନନ ପାଇଁ ଶୁଭ ପ୍ରଦାନ କରିଥିଲେ।
![](https://www.sanketkhabar.com/wp-content/uploads/2021/07/IMG_20210715_121545-scaled.jpg)
ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠି ଓ ଜାପାନର ଜାଇକା’ ସଂସ୍ଥାର ସହଯୋଗରେ ରେଙ୍ଗାଲି ଡ୍ୟାମର ପାଣି ଢ଼େଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ୯୭,୪୦୦ ଏକର ଜମିରେ ପହଞ୍ଚାଇବା ପାଇଁ ୨୨ ଶହ ୫୫ କୋଟି ୧୫ ଲକ୍ଷର ବ୍ୟୟ ବରାଦ କରାଯାଇଥିଲା। ତେବେ ଦୀର୍ଘ ୮ ବର୍ଷ ପରେ ଏହି ରେଙ୍ଗାଲି କେନାଲରେ ପାଣି ଛଡାଯାଇଛି। ଫଳରେ ଚାଷୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ସୁକିନ୍ଦା, କୁହିକା ଓ ଦାମୋଦରପୁର ଡିଷ୍ଟ୍ରିବ୍ୟୁଟେରୀ ସହିତ ଓଡିଶୋ, ଭାଲୁକିପାତାଳି, କାଦୁଅବନ୍ଦୀ, ଜେମାଦେଈପୁର ଓ ନୂଆଡିହ ପରି ପ୍ରାୟ ୯ ଟି ମାଇନର୍ କେନାଲ ଯୋଗେ ଜଳ ଯୋଗାଣ କରାଯାଇଛି। ସୁକିନ୍ଦା ଡିଷ୍ଟ୍ରିବ୍ୟୁରେରୀର ସିଂହଭାଗ ଜଳ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳକୁ ମାଡିବ। ଅନ୍ୟ ସମସ୍ତ ଡିଷ୍ଟ୍ରିବ୍ୟୁଟେରୀ ଓ ମାଇନର୍ କେନାଲର ଜଳ ସମ୍ପୁର୍ଣ୍ଣ ଭାବେ ସୁକିନ୍ଦା ଅଞ୍ଚଳର ଚାଷ ଜମିରେ ପହଞ୍ଚିବ। ତେବେ ପରବର୍ତ୍ତି ସମୟରେ ସୁକିନ୍ଦା, ଦାନଗଦୀ ଓ କୋରାଇ ବ୍ଲକର ଅନ୍ୟ ପଞ୍ଚାୟତ ହେବ ଜଳସେଚିତ।
![](https://www.sanketkhabar.com/wp-content/uploads/2021/07/image_editor_output_image855327666-1626405482615.jpg)
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ରେଙ୍ଗାଲି ଡ୍ୟାମର ପାଣି ଏବେ ରତ୍ନଗର୍ଭା ସୁକିନ୍ଦାରେ ପହଞ୍ଚିଛି। ଆଗକୁ ସୁକିନ୍ଦା ଚାଷୀଙ୍କ ଲାଇଫ୍ ଲାଇନ୍ ହେବ ଏହି ରେଙ୍ଗାଲି କେନାଲ । ଆଜିର ଦିନ ବା ୨୦୨୧ ଜୁଲାଇ ୧୫ ତାରିଖ ସୁକିନ୍ଦା ଚାଷୀ କୁଳ ପାଇଁ ସ୍ମରଣୀୟ ହୋଇ ରହିବ। କାରଣ ରେଙ୍ଗାଲି ବାମପାର୍ଶ୍ୱ କେନାଲର ପ୍ରଥମ ପାଣି ସୁକିନ୍ଦାଗଡ଼, ବନ୍ଧଗାଁ, ଦୁଧୁଯୋରୀ, ପିମ୍ପୁଡ଼ିଆ, କୁହିକା ଏବଂ କାଙ୍କଡ଼ପାଳ ଆଦି ପଞ୍ଚାୟତରେ ପହଞ୍ଚିଛି । ଏହି ୬ଟି ପଞ୍ଚାୟତର ପ୍ରାୟ ୧୦ ହଜାର ୨୨୧ ଏକର ଜମିରେ ମାଡିଛି ରେଙ୍ଗାଲି ଜଳ। ୨୦୨୪ ସୁଦ୍ଧା ସଂପୂର୍ଣ୍ଣ ହେବାକୁ ଥିବା ରେଙ୍ଗାଲି ପ୍ରକଳ୍ପ ଦ୍ୱାରା ଯାଜପୁର ଜିଲ୍ଲାର ସୁକିନ୍ଦା, ଦାନଗଦୀ ଏବଂ କୋରେଇ ବ୍ଲକର ହଜାର ହଜାର ଚାଷୀଙ୍କର ଦୀର୍ଘବର୍ଷର ଆଶା ପୂରଣ ହେବାକୁ ଯାଉଛି। ରେଙ୍ଗାଲି କେନାଲର ପ୍ରଥମ ପାଣି କ୍ଷେତରେ ମାଡି ବାରୁ ରତ୍ନଗର୍ଭା ସୁକିନ୍ଦା ଚାଷୀଙ୍କ ମୁହଁରେ ହସ ଫୁଟିଛି। ଏବେ ଚାଷ ପାଇଁ ଆଉ ପାଣିର ଅଭାବ ରହିବ ନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ଚାଷୀ।
![](https://www.sanketkhabar.com/wp-content/uploads/2021/07/IMG-20210716-WA0023.jpg)
ଚାଷୀମାନେ ଯେପରି କେବଳ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ ନହେବେ, ସେଥିପାଇଁ ଜଳସେଚନକୁ ପ୍ରାଧନ୍ୟ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ପ୍ରତିବର୍ଷ ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି।